ଲୂକ19

କରଆଦାୟକାରୀ ଜଖୀୟ

1ଯୀଶୁ ଯିରିଖୋରେ ପ୍ରବେଶ କରି ନଗର ମଧ୍ୟଦେଇ ଯାଉଥିଲେ।2ସେଠାରେ ଜଖୀୟନାମରେ ଜଣେ ଲୋକ ଥିଲା; ସେ ଜଣେ ମୁଖ୍ୟ କରଆଦାୟକାରୀ ଓ ଧନବାନ୍ ଲୋକ ଥିଲା।3ଯୀଶୁ କିଏ ତାହା ଦେଖିବାକୁ ସେ ଇଚ୍ଛା କରୁଥିଲା, କିନ୍ତୁ ବାମନ ହୋଇଥିବାରୁ ଲୋକଗହଳି ହେତୁ ତାହାଙ୍କୁ ଦେଖିପାରିଲା ନାହିଁ।4ତେଣୁ ସେ ଆଗେ ଆଗେ ଦୈଡ଼ିଯାଇ ତାଙ୍କୁ ଦେଖିବା ପାଇଁ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଗଲା, କାରଣ ସେହି ବାଟ ଦେଇ ଯୀଶୁଙ୍କର ଯିବାର ଥିଲା।
5ଯୀଶୁ ଯେତେବେଳେ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଚାହିଁ ତାକୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇ ଆସ। ଆଜି ମୁଁ ତୁମ ଘରେ ଅବଶ୍ୟ ରହିବି।”6ଅତଏବ ସେ ସଙ୍ଗେସଙ୍ଗେ ଓହ୍ଲାଇ ଆସି ଆନନ୍ଦରେ ତାଙ୍କର ଅଭ୍ୟର୍ଥନା କଲା।
7ସବୁଲୋକ ତାହା ଦେଖି ଫୁସୁର୍ ଫୁସୁର୍ ହୋଇ କହିଲେ, “ସେ ଜଣେ ପାପୀ ଲୋକର ଅତିଥି ହେବାକୁ ଯାଇଛନ୍ତି।”
8କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲା, “ପ୍ରଭୁ, ଦେଖନ୍ତୁ! ମୁଁ ଆଜି ହିଁ ମୋର ସମ୍ପତ୍ତିର ଅଧା ଦରିଦ୍ରମାନଙ୍କୁ ଦାନ କରି ଦେଉଛି, ଓ ଯଦି ପ୍ରତାରଣା କରି କାହାରିଠାରୁ କିଛି ନେଇଥାଏ, ତାହାର ଚାରିଗୁଣ ଫେରାଇ ଦେଉଛି।”
9ଯୀଶୁ ତାହାକୁ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଆସିଛି, କାରଣ ଏହି ବ୍ୟକ୍ତି, ମଧ୍ୟ, ଅବ୍ରହାମଙ୍କର ଜଣେ ସନ୍ତାନ।10କାରଣ ଯାହା ହଜିଥିଲା ତାହା ଖୋଜି ଉଦ୍ଧାର କରିବାକୁ ମନୁଷ୍ୟପୁତ୍ର ଆସିଲେ।”

