ପ୍ରକାଶିତ ବାକ୍ୟ13
ସମୁଦ୍ର ମଧ୍ୟରୁ ଉତ୍ଥିତ ପଶୁ
1ଅନନ୍ତର ସର୍ପ ସମୁଦ୍ର ତୀରରେ ଠିଆ ହେଲା। ତତ୍ପରେ ମୁଁ ଏକ ପଶୁକୁ ସମୁଦ୍ରରୁ ଉଠି ଆସିବାର ଦେଖିଲି। ତାହାର ଦଶ ଶୃଙ୍ଗ ଓ ସାତ ମସ୍ତକ ଥିଲା, ଏବଂ ଦଶ ଶୃଙ୍ଗରେ ଦଶଟି ମୁକୁଟ ଓ ପ୍ରତ୍ୟେକ ମସ୍ତକରେ, ଈଶ୍ୱର-ନିନ୍ଦାସୂଚକ ଗୋଟିଏ ଗୋଟିଏ ନାମ ଥିଲା।2ମୁଁ ଯେଉଁ ପଶୁକୁ ଦେଖିଲି ତାହା ଚିତାବାଘ ପରି, ମାତ୍ର ତାହାର ପାଦ ଭାଲୁର ପାଦ ଏବଂ ମୁଖ ସିଂହର ମୁଖ ପରି ଥିଲା। ସେହି ସର୍ପ ପଶୁକୁ ନିଜର ଶକ୍ତି ନିଜର ସିଂହାସନ ଓ ମହା କ୍ଷମତା ସମର୍ପଣ କଲା।3ପଶୁର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକରେ ମାରାତ୍ମକ କ୍ଷତ ଥିଲା ପରି ମନେ ହେଉଥିଲା, କିନ୍ତୁ ସେହି ମାରାତ୍ମକ କ୍ଷତ ସୁସ୍ଥ ହୋଇ ଯାଇଥିଲା। ସମଗ୍ର ଜଗତ ଆଚମ୍ବିତ ହୋଇ ପଶୁର ଅନୁଗମନ କଲା।4ସର୍ପ ପଶୁକୁ କ୍ଷମତା ଦେଇଥିବାରୁ ଲୋକେ ସର୍ପକୁ ପୂଜା କଲେ ଏବଂ ପଶୁକୁ ମଧ୍ୟ ପୂଜା କରି କହିଲେ, “ପଶୁ ପରି ଆଉ କିଏ ଅଛି? କିଏ ତା ବିରୁଦ୍ଧରେ ଯୁଦ୍ଧ କରିପାରେ?”5ଅହଂକାର ପୂର୍ଣ୍ଣ ଓ ଈଶ୍ୱର-ନିନ୍ଦାସୂଚକ କଥା କହିବାକୁ ପଶୁକୁ ଏକମୁଖ ଦିଆଗଲା ଏବଂ ବୟାଳିଶ ମାସ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିବାକୁ ସ୍ୱାଧୀନତା ଦିଆଗଲା।6ଈଶ୍ୱରଙ୍କ ନିନ୍ଦା କରିବାକୁ, ତାହାଙ୍କ ନାମକୁ ତାହାଙ୍କ ନିବାସକୁ ଓ ସ୍ଵର୍ଗବାସୀମାନଙ୍କୁ ବିଦ୍ରୂପ କରିବାକୁ ସେ ତାହାର ମୁଖ ଖୋଲିଲା।7ସାଧୁବୃନ୍ଦଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କ ଉପରେ ଜୟଲାଭ କରିବାକୁ ତାକୁ କ୍ଷମତା ଦିଆଗଲା। ଆହୁରି ମଧ୍ୟ ସବୁ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ଦେଶବାସୀଙ୍କ ଉପରେ କର୍ତ୍ତୃତ୍ଵ କରିବାକୁ ତାକୁ ଅଧିକାର ଦିଆଗଲା।8ଜଗତର ସୃଷ୍ଟି କାଳରୁ ବଳିପ୍ରାପ୍ତ ମେଷଶାବକଙ୍କ ଜୀବନପୁସ୍ତକରେ ଯେଉଁମାନଙ୍କର ନାମ ଲିଖିତ ନ ଥିବ, ପୃଥିବୀନିବାସୀ ସେହି ଲୋକମାନେ ପଶୁକୁ ପୂଜା କରିବେ।9ଯାହାର କାନ ଅଛି, ସେ ଶୁଣୁ।10“କେହି ଯଦି ବନ୍ଦୀ ହୋଇ ଯିବାର ଥାଏ,ତେବେ ସେ ବନ୍ଦୀ ହୋଇଯିବ।କେହି ଯଦି ଖଡ଼୍ଗରେ ନିହତ ହେବାର ଥାଏ,ତେବେ ସେ ଖଡ଼୍ଗାଘାତରେ ନିହତ ହେବ।”ସାଧୁମାନେ ଧୈର୍ଯ୍ୟ ଓ ବିଶ୍ୱାସ ସହକାରେ ରହିବାକୁ ଏହା ଏକ ଆହ୍ଵାନ।ଭୂମି ମଧ୍ୟରୁ ଉତ୍ଥିତ ପଶୁ
