ଲୂକ20

ଯୀଶୁଙ୍କର କ୍ଷମତା ସମ୍ବନ୍ଧରେ ପ୍ରଶ୍ନ

1ଦିନେ ଯୀଶୁ ମନ୍ଦିରପ୍ରାଙ୍ଗଣରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ, କୁଳବୃଦ୍ଧମାନଙ୍କ ସହିତ ତାହାଙ୍କ ନିକଟକୁ ଆସିଲେ।2ସେମାନେ କହିଲେ। “ତୁମେ କେଉଁ ଅଧିକାର ବଳରେ ଏସବୁ କରୁଛ,” କିଏ ତୁମକୁ ଏହି ଅଧିକାର ଦେଇଛି?
3ସେ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମୋତେ କୁହ:4ଯୋହନଙ୍କ ଡୁବନ ଦେବା ଅଧିକାର ସ୍ଵର୍ଗରୁ, ନା ମନୁଷ୍ୟମାନଙ୍କଠାରୁ ହେଲା?”
5ସେମାନେ ପରସ୍ପର ମଧ୍ୟରେ ତାହା ଆଲୋଚନା କରି କହିଲେ, “ଆମେ ଯଦି କହୁ, ‘ସ୍ଵର୍ଗରୁ,’ ତେବେ ସେ ପଚାରିବେ, ‘ତୁମେମାନେ ତା ହେଲେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ?’6ମାତ୍ର ଆମେ ଯଦି କହୁ, ‘ମନୁଷ୍ୟମାନଙ୍କଠାରୁ,’ ତେବେ ସବୁଲୋକ ଆମ ଉପରେ ପଥର ପକାଇ ମାରି ଦେବେ, କାରଣ ଯୋହନ ଯେ ଜଣେ ଭାବବାଦୀ ଥିଲେ ଏହି ଦୃଢ଼ ବିଶ୍ୱାସ ସେମାନଙ୍କର ଥିଲା।”
7ତେଣୁ ସେମାନେ ଉତ୍ତର ଦେଲେ, “ତାହା କେଉଁଠାରୁ ଆମେ ଜାଣି ନାହୁଁ।”
8ଯୀଶୁ କହିଲେ, “କେଉଁ ଅଧିକାର ବଳରେ ମୁଁ ଏସବୁ କରୁଛି ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”

