ଏବ୍ରୀ13

ବିବିଧ ପରାମର୍ଶ

1ପରସ୍ପର ପ୍ରତି ଭ୍ରାତୃପ୍ରେମ ଅବ୍ୟାହତ ରହୁ।2ଅପରିଚିତ ଆଗନ୍ତୁକମାନଙ୍କର ଆତିଥ୍ୟକରିବାକୁ ଭୁଲି ଯାଅ ନାହିଁ, କାରଣ ତାହା କରିବା ଦ୍ଵାରା କେହି କେହି ଅଜାଣତରେ ସ୍ଵର୍ଗଦୂତମାନଙ୍କ ଆତିଥ୍ୟ କରିଅଛନ୍ତି।3ନିଜେ ବନ୍ଦୀମାନଙ୍କ ସହିତ କାରାଗାରରେ ଥିଲା ପରି ମନେ କରି ବନ୍ଦୀମାନଙ୍କୁ, ଏବଂ ନିଜେ ଦୁଃଖଭୋଗ କଲା ପରି ଅତ୍ୟାଚାରିତ ଲୋକମାନଙ୍କୁ ସ୍ମରଣ କର।
4ବିବାହ ସମସ୍ତଙ୍କ ଦ୍ଵାରା ସମ୍ମାନଜନକ ବିବେଚିତ ହେଉ, ଏବଂ ବୈବାହିକ ସମ୍ପର୍କ ଶୁଦ୍ଧ ଥାଉ, କାରଣ ଈଶ୍ୱର ବ୍ୟଭିଚାରୀ ଓ ଯୌନ ଅସଦାଚାରୀମାନଙ୍କର ବିଚାର କରିବେ।5ଧନଲୋଭରୁ ନିଜ ଜୀବନକୁ ମୁକ୍ତ ରଖ ଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ କାରଣ ଈଶ୍ୱର କହିଛନ୍ତି,“ମୁଁ ତୁମକୁ କେବେ ନିରାଶ କରିବି ନାହିଁ;ମୁଁ ତୁମକୁ କେବେ ପରିତ୍ୟାଗ କରିବି ନାହିଁ।”
6ତେଣୁ ଆମେ ସାହସ ସହକାରେ କହିପାରୁ,“ପ୍ରଭୁ ମୋହର ସହାୟ; ମୁଁ ଭୀତ ହେବି ନାହିଁ।ମନୁଷ୍ୟ ମୋହର କଅଣ କରିପାରେ?”
7ଯେଉଁମାନେ ତୁମକୁ ଈଶ୍ୱରଙ୍କ ବାକ୍ୟ ଦେଇଥିଲେ, ତୁମର ସେହି ନେତାମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନଧାରାର ଶେଷ ଫଳ ଚିନ୍ତା କର ଓ ସେମାନଙ୍କର ବିଶ୍ୱାସ ଅନୁକରଣ କର।8ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି।
9ନାନା ପ୍ରକାର ବିଚିତ୍ର ଶିକ୍ଷା ଦ୍ଵାରା ବିଭ୍ରାନ୍ତ ହୁଅ ନାହିଁ। ବିଧି ଅନୁମୋଦିତ ଖାଦ୍ୟପଦାର୍ଥ ଦ୍ଵାରା ନୁହେଁ ମାତ୍ର ଅନୁଗ୍ରହ ଦ୍ଵାରା ଆମର ହୃଦୟ ବଳିଷ୍ଠ ହେବା ମଙ୍ଗଳଜନକ, ଯେଉଁମାନେ ସେପ୍ରକାର ଖାଦ୍ୟ ଭୋଜନ କରନ୍ତି, ସେମାନଙ୍କ ପାଇଁ ତାହା କୌଣସିମତେ ଲାଭଜନକ ହୁଏ ନାହିଁ।10ଆମ୍ଭମାନଙ୍କର ଏକ ଯଜ୍ଞବେଦି ଅଛି ସେଠାରେ ଉତ୍ସର୍ଗିତ ସାମଗ୍ରୀକୁ ତମ୍ୱୁମନ୍ଦିରରେ ସେବା କରୁଥିବା ବ୍ୟକ୍ତିମାନଙ୍କର ଭୋଜନ କରିବା ଅଧିକାର ନାହିଁ।
11ମହାଯାଜକ ଯେଉଁସବୁ ପଶୁର ରକ୍ତ ପାପାର୍ଥକ ବଳି ରୂପେ ମହାପବିତ୍ର ସ୍ଥାନକୁ ନେଇଯାଆନ୍ତି, ସେହି ପଶୁଗୁଡ଼ିକର ଶରୀର ଛାଉଣି ବାହାରେ ଦଗ୍‌ଧ କରାଯାଏ।12ତେଣୁ ଯୀଶୁ ମଧ୍ୟ ନିଜ ଲୋକମାନଙ୍କୁ ସ୍ଵରକ୍ତ ଦ୍ଵାରା ପବିତ୍ର କରିବାକୁ ନଗରଦ୍ଵାର ବାହାରେ ମୃତ୍ୟୁଭୋଗ କଲେ।13ଅତଏବ, ଆସ, ସେ ସହ୍ୟ କରିଥିବା ଅପମାନ ଆମେ ସହ୍ୟ କରି, ଛାଉଣି ବାହାରେ ତାହାଙ୍କ ନିକଟକୁ ଯିବା।14କାରଣ ଏଠାରେ ଆମର କୌଣସି ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମେ ଏକ ଭାବୀ ନଗରର ସନ୍ଧାନରେ ଅଛୁ।
