ଲୂକ21
ଏକ ବିଧବାର ଦାନ
1ଯୀଶୁ ଅନାଇ ଦେଖିଲେ ଯେ, ଧନବାନ୍ ଲୋକେ ମନ୍ଦିରର କୋଷାଗାରରେ ନିଜ ନିଜର ଦାନ ପକାଉଛନ୍ତି।2ସେ ଆହୁରି ମଧ୍ୟ ଦେଖିଲେ ଯେ ଜଣେ ଦରିଦ୍ର ବିଧବା ତହିଁରେ ଦୁଇଟି ଛୋଟ ତମ୍ୱା ମୁଦ୍ରା ପକାଇଲା।3ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି,” ଏହି ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ପକାଇଛି।4ଏହି ଲୋକସମସ୍ତେ ସେମାନଙ୍କ ପ୍ରାଚୁର୍ଯ୍ୟରୁ ଦାନ ଦେଇଛନ୍ତି; କିନ୍ତୁ ଏହି ବିଧବା ଅଭାବରେ ଥାଇ ତାହାର ଯାହାକିଛି ରଖିଥିଲା ସର୍ବସ୍ଵ ଦେଇଛି।ଅନ୍ତିମକାଳର ଚିହ୍ନସମୂହ
5ମନ୍ଦିର କିପରି ସୁନ୍ଦର ସୁନ୍ଦର ପ୍ରସ୍ତର ଦ୍ଵାରା ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ଦାନସମୂହ ଦ୍ଵାରା ସୁଶୋଭିତ ହୋଇଛି ସେହିବିଷୟ ଶିଷ୍ୟମାନଙ୍କ ମଧ୍ୟରୁ କେତେକେ ଆଲୋଚନା କରୁଥିଲେ। କିନ୍ତୁ ଯୀଶୁ କହିଲେ,6“ତୁମେମାନେ ଏସବୁ ଯାହା ଦେଖୁଛ, ସମୟ ଆସିବ ଯେତେବେଳେ ଗୋଟିଏ ପଥର ସୁଦ୍ଧା ଅନ୍ୟ ପଥର ଉପରେ ରହିବ ନାହିଁ; ପ୍ରତ୍ୟେକ ପଥର ଭୂମିସାତ୍ ହେବ।”7ସେମାନେ ପଚାରିଲେ, “ଗୁରୁ,” ଏହିସବୁ କେବେ ଘଟିବ? ଓ ଏହିସବୁ ଯେ ସଫଳ ହେବାକୁ ଯାଉଛି ତାହାର କି ଚିହ୍ନ ଦେଖାଯିବ?8ସେ ଉତ୍ତର ଦେଲେ, “ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ ଏଥିପାଇଁ ସାବଧାନ ଥାଅ। କାରଣ ଅନେକେ ମୋ ନାମରେ ଆସି, କହିବେ, ‘ମୁଁ ସେହି ମସୀହ,’ ଏବଂ, ‘ସମୟ ଆସନ୍ନ।’ ଏମାନଙ୍କ ଅନୁଗମନ କର ନାହିଁ।9ଯୁଦ୍ଧ ଓ ବିଦ୍ରୋହର ସମ୍ବାଦ ଶୁଣିଲେ, ଭୀତତ୍ରସ୍ତ ହୁଅ ନାହିଁ। ଏହିସବୁ ପ୍ରଥମେ ଅବଶ୍ୟ ଘଟିବ, କିନ୍ତୁ ଅନ୍ତିମକାଳ ସଙ୍ଗେସଙ୍ଗେ ଆସିବ ନାହିଁ।”10ତତ୍ପରେ ସେ ସେମାନଙ୍କୁ କହିଲେ: “ଜାତି ବିରୁଦ୍ଧରେ ଜାତି, ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବେ।11ପୁଣି ନାନା ସ୍ଥାନରେ ମହା ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀ ହେବ, ଏବଂ ଆକାଶରେ ଭୟାବହ ଦୃଶ୍ୟ ଓ ମହା ଚିହ୍ନସମୂହ ଦେଖାଯିବ।