ଦଶ ମୁଦ୍ରାର ଦୃଷ୍ଟାନ୍ତ ଗଳ୍ପ

11ଲୋକମାନେ ଏହିସବୁ କଥା ଶୁଣୁ ଶୁଣୁ, ସେ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ ଗଳ୍ପ କହିବାକୁ ଲାଗିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହେଉଥିଲେ ଏବଂ ଲୋକେ ଭାବୁଥିଲେ ଈଶ୍ୱରଙ୍କ ରାଜ୍ୟ ସଙ୍ଗେସଙ୍ଗେ ପ୍ରକାଶିତ ହେବାକୁ ଯାଉଛି।12ଯୀଶୁ କହିଲେ: ଜଣେ ସମ୍ଭ୍ରାନ୍ତବଂଶୀୟ ବ୍ୟକ୍ତି ଏକ ଦୂର ଦେଶକୁ ବାହାରିଲେ ଯେପରି ସେ ସେଠାରେ ରାଜପଦରେ ଅଭିଷିକ୍ତ ହେଲାପରେ ଫେରି ଆସିବେ।13ସେ ନିଜର ଦାସମାନଙ୍କ ମଧ୍ୟରୁ ଦଶ ଜଣଙ୍କୁ ଡାକି ଦଶଟି ସ୍ଵର୍ଣ୍ଣମୁଦ୍ରା ଦେଲେ। ସେ କହିଲେ, ମୁଁ ଫେରି ଆସିବା ଯାଏ, ଏହାକୁ ନେଇ ବ୍ୟବସାୟରେ ଲଗାଅ।
14“କିନ୍ତୁ ତାଙ୍କର ପ୍ରଜାମାନେ ତାଙ୍କୁ ଘୃଣା କରୁଥିଲେ ସେ ଯିବା ପରେ ସେମାନେ ଏକ ପ୍ରତିନିଧି ଦଳ ହାତରେ ଏହି କଥା କହି ପଠାଇଲେ, ‘ଏହି ବ୍ୟକ୍ତି ଆମର ରାଜା ହୁଅନ୍ତୁ ବୋଲି ଆମେ ଇଚ୍ଛା କରୁ ନାହୁଁ।’
15“ତଥାପି ସେ ରାଜପଦ ପାଇ, ସ୍ଵଦେଶକୁ ଫେରି ଆସିଲେ। ତା ପରେ ସେ ଯେଉଁ ଦାସମାନଙ୍କୁ ଟଙ୍କା ଦେଇଥିଲେ, ସେମାନଙ୍କ ମଧ୍ୟରୁ କିଏ କେତେ ତହିଁରୁ ଲାଭ କରିଛି ତାହା ଜାଣିବା ପାଇଁ ସେମାନଙ୍କୁ ଡକାଇଲେ।
16“ପ୍ରଥମ ଜଣକ ଆସି କହିଲା, ‘ଆଜ୍ଞା, ଆପଣଙ୍କର ମୁଦ୍ରା ଆଉ ଦଶଗୋଟି ମୁଦ୍ରା ଲାଭ କରିଛି।’
17“ତାହାର ମୁନିବ କହିଲେ, ‘ମୋର ଉତ୍ତମ ଦାସ!’ ବହୁତ ଭଲ କରିଛ। ‘ତୁମେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ, ଦଶ ନଗରର ଶାସନ ଦାୟିତ୍ଵ ଗ୍ରହଣ କର।’
18“ଦ୍ୱିତୀୟ ଜଣକ ଆସି କହିଲା, ‘ଆଜ୍ଞା, ଆପଣଙ୍କର ମୁଦ୍ରାଟି ଆଉ ପାଞ୍ଚୋଟି ମୁଦ୍ରା ଲାଭ କରିଛି।’
