ପ୍ରଥମ ତୀମଥି5
ବିଧବା, ବୟୋଜ୍ୟେଷ୍ଠ ଓ ଦାସମାନଙ୍କ ବିଷୟରେ ପରାମର୍ଶ
1କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କଠୋର ଭତ୍ସନା କର ନାହିଁ, ମାତ୍ର ପିତୃସମ ମନେ କରି ତାଙ୍କୁଅନୁଯୋଗ କର। କନିଷ୍ଠମାନଙ୍କ ସହିତ ଭ୍ରାତୃସମ,2ବୟୋଜ୍ୟେଷ୍ଠାମାନଙ୍କ ସହିତ ମାତୃତୁଲ୍ୟ ଓ କନିଷ୍ଠାମାନଙ୍କ ସହିତ ସଂପୂର୍ଣ୍ଣ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ବ୍ୟବହାର କର।3ଯିଏ ପ୍ରକୃତରେ ଅସହାୟ ସେହି ବିଧବାମାନଙ୍କ ପ୍ରତି ଯତ୍ନଶୀଳ ହୁଅ।4କିନ୍ତୁ ଯଦି କୌଣସି ବିଧବାର ସନ୍ତାନ ବା ପୌତ୍ରାଦି ଥାଆନ୍ତି, ତେବେ ସେମାନେ ପ୍ରଥମେ ନିଜ ପରିବାରର ଯତ୍ନ ନେଇ କାର୍ଯ୍ୟରେ ପରିଣତ କରିବାକୁ ଶିଖିବା ଉଚିତ ଏହିରୂପେ ସେମାନେ ନିଜ ପିତାମାତା ଓ ପିତାମହ ଆଦିଙ୍କର ଋଣ ଶୁଝି ପାରିବେ କାରଣ ଏହା ଈଶ୍ୱରଙ୍କ ତୁଷ୍ଟିଜନକ।5ଯେଉଁ ବିଧବାର କେହି ନାହିଁ ଓ ଯେ ଅସହାୟ ସେ ଈଶ୍ୱରଙ୍କ ଉପରେ ଭରସା ରଖିଥାଏ ଓ ଦିବାରାତ୍ରି ପ୍ରାର୍ଥନା କରି ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରିଥାଏ।6କିନ୍ତୁ ଯେଉଁ ବିଧବା ଭୋଗବିଳାସରେ ଜୀବନ କାଟିବାକୁ ଚାହେଁ ସେ ଜୀବିତ ଥିଲେ ସୁଦ୍ଧା ମୃତ।7କେହି ଯେପରି ଦୋଷଶୂନ୍ୟ ହୁଏ, ଏଥିପାଇଁ ତୁମେ ଲୋକମାନଙ୍କୁ ଏହିସବୁ ନିର୍ଦ୍ଦେଶ ଦିଅ।8କେହି ଯଦି ନିଜର ଆତ୍ମୀୟମାନଙ୍କ ବିଶେଷତଃ ନିଜ ପରିବାରର ଭରଣପୋଷଣ ନ କରେ, ସେ ବିଶ୍ୱାସମତକୁ ଅସ୍ୱୀକାର କରିଅଛି ଏବଂ ଅବିଶ୍ୱାସୀଠାରୁ ସୁଦ୍ଧା ଅଧମ ଅଟେ।9ଯେଉଁ ବିଧବା ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ, ନିଜ ସ୍ୱାମୀ ପ୍ରତି ବିଶ୍ୱସ୍ତ ହୋଇଥିବ,10ଏବଂ ସତ୍କର୍ମରେ ଯାହାର ସୁଖ୍ୟାତି ଥିବ, ଯଥା ପିଲାମାନଙ୍କୁ ସଯତ୍ନରେ ବଢ଼ାଇଥିବ, ଅତିଥିସତ୍କାର କରିଥିବ, ସାଧୁବୃନ୍ଦଙ୍କର ପାଦ ପ୍ରକ୍ଷାଳନ ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କର ସାହାଯ୍ୟ କରିଥିବ ଏବଂ ସମସ୍ତ ସତ୍କର୍ମରେ ବ୍ରତୀ ଥିବ, ତାକୁ ବିଧବା ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ।11କିନ୍ତୁ ଯୁବତୀ ବିଧବାମାନଙ୍କୁ, ଏପ୍ରକାର ତାଲିକାରେ ଅନ୍ତର୍ଭୁକ୍ତ କର ନାହିଁ। କାରଣ ଖ୍ରୀଷ୍ଟଙ୍କଠାରେ ଆତ୍ମୋତ୍ସର୍ଗ ଅପେକ୍ଷା ସେମାନଙ୍କର କାମାଭିଳାଷ ଯଦି ଅଧିକ ହୁଏ, ସେମାନେ ପୁନର୍ବିବାହ କରିବାକୁ ଇଚ୍ଛା କରିଥାଆନ୍ତି।12ଏହିରୂପେ, ସେମାନେ କରିଥିବା ପ୍ରଥମ ପ୍ରତିଜ୍ଞା ଭଙ୍ଗ କରି ନିଜ ଉପରେ ଦଣ୍ଡ ଆଣନ୍ତି।