ଭାଗଚାଷୀମାନଙ୍କ ଦୃଷ୍ଟାନ୍ତ ଗଳ୍ପ

9ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ ଗଳ୍ପ କହିବାକୁ ଲାଗିଲେ: “ଜଣେବ୍ୟକ୍ତି ଗୋଟିଏ ଅଙ୍ଗୁରକ୍ଷେତ ପ୍ରସ୍ତୁତ କରି, କେତେକ ଚାଷୀଙ୍କୁ ଭାଗରେ ଦେଇ ଦୀର୍ଘ କାଳ ପାଇଁ ବିଦେଶକୁ ଚାଲିଗଲେ।10ଭାଗଚାଷୀମାନେ ଫସଲ ଅମଳ ସମୟରେ ଅଙ୍ଗୁରକ୍ଷେତରୁ ଯେପରି ତାଙ୍କୁ ଫଳର ଭାଗ ଦେବେ ଏଥିପାଇଁ ସେ ଜଣେ ଦାସକୁ ପଠାଇଲେ। ମାତ୍ର ଭାଗଚାଷୀମାନେ ତାହାକୁ ମାଡ଼ ମାରିଲେ ଓ ଶୂନ୍ୟ ହାତରେ ବିଦାୟ କରିଦେଲେ।11ସେ ଆଉ ଜଣେ ଦାସକୁ ପଠାଇଲେ, ସେମାନେ ତାକୁ ମଧ୍ୟ ମାଡ଼ ମାରିଲେ ଅପମାନ କରି ଶୂନ୍ୟ ହାତରେ ପଠାଇଦେଲେ।12ସେ ତୃତୀୟ ଜଣକୁ ପଠାଇଲେ, ସେମାନେ ତାକୁ ଆହତ କରି ବାହାରେ ପକାଇଦେଲେ।
13“ତା ପରେ ଅଙ୍ଗୁର କ୍ଷେତର ମାଲିକ କହିଲେ, ‘ମୁଁ କଣ କରିବି? ମୁଁ ମୋର ପ୍ରିୟ, ପୁଅକୁ ପଠାଇବି: ହୁଏତ ସେମାନେ ତାକୁ ମାନ୍ୟ କରିବେ।’
14“କିନ୍ତୁ ଭାଗଚାଷୀମାନେ ତାଙ୍କୁ ଦେଖି, ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ କହିଲେ। ‘ଏ ତ ଉତ୍ତରାଧିକାରୀ, ଚାଲ ତାକୁ ମାରିଦେବା, ଓ ସମ୍ପତ୍ତି ଆମର ହେବ।’15ତେଣୁ ସେମାନେ ତାଙ୍କୁ ଅଙ୍ଗୁର କ୍ଷେତର ବାହାରେ ପକାଇ ହତ୍ୟା କଲେ।
“ତେବେ ଅଙ୍ଗୁର କ୍ଷେତର, ମାଲିକ ସେମାନଙ୍କୁ କଣ କରିବେ?
16ସେ ଆସି ସେହି ଚାଷୀମାନଙ୍କୁ ମାରି ଅଙ୍ଗୁରକ୍ଷେତ ଅନ୍ୟମାନଙ୍କୁ ଦେବେ।”
ଲୋକେ ଯେତେବେଳେ ତାହା ଶୁଣିଲେ, ସେମାନେ କହିଲେ, “ସେପରି କେବେ ନ ହେଉ!”
17ଯୀଶୁ ସେମାନଙ୍କୁ ସିଧା ଚାହିଁ ପଚାରିଲେ, “ତା ହେଲେ ଏହି ଯେଉଁ କଥା ଲେଖାଅଛି:“ ‘ଏହାର ଅର୍ଥ କଣ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେତାହା ପ୍ରଧାନ କୋଣପ୍ରସ୍ତର ହେଲା’?
18ଯେଉଁମାନେ ସେହି ପ୍ରସ୍ତର ଉପରେ ପଡ଼ିବେ ପ୍ରତ୍ୟେକେ ଖଣ୍ଡବିଖଣ୍ଡ ହେବେ; କିନ୍ତୁ ଯାହା ଉପରେ ସେହି ପ୍ରସ୍ତର ପଡ଼ିବ ସେ ଚୂର୍ଣ୍ଣବିଚୂର୍ଣ୍ଣ ହେବ।”
19ଶାସ୍ତ୍ରଜ୍ଞମାନେ ଓ ପ୍ରଧାନ ଯାଜକମାନେ ତାହାଙ୍କୁ ସେହିକ୍ଷଣି ଗିରଫ କରିବାକୁ ବାଟ ଖୋଜିଲେ, କାରଣ ସେ ଯେ ସେମାନଙ୍କ ବିରୁଦ୍ଧରେ ସେହି ଦୃଷ୍ଟାନ୍ତ-ଗକ୍ପଟି କହିଥିଲେ। ତାହା ସେମାନେ ବୁଝିଲେ କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ।

