ପ୍ରକାଶିତ ବାକ୍ୟ11

ଈଶ୍ୱରଙ୍କର ଦୁଇଜଣ ସାକ୍ଷୀ

1ଏହାପରେ ମୋତେ ମାପକାଠି ପରି ଏକ ନଳବାଡ଼ି ଦିଆଗଲା ଓ କୁହାଗଲା, “ଯାଅ, ଈଶ୍ୱରଙ୍କ ମନ୍ଦିର ଓ ଯଜ୍ଞବେଦିକୁ ମାପ ଏବଂ ସେଠାରେ ଥିବା ଉପାସକମାନଙ୍କ ସଂଖ୍ୟା ଗଣନା କର।2କିନ୍ତୁ ବାହାର ପ୍ରାଙ୍ଗଣକୁ ଛାଡ଼ି ଦିଅ; ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀଜାତିର ଲୋକଙ୍କୁ ଦତ୍ତ ହୋଇଅଛି। ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପୁଣ୍ୟ ନଗରୀକୁ ପଦଦଳିତ କରିବେ।3ପୁଣି, ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି, ସେମାନେ ଚଟବସ୍ତ୍ର ପିନ୍ଧି ଏକ ହଜାର ଦୁଇଶହ ଷାଠିଏ ଦିନ ଭାବବାଣୀ ପ୍ରଚାର କରିବେ।”4ଏମାନେ ହେଉଅଛନ୍ତି, “ପୃଥିବୀର ପ୍ରଭୁଙ୍କ ସମ୍ମୁଖସ୍ଥ ଦୁଇ ଜିତ ବୃକ୍ଷ” ଓ “ଦୁଇ ଦୀପରୁଖା।”5କେହି ସେମାନଙ୍କ ଅନିଷ୍ଟ କରିବାକୁ ଚେଷ୍ଟା କଲେ, ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁବର୍ଗଙ୍କୁ ଗ୍ରାସ କରେ। କେହି ସେମାନଙ୍କର ଅନିଷ୍ଟ କରିବାକୁ ଇଚ୍ଛା କଲେ ସେ ଏହିରୂପେ ନିହତ ହେବ।6ଭାବବାଣୀ କରୁଥିବା ସମୟରେ ଦୃଷ୍ଚିପାତ ନ ହେବା ପାଇଁ ଆକାଶକୁ ରୁଦ୍ଧ କରିବାର କ୍ଷମତା ସେମାନଙ୍କର ଅଛି ଏବଂ ଯେତେ ଥର ଇଚ୍ଛା ସେତେଥର ଜଳକୁ ରକ୍ତରେ ପରିଣତ କରିବା ଓ ପୃଥିବୀକୁ ସବୁପ୍ରକାର ମହାମାରୀରେ ଆକ୍ରାନ୍ତ କରିବାର କ୍ଷମତା ମଧ୍ୟ ସେମାନଙ୍କର ଅଛି।
7ସେମାନଙ୍କର ସାକ୍ଷ୍ୟଦାନ ସମାପ୍ତ ହେବା ପରେ, ଅତଳସ୍ପର୍ଶୀ ଗହ୍ଵରରୁ ଉତ୍ଥିତ ପଶୁ ସେମାନଙ୍କୁ ଆକ୍ରମଣ କରିବ ଓ ପରାସ୍ତ କରି ବଧ କରିବ।8ଯେଉଁ ମହା ନଗରୀକୁ ରୂପକ ଭାବରେ ସଦୋମ ଓ ମିଶର କୁହାଯାଏ ଏବଂ ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶବିଦ୍ଧ ହୋଇଥିଲେ, ସେହି ନଗରୀର ରାଜପଥରେ ସେମାନଙ୍କ ମୃତଶରୀର ପଡ଼ି ରହିବ।9ସବୁ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ଦେଶବାସୀ ସେମାନଙ୍କ ମୃତ୍ୟୁ ଶରୀରକୁ ସାଢ଼େ ତିନିଦିନ ପର୍ଯ୍ୟନ୍ତ ଚାହିଁ ରହିବେ ଏବଂ କବରସ୍ଥ ହେବାକୁ ଦେବେ ନାହିଁ।10ପୃଥିବୀର ଅଧିବାସୀମାନେ ସେମାନଙ୍କ ମୃତ୍ୟୁ ପାଇଁ ବିଜୟଉଲ୍ଲାସ କରିବେ ଏବଂ ପରସ୍ପରକୁ ଉପହାର ଆଦାନ ପ୍ରଦାନ କରି ଉତ୍ସବ ପାଳନ କରିବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀବାସୀଙ୍କୁ କ୍ଳେଶ ଦେଇଥିଲେ।
11କିନ୍ତୁ ସାଢ଼େ ତିନିଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ମଧ୍ୟରେ ପ୍ରବେଶ କଲା ଓ ସେମାନେ ଉଠି ଠିଆ ହେଲେ, ପୁଣି ଯେଉଁମାନେ ସେମାନଙ୍କୁ ଦେଖିଲେ, ସେମାନଙ୍କ ଉପରେ ଆତଙ୍କ ପଡ଼ିଲା।12ତତ୍ପରେ ସ୍ଵର୍ଗରୁ ସେମାନଙ୍କୁ ଉଚ୍ଚସ୍ଵରରେ ଏହା କୁହାଯିବାର ସେମାନେ ଶୁଣିଲେ, “ଏଠାକୁ ଉଠି ଆସ।” ତହୁଁ ସେମାନଙ୍କ ଶତ୍ରୁବର୍ଗଙ୍କ ଦୃଷ୍ଟିଗୋଚରରେ ସେମାନେ ମେଘାରୂଢ଼ ହୋଇ ସ୍ଵର୍ଗଗମନ କଲେ।
13ଠିକ ସେହି ସମୟରେ ଭୟାବହ ଭୂମିକମ୍ପ ହେଲା ଏବଂ ନଗରର ଦଶ ଭାଗରୁ ଏକ ଭାଗ ଭୂମିସାତ୍ ହେଲା। ଭୂମିକମ୍ପରେ ସାତ ସହସ୍ର ଲୋକ ପ୍ରାଣତ୍ୟାଗ କଲେ, ବଞ୍ଚିଥିବା ଅବଶିଷ୍ଟ ଲୋକେ ଭୀତତ୍ରସ୍ତ ହୋଇ ସ୍ଵର୍ଗସ୍ଥ ଈଶ୍ୱରଙ୍କ ମହିମାକୀର୍ତ୍ତନ କଲେ।
14ଦ୍ୱିତୀୟ ମହା ସଙ୍କଟ ଗତ ହେଲା; ତୃତୀୟ ମହା ସଙ୍କଟ ଅବିଳମ୍ବେ ଆସୁଅଛି।