19“ତାହାର ମୁନିବ କହିଲେ, ‘ତୁମେ ପାଞ୍ଚଗୋଟି ନଗରର ଶାସନ ଦାୟିତ୍ଵ ଗ୍ରହଣ କର।’
20“ତା ପରେ ଆଉ ଜଣେ ଦାସ ଆସି କହିଲା, ‘ଆଜ୍ଞା, ଏ ନିଅନ୍ତୁ ଆପଣଙ୍କ ମୁଦ୍ରା; ମୁଁ ଏହାକୁ ଲୁଗାରେ ବାନ୍ଧି ରଖି ଦେଇଥିଲି।21ମୁଁ ଆପଣଙ୍କୁ ଭୟ କଲି, କାରଣ ଆପଣ ଜଣେ ନିର୍ଦ୍ଦୟ ବ୍ୟକ୍ତି। ଆପଣ ଯାହା ରଖି ନ ଥାଆନ୍ତି ତାହା କାଢ଼ି ନିଅନ୍ତି ଓ ଯାହା ବୁଣି ନ ଥାଆନ୍ତି ତାହା କାଟି ନିଅନ୍ତି।’
22“ତାହାର ମୁନିବ ଉତ୍ତର ଦେଲେ, ‘ଆରେ ଦୁରାଚାରୀ ଦାସ! ମୁଁ ତୋର ନିଜ କଥା ଦ୍ଵାରା ହିଁ ତୋର ବିଚାର କରିବି। ମୁଁ ନିର୍ଦ୍ଦୟ ଲୋକ, ଏବଂ ଯାହା ରଖି ନ ଥାଏ ତାହା କାଢ଼ି ନିଏ, ଓ ଯାହା ବୁଣି ନ ଥାଏ ତାହା କାଟିନିଏ ଏହା ତ ତୁ ଜାଣିଥିଲୁ?23ତାହାହେଲେ ତୁ ମୋର ଟଙ୍କା ବ୍ୟାଙ୍କ୍‌ରେ ଜମା ନ ରଖିଲୁ କାହିଁକି? ତେବେ ଫେରିଲା ପରେ, ମୁଁ ତାହା ସୁଧ ସହିତ ଆଦାୟ କରିପାରି ଥାଆନ୍ତି।’
24“ଏଉତ୍ତାରେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ମୁନିବ କହିଲେ, ‘ତା ଠାରୁ ସେହି ମୁଦ୍ରାଟି ନେଇଯାଅ ଓ ଯାହାର ଦଶ ମୁଦ୍ରା ଅଛି ତାକୁ ଦିଅ।’
25“ସେମାନେ କହିଲେ, ‘ଆଜ୍ଞା, ତାହାର ତ ଦଶ ମୁଦ୍ରା ଅଛି!’
26“ସେ ଉତ୍ତର ଦେଲେ, ‘ମୁଁ ତୁମ୍ଭମାନଙ୍କୁ କହୁଛି ଯାହାର ଅଛି, ତାହାକୁ ଆହୁରି ଅଧିକ ଦିଆଯିବ, କିନ୍ତୁ ଯାହାର ନାହିଁ, ତାହାର ଯାହାକିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।27କିନ୍ତୁ ମୁଁ ସେମାନଙ୍କର ରାଜା ହୁଏ ବୋଲି ମୋର ଯେଉଁ ଶତ୍ରୁମାନେ ଚାହୁଁ ନ ଥିଲେ ସେମାନଙ୍କୁ ଏଠାକୁ ଆଣ ଓ ମୋ ସମ୍ମୁଖରେ ବଧ କର।’ ”