କାଇସରଙ୍କୁ କର ଦେବା ସମ୍ବନ୍ଧରେ

20ସେମାନେ ତାହାଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଲେ, ଓ ଯେଉଁମାନେ ନିଷ୍କପଟ ଲୋକ ବୋଲି ଛଳନା କରୁଥିଲେ, ଏପରି କେତେକଙ୍କୁ ଚର ରୂପେ ପଠାଇଲେ। ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ କ୍ଷମତା ଓ ଅଧିକାରରେ ସମର୍ପଣ କରିବା ଉଦ୍ଦେଶ୍ୟରେ, ତାହାଙ୍କ କଥାରୁ ଛିଦ୍ର ଧରିବାକୁ ଆଶା କରୁଥିଲେ।21ତେଣୁ ଚରମାନେ ତାହାଙ୍କୁ ପ୍ରଶ୍ନ କଲେ: “ଗୁରୁ, ଆମେ ଜାଣୁ ଯେ ଯାହା ଯଥାର୍ଥ ଆପଣ ତାହା କହନ୍ତି ଓ ଶିକ୍ଷା ଦିଅନ୍ତି, ଏବଂ ଆଦୌ ପକ୍ଷପାତିତା ନ କରି ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି।22କାଇସରଙ୍କୁ କର ଦେବା ଆମର ଉଚିତ କି ନୁହେଁ?”
23କିନ୍ତୁ ସେ ସେମାନଙ୍କର କପଟତା ବେଶ୍ ବୁଝୀପାରିଲେ ଓ ସେମାନଙ୍କୁ କହିଲେ,24“ମୋତେ ଗୋଟାଏ ଦୀନାର ଦେଖାଅ। ଏହା ଉପରେ କାହାର ପ୍ରତିକୃତି ଓ ନାମ ରହିଛି?”
ସେମାନେ ଉତ୍ତର ଦେଲେ, “କାଇସରଙ୍କର।”
25ସେ ସେମାନଙ୍କୁ କହିଲେ, “ତା ହେଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ, ଏବଂ ଯାହା ଈଶ୍ୱରଙ୍କର ତାହା ଈଶ୍ୱରଙ୍କୁ ଦିଅ।”
26ସେଠାରେ ସର୍ବସାଧାରଣଙ୍କ ସାକ୍ଷାତରେ ସେ ଯାହା କହିଲେ ତଦ୍ଦ୍ୱାରା ସେମାନେ ତାହାଙ୍କୁ ଫାନ୍ଦରେ ପକାଇ ପାରିଲେ ନାହିଁ। ପୁଣି ତାହାଙ୍କ ଉତ୍ତରରେ ଚମତ୍କୃତ ହୋଇ, ସେମାନେ ନୀରବ ରହିଲେ।

ପୁନରୁତ୍ଥାନ ଓ ବିବାହ ସମ୍ବନ୍ଧରେ

27ପୁନରୁତ୍ଥାନ ନାହିଁ ବୋଲି ଯେଉଁମାନେ କହନ୍ତି ଏପରି କେତେକ ସାଦ୍ଦୂକୀ ଗୋଟିଏ ପ୍ରଶ୍ନ ନେଇ, ଯୀଶୁଙ୍କ ନିକଟକୁ ଆସିଲେ।28ସେମାନେ କହିଲେ, “ଗୁରୁ,” ମୋଶା ଆମ ପାଇଁ ଏହା ଲେଖି ଯାଇଛନ୍ତି କୌଣସି ଲୋକର ଭାଇ ଯଦି ନିଃସନ୍ତାନ ହୋଇ ମରେ କିନ୍ତୁ ସ୍ତ୍ରୀ ବଞ୍ଚିଥାଏ, ତେବେ ଉକ୍ତ ଲୋକ ସେହି ବିଧବାକୁ ବିବାହ କରି ଭାଇର ବଂଶ ରକ୍ଷା କରିବ।29ଦେଖନ୍ତୁ ସାତ ଭାଇ ଥିଲେ, ପ୍ରଥମ ଜଣକ ଏକ ସ୍ତ୍ରୀକୁ ବିବାହ କରି ନିଃସନ୍ତାନ ହୋଇ ମଲା।30ତା ପରେ ଦ୍ୱିତୀୟ31ଓ ତୃତୀୟ ଜଣ ତାକୁ ବିବାହ କଲେ, ଏବଂ ଏହିରୂପେ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ।32ଅବଶେଷରେ, ସେ ସ୍ତ୍ରୀ ମଧ୍ୟ ମଲା।33ତା ହେଲେ, ପୁନରୁତ୍ଥାନ ସମୟରେ ସେ କାହାର ସ୍ତ୍ରୀ ହେବ, କାରଣ ସାତ ଜଣଯାକ ତ ତାକୁ ବିବାହ କରିଥିଲେ?
34ଯୀଶୁ ଉତ୍ତର ଦେଲେ, “ଏହି ଜଗତର ଲୋକମାନେ ବିବାହ କରନ୍ତି ଓ ବିବାହ ଦିଅନ୍ତି।35କିନ୍ତୁ ଯେଉଁମାନେ ସେହି ଜଗତରେ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ ସେମାନେ ବିବାହ କରନ୍ତି ନାହିଁ କି ବିବାହ ଦିଅନ୍ତି ନାହିଁ,36ପୁଣି ସେମାନେ ଆଉ ମୃତ୍ୟୁଭୋଗ କରିପାରନ୍ତି ନାହିଁ, କାରଣ ସେମାନେ ସ୍ଵର୍ଗଦୂତମାନଙ୍କ ପରି ହୁଅନ୍ତି। ସେମାନେ ପୁନରୁତ୍ଥାନର ସନ୍ତାନ ହୋଇଥିବାରୁ, ଈଶ୍ୱରଙ୍କ ସନ୍ତାନ ଅଟନ୍ତି।37କିନ୍ତୁ ଜ୍ୱଳନ୍ତ ବୁଦାଗଛର ବୃତ୍ତାନ୍ତରେ ମୋଶା ମଧ୍ୟ ଦର୍ଶାଇଛନ୍ତି ଯେ, ମୃତଲୋକେ ଉତ୍ଥିତ ହୁଅନ୍ତି, କାରଣ ସେ ପ୍ରଭୁଙ୍କୁ ‘ଅବ୍ରହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର, ଏବଂ ଯାକୁବଙ୍କ ଈଶ୍ୱର ବୋଲି ସମ୍ବୋଧନ କରିଛନ୍ତି।’38ସେ ମୃତମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର ଈଶ୍ୱର, କାରଣ ସମସ୍ତେ ତାହାଙ୍କ ଦୃଷ୍ଟିରେ ଜୀବିତ।”
39କେତେଜଣ ଶାସ୍ତ୍ରୀ କହିଲେ, “ଗୁରୁ, ଆପଣ ଭଲ ଉତ୍ତର ଦେଇଛନ୍ତି!”40ତା ପରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

