ଏବ୍ରୀ10

ଖ୍ରୀଷ୍ଟଙ୍କର ଏକମାତ୍ର ବଳିଦାନ

1ବିଧିବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟଗୁଡ଼ିକର ଛାୟାମାତ୍ର ଅଟେ, ଏହିସବୁ ବାସ୍ତବ ବିଷୟ ନୁହେଁ। ସେଥିପାଇଁ, ବର୍ଷ ପରେ ବର୍ଷ ନାନାଦି ବଳିଦାନ ନିରନ୍ତର ଉତ୍ସର୍ଗିତ ହେଲେ ମଧ୍ୟ ଏହା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ।2ଯଦି କରି ପାରୁଥାଆନ୍ତା, ତେବେ କଅଣ ସେହିସବୁ ଉତ୍ସର୍ଗିତ ହେବାର ସମାପ୍ତି ଘଟି ନ ଥାଆନ୍ତା? କାରଣ ଉପାସକମାନେ ଏକାଥରକେ ଶୁଚିମନ୍ତ ହୋଇ, ପାପ ପାଇଁ ନିଜକୁ ଆଉ ଦୋଷୀ ମନେ କରନ୍ତେ ନାହିଁ।3କିନ୍ତୁ ସେହିସବୁ ବଳିଦାନ ବର୍ଷ ପରେ ବର୍ଷ ପାପ ସ୍ମରଣ କରାଇ ଦିଏ।4କାରଣ ବୃଷ ଓ ଛାଗର ରକ୍ତ ଦ୍ଵାରା ଯେ ପାପର ଦୂରୀକରଣ ହେବ ଏହା ଅସମ୍ଭବ।
5ସେଥିପାଇଁ, ଖ୍ରୀଷ୍ଟ ଜଗତକୁ ଆସିବା ବେଳେ କହିଲେ;“ତୁମ୍ଭେ ବଳିଦାନ ଓ ନୈବେଦ୍ୟ ଲୋଡ଼ି ନ ଥିଲ,କିନ୍ତୁ ତୁମ୍ଭେ ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;6ହୋମବଳି ଓ ପାପାର୍ଥକ ବଳିରେତୁମ୍ଭର ସନ୍ତୋଷ ନ ଥିଲା।7ତେଣୁ ମୁଁ କହିଲି, ‘ଦେଖ ମୁଁ ଆସିଅଛି ମୋ ସମ୍ବନ୍ଧରେ ହିଁ ଶାସ୍ତ୍ରରେ ଲେଖାଅଛିହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।’ ”
8ପ୍ରଥମେ ସେ କହିଲେ, “ବଳିଦାନ ଓ ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ି ନ ଥିଲ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା” ଅଥଚ ବିଧିବ୍ୟବସ୍ଥା ଅନୁସାରେ ଏହିସବୁ ଉତ୍ସର୍ଗ କରିବା ପ୍ରୟୋଜନ ଥିଲା।9ତତ୍ପରେ ସେ କହିଲେ, “ଦେଖ ମୁଁ ଆସିଅଛି, ତୁମ୍ଭର ଇଚ୍ଛା ସାଧନ କରିବାକୁ ଆସିଅଛି।” ଦ୍ୱିତୀୟଟିକୁ ସ୍ଥାପନ କରିବା ପାଇଁ ସେ ପ୍ରଥମଟିକୁ ରଦ୍ କଲେ।10ସେହି ଇଚ୍ଛା ହେତୁ, ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକା ଥରକ ପାଇଁ ବଳିପ୍ରାପ୍ତ ହେବା ଦ୍ଵାରା ଆମେ ପବିତ୍ରୀକୃତ ହୋଇଅଛୁ।
11ପ୍ରତ୍ୟେକ ଯାଜକ ଦିନ ପରେ ଦିନ ଧର୍ମ ସମ୍ଭନ୍ଧୀୟ କର୍ତ୍ତବ୍ୟ ସାଧନ କରିବାକୁ ଠିଆ ହୋଇଥାଆନ୍ତି; ସେହି ଏକପ୍ରକାର ବଳି ସେ ବାରମ୍ୱାର ଉତ୍ସର୍ଗ କରନ୍ତି, ଅଥଚ ସେସବୁ ପାପମୋଚନ କରିପାରେ ନାହିଁ।12କିନ୍ତୁ ଏହି ଯାଜକ ପାପ ନିମନ୍ତେ ଗୋଟିଏ ଥର ପାଇଁ ବଳି ଉତ୍ସର୍ଗ କଲାପରେ, ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କଲେ,13ତାହାଙ୍କ ଶତ୍ରୁମାନେ ତାହାଙ୍କର ପାଦପୀଠ ନ ହେବା ପର୍ଯ୍ୟନ୍ତ ସେହି ସମୟରୁ ସେ ଅପେକ୍ଷା କରୁଅଛନ୍ତି।14କାରଣ ଗୋଟିଏମାତ୍ର ବଳିଦାନ ଦ୍ଵାରା ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ସେ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି।
