କଲସୀୟ3

ଖ୍ରୀଷ୍ଟଙ୍କ ସହ ନବଜୀବିତ ହେବା

1ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଥିବାରୁ, ଯେଉଁ ସ୍ଥାନରେ ଖ୍ରୀଷ୍ଟ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବିଷ୍ଟ, ସେହି ଊର୍ଦ୍ଧ୍ୱସ୍ଥ ବିଷୟଗୁଡ଼ିକ ପ୍ରତି ମନୋଯୋଗ କର।2ପାର୍ଥିବ ବିଷୟଗୁଡ଼ିକ ପ୍ରତି ମନୋନିବେଶ ନ କରି ଊର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ମନୋନିବେଶ କର।3କାରଣ ତୁମ୍ଭେମାନେ ମୃତ ଏବଂ ବର୍ତ୍ତମାନ ତୁମର ଜୀବନ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କଠାରେ ଗୁପ୍ତ ରହିଅଛି।4ଖ୍ରୀଷ୍ଟ ଯେ କି ତୁମର ଜୀବନସ୍ଵରୂପ, ସେ ଆବିର୍ଭୂତ ହେବା ସମୟରେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ଆବିର୍ଭୂତ ହେବ।
5ଅତଏବ, ଜାଗତିକ ପ୍ରକୃତିସବୁକୁ ଯଥା: ଯୌନ ଅସଦାଚରଣ, ଅଶୁଚିତା, କାମୁକତା, କୁଅଭିଳାଷ ଓ ଲୋଭ, ଯାହାକି ପ୍ରତିମାପୂଜା ସଦୃଶ, ଏହିସବୁକୁ ବିନାଶ କର।6ଏହିସବୁ ହେତୁ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେବାକୁ ଯାଉଅଛି।7ବିଗତ ଜୀବନରେ ତୁମ୍ଭେମାନେ, ଏହିପ୍ରକାର ପଥ ଅବଲମ୍ବନ କରିଥିଲ।8କିନ୍ତୁ ଏବେ ତୁମ୍ଭେମାନେ ଏହିସବୁ ଯଥା: କ୍ରୋଧ, ପ୍ରଚଣ୍ଡ କୋପ, ବିଦ୍ୱେଷ, କୁତ୍ସାରଟନା, ଏବଂ ମୁଖରୁ ଅଶ୍ଳୀଳ ଭାଷା ପରିହାର କର।9ପରସ୍ପରକୁ ମିଥ୍ୟା କୁହ ନାହିଁ, ଯେହେତୁ ତୁମ୍ଭେମାନେ ନିଜର ପୁରାତନ ପ୍ରକୃତି ଓ ତହିଁର ଅଭ୍ୟାସସବୁ ଦୂର କରିଅଛ10ଏବଂ ନୂତନ ପ୍ରକୃତିକୁ ପରିଧାନ କରିଅଛ, ଯେ ଏହି ନୂତନ ପ୍ରକୃତିର ସ୍ରଷ୍ଟା ଅଟନ୍ତି ତାହାଙ୍କ ଅନୁରୂପରେ ଏହା ଜ୍ଞାନରେ ନୂତନୀକୃତ ହେଉଅଛି।11ଏ କ୍ଷେତ୍ରରେ ଗ୍ରୀକ କି ଯିହୁଦୀ, ସୁନ୍ନତ କି ଅସୁନ୍ନତ, ବର୍ବର କି ଅସଭ୍ୟ ଜାତି, କ୍ରୀତଦାସ କି ସ୍ୱାଧୀନ, ଏମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସର୍ବେସର୍ବା ଓ ସମସ୍ତଙ୍କ ମଧ୍ୟରେ ଅଛନ୍ତି।
12ଅତଏବ, ଈଶ୍ୱରଙ୍କ ମନୋନୀତ, ପବିତ୍ର ଓ ଅତି ପ୍ରିୟ ଲୋକ ରୂପେ, ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ଭଦ୍ରତା ଓ ସହିଷ୍ଣୁତା ପରିଧାନ କର।13ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ କାହା ବିରୁଦ୍ଧରେ କାହାର କିଛି ଅଭିଯୋଗ ଥିଲେ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମକୁ କ୍ଷମା କରିଅଛନ୍ତି ସେହିପରି କ୍ଷମା କର।14ପୁଣି ଏହିସମସ୍ତ ସଦ୍‌ଗୁଣ ସହିତ ପ୍ରେମରେ ଭୂଷିତ ହୁଅ, ପ୍ରେମ ଏହି ସମସ୍ତକୁ ସଂପୂର୍ଣ୍ଣ ଏକତାରେ ବାନ୍ଧି ରଖେ।
15ଖ୍ରୀଷ୍ଟଙ୍କ ପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ହୃଦୟରେ ରାଜତ୍ଵ କରୁ, କାରଣ ଗୋଟିଏ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭାବରେ ତୁମ୍ଭେମାନେ ଶାନ୍ତି ଉପଭୋଗ କରିବାକୁ ଆହୂତ ହୋଇଅଛ। ଆହୁରି ମଧ୍ୟ ଧନ୍ୟବାଦୀ ହୁଅ।16ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ ହୃଦୟରେ ରହିଥାଉ, ଏତଦ୍ଦ୍ୱାରା ତୁମ୍ଭେମାନେ ସମସ୍ତ ଜ୍ଞାନ ସହ ପରସ୍ପରକୁ ଶିକ୍ଷା ଓ ଚେତନା ଦିଅ, ଏବଂ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୃତଜ୍ଞ ହୃଦୟରେ ଭଜନ, ସ୍ତବ ଓ ଆତ୍ମିକସଙ୍ଗୀତ ଗାନ କର।17ପୁଣି ବାକ୍ୟରେ କି କର୍ମରେ, ଯାହାକିଛି କର ନା କାହିଁକି, ସେହିସବୁ ପ୍ରଭୁ ଯୀଶୁଙ୍କ ନାମରେ କରି, ତାହାଙ୍କ ଦ୍ଵାରା ପିତା ଈଶ୍ୱରଙ୍କ ଧନ୍ୟବାଦ କର।

