ଏବ୍ରୀ9
1ସେହି ପ୍ରଥମ ଚୁକ୍ତିରେ ଉପାସନା ସମ୍ଭନ୍ଧୀୟ ନାନା ବିଧିବିଧାନ ଓ ଏକ ପାଥିବ ପୁଣ୍ୟଧାମ ମଧ୍ୟ ଥିଲା।2ଏକ ତମ୍ବୁମନ୍ଦିର ସ୍ଥାପିତ ହୋଇଥିଲା। ଏହାର ପ୍ରଥମ ପ୍ରକୋଷ୍ଠରେ ଥିଲା ଦୀପାଧାର ମେଜ ଏବଂ ତହିଁ ଉପରେ ଦର୍ଶନୀୟ ରୋଟୀ; ଏହାକୁ ପବିତ୍ରସ୍ଥାନ କୁହାଯାଉଥିଲା।3ଦ୍ୱିତୀୟ ପର୍ଦାର ଅନ୍ତରାଳରେ ଏକ ପ୍ରକୋଷ୍ଠ ଥିଲା ତାହାକୁ ମହାପବିତ୍ରସ୍ଥାନ କୁହାଯାଉଥିଲା,4ଏହା ମଧ୍ୟରେ ଥିଲା ସୁବର୍ଣ୍ଣ ଧୂପବେଦି ଏବଂ ସୁବର୍ଣ୍ଣମଣ୍ଡିତ ନିୟମସିନ୍ଦୁକ। ଏହି ସିନ୍ଦୁକରେ ଥିଲା ମାନ୍ନା ଥିବା ସୁବର୍ଣ୍ଣପାତ୍ର, ପଲ୍ଲବିତ ହୋଇଥିବା ହାରୋଣଙ୍କ ଯଷ୍ଟି, ଏବଂ ନିୟମ ସମ୍ୱଳିତ ପ୍ରସ୍ତରଫଳକ ଦ୍ଵୟ ଗୁଡିକ।5ନିୟମସିନ୍ଦୁକ ଉପରେ ଗୌରବସୂଚକ କିରୂବ ଦୂତର ପ୍ରତିମୂର୍ତ୍ତି ଦ୍ଵୟ ଥିଲା, ସେମାନେ ପକ୍ଷ ବିସ୍ତାର କରି ପ୍ରାୟଶ୍ଚିତ୍ତ ଆବରଣ (ଦୟା ସିଂହାସନ) କୁ ଆବୋରି ରଖିଥିଲେ। କିନ୍ତୁ ଏବେ ଆମେ ଏହିସବୁ ବିଷୟର ସବିଶେଷ ଆଲୋଚନା କରିପାରିବା ନାହିଁ।6ଏହିପରି ଭାବରେ ସବୁକିଛି ସଜ୍ଜିତ ହେଲା ଉତ୍ତାରେ, ଯାଜକମାନେ ନିଜ ନିଜର ସେବାକାର୍ଯ୍ୟ ସମ୍ପନ୍ନ କରିବାକୁ ନିୟମିତଭାବେ ପ୍ରଥମ ପ୍ରକୋଷ୍ଠରେ ପ୍ରବେଶ କରୁଥିଲେ।7କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠରେ କେବଳ ମହାଯାଜକ ପ୍ରବେଶ କରୁଥିଲେ, ତାହା ମଧ୍ୟ ବର୍ଷକୁ ଥରେମାତ୍ର ଓ ସଙ୍ଗରେ ରକ୍ତ ନ ନେଇ ପ୍ରବେଶ କରୁ ନ ଥିଲେ, ଏହି ରକ୍ତ ସେ ନିଜ ପାଇଁ ଏବଂ ଲୋକଙ୍କର ଅଜ୍ଞାନକୃତ ପାପ ପାଇଁ ଉତ୍ସର୍ଗ କରୁଥିଲେ।8ଏହା ଦ୍ଵାରା ପବିତ୍ରଆତ୍ମା ଦର୍ଶାଉଥିଲେ ଯେ ପ୍ରଥମ ସମାଗମତମ୍ବୁ ମନ୍ଦିର ରହିଥିବା ଯାଏ ମହାପବିତ୍ର ସ୍ଥାନକୁ ପ୍ରବେଶ କରିବା ପଥ ପ୍ରକାଶିତ ହୋଇ ନ ଥିଲା।9ବର୍ତ୍ତମାନ କାଳ ପାଇଁ ଏହା ଏକ ନିଦର୍ଶନ, ଏହା ସୂଚାଇ ଦିଏ ଯେ ଯେଉଁସବୁ ନୈବେଦ୍ୟ ଓ ବଳି ଉତ୍ସର୍ଗ କରାଯାଏ ସେହିସବୁ ଉପାସକର ବିବେକକୁ ନିର୍ମଳ କରିପାରେ ନାହିଁ।10ଏଗୁଡ଼ିକ କେବଳ ଖାଦ୍ୟ ପେୟ ଓ ନାନାଦି ଆନୁଷ୍ଠାନିକ ପ୍ରକ୍ଷାଳନ ସମ୍ଭନ୍ଧୀୟ ବାହ୍ୟିକ ବିଧିବିଧାନ ଓ ନୂତନ ବ୍ୟବସ୍ଥାର ସମୟ ପର୍ଯ୍ୟନ୍ତ ପ୍ରଚଳିତ।