15ଏ ବିଷୟରେ ପବିତ୍ରଆତ୍ମା ମଧ୍ୟ ସାକ୍ଷ୍ୟ ଦିଅନ୍ତି। ପ୍ରଥମେ ସେ କହନ୍ତି:16ପ୍ରଭୁ କହନ୍ତି, ସେହି ସମୟପରେ“ମୁଁ ସେମାନଙ୍କ ସଙ୍ଗେ ଏହି ନିୟମ କରିବିମୁଁ ସେମାନଙ୍କ ହୃଦୟ ଫଳକରେ ମୋର ବିଧିବ୍ୟବସ୍ଥା ସବୁ ସ୍ଥାପନ କରିବି,ଏବଂ ସେମାନଙ୍କ ମାନସପଟରେ ସେହିସବୁ ଲେଖିଦେବି।”
17ତା ପରେ ସେ ଆହୁରି ମଧ୍ୟ କହନ୍ତି:“ମୁଁ ସେମାନଙ୍କର ପାପ ଓ ଅପକର୍ମସବୁଆଉ ସ୍ମରଣ କରିବି ନାହିଁ।”
18ଯେଉଁଠାରେ ଏହିସବୁ କ୍ଷମା କରାଯାଇଅଛି, ସେଠାରେ ପାପ ପାଇଁ ଆଉ ବଳିଦାନର ଆବଶ୍ୟକତା ନାହିଁ।
19ତେଣୁ ହେ ଭାଇମାନେ, ଯୀଶୁ ବିଚ୍ଛେଦପର୍ଦା ଅର୍ଥାତ୍ ତାହାଙ୍କ ଶରୀର ଦ୍ଵାରା ଆମ ପାଇଁ ଯେଉଁ ନୂତନ ଓ ଜୀବନଦାୟକ ପଥ ଉନ୍ମୁକ୍ତ କରିଅଛନ୍ତି,20ସେହି ପଥ ଦେଇ, ଯୀଶୁଙ୍କ ରକ୍ତ ଦ୍ଵାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବାକୁ, ଆମର ଭରସା ଅଛି,21ଏବଂ ଈଶ୍ୱରଙ୍କ ମନ୍ଦିରରେ ଆମର ଜଣେ ମହାନ୍ ଯାଜକ ଅଛନ୍ତି,22ତେଣୁ ଆସ, ଆମର ହୃଦୟ ସିଞ୍ଚିତ ହୋଇ କଳୁଷିତ ବିବେକରୁ ଶୁଚିକୃତ ହୋଇଥିବାରୁ ଏବଂ ନିର୍ମଳ ଜଳରେ ଆମର ଶରୀର ଧୌତ ହୋଇଥିବାରୁ ଆମେ ଅକପଟ ହୃଦୟରେ ପୂର୍ଣ୍ଣ ବିଶ୍ୱାସ ସହ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା।23ପୁଣି ଯେଉଁ ଭରସା ବିଷୟ ଆମେ ପ୍ରକାଶ୍ୟରେ ସ୍ୱୀକାର କରୁଅଛୁ, ତାହା ଦୃଢ଼ଭାବେ ଧରି ରଖିବା କାରଣ ଯେ ପ୍ରତିଜ୍ଞା କରିଛନ୍ତି ସେ ବିଶ୍ୱସ୍ତ ଅଟନ୍ତି।24ଆହୁରି ମଧ୍ୟ ଆସ ଆମେ କିପରି ଭାବରେ ପରସ୍ପରକୁ ପ୍ରେମ ଓ ସତ୍‌କର୍ମରେ ପ୍ରବୃତ୍ତି କରାଇବା ସେ ବିଷୟ ଚିନ୍ତା କରିବା,25ଉପାସନାରେ ସମବେତ ହେବାକୁ ହେଳା କରିବା ବିଷୟରେ କାହାରି କାହାରି ଯେପରି ଅଭ୍ୟାସ ଅଛି, ଆମେ ସେପରି କରିବା ନାହିଁ, ବରଂ ପରସ୍ପରକୁ ଉତ୍ସାହିତ କରିବା ବିଶେଷତଃ ପ୍ରଭୁଙ୍କର ଦିନ ଆସନ୍ନ ବୋଲି ଯେତେବେଳେ ତୁମ୍ଭେମାନେ ଜାଣୁଅଛ।
