ଏବ୍ରୀ12

1ଅତଏବ, ଆମେ ଏକ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ଵାରା ପରିବେଷ୍ଟିତ ହୋଇଥିବାରୁ ଯେଉଁସବୁ ବିଷୟ ଆମକୁ ବାଧା ଦେଉଅଛି ଓ ଯେଉଁସବୁ ପାପ ସହଜରେ ଛନ୍ଦି ପକାଉଅଛି, ସେହିସବୁ ପରିତ୍ୟାଗ କରି ଆସ ଆମ ପାଇଁ ନିରୂପିତ ଦୌଡ଼ରେ ଧୈର୍ଯ୍ୟ ସହ ଦୌଡ଼ିଯିବା।2ଆମ ବିଶ୍ୱାସର ପ୍ରବର୍ତ୍ତକ ଓ ସିଦ୍ଧିଦାତା ଯୀଶୁଙ୍କ ଉପରେ ଆମେ ଦୃଷ୍ଟି ରଖିବା। ସେ କ୍ରୁଶରେ ଯନ୍ତ୍ରଣା ସହ୍ୟ କରି, ତହିଁର ଅପମାନକୁ ହେୟଜ୍ଞାନ କଲେ, ଏବଂ ଈଶ୍ୱରଙ୍କ ସିଂହାସନର ଦକ୍ଷିଣପାର୍ଶ୍ୱରେ ବିଦ୍ୟମାନ ହେଲେ।3ଯେ ପାପୀ ଲୋକଙ୍କଠାରୁ ଏତେ ବିରୁଦ୍ଧାଚରଣ ସହିଲେ ତାହାଙ୍କ ବିଷୟ ବିବେଚନା କର, ତା ହେଲେ ତୁମ୍ଭେମାନେ ଅବସନ୍ନ ଓ ହତାଶ ହେବ ନାହିଁ।

ପିତା ଈଶ୍ୱରଙ୍କ ଶାସନ ଓ ଶାସ୍ତି

4ତୁମ୍ଭେମାନେ ତ ରକ୍ତ ପତିତ ହେବାଯାଏ, ପାପ ବିରୁଦ୍ଧରେ ସଂଗ୍ରାମ କରି ନାହଁ।5ପୁଣି ଏହି ଯେଉଁ ଉତ୍ସାହବାଣୀ ତୁମ୍ଭମାନଙ୍କୁ ପୁତ୍ର ରୂପେ ସମ୍ବୋଧନ କରେ ତାହା କଅଣ ତୁମ୍ଭେମାନେ ଭୁଲି ଯାଇଅଛ?“ହେ ମୋହର ପୁତ୍ର, ପ୍ରଭୁଙ୍କର ଶାସନକୁ ଲଘୁ ଜ୍ଞାନ କର ନାହିଁ,ଓ ସେ ଭତ୍ସନା କଲାବେଳେ ହତାଶ ହୁଅ ନାହିଁ,6କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି,ଓ ସେ ଯାହାକୁ ପୁତ୍ରବତ୍ ଗ୍ରହଣ କରନ୍ତି ତାହାକୁ ଶାସ୍ତି ଦିଅନ୍ତି।”
7ଦୁଃଖକ୍ଳେଶକୁ ଶାସନ ମନେ କରି ସହ୍ୟ କର; ଈଶ୍ୱର ତୁମ୍ଭମାନଙ୍କ ପ୍ରତି ପୁତ୍ରସମ ବ୍ୟବହାର କରୁଅଛନ୍ତି। କାରଣ କେଉଁ ପୁତ୍ର ନିଜ ପିତାଠାରୁ ଶାସ୍ତି ନ ପାଏ?8ସମସ୍ତେ ଶାସ୍ତି ପାଇଥାଆନ୍ତି ଏବଂ ତୁମେ ଯଦି ଶାସ୍ତି ପାଇ ନାହଁ ତେବେ ତୁମେ ଜାରଜ ସନ୍ତାନ, ପ୍ରକୃତ ପୁତ୍ର ନୁହଁ।9ଆହୁରି ମଧ୍ୟ, ଆମ ସମସ୍ତଙ୍କର ଜାଗତିକ ପିତୃଗଣ ଆମକୁ ଶାସନ କଲେ ଓ ସେଥିପାଇଁ ଆମେ ସେମାନଙ୍କୁ ଭକ୍ତି କଲୁ। ତା ହେଲେ ଆମ ଆତ୍ମଗଣର ପିତାଙ୍କର ବଶୀଭୂତ ହୋଇ ବଞ୍ଚିବା କେତେ ଅଧିକ ବାଞ୍ଚ୍ଥନୀୟ!10ଆମର ପିତାମାନେ ସବୁଠାରୁ ଯାହା ଉତ୍ତମ ମନେ କଲେ; ସେହିପରି ଭାବରେ ଆମକୁ କିଛିକାଳ ପାଇଁ ଶାସନ କଲେ କିନ୍ତୁ ଆମେ ଯେପରି ଈଶ୍ୱରଙ୍କ ପବିତ୍ରତାରେ ଭାଗୀ ହେବୁ, ଏଥିପାଇଁ ଈଶ୍ୱର ଆମର ମଙ୍ଗଳ ସକାଶେ ଆମକୁ ଶାସନ କରନ୍ତି।11ଶାସ୍ତି ପାଇଲା ବେଳେ ତାହା ଆଦୌ ସୁଖକର ମନେ ହୁଏ ନାହିଁ, ତାହା କଷ୍ଟଦାୟକ। କିନ୍ତୁ ଯେଉଁମାନେ ତାହା ଦ୍ଵାରା ଶିକ୍ଷାପ୍ରାପ୍ତ ହୁଅନ୍ତି, ସେମାନଙ୍କ ପାଇଁ ପରେ ତାହା ଧାର୍ମିକତା ଓ ଶାନ୍ତିର ଫଳ ଉତ୍ପାଦନ କରେ।
12ତେଣୁ, ତୁମର ଦୁର୍ବଳ ହସ୍ତ ଓ ଅବଶ ଜାନୁକୁ ସବଳ କର।13“ତୁମ ଚରଣ ପାଇଁ ପଥ ସମତଳ କର,” ଯଦ୍ଦ୍ୱାରା ପଙ୍ଗୁ ମନୁଷ୍ୟ ବିକଳାଙ୍ଗ ନ ହୋଇ, ବରଂ ସୁସ୍ଥ ହେବ।