11ଏହାପରେ ମୁଁ ଆଉ ଏକ ପଶୁକୁ, ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି। ମେଷ ପରି ତାହାର ଦୁଇଟି ଶୃଙ୍ଗ ଥିଲା, ମାତ୍ର ସେ ସର୍ପ ତୁଲ୍ୟ କଥା କହୁଥିଲା।12ସେ ପ୍ରଥମ ପଶୁ ତରଫରୁ ସମସ୍ତ କର୍ତ୍ତୃତ୍ଵ ବ୍ୟବହାର କଲା, ଏବଂ ଯେଉଁ ପ୍ରଥମ ପଶୁର ମାରାତ୍ମକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପୂଜା କରିବାକୁ ପୃଥିବୀ ତଥା ତନ୍ନିବାସୀଙ୍କୁ ବାଧ୍ୟ କଲା।13ସେ ମହତ୍ ଏବଂ ଅଲୌକିକ କର୍ମସବୁ ସାଧନ କଲା, ଏପରିକି ଲୋକଙ୍କ ଦୃଷ୍ଟିଗୋଚରରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବର୍ଷଣ କଲା।14ପ୍ରଥମ ପଶୁ ତରଫରୁ ଅଲୌକିକ କର୍ମସବୁ କରିବାକୁ ସେ ଯେଉଁ ଶକ୍ତି ପାଇଥିଲା, ତଦ୍ଦ୍ୱାରା ପୃଥିବୀବାସୀଙ୍କୁ ପ୍ରତାରଣା କଲା। ଯେଉଁ ପଶୁ ଖଡ଼୍ଗ ଦ୍ଵାରା ଆହତ ହୋଇ ସୁଦ୍ଧା ବଞ୍ଚିଥିଲା, ତାହାର ସମ୍ମାନାର୍ଥେ ଏକ ପ୍ରତିମା ଗଢ଼ିବାକୁ ସେ ସେମାନଙ୍କୁ ଆଦେଶ ଦେଲା।15ସେହି ପ୍ରତିମା ଯେପରି କଥା କହିପାରିବ ଓ ପ୍ରତିମାକୁ ପୂଜା କରିବା ପାଇଁ ଅସମ୍ମତ ଲୋକଙ୍କୁ ଯେପରି ବଧ କରାଇ ପାରିବ, ଏଥିପାଇଁ ପ୍ରଥମ ପଶୁର ପ୍ରତିମାକୁ ପ୍ରାଣବାୟୁ ଦେବାକୁ ତାକୁ କ୍ଷମତା ଦିଆଗଲା।16ଆହୁରି ମଧ୍ୟ, ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ, ସମସ୍ତଙ୍କୁ ନିଜ ନିଜର ଦକ୍ଷିଣ ହସ୍ତରେ ଓ କପାଳରେ ଏକ ଚିହ୍ନ ଧାରଣ କରିବାକୁ ସେ ବାଧ୍ୟ କଲା।17ଏହା ଫଳରେ ଯେକେହି ସେହି ଚିହ୍ନ ଧାରଣ କରି ନ ଥିବ, ସେ କିଣାବିକା କରିପାରିବ ନାହିଁ, ଏହି ଚିହ୍ନ ସେହି ପଶୁର ନାମ କିମ୍ବା ତା ନାମର ସଂଖ୍ୟା ଅଟେ।18ଏଥିପାଇଁ ଜ୍ଞାନ ନିତାନ୍ତ ଆବଶ୍ୟକ। କାହାରି ଯଦି ଅନ୍ତର୍ଦୁଷ୍ଟି ଅଛି ସେ ସେହି ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି ଛଅଶହ ଛଷଠି।Biblica, Inc.