26ସତ୍ୟ ଜ୍ଞାନଲାଭ କରିବାପରେ ଆମେ ଯଦି ଜାଣିଶୁଣି ପାପ କରୁଥାଉ, ତେବେ ପାପ ପାଇଁ ଆଉ କୌଣସି ବଳିଦାନ ବାକି ନ ଥାଏ,27କିନ୍ତୁ ଥାଏ କେବଳ ମହାବିଚାରର ଭୟାବହ ଆଶଙ୍କା ଓ ଈଶ୍ୱରଙ୍କ ଶତ୍ରୁମାନଙ୍କୁ ଗ୍ରାସ କରୁଥିବା ଅଗ୍ନିର ପ୍ରଚଣ୍ଡତା।28କେହି ମୋଶାଙ୍କ ବିଧିବ୍ୟବସ୍ଥା ଅମାନ୍ୟ କଲେ ଦୁଇ ବା ତିନିଜଣ ସକ୍ଷୀଙ୍କ ସାକ୍ଷ୍ୟ ଦ୍ଵାରା ତାକୁ ଦୟା ନ ଦେଖାଇ ମାରି ଦିଆଯାଉଥିଲା।29ତେବେ ଭାବି ଦେଖ ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ଵାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଏବଂ ଅନୁଗ୍ରହଦାତା ପବିତ୍ରଆତ୍ମାଙ୍କର ଅବମାନନା କରିଅଛି ସେ କେତେ ଅଧିକ ଦଣ୍ଡନୀୟ ନ ହେବ?30କାରଣ, “ପ୍ରତିଶୋଧ ନେବା ମୋର କାର୍ଯ୍ୟ ମୁଁ ପ୍ରତିଫଳ ଦେବି” ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କ ପାଇଁ ନ୍ୟାୟବିଚାର କରିବେ,” ଯେ ଏ କଥା କହିଅଛନ୍ତି, ତାହାଙ୍କୁ ଆମେ ଜାଣୁ।31ନିତ୍ୟଜୀବୀ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଅତି ଭୟାନକ ବିଷୟ ଅଟେ।
32ଆଲୋକ ପ୍ରାପ୍ତ ହେବା ପରେ ତୁମ୍ଭେମାନେ ଏକ ମହା ସଂଗ୍ରାମରେ ଦୁଃଖଭୋଗର ସମ୍ମୁଖୀନ ହୋଇ ସୁଦ୍ଧା ଅଟଳ ରହିଥିଲ, ସେହି ପୂର୍ବ ଦିନଗୁଡ଼ିକୁ ସ୍ମରଣ କର।33ସେତେବେଳେ ତୁମ୍ଭେମାନେ କେବେ କେବେ ସର୍ବସାଧାରଣରେ ନିନ୍ଦା ଓ ନିର୍ଯ୍ୟାତନାର ଶିକାର ହେଉଥିଲ; ଆଉ କେବେ କେବେ ସେହିପ୍ରକାର ଦୁର୍ବ୍ୟବହାର ପାଉଥିବା ଲୋକଙ୍କ ସଙ୍ଗରେ ରହିଥିଲ।34ଯେଉଁମାନେ ବନ୍ଦୀଶାଳାରେ ଥିଲେ ସେମାନଙ୍କୁ ସମବେଦନା ଜ୍ଞାପନ କରୁଥିଲ ଏବଂ ତୁମ୍ଭମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେଲାବେଳେ ଆନନ୍ଦରେ ସେହି କ୍ଷତି ସହିଥିଲ, କାରଣ ତୁମ ନିଜର ଉତ୍କୃଷ୍ଟତର ଓ ଚିରସ୍ଥାୟୀ ସମ୍ପଦ ଅଛି ବୋଲି ଜାଣିଥିଲ।35ସେଥିପାଇଁ ତୁମର ଭରସା ତ୍ୟାଗ କର ନାହିଁ; ସେଥିରେ ମହାପୁରସ୍କାର ଅଛି।
36ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ସାଧନ କଲାପରେ ତାଙ୍କର ପ୍ରତିଜ୍ଞାତ ବିଷୟ ଯେପରି ପାଇପାରିବ, ଏଥିପାଇଁ ଧୈର୍ଯ୍ୟ ଧରିବା ଆବଶ୍ୟକ।37କାରଣ,“ଅତି ଅଳ୍ପ ସମୟରେ,ଯାହାଙ୍କର ଆସିବାର ଅଛି,ସେ ଆସିବେ ଓ ବିଳମ୍ବ କରିବେ ନାହିଁ।”
38ଆଉ,“ମୋର ଧାର୍ମିକ ବ୍ୟକ୍ତି ବିଶ୍ୱାସରେ ବଞ୍ଚିବ।କିନ୍ତୁ ଯଦି ସେ ପଶ୍ଚାଦ୍‌ପଦ ହୁଏତେବେ ମୁଁ ତା ପ୍ରତି ସନ୍ତୁଷ୍ଟ ହେବି ନାହିଁ।”
39ମାତ୍ର ଆମେ ତ ପଶ୍ଚାଦ୍‌ପଦ ହୋଇ ବିନଷ୍ଟ ହେବା ଲୋକ ନୋହୁଁ, ଆମେ ବିଶ୍ୱାସ କରି ପରିତ୍ରାଣ ଲାଭ କରିବା ଲୋକ ଅଟୁ।

Biblica, Inc.

https://app.library.bible/content/97b51048ae7f2ec9