ଯାକୁବ2
ପକ୍ଷପାତିତା କର ନାହିଁ
1ହେ ମୋହର ଭାଇମାନେ, ଆମ୍ଭମାନଙ୍କର ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କରୁଥିବାରୁ କାହାରି ପ୍ରତି ପକ୍ଷପାତିତା ପ୍ରଦର୍ଶନ କର ନାହିଁ।2ମନେକର, ଜଣେ ସୁନା ମୁଦି ଓ ମୂଲ୍ୟବାନ୍ ବସ୍ତ୍ର ପିନ୍ଧି ତୁମର ସଭାକୁ ଆସେ ଓ ଜଣେ ଦରିଦ୍ର ଲୋକ ମଧ୍ୟ ପୁରୁଣା ଲୁଗା ପିନ୍ଧି ଆସେ।3ତୁମେ ଯଦି ମୂଲ୍ୟବାନ୍ ବସ୍ତ୍ର ପିନ୍ଧିଥିବା ଲୋକକୁ ମର୍ୟ୍ୟାଦା ଦେଖାଇ କୁହ, “ଆପଣଙ୍କ ପାଇଁ ଏଠି ଭଲ ଆସନଟିଏ ଅଛି,” କିନ୍ତୁ ଦରିଦ୍ର ଲୋକକୁ ଯଦି କୁହ, “ସେଠି ଠିଆ ହୁଅ” ନଚେତ୍ “ମୋ ପାଦ ପାଖେ ତଳେ ବସ,”4ତେବେ ନିଜ ନିଜ ମଧ୍ୟରେ ତୁମେ କଅଣ ପାତର ଅନ୍ତର ବ୍ୟବହାର ଓ ଅସତ୍ ଚିନ୍ତା କରି ବିଚାରକର୍ତ୍ତା ସାଜି ନାହଁ?5ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଏହି ଜଗତ ଦୃଷ୍ଟିରେ ଯେଉଁମାନେ ଦରିଦ୍ର ଈଶ୍ୱର କଅଣ ସେମାନଙ୍କୁ ବିଶ୍ୱାସରୂପ ଧନରେ ଧନବାନ ହେବାକୁ ଓ ତାହାଙ୍କୁ ପ୍ରେମଭକ୍ତି କରୁଥିବା ଲୋକଙ୍କ ନିକଟରେ ପ୍ରତିଜ୍ଞା କରିଥିବା ରାଜ୍ୟର ଅଧିକାରୀ ହେବାକୁ ମନୋନୀତ କରିନାହାନ୍ତି?6ମାତ୍ର ତୁମ୍ଭେମାନେ ଦରିଦ୍ରମାନଙ୍କୁ ଅପମାନ କରିଅଛ। ଏହି ଧନବାନ ଲୋକେ କଅଣ ତୁମ୍ଭମାନଙ୍କୁ ଶୋଷଣ କରନ୍ତି ନାହିଁ? ଏହିମାନେ ହିଁ କଅଣ ତୁମ୍ଭମାନଙ୍କୁ ବିଚାରାଳୟକୁ ଟାଣି ନିଅନ୍ତି ନାହିଁ?7ଯାହାଙ୍କର ମହତ୍ ନାମରେ ତୁମ୍ଭେମାନେ ପରିଚିତ ଏମାନେ କଅଣ ତାହାଙ୍କ ନାମର ନିନ୍ଦା କରନ୍ତି ନାହିଁ?8“ତୁମର ପ୍ରତିବାଶୀକୁ ଆତ୍ମତୁଲ୍ୟ ପ୍ରେମ କର,” ଧର୍ମଶାସ୍ତ୍ରର ଏହି ମହତ୍ତ୍ୱପୂର୍ଣ୍ଣ ବିଧି ଯଦି ପ୍ରକୃତରେ ପାଳନ କର, ତେବେ ତୁମେ ଯଥାର୍ଥ କାର୍ଯ୍ୟ କରୁଅଛ।9କିନ୍ତୁ ଯଦି ପକ୍ଷପାତିତା କରୁଅଛ, ତେବେ ତୁମେ ପାପ କରୁଅଛ ଓ ବିଧିବ୍ୟବସ୍ଥା ଦ୍ଵାରା ଆଜ୍ଞାଲଙ୍ଘନକାରୀ ରୂପେ ଦୋଷୀ ସାବ୍ୟସ୍ତ ହେଉଅଛ।10କାରଣ ଯିଏ ସମୁଦାୟ ବିଧିବ୍ୟବସ୍ଥା ପାଳନ କରି ସୁଦ୍ଧା ଗୋଟିଏମାତ୍ର ଆଜ୍ଞାରେ ଝୁଣ୍ଟି ପଡ଼େ ସେସବୁ ଆଜ୍ଞାଲଙ୍ଘନ କରିବା ଦୋଷରେ ଦୋଷୀ ହୁଏ।11କାରଣ ଯେ କହିଥିଲେ, “ବ୍ୟଭିଚାର କର ନାହିଁ,” ସେ ଏହା ମଧ୍ୟ କହିଥିଲେ, “ନରହତ୍ୟା କର ନାହିଁ।” ତୁମେ ବ୍ୟଭିଚାର ନ କଲେ ମଧ୍ୟ ଯଦି ନରହତ୍ୟା କର, ତେବେ ତୁମେ ଆଜ୍ଞାଲଙ୍ଘନକାରୀ।12ଯେଉଁ ବିଧିବ୍ୟବସ୍ଥା ସ୍ୱାଧୀନତା ପ୍ରଦାନ କରେ, ତଦ୍ଦ୍ୱାରା ଯେଉଁମାନେ ବିଚାରିତ ହେବେ ସେମାନଙ୍କ ପରି ତୁମ୍ଭେମାନେ କଥାବାର୍ତ୍ତା କର ଓ କାର୍ଯ୍ୟ କର,13କାରଣ ଯିଏ ଦୟାକରି ନାହିଁ ତାହା ପ୍ରତି ଦୟା ନ ଦେଖାଇ ବିଚାର କରାଯିବ। ଦଣ୍ଡାଜ୍ଞା ଉପରେ ଦୟା ବିଜୟୀ ହୁଏ।କର୍ମ ବିନା ବିଶ୍ୱାସ ନିରର୍ଥକ