13ଏହାଛଡ଼ା, ଆଳସ୍ୟପ୍ରିୟ ହେବା ଓ ଘର ଘର ବୁଲିବା ଏମାନଙ୍କର ଏକ ଅଭ୍ୟାସରେ ପରିଣତ ହୁଏ। ପୁଣି ଏମାନେ ଯେ କେବଳ ଆଳସ୍ୟପ୍ରିୟ ହୁଅନ୍ତି, ତା ନୁହେଁ, ମାତ୍ର ନାନାଦି ଅନୁଚିତ୍ କଥା କହି ପରଚର୍ଚ୍ଚା କରନ୍ତି ଓ ଅନ୍ୟର ବ୍ୟାପାରରେ ଅନଧିକାର ଚର୍ଚ୍ଚା କରନ୍ତି।14ତେଣୁ ମୋର ପରାମର୍ଶ, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ଲାଭକରି ନିଜର ଘର ସଂସାର ଚଳାନ୍ତୁ ଏବଂ ଅପବାଦ କରିବା ପାଇଁ ଶତ୍ରୁକୁ ସୁଯୋଗ ନ ଦିଅନ୍ତୁ।15ପ୍ରକୃତରେ କେହି କେହି ବିପଥଗାମୀ ହୋଇ ଶୟତାନର ଅନୁଗାମୀ ହେଲେଣି।16କୌଣସି ବିଶ୍ୱାସିନୀ ସ୍ତ୍ରୀର ପରିବାରରେ ଯଦି ବିଧବାମାନେ ଥାଆନ୍ତି, ତେବେ ସେ ମଣ୍ଡଳୀକୁ ଭାରଗ୍ରସ୍ତ ନ କରି ନିଜେ ସେମାନଙ୍କୁ ସାହାଯ୍ୟ କରୁ, ତା ହେଲେ ଯେଉଁ ବିଧବାମାନେ ପ୍ରକୃତରେ ଅସହାୟ, ସେମାନଙ୍କୁ ମଣ୍ଡଳୀ ସାହାଯ୍ୟ କରିପାରିବ।17ଯେଉଁ ମଣ୍ଡଳୀମୁଖ୍ୟମାନେ ମଣ୍ଡଳୀର କାର୍ଯ୍ୟ ସୁପରିଚାଳନା କରନ୍ତି ବିଶେଷତଃ ଯେଉଁମାନେ ପ୍ରଚାର ଓ ଶିକ୍ଷାଦାନ କରନ୍ତି, ସେମାନେ ଦ୍ୱିଗୁଣ ସମ୍ମାନ ପାଇବାକୁ ଯୋଗ୍ୟ।18କାରଣ ଧର୍ମଶାସ୍ତ୍ର କହେ, “ବେଙ୍ଗଳା ପକାଉଥିବା ବଳଦର ମୁହଁରେ ତୁଣ୍ଡି ବାନ୍ଧିବ ନାହିଁ,” ପୁଣି “କାର୍ଯ୍ୟକାରୀ ତାହାର ମୂଲ ପାଇବାକୁ ଯୋଗ୍ୟ।”19ଦୁଇ ବା ତିନି ସାକ୍ଷୀଙ୍କ ଦ୍ଵାରା ଆଗତ ନହେଲେ କୌଣସି ମଣ୍ଡଳୀମୁଖ୍ୟଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ।20ଯେଉଁମାନେ ପାପ କରନ୍ତି ସେମାନଙ୍କୁ ସର୍ବସାଧାରଣରେ ଭତ୍ସନା କର, ତା ହେଲେ ଅନ୍ୟମାନେ ଚେତନା ଗ୍ରହଣ କରିବେ।21ଈଶ୍ୱର ତଥା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଏବଂ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ତୁମକୁ ଦୃଢ଼ ଆଦେଶ ଦେଉଅଛି, ବିନା ପକ୍ଷପାତିତାରେ ଏହିସବୁ ନିର୍ଦ୍ଦେଶ ପାଳନ କର, ଏବଂ ପ୍ରିୟାପ୍ରୀତି ତୋଷଣ ନୀତିରେ କୌଣସି କାର୍ଯ୍ୟ କର ନାହିଁ।22ତରବରରେ କାହାରି ଉପରେ ହସ୍ତାର୍ପଣ କର ନାହିଁ, ଏବଂ କାହାରି ପାପର ଭାଗୀ ହୁଅ ନାହିଁ। ନିଜକୁ ପବିତ୍ର ରଖ।23ଉଦରପୀଡ଼ା ଯୋଗୁଁ ଓ ବାରମ୍ବାର ଅସୁସ୍ଥ ହୋଇ ପଡ଼ିବା ହେତୁ ତୁମେ କେବଳ ଜଳ ପାନ ନ କରି ସାମାନ୍ୟ ପରିମାଣର ସୁରା ବ୍ୟବହାର କର।24କେତେକଙ୍କ ପାପ ବିଚାର ପୂର୍ବରୁ ସୁସ୍ପଷ୍ଟ, ଅନ୍ୟ କେତେକଙ୍କ ପାପ ପରେ ପ୍ରକାଶ ପାଏ।25ସେହିପ୍ରକାରେ, ସତ୍କର୍ମସବୁ ମଧ୍ୟ ସୁସ୍ପଷ୍ଟ ଏବଂ ଯେଉଁସବୁ ସୁସ୍ପଷ୍ଟ ନୁହେଁ, ସେହିଗୁଡ଼ିକ ଗୁପ୍ତ ରହିପାରିବ ନାହିଁ।Biblica, Inc.