12“କିନ୍ତୁ ଏସମସ୍ତ ଘଟିବା ପୂର୍ବରୁ, ସେମାନେ ତୁମକୁ ଧରି ନିର୍ଯ୍ୟାତନା କରିବେ। ସେମାନେ ତୁମକୁ ଉପାସନାଗୃହରେ ଓ କାରାଗାରରେ ସମର୍ପଣ କରିବେ, ଏବଂ ତୁମେମାନେ ମୋ ନାମ ସକାଶେ ରାଜା ଓ ରାଜ୍ୟପାଳମାନଙ୍କ, ସମ୍ମୁଖକୁ ନିଆଯିବ।13ଏହା ଫଳରେ ତୁମେମାନେ ସେମାନଙ୍କ ନିକଟରେ ମୋର ସାକ୍ଷୀ ହେବ।14ତୁମେମାନେ କିପରି ଆତ୍ମସମର୍ଥନ କରିବ ସେବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ମନ ସ୍ଥିର କର।15କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ ତୁମର କୌଣସି ବିପକ୍ଷ ପ୍ରତିରୋଧ କି ପ୍ରତିବାଦ କରିପାରିବ ନାହିଁ।16ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନେ ତୁମ ପ୍ରତି ବିଶ୍ୱାସଘାତକତା କରିବେ, ଏବଂ ତୁମ ମଧ୍ୟରୁ କେତେକଙ୍କୁ ବଧ କରିବେ।17ମୋ ନାମ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ।18କିନ୍ତୁ ତୁମ ମସ୍ତକର କେଶଟିଏ ସୁଦ୍ଧା ନଷ୍ଟ ହେବ ନାହିଁ।19ଅଟଳ ରହିବା ଦ୍ଵାରା, ତୁମେ ନିଜକୁ ଉଦ୍ଧାର କରିବ।20“ତୁମେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟମାନଙ୍କ ଦ୍ଵାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହାର ଧ୍ୱଂସ ଆସନ୍ନ ବୋଲି ଜାଣିବ।21ସେତେବେଳେ ଯେଉଁମାନେ ଯିହୁଦାରେ ଥିବେ ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ, ଯେଉଁମାନେ ନଗର ମଧ୍ୟରେ ଥିବେ ସେମାନେ ବାହାରି ଚାଲି ଯାଆନ୍ତୁ, ଏବଂ ଯେଉଁମାନେ ପଲ୍ଲୀ ଅଞ୍ଚଳରେ ଥିବେ ସେମାନେ ନଗର ମଧ୍ୟରେ ପ୍ରବେଶ ନ କରନ୍ତୁ।22ଯାହାସବୁ ଲିଖିତ ହୋଇଛି ସେହିସବୁ ସଫଳ ହେବା ପାଇଁ ତାହା ଦଣ୍ଡ ବିଧାନର ସମୟ ହେବ।23ସେହି ସମୟରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଦଶା କି ଭୟାନକ ନ ହେବ! କାରଣ ଦେଶରେ ଘୋର ବିପତ୍ତି ଆସିବ ଓ ଏହି ଜାତି ବିରୁଦ୍ଧରେ କ୍ରୋଧ ବର୍ତ୍ତିବ।24ସେମାନେ ଖଡ଼୍ଗାଘାତରେ ପତିତ ହେବେ କିମ୍ବା ବନ୍ଦୀ ହୋଇ ସବୁ ଜାତି ମଧ୍ୟକୁ ନୀତ ହେବେ। ଅଣଯିହୁଦୀ ଜାତିମାନଙ୍କର କାଳ ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।