ଯୋହନ18

ଯୀଶୁ ଗିରଫ ହେଲେ

1ପ୍ରାର୍ଥନା ଶେଷ କଲାପରେ, ଯୀଶୁ ଶିଷ୍ୟମାନଙ୍କ ସହିତ ସେଠାରୁ ଚାଲିଯାଇ କିଦ୍ରୋଣ ଯୋଡ଼ ପାର ହେଲେ। ଅପର ପାର୍ଶ୍ୱରେ ଏକ ଅଲିଭ ଉଦ୍ୟାନ ଥିଲା, ସେ ଓ ତାଙ୍କର ଶିଷ୍ୟମାନେ ସେଠାରେ ପ୍ରବେଶ କଲେ।
2ଯେଉଁ ଯିହୁଦା ତାହାଙ୍କ ପ୍ରତି ବିଶ୍ୱାସଘାତକତା କଲା, ସେ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକଥର ନିଜ ଶିଷ୍ୟମାନଙ୍କ ସହିତ ସେଠାକୁ ଯାଉଥିଲେ।3ଅତଏବ, ଯିହୁଦା ଦଳେ ସୈନ୍ୟଙ୍କୁ ଓ ପ୍ରଧାନଯାଜକ ଓ ଫାରୂଶୀମାନେ ପଠାଇଥିବା ପ୍ରହରୀଦଳଙ୍କୁ ବାଟ କଢ଼ାଇ ସେହି ଉଦ୍ୟାନରେ ପହଞ୍ଚିଲା। ସେମାନେ ସଙ୍ଗରେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଧରିଥିଲେ।
4ନିଜ ପ୍ରତି କଅଣ ଘଟିବାକୁ ଯାଉଥିଲା, ତାହା ଯୀଶୁ ଜାଣି, ଆଗେଇ ଆସିଲେ ଓ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?”
5ସେମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।”
ଯୀଶୁ କହିଲେ, “ମୁଁ ସେହି।” (ବିଶ୍ୱାସଘାତକ ଯିହୁଦା ସେମାନଙ୍କ ସହିତ ସେଠାରେ ଠିଆ ହୋଇଥିଲା।)
6ଯୀଶୁ ଯେତେବେଳେ କହିଲେ, “ମୁଁ ସେହି,” ସେମାନେ ପଛକୁ ହଟି ଯାଇ ଭୂମିରେ ପଡ଼ିଗଲେ।
7ପୁନର୍ବାର ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?”
ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।”
8ଯୀଶୁ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭମାନଙ୍କୁ କହିଲି। ଯଦି ମୋତେ ଖୋଜୁଛ, ତେବେ ଏମାନଙ୍କୁ ଚାଲିଯିବାକୁ ଦିଅ।”9“ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଥିଲ ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।” ଏହି ଯେଉଁ କଥା ସେ କହିଥିଲେ ତାହା ଯେପରି ସଫଳ ହେବ ଏଥିପାଇଁ ଏହା ଘଟିଲା:
10ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା, ସେ ତାହା ବାହାର କଲେ, ଓ ମହାଯାଜକଙ୍କ ଦାସକୁ ଆଘାତ କରି, ତାହାର ଡାହାଣ କାନ କାଟି ପକାଇଲେ। ସେହି ଦାସର ନାମ ଥିଲା ମାଲ୍‌ଖସ୍।
11ଯୀଶୁ ପିତରଙ୍କୁ ଆଦେଶ ଦେଇ କହିଲେ, “ତୁମ୍ଭର ଖଣ୍ଡା ଖାପରେ ରଖ! ପିତା ମୋତେ ଯେଉଁ ପାନପାତ୍ର ଦେଇଛନ୍ତି ସେଥିରୁ ମୁଁ କଣ ପାନ କରିବି ନାହିଁ?”
12ତତ୍ପରେ ସେନାପତି ସହ ସୈନ୍ୟଦଳ ଏବଂ ଯିହୁଦୀ ପ୍ରହରୀଦଳ ଯୀଶୁଙ୍କୁ ଗିରଫ କରି ବାନ୍ଧିଲେ।13ସେମାନେ ତାହାଙ୍କୁ ପ୍ରଥମେ ହାନାନ୍‌ଙ୍କ ନିକଟକୁ ନେଇଗଲେ, ହାନାନ୍ ଥିଲେ, ସେହି ବର୍ଷର ମହାଯାଜକ କୟାଫାଙ୍କ ଶ୍ୱସୁର।14ଲୋକଙ୍କ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ ବୋଲି ଯିଏ ଯିହୁଦୀମାନଙ୍କୁ ପରାମର୍ଶ ଦେଇଥିଲେ ଏ ସେହି କୟାଫା।

