ଯୋହନ17
ଯୀଶୁଙ୍କର ନିଜ ପାଇଁ ପ୍ରାର୍ଥନା
1ଯୀଶୁ ଏହା କହିବା ପରେ, ସ୍ଵର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ପ୍ରାର୍ଥନା କଲେ:“ହେ ପିତା, ସମୟ ଆସିଲାଣି। ତୁମ୍ଭ ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ତୁମ୍ଭର ପୁତ୍ର ତୁମ୍ଭକୁ ମହିମାନ୍ୱିତ କରିବେ।2ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କୁ ଦେଇଅଛ ସେମାନଙ୍କୁ ସେ ଯେପରି ଅନନ୍ତଜୀବନ ପ୍ରଦାନ କରିବେ ଏଥିପାଇଁ ସବୁ ମନୁଷ୍ୟଙ୍କ ଉପରେ ତୁମ୍ଭେ ତାହାଙ୍କୁ କ୍ଷମତା ଦେଇଛ।3ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ: ତୁମ୍ଭଙ୍କୁ ଜାଣିବା ଓ ତୁମ୍ଭ ଦ୍ଵାରା ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ, ଜାଣିବା ହିଁ ଅନନ୍ତଜୀବନ ଅଟେ।4ତୁମ୍ଭେ ମୋତେ ଯେଉଁ କାର୍ଯ୍ୟ କରିବାକୁ ଦେଇଥିଲ ତାହା ସଂପୂର୍ଣ୍ଣ କରି ମୁଁ ଏହି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଛି।5ହେ ପିତା, ଜଗତ ଆରମ୍ଭ ହେବା ପୂର୍ବରୁ ତୁମ୍ଭ ସହିତ ମୋର ଯେଉଁ ମହିମା ଥିଲା, ଏବେ ତୁମ୍ଭ ସାକ୍ଷାତରେ ସେହି ମହିମାରେ ମୋତେ ମହିମାନ୍ୱିତ କର।
ଶିଷ୍ୟମାନଙ୍କ ପାଇଁ ଯୀଶୁଙ୍କର ପ୍ରାର୍ଥନା
6“ଏହି ଜଗତ ମଧ୍ୟରୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ। ମୁଁ ସେମାନଙ୍କ ନିକଟରେ ତୁମ୍ଭଙ୍କୁ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ତୁମ୍ଭେ ସେମାନଙ୍କୁ ମୋତେ ଦେଲ ଏବଂ ସେମାନେ ତୁମ୍ଭ ବାକ୍ୟର ଆଜ୍ଞାବହ ହୋଇଅଛନ୍ତି।7ଏବେ ସେମାନେ ଜାଣନ୍ତି ଯେ ତୁମ୍ଭେ ମୋତେ ଯାହାକିଛି ଦେଇଛ ସେସମସ୍ତ ତୁମ୍ଭଠାରୁ ଆସିଅଛି।8କାରଣ ତୁମ୍ଭେ ମୋତେ ଯେଉଁସବୁ ବାକ୍ୟ ଦେଲ ମୁଁ ସେମାନଙ୍କୁ ସେହିସବୁ ଦେଇଅଛି ଓ ସେମାନେ ତାହା ଗ୍ରହଣ କରିଅଛନ୍ତି। ମୁଁ ତୁମ୍ଭ ନିକଟରୁ ଆସିଛି ବୋଲି ସେମାନେ ପ୍ରକୃତରେ ରୂପେ ଜାଣିଛନ୍ତି, ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି।