ଗାଲାତୀୟ5

ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତା

1ସ୍ୱାଧୀନତା ପାଇଁ ଖ୍ରୀଷ୍ଟ ଆମକୁ ମୁକ୍ତ କରିଛନ୍ତି। ଅତଏବ, ଅଟଳ ରୁହ, ଦାସତ୍ଵର ଯୁଆଳିରେ ପୁନର୍ବାର ନିଜକୁ ଭାରଗ୍ରସ୍ତ କର ନାହିଁ।
2ମୋର କଥାରେ ମନ ଦିଅ! ମୁଁ, ପାଉଲ, ତୁମ୍ଭମାନଙ୍କୁ କହୁଅଛି ଯଦି ନିଜକୁ ସୁନ୍ନତ କର, ତେବେ ତୁମ୍ଭମାନଙ୍କ ପାଇଁ ଖ୍ରୀଷ୍ଟ ମୂଲ୍ୟହୀନ।3ସୁନ୍ନତ ହେବାକୁ ଇଚ୍ଛୁକ ପ୍ରତ୍ୟେକ ଜଣକୁ ମୁଁ ପୁନର୍ବାର କହୁଅଛି ଯେ ସେସମସ୍ତ ବିଧିବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ।4ତୁମେ ଯେତେ ଲୋକ ବିଧିବ୍ୟବସ୍ଥା ପାଳନ ଦ୍ଵାରା ଧାର୍ମିକ ଗଣ୍ୟ ହେବାକୁ ଚେଷ୍ଟା କରୁଅଛ; ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରେଇ ଯାଇଅଛ ଓ ଅନୁଗ୍ରହରୁ ପତିତ ହୋଇଅଛ।5କିନ୍ତୁ ଆମେ ବିଶ୍ୱାସ ହେତୁ ଆତ୍ମାଙ୍କ ଦ୍ଵାରା ଧାର୍ମିକତା ପ୍ରାପ୍ତି ଆଶା କରି ଆଗ୍ରହ ସହକାରେ ଅପେକ୍ଷା କରୁଅଛୁ।6କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୁନ୍ନତ କି ଅସୁନ୍ନତ କୌଣସିଟିର ମୂଲ୍ୟ ନାହିଁ। କିନ୍ତୁ ପ୍ରେମ ମାଧ୍ୟମରେ ପ୍ରକାଶିତ ବିଶ୍ୱାସ ହିଁ ସାର।
7ତୁମ୍ଭେମାନେ ତ ଭଲଭାବେ ଦୌଡ଼ୁଥିଲ। ସତ୍ୟର ଆଜ୍ଞାବହ ହେବାବିଷୟରେ କିଏ ତୁମକୁ ବାଧା ଦେଲା?8ଯେ ତୁମକୁ ଆହ୍ଵାନ କରନ୍ତି ତାହାଙ୍କଠାରୁ ତ ଏପ୍ରକାର ପ୍ରରୋଚନା ଆସେ ନାହିଁ।9“ଟିକିଏ ଖମିର ସମୁଦାୟ ମଇଦାଗୋଳାକୁ ଖମିରମୟ କରିଦିଏ।”10ତୁମ୍ଭେମାନେ ଯେ ଭିନ୍ନମତ ପୋଷଣ କରିବ ନାହିଁ ପ୍ରଭୁଙ୍କଠାରେ ମୋର ଏହି ଦୃଢ଼ ବିଶ୍ୱାସ ରହିଛି। ଯେ ତୁମ୍ଭମାନଙ୍କମଧ୍ୟରେ ବିଶୃଖଂଳା ସୃଷ୍ଟି କରୁଛି, ସେ ଯେକେହି ହେଉ ନା କାହିଁକି, ସେ ତାହାର ଦଣ୍ଡଭୋଗ କରିବ।11ଭାଇମାନେ, ମୁଁ ଯଦି ଏ ଯାଏ ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ ମୁଁ କାହିଁକି ନିର୍ଯ୍ୟାତନା ଭୋଗ କରୁଅଛି? ତେବେ ତ କ୍ରୁଶ ରୂପକ ବାଧା ଘୁଞ୍ଚିଯାଇଛି।12ମୋର ଇଚ୍ଛା, ସେହି ଆନ୍ଦୋଳନକାରୀମାନେ ଏକାବେଳେ ନିଜକୁ ପୁରୁଷତ୍ଵବିହୀନ କରି ଦିଅନ୍ତୁ!

