କଲସୀୟ4

1ହେ ମୁନିବମାନେ, ସ୍ଵର୍ଗରେ ତୁମର ମଧ୍ୟ ଜଣେ କର୍ତ୍ତା ଅଛନ୍ତି ଏହା ଜାଣି ନିଜର ଦାସମାନଙ୍କ ପ୍ରତି ଉଚିତ ଓ ନ୍ୟାୟସଙ୍ଗତ ବ୍ୟବହାର କର।
2ସଜାଗ ରୁହ ଓ ଧନ୍ୟବାଦ ସହ ପ୍ରାର୍ଥନାରେ ନିବିଷ୍ଟ ରୁହ।3ପୁଣି, ଆମ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ଆମର ପ୍ରଚାର ପାଇଁ ଈଶ୍ୱର ଦ୍ଵାର ଉନ୍ମୁକ୍ତ କରିବେ, ତା ହେଲେ ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ପ୍ରଚାର କରିବା ହେତୁ ମୁଁ କାରାରୁଦ୍ଧ ଅଟେ, ତାହା ଆମେ ଘୋଷଣା କରିପାରିବୁ।4ପ୍ରାର୍ଥନା କର ଯେପରି ମୁଁ ଯଥୋଚିତ ଭାବରେ ସ୍ପଷ୍ଟ ରୂପେ ତାହା ଘୋଷଣା କରିପାରିବି।5ବାହାରର ଲୋକଙ୍କ ସଙ୍ଗେ ବୁଦ୍ଧିର ସହ ଆଚରଣ କର; ଏବଂ ସୁଯୋଗର ପୂର୍ଣ୍ଣ ସଦ୍‌ବ୍ୟବହାର କର।6ତୁମ୍ଭମାନଙ୍କର କଥାବାର୍ତ୍ତା ସର୍ବଦା ଭଦ୍ର ଓ ଲବଣଯୁକ୍ତ ହେଉ, ତା ହେଲେ କାହାକୁ କିପରି ଉତ୍ତର ଦେବାକୁ ହେବ ତାହା ତୁମ୍ଭେମାନେ ଜାଣିପାରିବ।