9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛି। ଜଗତ ନିମନ୍ତେ ମୁଁ ପ୍ରାର୍ଥନା କରୁ ନାହିଁ, ମାତ୍ର ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, କାରଣ ସେମାନେ ତ ତୁମ୍ଭର।10ଯେଉଁ ସମସ୍ତେ ମୋର ସେହି ସମସ୍ତେ ତୁମ୍ଭର, ଏବଂ ଯେଉଁ ସମସ୍ତେ ତୁମ୍ଭର ସେହି ସମସ୍ତେ ମୋର। ପୁଣି ସେମାନଙ୍କ ଦ୍ଵାରା ମୁଁ ଗୌରବ ଲାଭ କରିଅଛି।11ମୁଁ ଆଉ ଏ ଜଗତରେ ରହିବି ନାହିଁ, ମାତ୍ର ସେମାନେ ଜଗତରେ ରହୁଛନ୍ତି, ଓ ମୁଁ ତୁମ୍ଭ ନିକଟକୁ ଯାଉଛି। ପବିତ୍ର ପିତା, ତୁମ୍ଭେ ମୋତେ ଯେଉଁ ନାମ ଦେଇଅଛ ତୁମ୍ଭର ସେହି ନାମର ବଳରେ ସେମାନଙ୍କୁ ରକ୍ଷା କର, ଯଦ୍ଦ୍ୱାରା ଆମେ ଯେପରି ଏକ, ସେମାନେ ସେହିପରି ଏକ ହେବେ।12ମୋତେ ତୁମ୍ଭେ ଯେଉଁ ନାମ ଦେଇଛ ମୁଁ ସେମାନଙ୍କ ସହିତ ଥିଲାବେଳେ, ସେହି ନାମରେ ସେମାନଙ୍କୁ ସୁରକ୍ଷା କଲି ଓ ନିରାପଦରେ ରଖିଲି। ଧର୍ମଶାସ୍ତ୍ରବାକ୍ୟ ଯେପରି ସଫଳ ହେବ ଏଥିନିମନ୍ତେ ବିନାଶର ପୁତ୍ର ବ୍ୟତୀତ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବିନଷ୍ଟ ହୋଇନାହିଁ।13“ଏବେ ମୁଁ ତୁମ୍ଭ ନିକଟକୁ ଯାଉଛି, କିନ୍ତୁ ମୁଁ ଜଗତରେ ଥାଉଁ ଥାଉଁ ଏସମସ୍ତ କଥା କହୁଛି, ଯେପରି ସେମାନେ ଅନ୍ତର ମଧ୍ୟରେ ମୋର ଆନନ୍ଦର ପୂର୍ଣ୍ଣତା ଲାଭ କରିବେ।14ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦେଇଅଛି ଓ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତର ନୁହେଁ ସେମାନେ ମଧ୍ୟ ସେହିପରି ଏ ଜଗତର ନୁହନ୍ତି।15ତୁମ୍ଭେ ଜଗତରୁ ସେମାନଙ୍କୁ ନେଇଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ ମାତ୍ର ପାପାତ୍ମାଠାରୁ ସେମାନଙ୍କୁ ରକ୍ଷା କର ବୋଲି ପ୍ରାର୍ଥନା କରୁଛି।16ମୁଁ ଯେପରି ଏ ଜଗତର ନୁହେଁ ସେମାନେ ସେହିପରି ଏ ଜଗତର ନୁହନ୍ତି।