15ସେଥିପାଇଁ ଆସ, ଆମେ ଯୀଶୁଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାର କରୁଥିବା ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରିବା।16ପରୋପକାର କରିବାକୁ ଓ ଅନ୍ୟମାନଙ୍କୁ ସାହାଯ୍ୟ ଦାନ କରିବାକୁ ଭୁଲି ଯାଅ ନାହିଁ, କାରଣ ଏହିପ୍ରକାର ବଳିରେ ଈଶ୍ୱର ସନ୍ତୋଷଲାଭ କରନ୍ତି।
17ତୁମର ନେତୃବର୍ଗଙ୍କର ବାଧ୍ୟ ହୁଅ ଓ ସେମାନଙ୍କର କର୍ତ୍ତୁତ୍ଵର ବଶୀଭୂତ ହୁଅ, ସେମାନେ ତୁମ୍ଭମାନଙ୍କ ଆତ୍ମାର ପ୍ରହରୀ, ସେମାନେ ନିଜ କାର୍ଯ୍ୟର ହିସାବ ଦେବା ଲୋକମାନଙ୍କ ସଦୃଶ। ସେମାନଙ୍କ ବାଧ୍ୟ ହୁଅ ତା ହେଲେ ସେମାନଙ୍କର କାର୍ଯ୍ୟ ଭାରଦାୟକ ନ ହୋଇ, ଆନନ୍ଦଦାୟକ ହେବ, ଭାରଦାୟକ ହେଲେ ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ହେବ ନାହିଁ।
18ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର। ଏହା ନିଶ୍ଚିତ ଯେ ଆମର ବିବେକ ନିର୍ମଳ ଓ ସବୁ ବିଷୟରେ ସମ୍ମାନଜନକ ଜୀବନଯାପନ କରିବାକୁ ଆମର ଇଚ୍ଛା।19ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟକୁ ଯାଇ ପାରେ ଏଥିପାଇଁ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଅନୁରୋଧ କରୁଅଛି।
20ଶାନ୍ତିଦାତା ଈଶ୍ୱର, ଅନନ୍ତ ନିୟମର ରକ୍ତ ହେତୁ ଆମର ପ୍ରଭୁଯୀଶୁଙ୍କୁ ମୃତ୍ୟୁରୁ ଫେରାଇ ଆଣିଲେ, ସେହି ପ୍ରଭୁ ଯୀଶୁ ମେଷମାନଙ୍କର ପ୍ରଧାନ ପାଳକ ହୋଇଅଛନ୍ତି,21ଈଶ୍ୱର ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ସମସ୍ତ ସତ୍ ବିଷୟରେ ସୁସଜ୍ଜିତ କରନ୍ତୁ, ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ, ଆମ ମଧ୍ୟରେ ସାଧନ କରନ୍ତୁ, ସେହି ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ଯୁଗେ ଯୁଗେ ହେଉ। ଆମେନ୍।
22ଭାଇମାନେ, ମୋର ଉପଦେଶମୂଳକ କଥାଗୁଡ଼ିକ ଧୈର୍ଯ୍ୟ ସହକାରେ ଗ୍ରହଣ କରିବ ବୋଲି ମୁଁ ଅନୁରୋଧ କରୁଅଛି, କାରଣ ତୁମ୍ଭମାନଙ୍କ ନିକଟକୁ ମୁଁ କେବଳ ସଂକ୍ଷେପରେ ପତ୍ର ଲେଖିଅଛି।
23ଆମର ଭାଇ ତୀମଥି ମୁକ୍ତି ପାଇଅଛନ୍ତି ବୋଲି ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କ ସହିତ ତୁମ୍ଭମାନଙ୍କୁ ଦେଖିବାକୁ ଯିବି।
24ତୁମର ସବୁ ନେତୃବର୍ଗଙ୍କୁ ଓ ଈଶ୍ୱରଙ୍କ ଲୋକମାନଙ୍କୁ ଅଭିବାଦନ ଜଣାଇବ।
ଯେଉଁମାନେ ଇଟାଲୀରୁ ଆସିଅଛନ୍ତି ସେମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ପଠାଉଅଛନ୍ତି।
25ତୁମ ସମସ୍ତଙ୍କ ପ୍ରତି ଅନୁଗ୍ରହ ହେଉ।

Biblica, Inc.

https://app.library.bible/content/97b51048ae7f2ec9