ପ୍ରକାଶିତ ବାକ୍ୟ12

ଜଣେ ନାରୀ ଓ ସର୍ପ

1ଅନନ୍ତର ଆକାଶମଣ୍ଡଳରେ ଏକ ଅତି ଆଶ୍ଚର୍ଯ୍ୟଜନକ ଲକ୍ଷଣ ଦେଖାଗଲା, ଜଣେ ନାରୀ ସୂର୍ଯ୍ୟରେ ବସ୍ତ୍ରାନ୍ୱିତା ଥିଲେ, ତାଙ୍କ ପାଦତଳେ ଥିଲା ଚନ୍ଦ୍ର ଓ ମସ୍ତକରେ ଦ୍ଵାଦଶ ତାରକା ଖଚିତ ଏକ ମୁକୁଟ।2ସେ ଗର୍ଭବତୀ ଥିଲେ ଓ ଆସନ୍ନପ୍ରସବା ଥିବାରୁ ଯନ୍ତ୍ରଣାରେ ଆର୍ତ୍ତସ୍ଵର କରୁଥିଲେ।3ଏଉତ୍ତାରେ ଆକାଶମଣ୍ଡଳରେ ଆଉ ଏକ ଲକ୍ଷଣ ଦେଖାଗଲା, ଏକ ବିରାଟକାୟ ଲୋହିତବର୍ଣ୍ଣର ସର୍ପ, ତାହାର ସାତ ମସ୍ତକ ଦଶ ଶୃଙ୍ଗ ଓ ମସ୍ତକଗୁଡ଼ିକରେ ସାତୋଟି ମୁକୁଟ ଥିଲା।4ତାହାର ଲାଙ୍ଗୁଳ ଆକାଶମଣ୍ଡଳର ତାରାମାନଙ୍କ ମଧ୍ୟରୁ ଏକ ତୃତୀୟାଂଶକୁ ଟାଣି ନେଇ ପୃଥିବୀରେ ନିକ୍ଷେପ କଲା। ଶିଶୁ ଜନ୍ମ ହେଲାମାତ୍ରେ, ତାହାକୁ ଗ୍ରାସ କରିବାକୁ ସେହି ସର୍ପ ଆସନ୍ନପ୍ରସବା ନାରୀଙ୍କ ସମ୍ମୁଖରେ ଠିଆ ହେଲା।5ନାରୀ ଏକ ପୁତ୍ରସନ୍ତାନ ପ୍ରସବ କଲେ, “ଯେ କି ଲୌହ ରାଜଦଣ୍ଡରେ ସବୁ ଜାତିଙ୍କୁ ଶାସନ କରିବେ।” କିନ୍ତୁ ନାରୀଙ୍କ ସନ୍ତାନ ଈଶ୍ୱର ତଥା ତାହାଙ୍କ ସିଂହାସନ ନିକଟକୁ ତତ୍‌କ୍ଷଣାତ୍ ଉଠାଇ ନିଆଗଲେ।6ନାରୀ ଏକ ମରୁଭୂମିକୁ ପଳାୟନ କଲେ, ଏହିଠାରେ ଈଶ୍ୱରଙ୍କ ଦ୍ଵାରା ତାଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ ହୋଇଥିଲା, ଯେପରି ସେ ସେଠାରେ 1,260 ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହୋଇପାରିବେ।
7ତତ୍ପରେ ସ୍ଵର୍ଗରେ ଯୁଦ୍ଧ ଲାଗିଲା। ମୀଖାଏଲ ଓ ତାଙ୍କର ଦୂତବର୍ଗ ସର୍ପ ବିରୁଦ୍ଧରେ ଯୁଦ୍ଧ କଲେ, ଏବଂ ସର୍ପ ଓ ତାହାର ଦୂତମାନେ ପ୍ରତିଆକ୍ରମଣ କଲେ।8କିନ୍ତୁ ସର୍ପର ଯଥେଷ୍ଟ ବଳ ନ ଥିବାରୁ, ସେମାନେ ସ୍ଵର୍ଗରେ ସ୍ଵସ୍ଥାନ ହରାଇଲେ।9ସେହି ପୁରାତନ ନାଗ ଯେ କି ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଏବଂ ଯେ ସମଗ୍ର ଜଗତକୁ ବିପଥଗାମୀ କରାଏ, ସେହି ମହା ସର୍ପ ତଳକୁ ନିକ୍ଷିପ୍ତ ହେଲା। ସେ ତାହାର ଦୂତମାନଙ୍କ ସହିତ ପୃଥିବୀକୁ ନିକ୍ଷିପ୍ତ ହେଲା।