17ସତ୍ୟ ଦ୍ଵାରା ସେମାନଙ୍କୁ ପବିତ୍ର କର; ତୁମ୍ଭ ବାକ୍ୟ ହିଁ ସତ୍ୟ।18ତୁମ୍ଭେ ମୋତେ ଯେପରି ଜଗତକୁ ପଠାଇଅଛ, ମୁଁ ସେହିପରି ସେମାନଙ୍କୁ ଜଗତକୁ ପଠାଇଅଛି।19ସେମାନଙ୍କ ନିମନ୍ତେ ମୁଁ ନିଜକୁ ପବିତ୍ର କରୁଛି, ଯେପରି ସେମାନେ ପ୍ରକୃତରେ ପବିତ୍ର ହେବେ।ସବୁ ବିଶ୍ୱାସୀଙ୍କ ପାଇଁ ଯୀଶୁଙ୍କର ପ୍ରାର୍ଥନା
20“ମୋର ପ୍ରାର୍ଥନା କେବଳ ଏମାନଙ୍କ ପାଇଁ ନୁହେଁ, ମାତ୍ର ଏମାନଙ୍କ ବାର୍ତ୍ତା ଦ୍ଵାରା ଯେଉଁମାନେ ମୋ ଠାରେ ବିଶ୍ୱାସ କରିବେ,21ସେମାନଙ୍କ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଅଛି ସେମାନେ ସେହିପ୍ରକାରେ ଏକ ହେବେ, ତୁମ୍ଭେ, ମୋତେ ପଠାଇଛ ବୋଲି ଜଗତ ଯେପରି ବିଶ୍ୱାସ କରିବ, ଏଥିପାଇଁ ସେମାନେ ଆମଠାରେ ରହନ୍ତୁ।22ତୁମ୍ଭେ ମୋତେ ପ୍ରଦାନ କରିଥିବା ଗୌରବ ମୁଁ ସେମାନଙ୍କୁ ଦେଇଅଛି, ଯଦ୍ଦ୍ୱାରା ଆମେ ଯେପରି ଏକ, ସେମାନେ ସେହିପରି ଏକ ହେବେ।23ମୁଁ ସେମାନଙ୍କଠାରେ ଓ ତୁମ୍ଭେ ମୋ ଠାରେ ରହି ଯେପରି ଏକ ହୋଇଅଛୁ। ତୁମ୍ଭେ ଯେ ମୋତେ ପଠାଇଅଛ ଓ ମୋତେ ଯେପରି ପ୍ରେମ କରିଅଛ ସେମାନଙ୍କୁ ମଧ୍ୟ ଯେ ସେହିପରି ପ୍ରେମ କରିଅଛ ଏହା ଜଗତକୁ ଜଣାଇବା ପାଇଁ ସେମାନଙ୍କ ମଧ୍ୟରେ ପୂର୍ଣ୍ଣ ଏକତା ରହୁ।24“ହେ ପିତା, ମୋତେ ଯେଉଁମାନଙ୍କୁ ଦେଇଅଛ ମୋର ଇଚ୍ଛା ଯେ ମୁଁ ଯେଉଁଠାରେ ଥାଏ, ସେମାନେ ମୋ ସଙ୍ଗେ ସେହିଠାରେ ରହନ୍ତୁ, ଏବଂ ଜଗତ ସୃଷ୍ଟି ପୂର୍ବରୁ ମୋ ପ୍ରତି ତୁମ୍ଭର ପ୍ରେମ ହେତୁ ମୋତେ ଯେଉଁ ଗୌରବ ଦେଇଅଛ ସେହି ଗୌରବ ସେମାନେ ଦେଖନ୍ତୁ।25“ହେ ଧର୍ମମୟ ପିତା, ଜଗତ ତୁମ୍ଭଙ୍କୁ ନ ଜାଣିଲେ ସୁଦ୍ଧା, ମୁଁ ତୁମ୍ଭଙ୍କୁ ଜାଣେ, ଓ ତୁମ୍ଭେ ମୋତେ ପଠାଇଅଛ ବୋଲି ଏମାନେ ଜାଣନ୍ତି।26ମୋ ପ୍ରତି ତୁମ୍ଭର ଯେଉଁ ପ୍ରେମ ଅଛି, ସେହି ପ୍ରେମ ଯେପରି ସେମାନଙ୍କଠାରେ ରହିବ ଓ ମୁଁ ନିଜେ ମଧ୍ୟ ଯେପରି ସେମାନଙ୍କଠାରେ ରହିବି ସେଥିନିମନ୍ତେ ମୁଁ ସେମାନଙ୍କ ନିକଟରେ ତୁମ୍ଭ ନାମର ପରିଚୟ ଦେଇଅଛି ଓ ଦେଉଥିବି।”Biblica, Inc.