ଖ୍ରୀଷ୍ଟୀୟ ପରିବାର ପାଇଁ ନୀତିନିୟମ

18ହେ ସ୍ତ୍ରୀମାନେ, ପ୍ରଭୁଙ୍କ ସହଭାଗିତାରେ ରହି ଯାହା ଉପଯୁକ୍ତ, ତଦନୁଯାୟୀ ସ୍ୱାମୀମାନଙ୍କର ବଶୀଭୂତ ହୁଅ।
19ହେ ସ୍ୱାମୀମାନେ, ନିଜ ନିଜ ସ୍ତ୍ରୀମାନଙ୍କୁ ପ୍ରେମ କର ଏବଂ ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
20ହେ ପିଲାମାନେ, ତୁମ୍ଭେମାନେ ସବୁ ବିଷୟରେ ପିତାମାତାଙ୍କର ବାଧ୍ୟ ହୁଅ, କାରଣ ଏହା ପ୍ରଭୁଙ୍କର ସନ୍ତୋଷଜନକ ଅଟେ।
21ହେ ପିତାମାନେ, ତୁମର ପିଲାମାନଙ୍କୁ ବିରକ୍ତ କର ନାହିଁ, ତାହା କଲେ ସେମାନେ ନିରୁତ୍ସାହିତ ହେବେ।
22ହେ ଦାସମାନେ, ସବୁ ବିଷୟରେ ତୁମର ଜାଗତିକ ମୁନିବମାନଙ୍କର ଆଜ୍ଞା ପାଳନ କର, କେବଳ ଦେଖୁଥିଲା ବେଳେ ସେମାନଙ୍କର ଅନୁଗ୍ରହ ଲାଭ କରିବାକୁ ନୁହେଁ, ମାତ୍ର ଆନ୍ତରିକ ଭାବରେ ଏବଂ ପ୍ରଭୁଙ୍କ ପ୍ରତି ଭୟଭକ୍ତି ସହକାରେ ତାହା କର।23ତୁମ୍ଭେମାନେ ଯାହାକିଛି କର, ମନୁଷ୍ୟ ପାଇଁ ନ କରି, ପ୍ରଭୁଙ୍କ ପାଇଁ କଲା ପରି ଆନ୍ତରିକଭାବେ କାର୍ଯ୍ୟ କର।24କାରଣ ତୁମ୍ଭେମାନେ ଜାଣିଅଛ ଯେ ପ୍ରଭୁଙ୍କଠାରୁ ପୁରସ୍କାର ସ୍ଵରୂପେ ଏକ ଉତ୍ତରାଧିକାର ପାଇବ। ତୁମ୍ଭେମାନେ ତ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କରୁଅଛ।25ଯେ ଅନ୍ୟାୟ କରେ ସେ ତାହାର ଅନ୍ୟାୟର ପ୍ରତିଫଳ ପାଇବ ଓ ଏ ବିଷୟରେ କୌଣସି ପକ୍ଷପାତିତା ନାହିଁ।

Biblica, Inc.

https://app.library.bible/content/97b51048ae7f2ec9