ଏକ ରାଜାଙ୍କ ପରି ଯୀଶୁଙ୍କ ବିଜୟ ଯାତ୍ରା

28ଯୀଶୁ ଏହା କହିବା ପରେ, ଯିରୂଶାଲମର ଅଭି, ମୁଖେ ଯାତ୍ରା କଲେ।29ସେ ଜୀତ ପର୍ବତ ପାର୍ଶ୍ୱସ୍ଥ ବେଥଫାଗୀ ଓ ବେଥାନୀ ନିକଟରେ ପହଞ୍ଚି, ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ, ଏହି କଥା କହି ପଠାଇଲେ,30“ତୁମ ସମ୍ମୁଖରେ ଥିବା ଗ୍ରାମକୁ ଯାଅ, ତୁମେ ସେଠାରେ ପ୍ରବେଶ କଲା ବେଳକୁ, ଯାହା ଉପରେ କେହି କେବେ ବସି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ। ତାକୁ ଫିଟାଇ ଏଠାକୁ ନେଇ ଆସିବ।31‘କାହିଁକି ତାକୁ ଫିଟାଉଛ?’ ଏହା ଯଦି କେହି ତୁମକୁ ପ୍ରଶ୍ନ କରେ, ତେବେ ତାକୁ କହିବ, ‘ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି।’ ”
32ଯେଉଁମାନଙ୍କୁ ପଠାଯାଇଥିଲା ସେମାନେ ଗଲେ ଓ ସେ ସେମାନଙ୍କୁ ଯେପରି କହିଥିଲେ, ଠିକ ସେହିପରି ଦେଖିଲେ।33ସେମାନେ ଗଧଛୁଆକୁ ଫିଟାଇଲା ବେଳେ, ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, “କାହିଁକି ଗଧଛୁଆକୁ ଫିଟାଉଛ?”
34ସେମାନେ ଉତ୍ତର ଦେଲେ, “ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି।”
35ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ନେଇଗଲେ, ଗଧଛୁଆ ଉପରେ ନିଜ ନିଜ ପୋଷାକ ବିଛାଇ ଦେଲେ ଓ ଯୀଶୁଙ୍କୁ ତା ଉପରେ ବସାଇଲେ।36ସେ ଯାତ୍ରା କରୁଥିଲା ବେଳେ, ଲୋକେ ରାସ୍ତା ଉପରେ ନିଜ ନିଜର ପୋଷାକ ବିଛାଇ ଦେଲେ।
37ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମଗ୍ର ଶିଷ୍ୟଦଳ ଦେଖିଥିବା ସବୁ ଅଲୌକିକ କର୍ମ ନିମନ୍ତେ ଆନନ୍ଦରେ ଓ ଉଚ୍ଚସ୍ଵରରେ ଈଶ୍ୱରଙ୍କ ସ୍ତୁତି କରିବାକୁ ଲାଗିଲେ:38“ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ସେ ଧନ୍ୟ!”“ସ୍ଵର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା!”
39ଜନତା ମଧ୍ୟରେ ଥିବା କେତେକ ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣଙ୍କର ଶିଷ୍ୟମାନଙ୍କୁ ମନା କରନ୍ତୁ!”
40ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ସେମାନେ ଯଦି ନୀରବ ରହନ୍ତି, ଏହି ପଥରଗୁଡ଼ାକ ଚିତ୍କାର କରି ଉଠିବେ।
41ସେ ଯିରୂଶାଲମର ନିକଟବର୍ତ୍ତୀ ହେଲାବେଳେ, ନଗରକୁ ଦେଖି ତା ପାଇଁ କ୍ରନ୍ଦନ କଲେ42ପୁଣି କହିଲେ, “ଆହା, କେଉଁ ବିଷୟ ତୋତେ ଶାନ୍ତି ଆଣିଦେଇଥାଆନ୍ତା, ତାହା ତୁ ହିଁ ତୁ ଯଦି ଆଜି ଜାଣିଥାଆନ୍ତୁ, କିନ୍ତୁ ଏବେ ତାହା ତୋର ଦୃଷ୍ଟିରୁ ଗୁପ୍ତ ରହିଛି।43ଏପରି ସମୟ ଆସିବ ଯେତେବେଳେ ତୋର ଶତ୍ରୁମାନେ ତୋ ବିରୁଦ୍ଧରେ ଅବରୋଧ-ବନ୍ଧ ନିର୍ମାଣ କରି ଚତୁର୍ଦ୍ଦିଗରେ ଘେରି ଯିବେ ଓ ତୋତେ ଅବରୁଦ୍ଧ କରିବେ।44ସେମାନେ ତୋତେ ଓ ତୋ ପ୍ରାଚୀର ମଧ୍ୟରେ ଥିବା, ସନ୍ତାନମାନଙ୍କୁ ଭୂପତିତ କରିବେ। ସେମାନେ ଗୋଟିଏ ପଥରକୁ ଅନ୍ୟ ପଥର ଉପରେ ରହିବାକୁ ଦେବେ ନାହିଁ, କାରଣ ତୋ ନିକଟକୁ ଈଶ୍ୱରଙ୍କ ଆଗମନର ସମୟ ତୁ ଚିହ୍ନ ପାରିଲୁ ନାହିଁ।”

ମନ୍ଦିରରୁ ବେପାରୀମାନଙ୍କୁ ବହିଷ୍କାର

45ତତ୍ପରେ ସେ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କରି, ବିକ୍ରେତାମାନଙ୍କୁ ତଡ଼ିବାକୁ ଲାଗିଲେ।46ସେ ସେମାନଙ୍କୁ କହିଲେ, “ ‘ଲେଖାଅଛି, ମୋର ଗୃହ ପ୍ରାର୍ଥନାଗୃହ ହେବ; କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରିଛ।’ ”
47ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ। କିନ୍ତୁ ପ୍ରଧାନ ଯାଜକମାନେ, ଶାସ୍ତ୍ରଜ୍ଞମାନେ ଓ ଲୋକଙ୍କର ନେତାମାନେ ତାହାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିଲେ।48ତଥାପି ସେମାନେ ତାହା କରିବାକୁ ବାଟ ପାଉ ନ ଥିଲେ, କାରଣ ସବୁଲୋକ ତାହାଙ୍କ କଥା ଏକାଗ୍ରଚିତ୍ତରେ ଶୁଣୁଥିଲେ।

Biblica, Inc.

https://app.library.bible/content/97b51048ae7f2ec9