ପବିତ୍ରଆତ୍ମାଙ୍କ ଫଳ

13ହେ ମୋହର ଭାଇମାନେ, ତୁମ୍ଭେମାନେ, ସ୍ୱାଧୀନ ହେବାକୁ ଆହୂତ ହୋଇଅଛ। କିନ୍ତୁ ପାପପ୍ରକୃତିର ଅଭିଳାଷ ପୂରଣ ପାଇଁ ତୁମ ସ୍ୱାଧୀନତାକୁ ବ୍ୟବହାର କର ନାହିଁ; ବରଂ ପ୍ରେମରେ ପରସ୍ପରର ସେବା କର।14ସମୁଦାୟ ବିଧିବ୍ୟବସ୍ଥାର ସାରାଂଶ ଗୋଟିଏମାତ୍ର ଆଜ୍ଞାରେ ନିବଦ୍ଧ: “ପ୍ରତିବାସୀକୁ ନିଜ ପରି ପ୍ରେମ କର।”15ସାବଧାନ, ତୁମ୍ଭେମାନେ ଯଦି ପରସ୍ପରକୁ କାମୁଡ଼ାକାମୁଡ଼ି କରି ଗ୍ରାସ କର, ତେବେ ପରସ୍ପର ଦ୍ଵାରା ବିନଷ୍ଟ ହୋଇଯିବ।
16ତେଣୁ ମୁଁ କହେ, ଆତ୍ମାଙ୍କ ଚାଳନାରେ ଜୀବନଯାପନ କର, ତା ହେଲେ ତୁମ୍ଭେମାନେ ପାପପ୍ରକୃତିର ଅଭିଳାଷଗୁଡ଼ିକୁ ଚରିତାର୍ଥ କରିବ ନାହିଁ।17କାରଣ ଶରୀରର ଅଭିଳାଷଗୁଡ଼ିକ ଆତ୍ମାଙ୍କ ବିରୋଧୀ, ଏବଂ ଆତ୍ମାଙ୍କ ଅଭିଳାଷ ଶରୀରର ବିରୋଧୀ ଅଟେ, ଏମାନେ ପରସ୍ପର ସହ ସଂଗ୍ରାମରତ, ସେଥିଯୋଗୁଁ ତୁମେ ଯାହା ଇଚ୍ଛା କର ତାହା କରି ନ ଥାଅ।18କିନ୍ତୁ ତୁମ୍ଭେମାନେ ଯଦି ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅ, ତେବେ ବିଧିବ୍ୟବସ୍ଥାର ଅଧୀନ ନୁହଁ।
19ଶରୀରର କାର୍ଯ୍ୟଗୁଡ଼ିକ ସୁସ୍ପଷ୍ଟ: ଯୌନ ଅସଦାଚରଣ, ଅଶୁଚିତା ଓ ଲମ୍ପଟତା;20ପ୍ରତିମାପୂଜା ଓ ଗୁଣିବିଦ୍ୟା; ଶତ୍ରୁତା, ବାଦବିବାଦ, ଈର୍ଷା, ପ୍ରଚଣ୍ଡ କ୍ରୋଧ, ସ୍ୱାର୍ଥପରତା, ମତଭେଦ, ଦଳଭେଦ21ଏବଂ ପରଶ୍ରୀକାତରତା; ସୁରାପାନରେ ମତ୍ତତା, ରଙ୍ଗରସ ଇତ୍ୟାଦି। ପୂର୍ବେ ଯେପରି ସତର୍କ କରାଇଅଛି, ମୁଁ ଏବେ ମଧ୍ୟ ସେହିପରି ତୁମ୍ଭମାନଙ୍କୁ କହୁଅଛି, ଯେଉଁମାନେ ଏପ୍ରକାର ଜୀବନ କାଟନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
22କିନ୍ତୁ ଆତ୍ମାଙ୍କ ଫଳ ହେଉଛି, ପ୍ରେମ, ଆନନ୍ଦ, ଶାନ୍ତି, ସହନଶୀଳତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା,23ମୃଦୁତା ଓ ଆତ୍ମସଂଯମ। ଏହିସବୁ ବିଧିବ୍ୟବସ୍ଥାର ବିରୁଦ୍ଧାଚରଣ କରେ ନାହିଁ।24ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର ସେମାନେ ପାପପ୍ରକୃତି ସହିତ ତାହାର କାମନା ଓ ଅଭିଳାଷଗୁଡ଼ିକୁ କ୍ରୁଶବିଦ୍ଧ କରିଛନ୍ତି।25ଆମେ ଯଦି ଆତ୍ମାଙ୍କ ଦ୍ଵାରା ଜୀବନଯାପନ କରୁଅଛୁ, ତେବେ ଆତ୍ମାଙ୍କ ଦ୍ଵାରା ଆଚରଣ କରୁ।26ଆମେ ବୃଥାଗର୍ବୀ ହୋଇ, ପରସ୍ପର ପ୍ରତି ବିରକ୍ତ ଓ ଈର୍ଷାନ୍ୱିତ ନ ହେଉ।

Biblica, Inc.

https://app.library.bible/content/97b51048ae7f2ec9