ପିତରଙ୍କ ପ୍ରଥମ ଥର ଅସ୍ୱୀକାର

15ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ଏହି ଶିଷ୍ୟଜଣକ ମହାଯାଜକଙ୍କ ପରିଚିତ ଲୋକ ହୋଇଥିବାରୁ, ସେ ଯୀଶୁଙ୍କ ସଙ୍ଗେ ମହାଯାଜକଙ୍କ ଗୃହର ପ୍ରାଙ୍ଗଣକୁ ଗଲେ,16ମାତ୍ର ପିତରଙ୍କୁ ଦ୍ଵାର ବାହାରେ ଅପେକ୍ଷା କରିବାକୁ ପଡ଼ିଲା। ଯେଉଁ ଶିଷ୍ୟଙ୍କର, ମହାଯାଜକଙ୍କ ସହିତ ପରିଚୟ ଥିଲା, ସେ ଫେରିଆସି, ଦ୍ଵାର ପାଳିକା କୁ କହି ପିତରଙ୍କୁ ଭିତରକୁ ଆଣିଲେ।
17ସେହି ଦ୍ଵାର ପାଳିକା ପିତରଙ୍କୁ ପଚାରିଲା। “ତୁମେ କଅଣ ସେହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ?”
ସେ ଉତ୍ତର ଦେଲେ, “ମୁଁ ନୁହେଁ।”
18ଶୀତ ହେଉଥିବାରୁ ଦାସମାନେ ଏବଂ ପ୍ରହରୀମାନେ ନିଆଁ ଜାଳି ତା ଚାରିଆଡ଼େ ଠିଆ ହୋଇ ନିଆଁ ପୋଉଁଥିଲେ। ପିତର ମଧ୍ୟ ସେମାନଙ୍କ ସହିତ ଠିଆ ହୋଇ ନିଆଁ ପୋଉଁଥିଲେ।

ମହାଯାଜକଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର

19ଇତିମଧ୍ୟରେ, ମହାଯାଜକ ଯୀଶୁଙ୍କୁ ତାଙ୍କ ଶିଷ୍ୟମାନଙ୍କର ଓ ତାଙ୍କର ଶିକ୍ଷା ସମ୍ବନ୍ଧରେ ପ୍ରଶ୍ନ ପଚାରିଲେ।
20ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ଜଗତ ନିକଟରେ ପ୍ରକାଶ୍ୟରେ କଥା କହିଅଛି,” ଯେଉଁଠି ଯିହୁଦୀମାନେ ଏକତ୍ର ହୁଅନ୍ତି, “ସେପରି ଉପାସନାଗୃହମାନଙ୍କରେ ଓ ମନ୍ଦିରରେ ସବୁବେଳେ ଶିକ୍ଷା ଦେଇ ଆସିଅଛି। ମୁଁ ଗୋପନରେ କିଛି କହି ନାହିଁ।21ମୋତେ କାହିଁକି ପଚାରୁଅଛ? ଯେଉଁମାନେ ମୋ କଥା ଶୁଣିଅଛନ୍ତି। ସେମାନଙ୍କୁ ପ୍ରଶ୍ନ କର ମୁଁ କଣ କହିଅଛି ସେମାନେ ଅବଶ୍ୟ ଜାଣନ୍ତି।”
22ଯୀଶୁ ଏହା କହିଲା ପରେ, ପାଖରେ ଠିଆ ହୋଇଥିବା ପ୍ରହରୀମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଚାପୁଡ଼ା ମାରି କହିଲା। “ମହାଯାଜକଙ୍କୁ କଅଣ ଏହି ପ୍ରକାରେ ଉତ୍ତର ଦିଆଯାଏ?”
23ଯୀଶୁ ଉତ୍ତର ଦେଲେ, “ମୁଁ ଯଦି କିଛି ଭୁଲ୍ କଥା କହିଅଛି, ତେବେ ସେଥିରେ କି ଭୁଲ୍ ରହିଛି ପ୍ରମାଣ ଦିଅ। କିନ୍ତୁ ମୁଁ ଯଦି ସତ୍ୟ କହିଅଛି, ତେବେ ମୋତେ ମାରିଲ କାହିଁକି?”24ଏହାପରେ ହାନାନ୍ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।