ମସୀହ କାହାର ସନ୍ତାନ

41ତତ୍ପରେ ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ ଏହା ଲୋକେ କିପରି କହନ୍ତି?42ଦାଉଦ ନିଜେ ଗୀତସଂହିତା ପୁସ୍ତକରେ ଘୋଷଣା କରି କହିଛନ୍ତି:“ ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:ମୁଁ ତୁମ୍ଭର ଶତ୍ରୁମାନଙ୍କୁ43ତୁମ୍ଭର ପଦାନତ ନ କରିବା ପର୍ଯ୍ୟନ୍ତତୁମ୍ଭେ ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ।’ ”
44“ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି ଡାକିଛନ୍ତି ତେବେ ସେ କିପରି ତାଙ୍କ ସନ୍ତାନ ହୋଇପାରନ୍ତି?”

ଭଣ୍ଡ ଧର୍ମଗୁରୁମାନଙ୍କ ଠାରୁ ସାବଧାନ

45ଲୋକମାନେ ତାହାଙ୍କ କଥା ଶୁଣୁଥିବା ସମୟରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ,46“ଶାସ୍ତ୍ରଜ୍ଞମାନଙ୍କଠାରୁ ସାବଧାନ। ସେମାନେ ଲମ୍ୱା ପୋଷାକ ପିନ୍ଧି ବୁଲିବାକୁ ଓ ହାଟବଜାରରେ ଲୋକଙ୍କଠାରୁ ଅଭିବାଦନ ପାଇବାକୁ, ପୁଣି ଉପାସନାଗୃହମାନଙ୍କରେ ପ୍ରଧାନ ଆସନ ଓ ଭୋଜି ଉତ୍ସବରେ ସମ୍ମାନର ସ୍ଥାନ ଅଧିକାର କରିବାକୁ ଭଲ ପାଆନ୍ତି।47ସେମାନେ ବିଧବାମାନଙ୍କର ଗୃହ ଆତ୍ମସାତ୍ କରନ୍ତି ଏବଂ ଲୋକଦେଖାଣିଆଭାବେ ଦୀର୍ଘ ପ୍ରାର୍ଥନା କରନ୍ତି। ଏପ୍ରକାର ଲୋକମାନେ କଠିନତମ ଦଣ୍ଡ ପାଇବେ।”

Biblica, Inc.

https://app.library.bible/content/97b51048ae7f2ec9