ଈଶ୍ୱରଙ୍କୁ ଅଗ୍ରାହ୍ୟ କରିବା ବିଷୟରେ ଚେତନାବାଣୀ

14ସବୁ ଲୋକଙ୍କ ସହିତ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନଯାପନ କରିବାକୁ ସବୁ ପ୍ରକାରେ ଉଦ୍ୟମ କର; ପବିତ୍ରତା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ପାଇବ ନାହିଁ।15କେହି ଯେପରି ଈଶ୍ୱରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଏ ଏବଂ ତିକ୍ତତାର ମୂଳ ବଢ଼ି ଉଠି ଯେପରି ଅନିଷ୍ଟ ସାଧନ ନ କରେ ଓ ତଦ୍ଦ୍ୱାରା ଅନେକଙ୍କୁ କଳୁଷିତ ନ କରେ ଏ ବିଷୟରେ ସାବଧାନ।16କେହି ଯେପରି ଯୌନ ଅସଦାଚରଣ ନ କରେ, କିମ୍ବା ଏଷୌ ପରି ଅଧର୍ମାଚାରୀ ନ ହୁଏ, ଏ ବିଷୟରେ ସାବଧାନ ଏଷୌ ତ ଓଳିକର ଆହାର ପାଇଁ ନିଜର ଜ୍ୟେଷ୍ଠାଧିକାର ବିକି ଦେଇଥିଲା।17ତୁମ୍ଭେମାନେ ଜାଣ ଯେ, ସେ ପରେ, ଏହି ଆଶୀର୍ବାଦର ଅଧିକାରୀ ହେବାକୁ ଇଚ୍ଛା କଲେ ସୁଦ୍ଧା, ଅଗ୍ରାହ୍ୟ ହେଲା। ସେ ଅଶ୍ରୁପାତପୂର୍ବକ ସେହି ଆଶୀର୍ବାଦ ଲୋଡ଼ିଲେ ମଧ୍ୟ, ଅନୁତାପ କରିବାକୁ ଆଉ ସୁଯୋଗ ପାଇଲା ନାହିଁ।
18ଯାହା ସ୍ପର୍ଶ କରି ହେବ ଏପରି ଏକ ପାର୍ଥିବ ପର୍ବତ ନିକଟକୁ ତୁମ୍ଭେମାନେ ତ ଆସି ନାହଁ; ତୁମ୍ଭେମାନେ ଘନ ମେଘ, ଅନ୍ଧକାର ଓ ବାତ୍ୟାର ସମ୍ମୁଖୀନ ହୋଇ ନାହଁ;19ଏବଂ ଏପରି ଏକ ତୂରୀନାଦ କିମ୍ବା କଥା କହୁଥିବା ଏକ ସ୍ଵର ଶୁଣି ନାହଁ ଯାହାକୁ ଶୁଣି ଶ୍ରୋତାମାନେ ଆଉ କୌଣସି କଥା ସେମାନଙ୍କୁ କୁହା ନ ଯାଉ ବୋଲି ବିନତି କରିଥିଲେ,20କାରଣ ପଶୁଟିଏ ସୁଦ୍ଧା ସେହି ପର୍ବତକୁ ସ୍ପର୍ଶ କଲେ, ପ୍ରସ୍ତରାଘାତରେ ମରିବ: “ଏହି ଆଦେଶ ସେମାନେ ସହ୍ୟ କରିପାରିଲେ ନାହିଁ।”21ସେହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ମୋଶା କହିଥିଲେ, “ମୁଁ ଭୟରେ ଥରି ଉଠୁଛି।”
22କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତକୁ ଆସିଅଛ, ନିତ୍ୟଜୀବୀ ଈଶ୍ୱରଙ୍କ ନଗରୀ ସ୍ଵର୍ଗୀୟ ଯିରୂଶାଲମକୁ ତୁମ୍ଭେମାନେ ଆସିଅଛ, ସହସ୍ର ସହସ୍ର ସ୍ଵର୍ଗଦୂତଙ୍କର ଆନନ୍ଦମୁଖର ସମାବେଶକୁ,23ପୁଣି, ଯେଉଁମାନଙ୍କର ନାମ ସ୍ଵର୍ଗରେ ଲିଖିତ ହୋଇଅଛି, ସେହି ପ୍ରଥମଜାତମାନଙ୍କର ମଣ୍ଡଳୀକୁ ତୁମ୍ଭେମାନେ ଆସିଅଛ, ସବୁ ମନୁଷ୍ୟଙ୍କ ବିଚାରକର୍ତ୍ତା ଈଶ୍ୱରଙ୍କ ନିକଟକୁ, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ ନିକଟକୁ,24ନୂତନ ଚୁକ୍ତିର ମଧ୍ୟସ୍ଥ ଯୀଶୁଙ୍କ ନିକଟକୁ, ଏବଂ ଯେଉଁ ସିଞ୍ଚିତ ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟ କଥା କହେ ସେହି ରକ୍ତ ନିକଟକୁ ଆସିଅଛ।
25ସାବଧାନ ଯେ କଥା କହୁଛନ୍ତି ତାହାଙ୍କୁ ଅଗ୍ରାହ୍ୟ କର ନାହିଁ। କାରଣ ଯିଏ ପୃଥିବୀରେ ସେମାନଙ୍କୁ ସତର୍କବାଣୀ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ଵର୍ଗରୁ ଆମକୁ ସତର୍କବାଣୀ ଦେଉଛନ୍ତି, ତାହାଙ୍କ ପ୍ରତି ବିମୁଖ ହେଲେ ଆମେ ରକ୍ଷା ପାଇବା ଆଶା କେତେ କମ୍?26ସେତେବେଳେ ତାହାଙ୍କର ସ୍ଵର ପୃଥିବୀକୁ କମ୍ପିତ କରିଥିଲା, କିନ୍ତୁ ଏବେ ସେ ଏହି ପ୍ରତିଜ୍ଞା କରିଛନ୍ତି “ମୁଁ ଆଉ ଥରେ କେବଳ ପୃଥିବୀକୁ ନୁହେଁ ମାତ୍ର ଆକାଶମଣ୍ଡଳକୁ ମଧ୍ୟ କମ୍ପିତ କରିବି।”27“ଆଉ ଥରେ” କହିବା ଅର୍ଥ ଏହି ଯେ ଯାହାସବୁ, ଅର୍ଥାତ୍ ସୃଷ୍ଟ ବିଷୟଗୁଡ଼ିକ ଟଳାଇ ହେବ ସେହିସବୁ ଅପସାରିତ ହେବ ଯଦ୍ଦ୍ୱାରା ଅଟଳ ବିଷୟଗୁଡ଼ିକ ରହିବ।
28ଅତଏବ, ଏକ ଅଟଳ ରାଜ୍ୟ ପାଉଥିବାରୁ, ଆସ ଆମେ ଈଶ୍ୱରଙ୍କ ନିକଟରେ କୃତଜ୍ଞ ହୋଇ, ଭୟଭକ୍ତିରେ ତାହାଙ୍କର ସନ୍ତୋଷଜନକ ଆରାଧନା କରୁ,29କାରଣ ଆମର “ଈଶ୍ୱର ସର୍ବଗ୍ରାସୀ ଅଗ୍ନି ଅଟନ୍ତି।”

Biblica, Inc.

https://app.library.bible/content/97b51048ae7f2ec9