ଯାକୁବ3
ଜିହ୍ଵାକୁ ସଂଯତ କର
1ହେ ମୋହର ଭାଇମାନେ ତୁମ୍ଭମାନଙ୍କମଧ୍ୟରୁ ଅନେକେ ଶିକ୍ଷାଦାତା ହେବାକୁ ସାହସ ନ କରନ୍ତୁ, କାରଣ ତୁମ୍ଭେମାନେ ଜାଣିଅଛ ଯେ ଆମେ ଅର୍ଥାତ୍ ଯେଉଁମାନେ ଶିକ୍ଷାଦାନ କରୁ, ଆମର ବିଚାର ଅଧିକ କଠୋର ହେବ।2ଆମେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡ଼ୁ। କେହି ଯଦି ନିଜ କଥାବାର୍ତ୍ତାରେ କେବେ ଭୁଲ କରେ ନାହିଁ, ତେବେ ସେ ସିଦ୍ଧ ମନୁଷ୍ୟ ସମଗ୍ର ଶରୀରକୁ ଆୟତ୍ତରେ ରଖିବାକୁ ସମର୍ଥ।3ଆମେ ଘୋଡ଼ାମାନଙ୍କୁ ବଶରେ ରଖିବା ପାଇଁ ସେମାନଙ୍କ ତୁଣ୍ଡରେ ଲଗାମ ଦେଲେ, ପୂରା ଘୋଡ଼ାଟିକୁ ବୁଲାଇ ପାରୁ।4ଅଥବା ଉଦାହରଣ ସ୍ଵରୂପେ ଜାହାଜଗୁଡ଼ିକ ଦେଖ, ଯଦିବା ସେଗୁଡ଼ିକ ଅତି ବୃହତ୍ ଓ ପ୍ରବଳ ପବନରେ ଚାଳିତ ହୁଏ, ତଥାପି ଜାହାଜ ଚାଳକ ଏକ ଅତି କ୍ଷୁଦ୍ର ମଙ୍ଗ ଦ୍ଵାରା ତାହାର ଯେଉଁଆଡ଼େ ଇଚ୍ଛା ସେଆଡ଼େ ଚଳାଇ ନିଏ।5ସେହିପ୍ରକାରେ, ଜିହ୍ଵା ମଧ୍ୟ ଶରୀରର ଏକ କ୍ଷୁଦ୍ର ଅଙ୍ଗ, କିନ୍ତୁ ବଡ଼ ଗର୍ବର କଥା କହେ। ଭାବି ଦେଖ କେତେ କ୍ଷୁଦ୍ର ଅଗ୍ମିକଣିକା ଦ୍ଵାରା କେତେ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।6ଜିହ୍ଵା ମଧ୍ୟ ଅଗ୍ନିସ୍ଵରୂପ, ଶରୀରର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯାବତୀୟ ଅଧର୍ମର ମୂଳ। ଏହା ସମଗ୍ର ବ୍ୟକ୍ତିକୁ କଳୁଷିତ କରେ, ତାହାର ଜୀବନର ସମଗ୍ର ଗତିପଥକୁ ଜାଳିଦିଏ, ଏବଂ ନିଜେ ନରକାଗ୍ମିରେ ପ୍ରଜ୍ୱଳିତ ହୁଏ।7ସବୁ ଜାତିର ପଶୁ, ପକ୍ଷୀ, ସରୀସୃପ ଏବଂ ଜଳଚର ପ୍ରାଣୀଙ୍କୁ ମନୁଷ୍ୟ ବଶ କରୁଅଛି ଓ କରିଅଛି,8କିନ୍ତୁ କୌଣସି ମନୁଷ୍ୟ ଜିହ୍ଵାକୁ ଆୟତ୍ତ କରିପାରେ ନାହିଁ। ଏହା ଅନିଷ୍ଟ ସାଧନରେ ସଦା ଚଞ୍ଚଳ, ମାରାତ୍ମକ ଗରଳରେ ପରିପୂର୍ଣ୍ଣ।