ଯାକୁବ1

1ଈଶ୍ୱରଙ୍କର ତଥା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବକ ଯାକୁବ,
ନିକଟରୁ ଜାତିଗଣ ମଧ୍ୟରେ ବିକ୍ଷିପ୍ତ ହୋଇରହିଥିବା ଦ୍ଵାଦଶ ଗୋଷ୍ଠୀଙ୍କୁ
ଅଭିବାଦନ।

ପରୀକ୍ଷା ଓ ପ୍ରଲୋଭନ

2ହେ ମୋହର ଭାଇମାନେ, ତୁମ୍ଭେମାନେ ନାନା ପ୍ରକାର ପରୀକ୍ଷାର ସମ୍ମୁଖୀନ ହେଲେ, ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେକର,3କାରଣ ତୁମେ ଜାଣିଅଛ ଯେ ତୁମର ବିଶ୍ୱାସ ପରୀକ୍ଷିତ ହେଲେ ଧୈର୍ଯ୍ୟ ବିକାଶ ଲାଭ କରେ।4ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ହୋଇ ସିଦ୍ଧ ଓ ସମ୍ପୁର୍ଣ୍ଣ ହୁଅ ଏଥିପାଇଁ ଧୈର୍ଯ୍ୟ ତାହାର କାର୍ଯ୍ୟ ସମ୍ପନ୍ନ କରୁ।5ତୁମ୍ଭମାନଙ୍କମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ସମସ୍ତଙ୍କୁ ଅକାତରେ ଦାନ କରନ୍ତି, ତାହାଙ୍କୁ ସେ ମାଗୁ, ତା ହେଲେ ତାହାକୁ ଦିଆଯିବ।6କିନ୍ତୁ ସେ ମାଗିଲା ବେଳେ ସନ୍ଦେହ ନ କରି ବିଶ୍ୱାସରେ ମାଗୁ, କାରଣ ଯେ ସନ୍ଦେହ କରେ, ସେ ପବନରେ ଚାଳିତ ଓ ଆନ୍ଦୋଳିତ ସମୁଦ୍ରର ତରଙ୍ଗ ସଦୃଶ।7ସେହି ମନୁଷ୍ୟ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ।8ସେ ସଂଦିଗ୍‌ଧମନା ତାହାର ସବୁ କାର୍ଯ୍ୟରେ ଅସ୍ଥିରଚିତ୍ତ।
9ଦୀନ ଅବସ୍ଥାରେ ଥିବା ଭାଇ ନିଜର ଉନ୍ନତ ଅବସ୍ଥାରେ ଗର୍ବ ଅନୁଭବ କରୁ।10କିନ୍ତୁ ଯିଏ ଧନବାନ୍, ସେ ତାହାର ହୀନ ଅବସ୍ଥାରେ ଗର୍ବ ଅନୁଭବ କରୁ ଯେହେତୁ ସେ ଘାସ ଫୁଲ ପରି ଝଡ଼ି ପଡ଼ିବ।11କାରଣ ପ୍ରଖର ତାପରେ ସୂର୍ଯ୍ୟ ଉଦୟ ହୁଏ ଏବଂ ଘାସକୁ ଶୁଖାଇ ଦିଏ; ତାହାର ଫୁଲ ଝଡ଼ି ପଡ଼େ ଓ ତାହାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ଠିକ ସେହିପ୍ରକାରେ, ଧନୀ ମନୁଷ୍ୟ ନିଜର କାର୍ଯ୍ୟ କରୁ କରୁ ବିଲୀନ ହୋଇଯିବ।
12ଯେଉଁ ମନୁଷ୍ୟ ପରୀକ୍ଷାରେ ଧୈର୍ଯ୍ୟ ଧରି ରହେ ସେ ଧନ୍ୟ, କାରଣ ପ୍ରଭୁଙ୍କୁ ପ୍ରେମଭକ୍ତି କରୁଥିବା ଲୋକଙ୍କୁ, ସେ ଯେଉଁ ଜୀବନମୁକୁଟ ଦେବେ ବୋଲି ପ୍ରତିଜ୍ଞା କରିଅଛନ୍ତି ପରୀକ୍ଷାରେ ଅଟଳ ରହିବା ମନୁଷ୍ୟ ତାହା ପାଇବ।
13ପ୍ରଲୋଭନର ସମ୍ମୁଖୀନ ହେଲେ, କେହି ଏହା ନ କହୁ, “ଈଶ୍ୱର ମୋତେ ପ୍ରଲୁବ୍ଧ କରୁଅଛନ୍ତି।” କାରଣ ଈଶ୍ୱର ମନ୍ଦ ଦ୍ଵାରା ପ୍ରଲୋଭିତ ହୋଇପାରନ୍ତି ନାହିଁ, କିମ୍ବା କାହାରିକୁ ପ୍ରଲୋଭିତ କରନ୍ତି ନାହିଁ;14କିନ୍ତୁ ପ୍ରତ୍ୟେକ ମନୁଷ୍ୟ ନିଜର କୁଅଭିଳାଷ ଦ୍ଵାରା ପ୍ରଲୋଭନ ଆଡ଼କୁ ଆକୃଷ୍ଟ ହୁଏ ଓ ଫାନ୍ଦରେ ପଡ଼େ।15ତତ୍ପରେ, ଅଭିଳାଷ ଗର୍ଭଧାରଣ କଲେ, ପାପ ଜାତ କରେ; ଏବଂ ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇଲେ, ମୃତ୍ୟୁ ଜନ୍ମାଏ।
16ମୋର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।17ସମସ୍ତ ଉତ୍ତମ ଓ ସମ୍ପୁର୍ଣ୍ଣ ଦାନ ଊର୍ଦ୍ଧ୍ୱରୁ ଆସେ, ଛାୟା ପରି ଯେ ପରିବର୍ତ୍ତନଶୀଳ ନୁହନ୍ତି, ସେହି ଜ୍ୟୋତିଃସମୂହର ପିତାଙ୍କଠାରୁ ଆସେ।18ତାହାଙ୍କର ସମଗ୍ର ସୃଷ୍ଟି ବିଷୟ ମଧ୍ୟରେ ଆମେ ଯେପରି ଏକପ୍ରକାର ପ୍ରଥମ ଫଳ ସ୍ଵରୂପ ହେବୁ, ଏଥିପାଇଁ ସେ ଆମକୁ ସତ୍ୟବାକ୍ୟ ଦ୍ଵାରା ଜୀବନ ଦାନ କରିବାକୁ ମନୋନୀତ କଲେ।