14ମୋହର ଭାଇମାନେ, କେହି ଯଦି କହେ ଯେ ତାହାର ବିଶ୍ୱାସ ଅଛି, ଅଥଚ ତାହାର କୌଣସି କର୍ମ ନ ଥାଏ ତେବେ ସେଥିରେ କି ଲାଭ? ସେପ୍ରକାର ବିଶ୍ୱାସ କଅଣ ତାହାକୁ ପରିତ୍ରାଣ କରିପାରିବ?15ମନେକର କୌଣସି ଭାଇ ବା ଭଉଣୀର ବସ୍ତ୍ର ଓ ଦୈନିକ ଖାଦ୍ୟର ଅଭାବ ଅଛି।16ତୁମ ମଧ୍ୟରୁ କେହି ଯଦି ତାହାକୁ କହେ, “ଶାନ୍ତିରେ ଯାଅ; ଆରାମ କର ଓ ପେଟପୂରା ଖାଅ,” ଅଥଚ ସେ ତାହାର ଶାରୀରିକ ଅଭାବମୋଚନ ପାଇଁ କିଛି କରେ ନାହିଁ, ତେବେ ସେଥିରେ କି ଲାଭ?17ଠିକ ସେହିପରି, କେବଳ ବିଶ୍ୱାସ ଥାଇ ଯଦି, ତା ସହିତ କର୍ମ ନ ଥାଏ, ତେବେ ତାହା ମୃତ।18କିନ୍ତୁ ଜଣେ ହୁଏତ କହିବ, “ତୁମର ବିଶ୍ୱାସ ଅଛି; ମୋହର କର୍ମ ଅଛି।”ତୁମେ ମୋତେ କର୍ମ ବିନା ତୁମର ବିଶ୍ୱାସ ଦେଖାଅ, ଏବଂ ମୁଁ ମୋହର କର୍ମ ଦ୍ଵାରା ତୁମକୁ ମୋହର ବିଶ୍ୱାସ ଦେଖାଇବି।19ଈଶ୍ୱର ଯେ ଅଦ୍ୱିତୀୟ ବୋଲି ତୁମେ ବିଶ୍ୱାସ କରୁଅଛ। ଭଲ କଥା! ଏପରିକି ପ୍ରେତାତ୍ମାମାନେ ମଧ୍ୟ ତାହା ବିଶ୍ୱାସ କରନ୍ତି ଓ କମ୍ପିତ ହୁଅନ୍ତି।20ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିରର୍ଥକ ତୁମେ କଅଣ ଏହାର ପ୍ରମାଣ ଚାହୁଁଛ?21ଆମର ପିତୃପୁରୁଷ ଅବ୍ରହାମ ଯେତେବେଳେ ନିଜର ପୁତ୍ର ଇସ୍ହାକଙ୍କୁ ବେଦି ଉପରେ ଉତ୍ସର୍ଗ କଲେ ସେତେବେଳେ ସେ କଅଣ ତାଙ୍କ କର୍ମ ପାଇଁ ଧାର୍ମିକ ବିବେଚିତ ହେଲେ ନାହିଁ?22ତୁମେ ଦେଖୁଅଛ ଯେ ଅବ୍ରହାମଙ୍କ ବିଶ୍ୱାସ ଓ କର୍ମସବୁ ଏକତ୍ର ସକ୍ରିୟ ଥିଲା, ଏବଂ ତାଙ୍କର କାର୍ଯ୍ୟ ଦ୍ଵାରା ବିଶ୍ୱାସ ସମ୍ପୁର୍ଣ୍ଣ ହେଲା।23ପୁଣି, ଧର୍ମଶାସ୍ତ୍ରର ଏହି ଉକ୍ତି ସଫଳ ହେଲା, “ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଏବଂ ତାହା ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣ୍ୟ ହେଲା,” ଆହୁରି ମଧ୍ୟ ସେ ଈଶ୍ୱରଙ୍କ ବନ୍ଧୁ ବୋଲି ଖ୍ୟାତ ହେଲେ।24ତୁମେ ଦେଖୁଅଛ ଯେ ମନୁଷ୍ୟ କେବଳ ବିଶ୍ୱାସ ଦ୍ଵାରା ନୁହେଁ ମାତ୍ର କର୍ମ ଦ୍ଵାରା ମଧ୍ୟ ଧାର୍ମିକ ଗଣ୍ୟ ହୁଏ।25ସେହିରୂପେ, ବେଶ୍ୟା ରାହାବ ମଧ୍ୟ ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବା ଦ୍ଵାରା ଏବଂ ଅନ୍ୟ ବାଟେ ପଠାଇ ଦେବା ଦ୍ଵାରା ତାହାର କର୍ମ ହେତୁ କଅଣ ଧାର୍ମିକ ଗଣ୍ୟ ହେଲା ନାହିଁ?26ଆତ୍ମା ବିନା ଶରୀର ଯେପରି ମୃତ, କର୍ମ ବିନା ବିଶ୍ୱାସ ସେହିପରି ମୃତ।
Biblica, Inc.