ସପ୍ତମ ତୂରୀନାଦ

15ସପ୍ତମ ଦୂତ ତୂରୀନାଦ କଲେ ଏବଂ ସ୍ଵର୍ଗରେ ଉଚ୍ଚସ୍ଵରରେ ଏହି ବାଣୀ ହେଲା:“ଜଗତର ରାଜ୍ୟ ଆମର ପ୍ରଭୁଙ୍କରଓ ତାହାଙ୍କ ଖ୍ରୀଷ୍ଟଙ୍କର ହେଲା,ଏବଂ ସେ ଯୁଗେ ଯୁଗେ ରାଜତ୍ଵ କରିବେ।”
16ଆହୁରି ମଧ୍ୟ, ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ଉପବିଷ୍ଟ ଚବିଶ କୁଳବୃଦ୍ଧ, ସାଷ୍ଟାଙ୍ଗ ପ୍ରଣାମ କରି ଈଶ୍ୱରଙ୍କ ଆରାଧନା କଲେ,17ସେମାନେ କହିଲେ:“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର,ତୁମ୍ଭେ ବର୍ତ୍ତମାନ ଓ ଅତୀତ,ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ନିଜରମହାଶକ୍ତି ଧାରଣ କରି ରାଜତ୍ଵ କରିବାକୁ ଆରମ୍ଭ କରିଅଛ।18ଜାତିବର୍ଗ କ୍ରୋଧାନ୍ୱିତ ହୋଇଥିଲେ,ଏବଂ ତୁମ୍ଭର କୋପ ଉପସ୍ଥିତ ହୋଇଅଛି।ମୃତଲୋକଙ୍କର ବିଚାର କରିବାର ସମୟ,ଏବଂ ତୁମ୍ଭ ଦାସ ଭାବବାଦୀମାନଙ୍କୁ,ତୁମ୍ଭ ସାଧୁବୃନ୍ଦଙ୍କୁ ଓ ତୁମ୍ଭ ନାମକୁ ଭୟଭକ୍ତି କରୁଥିବା,ସାନ ବଡ଼ ସମସ୍ତଙ୍କୁ ପୁରସ୍କୃତ କରିବାର ସମୟ,ପୁଣି ଯେଉଁମାନେ ପୃଥିବୀକୁ ଧ୍ୱଂସ କରୁଅଛନ୍ତି, ସେମାନଙ୍କୁ ଧ୍ୱଂସ କରିବାର ସମୟ ଆସିଅଛି।”
19ଏଉତ୍ତାରେ ସ୍ଵର୍ଗରେ ଈଶ୍ୱରଙ୍କ ମନ୍ଦିର ଉନ୍ମୁକ୍ତ ହେଲା, ଏବଂ ମନ୍ଦିର ମଧ୍ୟରେ ତାହାଙ୍କର ନିୟମସିନ୍ଦୁକ ଦେଖାଗଲା। ତହୁଁ ବିଦ୍ୟୁତାଲୋକ ଝଲସି ଉଠିଲା, ଗମ୍ଭୀର ସ୍ଵର, ବଜ୍ରନାଦ, ଭୂକମ୍ପନ ଓ ପ୍ରବଳ ଶିଳାବୃଷ୍ଟି ହେଲା।

Biblica, Inc.

https://app.library.bible/content/97b51048ae7f2ec9