ପିତରଙ୍କ ଦ୍ୱିତୀୟ ଓ ତୃତୀୟ ଥର ଅସ୍ୱୀକାର

25ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିବା ବେଳେ ସେମାନେ ତାଙ୍କୁ ପ୍ରଶ୍ନ କଲେ। “ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ, ତୁମେ କଅଣ ଜଣେ ନୁହଁ?”
ସେ ଅସ୍ୱୀକାର କରି କହିଲେ, “ମୁଁ ନୁହେଁ।”
26ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ତାହାର ଜଣେ ଆତ୍ମୀୟ ଯେ କି ମହାଯାଜକଙ୍କ ଦାସ ଥିଲା, ସେ ଦୃଢ଼ଭାବେ କହିଲା, “ଜିତ ଉଦ୍ୟାନରେ ମୁଁ କଅଣ ତାଙ୍କ ସଙ୍ଗେ ତୁମକୁ ଦେଖି ନ ଥିଲି?”27ପିତର ପୁନର୍ବାର ଅସ୍ୱୀକାର କଲେ, ଏବଂ ସେହି ମୁହୂର୍ତ୍ତରେ କୁକୁଡ଼ା ଡାକିଲା।

ପୀଲାତଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର

28ଏଥିଉତ୍ତାରେ ଯିହୁଦୀମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳକୁ ପାହାନ୍ତା ହୋଇ ଆସିଥିଲା, ଯିହୁଦୀମାନେ କାଳେ ବିଧି ଅନୁସାରେ ଅଶୁଚି ହୋଇଯିବେ ଏଥିପାଇଁ ସେମାନେ ପ୍ରାସାଦ ଭିତରକୁ ଗଲେ ନାହିଁ, କାରଣ ସେମାନେ ଯେପରି ନିସ୍ତାର ପର୍ବର ଭୋଜ ପାଳନ କରିପାରିବେ ଏହା ଇଚ୍ଛା କରୁଥିଲେ।29ଅତଏବ ପୀଲାତ ବାହାରେ ସେମାନଙ୍କ ନିକଟକୁ ଯାଇ ପଚାରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭେମାନେ କି ଅଭିଯୋଗ ଆଣୁଅଛ?”
30ସେମାନେ ଉତ୍ତର ଦେଲେ, “ସେ ଯଦି ଜଣେ ଅପରାଧୀ ହୋଇ ନ ଥାଆନ୍ତା,” ତେବେ ଆମେ ଆପଣଙ୍କ ହସ୍ତରେ ତାକୁ ସମର୍ପଣ କରି ନ ଥାଆନ୍ତୁ।
31ପୀଲାତ କହିଲେ, “ତାଙ୍କୁ ନେଇଯାଅ ଓ ତୁମ ବିଧିବ୍ୟବସ୍ଥା ଅନୁସାରେ ତାଙ୍କର ବିଚାର କର।”
ଯିହୁଦୀମାନେ ପ୍ରତିବାଦ କରି କହିଲେ। “କାହାକୁ ମୃତ୍ୟୁଦଣ୍ଡ ଦେବାକୁ ଆମର ଅଧିକାର ନାହିଁ,”
32ଯୀଶୁ କି ପ୍ରକାର ମୃତ୍ୟୁବରଣ କରିବେ ଏ ବିଷୟରେ ସେ ଯେଉଁ ସୂଚନା ଦେଇଥିଲେ ତାହାଙ୍କର ସେହି ବାକ୍ୟ ଯେପରି ସଫଳ ହେବ ସେଥିପାଇଁ ଏହା ଘଟିଲା।
