ଗାଲାତୀୟ6

ସମସ୍ତଙ୍କର ମଙ୍ଗଳ କର

1ଭାଇମାନେ, କେହି ଯଦି କୌଣସି ପାପର ଫାନ୍ଦରେ ପଡ଼ିଯାଏ, ତେବେ ତୁମ ମଧ୍ୟରୁ ଯେଉଁମାନେ ଆଧ୍ୟାତ୍ମିକମନା ସେମାନେ ତାହାକୁ ମୃଦୁ ଭାବରେ ସତ୍ ପଥକୁ ଫେରାଇ ଆଣନ୍ତୁ। କିନ୍ତୁ ନିଜ ବିଷୟରେ ସାବଧାନ ହୋଇଥାଅ, ନଚେତ୍ ତୁମେ ହୁଏତ ନିଜେ ପ୍ରଲୋଭନରେ ପଡ଼ିଯାଇ ପାର।2ପରସ୍ପରର ଭାର ବହନ କର, ଏବଂ ଏହିରୂପେ ତୁମେ ଖ୍ରୀଷ୍ଟଙ୍କର ବିଧିବ୍ୟବସ୍ଥା ପାଳନ କରିବ।3ଯଦି କୌଣସି ଲୋକ ନଗଣ୍ୟ ହୋଇ ସୁଦ୍ଧା ନିଜକୁ ବିଶିଷ୍ଟ ଲୋକ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରତାରଣା କରେ।4ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟକଳାପ ପରୀକ୍ଷା କରିବା ଉଚିତ। ତା ହେଲେ, ସେ ଅନ୍ୟ ସହିତ ନିଜକୁ ତୁଳନା ନ କରି ନିଜ ବିଷୟରେ ସନ୍ତୋଷଲାଭ କରିବ।5କାରଣ ପ୍ରତ୍ୟେକ ଲୋକ ନିଜର ଭାର ବହନ କରିବା ଉଚିତ।6ଶାସ୍ତ୍ର ବାକ୍ୟରେ ଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତି, ତାହାର ଶିକ୍ଷାଦାତାକୁ ସମସ୍ତ ଉତ୍ତମ ବିଷୟରେ ଭାଗ ଦେବା ଉଚିତ।
7ଭ୍ରାନ୍ତ ହୁଅ ନାହିଁ: ଈଶ୍ୱରଙ୍କୁ ବିଦ୍ରୂପ କରାଯାଇ ପାରେ ନାହିଁ। ମନୁଷ୍ୟ ଯାହା ବୁଣେ ତାହା ହିଁ କାଟେ।8ଯିଏ ନିଜର ପାପପ୍ରକୃତିର ସନ୍ତୋଷ ବିଧାନ ପାଇଁ ବୁଣେ, ସେ ସେହି ପ୍ରକୃତିରୁ ବିନାଶ ରୂପ ଫସଲ କାଟିବ; ଯିଏ ଆତ୍ମାଙ୍କ ସନ୍ତୋଷ ବିଧାନ ପାଇଁ ବୁଣେ, ସେ ଆତ୍ମାଙ୍କଠାରୁ ଅନନ୍ତଜୀବନ ରୂପ ଫସଲ କାଟିବ।9ଆମେ ସତ୍କର୍ମ କରିବାରେ କ୍ଳାନ୍ତ ନ ହେଉ, କାରଣ ଆମେ ଯଦି ନିରୁତ୍ସାହିତ ନ ହେଉ ତେବେ ଯଥା ସମୟରେ ଫସଲ ଅମଳ କରିବା।10ସେଥିପାଇଁ ଆସ, ସୁଯୋଗ ଥାଉ ଥାଉ ଆମେ ସବୁ ଲୋକଙ୍କର, ବିଶେଷତଃ ବିଶ୍ୱାସୀ ପରିବାରଭୁକ୍ତ ଲୋକଙ୍କର ମଙ୍ଗଳ କରୁ।

ସୁନ୍ନତ ବିଧି ନୁହେଁ, ନୂତନ ସ୍ଵଭାବ ଆବଶ୍ୟକ

11ଦେଖ କେତେ ବଡ଼ ବଡ଼ ଅକ୍ଷରରେ ମୁଁ ନିଜ ହାତରେ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି!
12ଯେଉଁମାନେ ବାହ୍ୟିକ କ୍ରିୟାକର୍ମ ଦ୍ଵାରା ଖ୍ୟାତି ଅର୍ଜନ କରିବାକୁ ଆଗ୍ରହୀ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଏହା କରିବାର ଏକମାତ୍ର କାରଣ ହେଉଛି ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ଯେଉଁ ନିର୍ଯ୍ୟାତନା ଆସେ ତାହା ସେମାନେ ଯେପରି ଏଡ଼ାଇ ପାରିବେ।13ଯେଉଁମାନେ ସୁନ୍ନତ ହୁଅନ୍ତି ସେମାନେ ସୁଦ୍ଧା ବିଧିବ୍ୟବସ୍ଥା ପାଳନ କରନ୍ତି ନାହିଁ, ଅଥଚ ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଇଚ୍ଛା କରନ୍ତି ଯଦ୍ଦ୍ୱାରା ତୁମ୍ଭମାନଙ୍କ ଶରୀର ବିଷୟରେ ସେମାନେ ଦର୍ପ କରିପାରିବେ।14କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟତୀତ, ଆଉ କେଉଁଥିରେ ଦର୍ପ କରିବା ମୋ ଠାରୁ ଦୂରେ ଥାଉ ତାହା ଦ୍ଵାରା ଜଗତ ମୋ ପ୍ରତି, ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି।15ସୁନ୍ନତ କି ଅସୁନ୍ନତ ଏହି ସବୁରେ କୌଣସି ସାର ନାହିଁ; ସାର ବିଷୟ ହେଉଛି ଏକ ନୂତନ ସୃଷ୍ଟି।16ଯେଉଁମାନେ ଏହି ନୀତି ଅନୁସରଣ କରନ୍ତି ସେସମସ୍ତଙ୍କ ପ୍ରତି ଅର୍ଥାତ୍ ଈଶ୍ୱରଙ୍କର ଇସ୍ରାଏଲ ପ୍ରତି ଶାନ୍ତି ଓ ଦୟା ବିରାଜୁ।
17ପରିଶେଷରେ, କେହି ମୋତେ ଏଣିକି ଆଉ କଷ୍ଟ ନ ଦେଉ, କାରଣ ମୁଁ ମୋର ଶରୀରରେ ଯୀଶୁଙ୍କର କ୍ଷତ ଚିହ୍ନ ବହନ କରୁଛି।
18ଭାଇମାନେ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।

Biblica, Inc.

https://app.library.bible/content/97b51048ae7f2ec9