ଶୁଣ ଓ କାର୍ଯ୍ୟ କର

19ମୋର ପ୍ରିୟ ଭାଇମାନେ, ଜାଣିରଖ ତୁମେ ପ୍ରତ୍ୟେକେ ଶୁଣିବାରେ ତତ୍ପର, କଥା କହିବାରେ ସଂଯତ ଓ କ୍ରୋଧରେ ସଂଯତ ହୁଅ,20କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଇଚ୍ଛାନୁରୂପ ଧାର୍ମିକତା ସାଧନ କରେ ନାହିଁ।21ସେଥିପାଇଁ, ସମସ୍ତ ନୈତିକ କଳୁଷତା ଓ ବ୍ୟାପୀଥିବା ପାପ ପରିହାର କର ଏବଂ ତୁମ ମଧ୍ୟରେ ରୋପିତ ହୋଇଥିବା ପରିତ୍ରାଣଜନକ ବାକ୍ୟ ନମ୍ରଚିତ୍ତରେ ଗ୍ରହଣ କର।
22ସେହି ବାକ୍ୟ କେବଳ ଶୁଣି ନିଜକୁ ପ୍ରତାରଣା କର ନାହିଁ, ତଦନୁଯାୟୀ କାର୍ଯ୍ୟ କର।23ଯେକେହି ବାକ୍ୟ ଶୁଣେ କିନ୍ତୁ ତଦନୁସାରେ କାର୍ଯ୍ୟ କରେ ନାହିଁ ସେ ଏପରି ଏକ ମନୁଷ୍ୟ ସଦୃଶ ଯେ କି ଦର୍ପଣରେ ନିଜ ମୁଖ ଦେଖେ24ଓ ଦେଖି ଚାଲିଯିବା ପରେ ପରେ, ତାହାର ରୂପ ଭୁଲିଯାଏ ଓ ଏତେ ଶୀଘ୍ର ଭାବେ ତାଙ୍କ ଦେଖା ରୂପକୁ ଭୁଲିଯାଏ।25କିନ୍ତୁ ଯେଉଁ ମନୁଷ୍ୟ ସ୍ୱାଧୀନତା ଦେଉଥିବା ତ୍ରୁଟିଶୂନ୍ୟ ବିଧିବିଧାନ ପ୍ରତି ଦୃଷ୍ଟି ନିବଦ୍ଧ ରଖେ, ଏବଂ ଶୁଣିଥିବା ବିଷୟ ଭୁଲି ନ ଯାଇ ପାଳନ କରେ, ସେହି ମନୁଷ୍ୟ ସବୁ କାର୍ଯ୍ୟରେ ଆଶୀର୍ବାଦ ଲାଭ କରିବ।
26କେହି ଯଦି ନିଜକୁ ଧାର୍ମିକ ମନେ କରେ ଅଥଚ ନିଜ ଜିହ୍ଵାକୁ ଆୟତ୍ତ ନ କରେ, ତେବେ ସେ ନିଜକୁ ପ୍ରତାରଣା କରେ ଏବଂ ତାହାର ଧର୍ମର ମୂଲ୍ୟ ନାହିଁ।27ଯେଉଁ ଧର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ମଳ ଓ ନିର୍ଦ୍ଦୋଷ ତାହା ହେଉଅଛି ଦୁର୍ଦ୍ଦଶାକାଳରେ ଅନାଥ ଓ ବିଧବାମାନଙ୍କର ଯତ୍ନ ନେବା ଏବଂ ଜଗତରୁ ନିଜକୁ ନିଷ୍କଳଙ୍କ ରଖିବା।

Biblica, Inc.

https://app.library.bible/content/97b51048ae7f2ec9