ଶେଷ ଅଭିବାଦନ

7ତୁଖିକସ୍ ମୋ ବିଷୟରେ ତୁମ୍ଭମାନଙ୍କୁ ସବୁ ଖବର ଦେବେ। ସେ ଜଣେ ପ୍ରିୟ ଭ୍ରାତା, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ଆମ ପରି ପ୍ରଭୁଙ୍କର ଦାସ।8ମୁଁ ତାଙ୍କୁ ଏହି ବିଶେଷ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି ଯେ ତୁମ୍ଭେମାନେ ଆମର ପରିସ୍ଥିତି ବିଷୟ ଜାଣିବ ଓ ସେ ତୁମ୍ଭମାନଙ୍କ ହୃଦୟରେ ଉତ୍ସାହ ପ୍ରଦାନ କରିବେ।9ତାଙ୍କ ସହିତ ଆମର ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମସ୍ ଯାଉଅଛନ୍ତି, ସେ ତୁମ୍ଭମାନଙ୍କମଧ୍ୟରୁ ଜଣେ। ଏଠାରେ ଯାହାକିଛି ଘଟୁଅଛି ସେମାନେ ତୁମ୍ଭମାନଙ୍କୁ ଜଣାଇବେ।
10ମୋର ସହବନ୍ଦୀ ଆରିସ୍ତାର୍ଖସ୍ ଓ ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ, ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି। (ଏହାଙ୍କ ବିଷୟରେ ତୁମ୍ଭେମାନେ ନିର୍ଦ୍ଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଯାଆନ୍ତି, ତେବେ ତାଙ୍କୁ ସ୍ୱାଗତ କର।)
11ଯଷ୍ଟସ୍, ନାମରେ ପରିଚିତ ଯୀଶୁ, ମଧ୍ୟ ଅଭିବାଦନ ଜଣାଉଛନ୍ତି। ଈଶ୍ୱରଙ୍କ ରାଜ୍ୟ ପାଇଁ କାର୍ଯ୍ୟ କରୁଥିବା ମୋର ସହକର୍ମୀମାନଙ୍କ ମଧ୍ୟରେ କେବଳ ଏହିମାନେ ହିଁ ଯିହୁଦୀ ଏବଂ ଏମାନେ ମୋ ପାଇଁ ସାନ୍ତ୍ଵନାର କାରଣ ହୋଇଅଛନ୍ତି।
12ଏପାଫ୍ରାସ୍, ଯେ କି ତୁମ୍ଭମାନଙ୍କମଧ୍ୟରୁ ଜଣେ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ, ସେ ଅଭିବାଦନ ଜଣାଉଅଛନ୍ତି। ତୁମ୍ଭେମାନେ ଯେପରି ସୁପରିଣତ ବିଶ୍ୱାସୀ ହେବ ଓ ନିଶ୍ଚିତ ଜ୍ଞାନ ପାଇ ଈଶ୍ୱରଙ୍କ ଇଚ୍ଛା ପାଳନରେ ଅଟଳ ରହିବ, ଏଥିପାଇଁ ସେ ସର୍ବଦା ତୁମ୍ଭମାନଙ୍କୁ ସ୍ମରଣ କରି ଆନ୍ତରିକଭାବେ ପ୍ରାର୍ଥନା କରୁଅଛନ୍ତି।13ସେ ତୁମ୍ଭମାନଙ୍କ ପାଇଁ ଓ ଲାଓଦିକିଆ ଓ ହିଏରାପଲିସ୍‌ର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରୁଅଛନ୍ତି ବୋଲି ମୁଁ ତାଙ୍କ ପକ୍ଷରୁ ସାକ୍ଷ୍ୟ ଦେଉଅଛି।
14ଆମର ପ୍ରିୟ ବନ୍ଧୁ ଚିକିତ୍ସକ ଲୂକ ଓ ଦୀମା ଅଭିବାଦନ ଜଣାଉଅଛନ୍ତି।
15ଲାଓଦିକିଆର ଭାଇମାନଙ୍କୁ ଓ ନିମ୍‌ଫାଙ୍କୁ ତଥା ଏହି ମହିଳାଙ୍କ ଗୃହରେ ସମବେତ ହେଉଥିବା ମଣ୍ଡଳୀକୁ ମୋର ଅଭିବାଦନ ଜଣାଇବ।
16ତୁମ୍ଭମାନଙ୍କ ନିକଟରେ ଏହି ପତ୍ର ପଠିତ ହେଲାପରେ, ଲାଓଦିକିଆ ମଣ୍ଡଳୀରେ ମଧ୍ୟ ଏହା ଯେପରି ପଠିତ ହେବ ସେଥିପ୍ରତି ଦୃଷ୍ଟି ଦେବ ପୁଣି ଲାଓଦିକିଆରୁ ଯେଉଁ ପତ୍ର ଆସିବ ତାହା ତୁମ୍ଭେମାନେ ମଧ୍ୟ ପାଠ କରିବ।
17ଆର୍କିପ୍‌ପସ୍‌ଙ୍କୁ ଏହି କଥା କହିବ: “ପ୍ରଭୁଙ୍କଠାରୁ ଯେଉଁ କାର୍ଯ୍ୟର ଦାୟିତ୍ଵ ପାଇଅଛ ତାହା ସଂପୂର୍ଣ୍ଣ କରିବାକୁ ଯତ୍ନଶୀଳ ହେବ।”
18ମୁଁ, ପାଉଲ, ନିଜ ହାତରେ ଏହି ଅଭିବାଦନ ଲେଖୁଅଛି। ମୋର ବନ୍ଧନ ଅବସ୍ଥା ସ୍ମରଣ କରୁଥିବ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ହେଉ।

Biblica, Inc.

https://app.library.bible/content/97b51048ae7f2ec9