ପ୍ରଥମ ତୀମଥି4
ତୀମଥିଙ୍କୁ ନିର୍ଦ୍ଦେଶାବଳୀ
1ଆତ୍ମା ଏହା ସ୍ପଷ୍ଟ ଭାବରେ କହୁଅଛନ୍ତି ଯେ ଶେଷକାଳରେ କେହି କେହି ବିଶ୍ୱାସ ତ୍ୟାଗ କରି ଭ୍ରାନ୍ତିଜନକ ଆତ୍ମାମାନଙ୍କ ଓ ପାପାତ୍ମମାନଙ୍କ ଶିକ୍ଷାର ଅନୁଗାମୀ ହେବେ।2ଏପ୍ରକାର ଶିକ୍ଷା ଭଣ୍ଡ ମିଥ୍ୟା ବାଦୀମାନଙ୍କଠାରୁ ଆସିଥାଏ, ତପ୍ତ ଲୁହାରେ ପୋଡ଼ିଗଲା ପରି ଏମାନଙ୍କ ବିବେକ ପୋଡ଼ି ଯାଇଅଛି।3ଏମାନେ ଲୋକଙ୍କୁ ବିବାହ କରିବାକୁ ନିଷେଧ କରନ୍ତି ଏବଂ କୌଣସି କୌଣସି ଖାଦ୍ୟପଦାର୍ଥ ଭୋଜନରୁ ବିରତ ହେବାକୁ ଆଦେଶ ଦିଅନ୍ତି, ଅଥଚ ବିଶ୍ୱାସ କରୁଥିବା ଓ ସତ୍ୟ ଜାଣିଥିବା ଲୋକେ ଧନ୍ୟବାଦ ସହ ଗ୍ରହଣ କରିବାକୁ ଈଶ୍ୱର ତ ଏହିସବୁ ସୃଷ୍ଟି କରିଛନ୍ତି।4କାରଣ ଈଶ୍ୱର ଯାହା ସୃଷ୍ଟି କରିଅଛନ୍ତି, ସେସମସ୍ତ ଉତ୍ତମ ଏବଂ ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଗ୍ରହଣର ଅଯୋଗ୍ୟ ନୁହେଁ,5କାରଣ ତାହା ଈଶ୍ୱରଙ୍କ ବାକ୍ୟ ଦ୍ଵାରା ଏବଂ ପ୍ରାର୍ଥନା ଦ୍ଵାରା ପବିତ୍ରୀକୃତ ହୋଇଥାଏ।6ତୁମେ ଭାଇମାନଙ୍କୁ ଏହିସମସ୍ତ ବିଷୟ ଦର୍ଶାଇ ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମେ ଯେଉଁ ବିଶ୍ୱାସ ସମ୍ଭନ୍ଧୀୟ ସତ୍ୟତାର ଓ ଯେଉଁ ସତ୍ ଶିକ୍ଷାର ଅନୁଗମନ କରିଅଛ, ତହିଁରେ ପରିପୁଷ୍ଟ ହେବ।7କିମ୍ବଦନ୍ତୀ ଓ ବୁଢ଼ୀମା କାହାଣୀସବୁ ପ୍ରତ୍ୟାଖ୍ୟାନ କର; ବରଂ ଈଶ୍ୱରପରାୟଣ ଜୀବନଯାପନ କରିବାକୁ ଅଭ୍ୟାସ କର।8କାରଣ ଶାରୀରିକ ବ୍ୟାୟାମ କେତେକାଂଶରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ସବୁ ବିଷୟରେ ଲାଭଜନକ, ଏଥିରେ ଇହ ତଥା ପର ଉଭୟେ ଜୀବନ ପାଇଁ ପ୍ରତିଜ୍ଞା ରହିଅଛି।9ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି ଏବଂ ସଂପୂର୍ଣ୍ଣଭାବେ ଗ୍ରହଣୀୟ।10ପୁଣି ଆମେ ତ ଏଥିପାଇଁ ପରିଶ୍ରମ ଓ କଠୋର ଚେଷ୍ଟା କରୁଅଛୁ, ଯେଉଁ ନିତ୍ୟଜୀବୀ ଈଶ୍ୱର ସବୁ ମନୁଷ୍ୟମାନଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମେ ଭରସା ରଖିଅଛୁ।11ତୁମେ ଏହିସମସ୍ତ ବିଷୟରେ ଆଜ୍ଞା ଓ ଶିକ୍ଷା ଦିଅ।12ତୁମେ ତରୁଣବୟସ୍କ ବୋଲି କେହି ତୁମକୁ ଅବଜ୍ଞାନ ନ କରୁ, ମାତ୍ର କଥାବାର୍ତ୍ତାରେ, ଜୀବନରେ, ପ୍ରେମରେ, ବିଶ୍ୱାସରେ, ପବିତ୍ରତାରେ ବିଶ୍ୱାସୀମାନଙ୍କର ଆଦର୍ଶ ହୁଅ।13ମୁଁ ସେଠାକୁ ଯିବା ପର୍ଯ୍ୟନ୍ତ, ଲୋକଙ୍କ ନିକଟରେ ଶାସ୍ତ୍ରପଠନ, ପ୍ରଚାର ଓ ଶିକ୍ଷାଦାନରେ ମନୋନିବେଶ କର।14ମଣ୍ଡଳୀମୁଖ୍ୟମାନେ ତୁମ ଉପରେ ହସ୍ତାର୍ପଣ କଲାବେଳେ, ଭାବବାଣୀ ଦ୍ଵାରା ତୁମକୁ ଯେଉଁ ବରଦାନ ଦତ୍ତ ହୋଇଅଛି ତାକୁ ହେଳା କର ନାହିଁ।15ଏହିସବୁ ବିଷୟ ଅଭ୍ୟାସ କର; ତହିଁରେ ସଂପୂର୍ଣ୍ଣ ମନୋନିବେଶ କର, ତାହାହେଲେ ସମସ୍ତେ ତୁମର ଉନ୍ନତି ଦେଖିପାରିବେ।16ନିଜର ଜୀବନ ଓ ଶିକ୍ଷା ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଅ। ସେହିସବୁରେ ଦୃଢ଼ନିଷ୍ଠ ହୁଅ, କାରଣ ତଦ୍ଦ୍ୱାରା ତୁମେ ନିଜର ତଥା, ତୁମ ଶ୍ରୋତାମାନଙ୍କର ପରିତ୍ରାଣ ସାଧନ କରିବ।Biblica, Inc.