ପ୍ରଥମ ତୀମଥି3
ମଣ୍ଡଳୀର କର୍ମକର୍ତ୍ତାମାନଙ୍କ ସମ୍ବନ୍ଧରେ
1ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି ଯେ ଯଦି କେହି ଅଧ୍ୟକ୍ଷ ହେବାକୁ ଆଗ୍ରହ ସହ ଇଚ୍ଛା କରେ ସେ ଏକ ମହତ୍ କାର୍ଯ୍ୟ କରିବାକୁ ଇଚ୍ଛା କରେ।2କିନ୍ତୁ ଅଧ୍ୟକ୍ଷ ଦୋଷଶୂନ୍ୟ, ଏକପତ୍ନୀକ, ମିତାଚାରୀ, ଆତ୍ମସଂଯମୀ, ସମ୍ମାନାସ୍ପଦ, ଅତିଥିପରାୟଣ, ଶିକ୍ଷାଦାନରେ ସୁଦକ୍ଷ ହେବା ଆବଶ୍ୟକ।3ସେ ମଦ୍ୟପ ହୋଇ ନ ଥିବେ, ସେ ଉଗ୍ରପ୍ରକୃତିକ ନ ହୋଇ, ଶାନ୍ତପ୍ରକୃତିକ ହୋଇଥିବେ, ସେ କଳହପ୍ରିୟ କିମ୍ବା ଧନଲୋଭୀ ହୋଇ ନ ଥିବେ।4ସେ ନିଜ ପରିବାରକୁ ସୁଚାରୁରୂପେ ନିୟନ୍ତ୍ରଣ କରି ପାରୁଥିବେ ଏବଂ ତାଙ୍କର ସନ୍ତାନମାନେ ଯେପରି ଯଥୋଚିତ ଭକ୍ତି ସହକାରେ ତାଙ୍କର ବାଧ୍ୟ ହେବେ, ସେଥିପ୍ରତି ଦୃଷ୍ଟି ଦେବେ।5କେହି ଯଦି ନିଜ ପରିବାରକୁ ନିୟନ୍ତ୍ରଣ କରି ଜାଣେ ନାହିଁ, ତେବେ ସେ ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେବ କିପରି?6ଅଧ୍ୟକ୍ଷ ଜଣେ ନୂତନ ବିଶ୍ୱାସୀ ହୋଇ ନ ଥିବେ, ନଚେତ୍ ସେ ହୁଏତ ଗର୍ବୀ ହୋଇ ଶୟତାନ ସହ ସମାନ ଦଣ୍ଡଭୋଗ କରିବେ।7ବାହାର ଲୋକଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିବା ଆବଶ୍ୟକ, ତା ହେଲେ ସେ ଅପବାଦଗ୍ରସ୍ତ ହେବେ ନାହିଁ ଓ ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।8ସେହିପ୍ରକାରେ, ସେବକମାନେ ମଧ୍ୟ ସମ୍ମାନାସ୍ପଦ ଓ ନିଷ୍କପଟ ବ୍ୟକ୍ତି ହେବା ଆବଶ୍ୟକ, ସେମାନେ ମଦ୍ୟପାନରେ ଆସକ୍ତ ଓ ଅଧର୍ମ ଧନ ପାଇଁ ଲାଳାୟିତ ହେବା ଉଚିତ ନୁହେଁ।9ସେମାନେ ନିର୍ମଳ ବିବେକରେ ବିଶ୍ୱାସର ନିଗୂଢ଼ ସତ୍ୟଗୁଡ଼ିକୁ ଦୃଢ଼ ରୂପେ ଧରି ରଖିବା ଉଚିତ।10ସେମାନଙ୍କୁ ପ୍ରଥମେ ପରୀକ୍ଷା କରାଯାଉ; ଏବଂ ସେମାନଙ୍କ ବିରୁଦ୍ଧରେ ଯଦି କିଛି ନ ଥାଏ, ତେବେ ସେମାନେ ଦୀକନ ପଦରେ ନିଯୁକ୍ତ ହୁଅନ୍ତୁ।11ସେହିପ୍ରକାରେ, ସେମାନଙ୍କର ପତ୍ନୀମାନେ ମଧ୍ୟ ସମ୍ମାନାସ୍ପଦ ହୋଇଥିବେ, ସେମାନେ ପରଚର୍ଚ୍ଚାକାରୀ ନ ହୋଇ ମିତାଚାରୀ ଓ ସବୁ ବିଷୟରେ ବିଶ୍ୱସ୍ତ ହୋଇଥିବେ।12ସେବକମାନେ ଏକପତ୍ନୀକ ହେବା ଏବଂ ନିଜ ସନ୍ତାନମାନଙ୍କୁ ତଥା ନିଜ ପରିବାରକୁ ସୁଚାରୁରୂପେ ନିୟନ୍ତ୍ରଣ କରି ପାରୁଥିବା ଆବଶ୍ୟକ।13ଯେଉଁମାନେ ଉତ୍ତମଭାବେ ସେବକକାର୍ଯ୍ୟ କରନ୍ତି, ସେମାନେ ନିଜ ପାଇଁ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ନିଜ ବିଶ୍ୱାସ ସମ୍ବନ୍ଧରେ ପ୍ରଗାଢ଼ ଭରସା ଲାଭ କରନ୍ତି।14ଯଦିବା ତୁମ ନିକଟକୁ ମୁଁ ଶୀଘ୍ର ଯିବି ବୋଲି ଆଶା କରୁଅଛି, ତଥାପି ଏହି ନିର୍ଦ୍ଦେଶଗୁଡ଼ିକ ଲେଖୁଛି,15କାରଣ ମୋର ଯଦି ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ପରିବାରରେ ଲୋକେ କି ପ୍ରକାର ଆଚରଣ କରିବା ଉଚିତ, ତାହା ତୁମେ ଜାଣିବ ଏହା ତ ନିତ୍ୟଜୀବୀ ଈଶ୍ୱରଙ୍କ ମଣ୍ଡଳୀ, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।16ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଧର୍ମପରାୟଣତାର ନିଗୂଢ଼ତତ୍ତ୍ୱ ମହତ୍ ତାହା ଏହି:ସେ ଦେହ ଧାରଣ କରି ଆବିର୍ଭୂତ ହେଲେ,ଆତ୍ମାଙ୍କ ଦ୍ଵାରା ଧାର୍ମିକ ବୋଲି ପ୍ରମାଣିତ ହେଲେ,ସ୍ଵର୍ଗଦୂତମାନଙ୍କ ଦ୍ଵାରା ପରିଦୃଷ୍ଟ ହେଲେ,ଜାତିବର୍ଗ ମଧ୍ୟରେ ପ୍ରଚାରିତ ହେଲେ,ଜଗତରେ ବିଶ୍ୱାସଭାଜନ ହେଲେ,ଗୌରବରେ ଊର୍ଦ୍ଧ୍ୱକୁ ଗୃହୀତ ହେଲେ।Biblica, Inc.