25“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷେତ୍ରଗୁଡ଼ିକରେ ଲକ୍ଷଣମାନ ଦେଖାଯିବ। ସମୁଦ୍ରର ଗର୍ଜନ ଓ ଆନ୍ଦୋଳନ ହେତୁ, ପୃଥିବୀରେ ଜାତିବର୍ଗ ଉଦ୍ବିଗ୍ନ ଓ ହତବୁଦ୍ଧି ହେବେ।26ଜଗତ ଉପରେ ଯାହାସବୁ ଆସୁଛି, ସେହିସବୁର ଆଶଙ୍କାରେ ଲୋକେ ଭୟରେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଜ୍ୟୋତିଷ୍କସମୂହ ବିଚଳିତ ହେବେ।27ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମରେ ଓ ମହା ଗୌରବରେ ମେଘରେ ଆସିବାର ଦେଖିବେ।28ଏହିସମସ୍ତ ଘଟଣା ଘଟିବାର ଆରମ୍ଭ ହେଲେ, ଠିଆ ହୋଇ ତୁମ ମୁଣ୍ଡ ଟେକ, କାରଣ ତୁମର ମୁକ୍ତି ସନ୍ନିକଟ ହେଉଅଛି।”29ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଡିମ୍ବିରି ଗଛ ଓ ଅନ୍ୟ ସବୁ ଗଛକୁ ଦେଖ।30ସେଥିରେ ଯେତେବେଳେ ପତ୍ର କଅଁଳେ, ସେତେବେଳେ ତୁମେ ନିଜେ ଦେଖି ଜାଣିପାର ଯେ ଗ୍ରୀଷ୍ମକାଳ ନିକଟ ହେଲାଣି।31ସେହିରୂପେ, ତୁମେ ଏହିସମସ୍ତ ଘଟିବାର ଦେଖିଲେ, ଜାଣିବ ଯେ ଈଶ୍ୱରଙ୍କ ରାଜ୍ୟ ଆସନ୍ନ।32“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଜାତି କୌଣସିମତେ ଲୋପ ପାଇବ ନାହିଁ।33ଆକାଶ ଓ ପୃଥିବୀ ଲୋପ ପାଇବ, କିନ୍ତୁ ମୋର କଥାସବୁ କେବେ ଲୋପ ପାଇବ ନାହିଁ।34“ସାବଧାନ ଥାଅ, ନଚେତ୍ ତୁମ୍ଭମାନଙ୍କର ହୃଦୟ ଲମ୍ପଟତା, ମଦ୍ୟପାନ, ଓ ଜୀବନର ନାନାଦି ଦୁଃଶ୍ଚିନ୍ତାରେ ଭାରଗ୍ରସ୍ତ ହୋଇଯିବ, ଏବଂ ସେହିଦିନ ତୁମମାନଙ୍କ ଉପରେ ଅପ୍ରତ୍ୟଶିଭାବେ ଫାନ୍ଦ ପରି ପଡ଼ିବ।35କାରଣ ତାହା ସମଗ୍ର ପୃଥିବୀ ପୃଷ୍ଠରେ ବାସ କରୁଥିବା ସମସ୍ତଙ୍କ ଉପରେ ଆସିବ।36ତେଣୁ ସର୍ବଦା ଜାଗ୍ରତ ଥାଅ, ଏବଂ ଯାହାସବୁ ଘଟିବାକୁ ଯାଉଛି ସେଥିରୁ ତୁମେ ଯେପରି ଉଦ୍ଧାର ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ, ଏଥିପାଇଁ ପ୍ରାର୍ଥନା କର।”37ଯୀଶୁ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ଓ ପ୍ରତି ସନ୍ଧ୍ୟାରେ ଚାଲିଯାଇ ଜୀତ ପର୍ବତରେ ରାତ୍ରିଯାପନ କରୁଥିଲେ।38ମନ୍ଦିରରେ ତାହାଙ୍କର କଥା ଶୁଣିବାକୁ ସବୁଲୋକ ଅତି ପ୍ରଭାତରୁ ଆସୁଥିଲେ।Biblica, Inc.