10ତତ୍ପରେ ମୁଁ ସ୍ଵର୍ଗରେ ଏକ ଉଚ୍ଚ ସ୍ଵର ଏହା କହିବାର ଶୁଣିଲି:“ବର୍ତ୍ତମାନ ଆମର ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟଏବଂ ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତୃତ୍ଵ ଉପସ୍ଥିତ ହୋଇଅଛି।କାରଣ ଆମର ଭ୍ରାତୃବର୍ଗଙ୍କ ଅଭିଯୋଗକାରୀ,ଯେ କି ଦିବାରାତ୍ରି ଆମର ଈଶ୍ୱରଙ୍କ ସାକ୍ଷାତରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲା,ସେ ତଳକୁ ନିକ୍ଷିପ୍ତ ହୋଇଅଛି।11ସେମାନେ ମେଷଶାବକଙ୍କ ରକ୍ତ ଦ୍ଵାରାଏବଂ ନିଜର ସାକ୍ଷ୍ୟ ବାକ୍ୟ ଦ୍ଵାରା;ତାହାକୁ ପରାଜିତ କରିଅଛନ୍ତିସେମାନେ ମରଣରୁ ବର୍ତ୍ତିବା ପାଇଁନିଜ ଜୀବନକୁ ସୁଦ୍ଧା ପ୍ରିୟ ମଣି ନ ଥିଲେ।12ଅତଏବ, ହେ ସ୍ଵର୍ଗ ଓ ତନ୍ନିବାସୀ ସମସ୍ତେତୁମ୍ଭେମାନେ ଆନନ୍ଦୋଲ୍ଲାସ କର!କିନ୍ତୁ ହାୟ ପୃଥିବୀ ଓ ସାଗର,କାରଣ ଶୟତାନ ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇଅଛି!ସେ କ୍ରୋଧରେ ଜର୍ଜରିତ,କାରଣ ତାହାର ସମୟ ଅଳ୍ପ ବୋଲି ସେ ଜାଣେ।”
13ସର୍ପ ଯେତେବେଳେ ଦେଖିଲା ଯେ ସେ ପୃଥିବୀକୁ ନିକ୍ଷିପ୍ତ ହୋଇଅଛି, ସେତେବେଳେ ପୁତ୍ରସନ୍ତାନ ପ୍ରସବ କରିଥିବା ନାରୀଙ୍କର ପଶ୍ଚାତ୍‌ଧାବନ କଲା।14ନାରୀଙ୍କୁ ଏକ ବୃହତ୍ ଈଗଲ ପକ୍ଷର ଦୁଇଟି ପକ୍ଷ ଦିଆଗଲା, ଯଦ୍ଦ୍ୱାରା ସେ ମରୁଭୂମିରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଡଡ଼ି ଯାଇ ପାରିବେ ଓ ସେଠାରେ ସେ ସର୍ପର କବଳରୁ ରକ୍ଷା ପାଇ, ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୋଇପାରିବେ।15ନାରୀଙ୍କୁ ସ୍ରୋତରେ ଭସାଇ ନେବାକୁ, ସେହି ସର୍ପ ତାହାର ମୁଖରୁ ନଦୀ ପରି ଜଳ ଉଦ୍‌ଗାର କଲା।16କିନ୍ତୁ ପୃଥିବୀ ନିଜର ମୁଖ ଖୋଲି ସର୍ପ ଉଦ୍‌ଗାର କରିଥିବା ନଦୀ ଜଳକୁ ପାନ କରିବା ଦ୍ଵାରା ନାରୀଙ୍କୁ ସାହାଯ୍ୟ କଲା।17ଏହାପରେ ସର୍ପ ନାରୀଙ୍କ ଉପରେ କ୍ରୋଧାନ୍ଧ ହୋଇ ତାଙ୍କର ଅବଶିଷ୍ଟ ସନ୍ତାନମାନଙ୍କର, ଅର୍ଥାତ୍ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥିବା ଏବଂ ଯୀଶୁଙ୍କ ନିମନ୍ତେ ସାକ୍ଷ୍ୟ ଦେଉଥିବା ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଗଲା।

Biblica, Inc.

https://app.library.bible/content/97b51048ae7f2ec9