ପ୍ରକାଶିତ ବାକ୍ୟ10

ଜଣେ ସ୍ଵର୍ଗଦୂତ ଓ ଏକ ଚର୍ମପୁସ୍ତକ

1ଏଉତ୍ତାରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ସେ ମେଘରେ ବସ୍ତ୍ରାନ୍ୱିତ ଥିଲେ, ତାଙ୍କ ମସ୍ତକ ଉପରେ ମେଘଧନୁ ବିରାଜମାନ ଥିଲା; ତାଙ୍କ ମୁଖମଣ୍ଡଳ ସୂର୍ଯ୍ୟ ସଦୃଶ ଏବଂ ତାଙ୍କ ଚରଣଦ୍ଵୟ ଅଗ୍ନିସ୍ତମ୍ଭ ତୁଲ୍ୟ ଥିଲା।2ସେ ଏକ କ୍ଷୁଦ୍ର ଚର୍ମପୁସ୍ତକ ଧରିଥିଲେ, ଏହା ତାଙ୍କ ହସ୍ତରେ ଖୋଲା ହୋଇ ରହିଥିଲା। ସେ ତାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳ ଉପରେ ରଖିଲେ,3ପୁଣି ସେ ସିଂହଗର୍ଜନ ପରି ହୁଙ୍କାର ଦେଲେ। ସେ ହୁଙ୍କାର ଦିଅନ୍ତେ, ସପ୍ତ ବଜ୍ରପାତର ମହାନାଦରେ ନିଜ ନିଜ କଥା ବ୍ୟକ୍ତ କଲେ।4ପୁଣି ସପ୍ତ ବଜ୍ରପାତ ମହାନାଦରେ କହନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; କିନ୍ତୁ ଆକାଶରୁ ଏକ ସ୍ଵର ଏହା କହିବାର ଶୁଣିଲି, “ସପ୍ତ ବଜ୍ରପାତ ଯାହା କହିଲେ ତାହା ଗୋପନ ରଖ, ତାହା ଲିପିବଦ୍ଧ କର ନାହିଁ।”
5ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସାଗର ଓ ସ୍ଥଳ ଉପରେ ଠିଆ ହୋଇଥିବାର ଦେଖିଥିଲି, ସେ ସ୍ଵର୍ଗଆଡ଼େ ନିଜର ଦକ୍ଷିଣ ହସ୍ତ ଉତ୍ତୋଳନ କଲେ।6ଆହୁରି ମଧ୍ୟ ଯେ ଆକାଶ ଓ ତହିଁରେ ଥିବା ସମସ୍ତ ବିଷୟ, ପୃଥିବୀ ଓ ତହିଁରେ ଥିବା ସମସ୍ତ ବିଷୟ, ସାଗର ଓ ତହିଁରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, “ଆଉ ବିଳମ୍ବ ହେବ ନାହିଁ!7କିନ୍ତୁ ଯେଉଁ ଦିନମାନଙ୍କରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇବାକୁ ଉଦ୍ୟତ ହେବେ, ଈଶ୍ୱର ଆପଣା ଦାସ ଭାବବାଦୀମାନଙ୍କ ନିକଟରେ ଯେପରି ଘୋଷଣା କରିଥିଲେ, ତଦନୁସାରେ ତାହାଙ୍କର ନିଗୂଢ଼ ସଂକଳ୍ପ ସାଧିତ ହେବ।”
8ତତ୍ପରେ ଯେଉଁ ସ୍ଵର ମୁଁ ଆକାଶରୁ ଶୁଣିଥିଲି, ତାହା ମୋତେ ପୁନର୍ବାର କହିଲା “ଯାଅ, ସାଗର ଓ ସ୍ଥଳ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଥିବା ଖୋଲା ପୁସ୍ତକଟି ଗ୍ରହଣ କର।”
9ତେଣୁ ମୁଁ ଦୂତଙ୍କ ନିକଟକୁ ଯାଇ ସେହି କ୍ଷୁଦ୍ର ପୁସ୍ତକ ମୋତେ ଦେବାକୁ କହିଲି। ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର। ଏହା ତୁମର ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ ମୁଖରେ ତାହା ମଧୁ ପରି ମିଷ୍ଟ ଲାଗିବ।10ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକ ନେଇ ଭକ୍ଷଣ କଲି। ତାହା ମୋ ମୁଖରେ ମଧୁ ପରି ମିଷ୍ଟ ଲାଗିଲା, କିନ୍ତୁ ଉଦରକୁ ଗଲା ପରେ, ତାହା ମୋର ଉଦରରେ ତିକ୍ତ ହୋଇଗଲା।11ତତ୍ପରେ ମୋତେ କୁହାଗଲା, “ତୁମକୁ ଅନେକ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ରାଜାମାନଙ୍କ ବିଷୟରେ ପୁନର୍ବାର ଭବିଷ୍ୟଦ୍‌ବାଣୀ କହିବାକୁ ହେବ।”

Biblica, Inc.

https://app.library.bible/content/97b51048ae7f2ec9