11ଯେଉଁ ଉତ୍ତମ ବିଷୟସବୁ ଆସି ସାରିଲାଣି, ଖ୍ରୀଷ୍ଟ ତାହାର ମହାଯାଜକ ରୂପେ ଆସିଲେ, ଯାହା ମନୁଷ୍ୟ ଦ୍ଵାରା ନିର୍ମିତ ନୁହେଁ, ଅର୍ଥାତ୍ ଯାହା ଏ ସୃଷ୍ଟିର ଅନ୍ତର୍ଭୁକ୍ତ ନୁହେଁ ସେ ଏପରି ଏକ ମହତ୍ତର ଓ ସିଦ୍ଧତର ତମ୍ବୁମନ୍ଦିର ମଧ୍ୟଦେଇ ଗଲେ।12ସେ ଛାଗ ଓ ଗୋବତ୍ସର ରକ୍ତ ନ ନେଇ; ନିଜର ରକ୍ତ ଦ୍ଵାରା ଅନନ୍ତ ମୁକ୍ତି ସାଧନ କରି, ମହାପବିତ୍ର ସ୍ଥାନରେ ଏକାଥରକେ ପ୍ରବେଶ କଲେ।13ଯେଉଁମାନେ ଆନୁଷ୍ଠାନିକଭାବେ ଅଶୁଚି ସେମାନଙ୍କ ଉପରେ ଛାଗ ଓ ବୃଷର ରକ୍ତ ଏବଂ ଗାଭୀର ଭସ୍ମ ଛିଞ୍ଚିବା ଦ୍ଵାରା ସେମାନେ ବାହ୍ୟିକଭାବେ ଶୁଚି ହୁଅନ୍ତି।14ତା ହେଲେ ଖ୍ରୀଷ୍ଟ, ଯେ କି ଚିରନ୍ତନ ଆତ୍ମାଙ୍କ ଦ୍ଵାରା, ଆପଣାକୁ ନିଖୁନ୍ତ ବଳି ରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ଭାବରେ ନିତ୍ୟଜୀବୀ ଈଶ୍ୱରଙ୍କ ସେବା କରିବାକୁ, ମୃତ୍ୟୁଜନକ କ୍ରିୟାକର୍ମରୁ, ଆମର ବିବେକକୁ ନିର୍ମଳ ନ କରିବ!15ଏହି କାରଣରୁ ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଟନ୍ତି, ତାହାହେଲେ ଯେଉଁମାନେ ଆହୂତ ସେମାନେ ପ୍ରତିଜ୍ଞାତ ଚିରସ୍ଥାୟୀ ଅଧିକାର ଲାଭ କରିବେ କାରଣ ପ୍ରଥମ ନିୟମର ଅଧୀନରେ ରହି ସେମାନେ ଯେଉଁସବୁ ପାପ କରିଥିଲେ ସେଥିରୁ ମୁକ୍ତ କରିବାକୁ ସେ ପ୍ରାୟଶ୍ଚିତ ବଳି ସ୍ଵରୂପେ ମୃତ୍ୟୁବରଣ କଲେ।16ଉଇଲ୍ କ୍ଷେତ୍ରରେ, ଉଇଲ୍ କରିଥିବା ବ୍ୟକ୍ତିର ମୃତ୍ୟୁ ପ୍ରମାଣ କରିବା ଆବଶ୍ୟକ ହୁଏ,17କାରଣ କେବଳ ମୃତ୍ୟୁ ପରେ ଉଇଲ୍ କାର୍ଯ୍ୟକାରୀ ହୁଏ; ଉଇଲ୍ କରିଥିବା ବ୍ୟକ୍ତି ଜୀବିତଥିବା ପର୍ଯ୍ୟନ୍ତ ତାହା କେବେ କାର୍ଯ୍ୟକାରୀ ହୁଏ ନାହିଁ।18ସେହିହେତୁ ପ୍ରଥମ ଚୁକ୍ତି ମଧ୍ୟ ରକ୍ତ ବିନା ପ୍ରଚଳିତ କରାଯାଇ ପାରି ନ ଥିଲା।19ମୋଶା ବିଧିବ୍ୟବସ୍ଥାର ପ୍ରତ୍ୟେକ ଆଜ୍ଞା ଲୋକମାନଙ୍କ ନିକଟରେ ଘୋଷଣା କଲାପରେ ଜଳ, ଲାଲବର୍ଣ୍ଣର ପଶମ ଓ ହିସପ୍ଗୁଚ୍ଛ ସହ, ଗୋବତ୍ସ ଓ ଛାଗର ରକ୍ତକୁ ନେଇ, ବ୍ୟବସ୍ଥାପୁସ୍ତକ ଓ ସବୁ ଲୋକଙ୍କ ଉପରେ ସେଚନ କଲେ।