9ଜିହ୍ଵା ଦ୍ଵାରା ଆମେ ପ୍ରଭୁ ଓ ପିତାଙ୍କର ସ୍ତୁତିବାଦ କରିଥାଉ, ପୁଣି ସେହି ଜିହ୍ଵା ଦ୍ଵାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟମାନଙ୍କୁ ଅଭୀଶାପ ଦେଇଥାଉ।10ଗୋଟିଏ ମୁଖରୁ ହିଁ ପ୍ରଶଂସା ଓ ଅଭୀଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।11ଗୋଟିଏ ଝରଣାରୁ କଅଣ ମଧୁର ଜଳ ଓ ଲବଣାକ୍ତ ଜଳ ପ୍ରବାହିତ ହୋଇପାରେ?12ହେ ମୋହର ଭାଇମାନେ, ଡିମ୍ବିରି ଗଛ କଅଣ ଅଲିଭ୍ ଫଳ, କିମ୍ବା ଅଙ୍ଗୁରଲତା କଅଣ ଡିମ୍ବିରି ଫଳ ଧାରଣ କରିପାରେ? ସେହିପରି ଲବଣାକ୍ତ ଝରଣାରୁ ମଧୁର ଜଳ ନିର୍ଗତ ହୋଇପାରେ ନାହିଁ।ଦ୍ୱିବିଧ ଜ୍ଞାନ ସମ୍ବନ୍ଧରେ
13ତୁମ୍ଭମାନଙ୍କମଧ୍ୟରେ କିଏ ଜ୍ଞାନୀ ଓ ବୁଦ୍ଧିମାନ? ସେ ନିଜର ସତ୍ ଜୀବନରେ, ଏବଂ ଜ୍ଞାନଜନିତ ନମ୍ରତା ସହକାରେ କାର୍ଯ୍ୟ କରି ତାହା ପ୍ରକାଶ କରୁ।14କିନ୍ତୁ ତୁମେ ଯଦି ହୃଦୟରେ ତୀବ୍ର ପରଶ୍ରୀକାତରତା ଓ ସ୍ୱାର୍ଥଗତ ଉଚ୍ଚାକାଂକ୍ଷ୍ୟା ପୋଷଣ କରୁଥାଅ, ତେବେ ସେବିଷୟରେ ଗର୍ବ କର ନାହିଁ କିମ୍ବା ସତ୍ୟକୁ ଅସ୍ୱୀକାର କର ନାହିଁ।15ସେପ୍ରକାର “ଜ୍ଞାନ” ସ୍ଵର୍ଗରୁ ଆଗତ ନୁହେଁ, କିନ୍ତୁ ତାହା ଜାଗତିକ, ଇନ୍ଦ୍ରିୟପରାୟଣ ଓ ପୈଶାଚିକ।16କାରଣ ଯେଉଁଠାରେ ପରଶ୍ରୀକାତରତା ଓ ସ୍ୱାର୍ଥଗତ ଉଚ୍ଚାକାଂକ୍ଷ୍ୟା ରହିଅଛି, ସେଠାରେ ବିକୃତି ଓ ସମସ୍ତ ଅସଦାଚରଣ ଦେଖାଯାଏ।17କିନ୍ତୁ ଯେଉଁ ଜ୍ଞାନ ସ୍ଵର୍ଗରୁ ଆଗତ ତାହା ପ୍ରଥମତଃ ନିର୍ମଳ ତା ପରେ ଶାନ୍ତିପ୍ରିୟ, ସହାନୁଭୂତିଶୀଳ, ବିନୀତ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ତାହା ନିରପେକ୍ଷ ଓ ନିଷ୍କପଟ।18ଯେଉଁ ଶାନ୍ତି ସ୍ଥାପନକାରୀ ଲୋକମାନେ ଶାନ୍ତିରେ ବୀଜ ବୁଣନ୍ତି ସେମାନେ ଧାର୍ମିକତାରୂପ ଫସଲ ଉତ୍ପନ୍ନ କରନ୍ତି।Biblica, Inc.