33ତତ୍ପରେ ପୀଲାତ ପ୍ରାସାଦ ମଧ୍ୟକୁ ଫେରିଯାଇ, ଯୀଶୁଙ୍କୁ ଡକାଇଲେ ଏବଂ ତାହାଙ୍କୁ ପଚାରିଲେ, “ତୁମେ କଅଣ ଯିହୁଦୀମାନଙ୍କର ରାଜା?”
34ଯୀଶୁ କହିଲେ, ଏହା କଣ ଆପଣ ନିଜ ମନରୁ କହୁଅଛନ୍ତି, କି ଅନ୍ୟମାନେ ଆପଣଙ୍କୁ ମୋ ସମ୍ବନ୍ଧରେ ଏହା କହିଅଛନ୍ତି?
35ପୀଲାତ ଉତ୍ତର ଦେଲେ, “ତୁମେ କଅଣ ଭାବୁଅଛ ମୁଁ ଜଣେ ଯିହୁଦୀ?” ତୁମର ଲୋକମାନେ ଓ ତୁମର ପ୍ରଧାନ ଯାଜକମାନେ ତ ତୁମକୁ ମୋ ହସ୍ତରେ ସମର୍ପଣ କରିଅଛନ୍ତି। “ତୁମେ କଅଣ କରିଅଛ?”
36ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ତାହା ହୋଇଥା ନ୍ତା, ତା ହେଲେ ମୋର ଦାସମାନେ ଯିହୁଦୀମାନଙ୍କ ଦ୍ଵାରା ମୋର ଗିରଫଦାରୀକୁ ପ୍ରତିରୋଧ କରିବା ପାଇଁ ଲଢ଼େଇ କରିଥାନ୍ତେ। କିନ୍ତୁ ପ୍ରକୃତରେ ମୋର ରାଜ୍ୟ ଜଗତଭିତ୍ତିକ ନୁହେଁ?”
37ପୀଲାତ କହିଲେ, “ତା ହେଲେ ତୁମେ ତ ଜଣେ ରାଜା!”
ଯୀଶୁ ଉତ୍ତର ଦେଲେ, “ମୁଁ ଜଣେ ରାଜା ବୋଲି ଆପଣ ଯାହା କହିଲେ। ତାହା ଠିକ, ଏଇଥି ପାଇଁ ତ ମୁଁ ଜନ୍ମଗ୍ରହଣ କଲି ଏବଂ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେବା ପାଇଁ ଜଗତକୁ ଆସିଲି। ଯେକେହି ସତ୍ୟର ସପକ୍ଷରେ ସେ ମୋ କଥା ଶୁଣେ।”
38ପୀଲାତ ପଚାରିଲେ। “ସତ୍ୟ କଅଣ?” ଏହା କହି ପୀଲାତ ବାହାରେ ଯିହୁଦୀମାନଙ୍କର ନିକଟକୁ ପୁନର୍ବାର ଯାଇ କହିଲେ, “ମୁଁ ଏହାଙ୍କଠାରେ କୌଣସି ଦୋଷ ପାଉ ନାହିଁ।39ନିସ୍ତାର ପର୍ବ ସମୟରେ ଜଣେ ବନ୍ଦିକୁ ତୁମ ନିମନ୍ତେ ମୁକ୍ତି ଦେବାକୁ ତୁମର ଏକ ପ୍ରଥା ଅଛି। ‘ଯିହୁଦୀମାନଙ୍କ ରାଜାଙ୍କୁ ମୁଁ ମୁକ୍ତି ଦିଏ ବୋଲି ତୁମ୍ଭେମାନେ ଚାହଁ କି’?”
40ସେମାନେ ଚିତ୍କାର କଲେ, “ନା, ତାକୁ ନୁହେଁ! ବାରବ୍ବାକୁ ଦିଅ!” ବାରବ୍ବା ଜଣେ ଡକାଇତ ଥିଲା।

Biblica, Inc.

https://app.library.bible/content/97b51048ae7f2ec9