20ସେ କହିଥିଲେ, “ଯେଉଁ ନିୟମ ପାଳନ କରିବାକୁ ଈଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି, ଏହା ହେଉଛି ସେହି ନିୟମର ରକ୍ତ।”21ଏହିରୂପେ, ସେ ସେହି ରକ୍ତକୁ ସମାଗମତମ୍ବୁ ମନ୍ଦିର ଉପରେ ଏବଂ ଉପାସନା ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ ଉପରେ ସେଚନ କଲେ।22ପ୍ରକୃତରେ, ବିଧିବ୍ୟବସ୍ଥା ଅନୁସାରେ ପ୍ରାୟ ସବୁକିଛି ରକ୍ତ ଦ୍ଵାରା ପବିତ୍ରୀକୃତ ହେବା ଆବଶ୍ୟକ, ଏବଂ ରକ୍ତପାତ ବିନା ପାପମୋଚନ ନାହିଁ।23ଏହିରୂପେ, ଯାହାସବୁ ସ୍ଵର୍ଗୀୟ ବିଷୟଗୁଡ଼ିକର ପ୍ରତିଛବି, ସେହିଗୁଡ଼ିକ ଏହିସବୁ ବଳିଦାନ ଦ୍ଵାରା ପବିତ୍ରୀକୃତ ହେବା ପ୍ରୟୋଜନ ଥିଲା, କିନ୍ତୁ ସେହିସ୍ଵର୍ଗୀୟ ବିଷୟଗୁଡ଼ିକ ଉତ୍କୃଷ୍ଟତର ବଳିଦାନ ଦ୍ଵାରା ପବିତ୍ରୀକୃତ ହେବା ଆବଶ୍ୟକ ଥିଲା।24କାରଣ ଯାହା ପ୍ରକୃତ ବିଷୟର ପ୍ରତିଛବି, ଏପରି ମନୁଷ୍ୟ ନିର୍ମିତ କୌଣସି ଧର୍ମଧାମରେ ଖ୍ରୀଷ୍ଟ ପ୍ରବେଶ କରିନାହାନ୍ତି; ମାତ୍ର ଆମ ତରଫରୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ, ସ୍ଵର୍ଗରେ ହିଁ ପ୍ରବେଶ କରିଅଛନ୍ତି।25ଆହୁରି ମଧ୍ୟ ଯେଉଁ ରକ୍ତ ମହାଯାଜକଙ୍କ ନିଜର ନୁହେଁ ସେହି ରକ୍ତ ନେଇ ସେ ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, କିନ୍ତୁ ଖ୍ରୀଷ୍ଟ ଥରକୁ ଥର ନିଜକୁ ଉତ୍ସର୍ଗ କରିବାକୁ ସ୍ଵର୍ଗରେ ପ୍ରବେଶ କରିନାହାନ୍ତି।26ତାହା ହୋଇଥିଲେ, ଜଗତର ସୃଷ୍ଟି କାଳରୁ ଖ୍ରୀଷ୍ଟଙ୍କୁ ଅନେକଥର ଦୁଃଖଭୋଗ କରିବାକୁ ହୋଇଥାଆନ୍ତା। କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରି ପାପର ଦୂରୀକରଣ ପାଇଁ ଥରେମାତ୍ର ପ୍ରକାଶିତ ହେଲେ।27ମନୁଷ୍ୟ ଯେପରି ଥରେମାତ୍ର ମୃତ୍ୟୁଭୋଗ କରିବାକୁ, ଏବଂ ତା ପରେ ବିଚାରର ସମ୍ମୁଖୀନ ହେବାକୁ ନିରୂପିତ ହୋଇଅଛି,28ଖ୍ରୀଷ୍ଟ ସେହିପରି ଅନେକଙ୍କ ପାପ ବହିନେବାକୁ ଥରେମାତ୍ର ନିଜକୁ ବଳି କଲେ, ସେ ଦ୍ୱିତୀୟ ଥର ପ୍ରକାଶିତ ହେବେ କିନ୍ତୁ ପାପ ବହନ କରିବାକୁ ନୁହେଁ, ମାତ୍ର ତାହାଙ୍କ ଅପେକ୍ଷାରେ ରହିଥିବା ଲୋକଙ୍କର ପରିତ୍ରାଣ ନିମନ୍ତେ ପ୍ରକାଶିତ ହେବେ।
Biblica, Inc.