କଲସୀୟ2

1ତୁମ୍ଭମାନଙ୍କ ପାଇଁ, ଲାଓଦିକିଆରେ ଥିବା ଲୋକମାନଙ୍କ ପାଇଁ ଏବଂ ଯେଉଁମାନେ ବ୍ୟକ୍ତିଗତଭାବେ ମୋତେ କେବେ ଭେଟି ନାହାନ୍ତି ସେମାନଙ୍କ ପାଇଁ ମୁଁ ଯେ ମୋର ଯଥାସାଧ୍ୟ ପରିଶ୍ରମ କରୁଅଛି ଏହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।2ମୋର ଉଦ୍ଦେଶ୍ୟ ଏହି ଯେ ସେମାନେ ମନରେ ଉତ୍ସାହ ଲାଭ କରନ୍ତୁ ଓ ପ୍ରେମରେ ଏକତାବଦ୍ଧ ହୁଅନ୍ତୁ, ତା ହେଲେ ସେମାନେ ସଂପୂର୍ଣ୍ଣ ଜ୍ଞାନର ମହା ନିଧି ଲାଭକରି, ଈଶ୍ୱରଙ୍କ ନିଗୂଢ଼ତତ୍ତ୍ୱ, ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଜାଣିବେ,3ଖ୍ରୀଷ୍ଟଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଧନଭଣ୍ଡାର ଗୁପ୍ତ ଅଛି।4କେହି ଯେପରି ତୁମ୍ଭମାନଙ୍କୁ ବାକ୍‌ଚାତୁରୀ ଦ୍ଵାରା ପ୍ରତାରଣା ନ କରେ ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏହା କହୁଅଛି।5ମୁଁ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା ଆତ୍ମିକଭାବେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଅଛି ଏବଂ ତୁମ୍ଭେମାନେ କେଡ଼େ ଶୃଙ୍ଖଳିତ ଓ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ ସୁଦୃଢ଼, ତାହା ଦେଖି ଆନନ୍ଦ ଲାଭ କରୁଅଛି।

ଅସାର ପ୍ରଥାପଦ୍ଧତିରୁ ମୁକ୍ତ ହୁଅ

6ଅତଏବ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କଲ, ସେହିପରି ତାହାଙ୍କ ସହଭାଗିତାରେ ଜୀବନଯାପନ ମଧ୍ୟ କର,7ତାହାଙ୍କଠାରେ ବଦ୍ଧମୂଳ ଓ କ୍ରମଶଃ ବୃଦ୍ଧିପ୍ରାପ୍ତ ହୁଅ, ଏବଂ ପାଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ବଳିଷ୍ଠ ହୁଅ, ପୁଣି ତୁମର ଧନ୍ୟବାଦ ଉଛୁଳି ଉଠୁ।
8ସାବଧାନ କେହି ତୁମକୁ ଶୂନ୍ୟଗର୍ଭ ଓ ଭ୍ରାନ୍ତ ଦର୍ଶନିକତତ୍ତ୍ୱ ଦ୍ଵାରା ବନ୍ଦୀ ନ କରୁ, ଏହା ଖ୍ରୀଷ୍ଟଙ୍କ ଉପରେ ନିର୍ଭର ନ କରି ମନୁଷ୍ୟର ପରମ୍ପରାଗତ ପ୍ରଥା ଓ ଏହି ଜଗତର ମୈଳିକ ନୀତିଗୁଡ଼ିକ ଉପରେ ନିର୍ଭର କରେ।
9କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ଵ ଦେହବନ୍ତ ହୋଇ ବାସ କରେ,10ପୁଣି ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ। ସେ ହିଁ ସମସ୍ତ ଆଧିପତ୍ୟ ଓ କର୍ତ୍ତୁତ୍ଵର ମସ୍ତକ ସ୍ଵରୂପ।11ଆହୁରି ମଧ୍ୟ ତାହାଙ୍କ ସହଭାଗିତାରେ ଆସି ତୁମ୍ଭେମାନେ ସୁନ୍ନତ ହୋଇଅଛ ମନୁଷ୍ୟମାନଙ୍କ ହସ୍ତ ଦ୍ଵାରା ଯେଉଁ ସୁନ୍ନତ କରାଯାଏ ତଦ୍ଦ୍ୱାରା ନୁହେଁ। ମାତ୍ର ପାପପ୍ରକୃତି ପରିହାର କରି ଖ୍ରୀଷ୍ଟଙ୍କ ଦ୍ଵାରା ସୁନ୍ନତ ହୋଇଅଛ,12ଡୁବନ ନେବାବେଳେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେଲ, ଏବଂ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଶକ୍ତିରେ ବିଶ୍ୱାସ କରିବା ଦ୍ଵାରା ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଲ।
13ତୁମ୍ଭେମାନେ ଯେତେବେଳେ ପାପରେ ମୃତ ଓ ପାପ ପ୍ରକୃତିରୂପ ଅସୁନ୍ନତ ଅବସ୍ଥାରେ ଥିଲ, ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କଲେ। ସେ ଆମର ସମସ୍ତ ପାପକ୍ଷମା କଲେ,14ନିୟମାବଳୀ ସହିତ ଯେଉଁ ଲିଖିତ ବିଧିବିଧାନ ଆମ ବିରୁଦ୍ଧରେ ଥିଲା ଓ ଆମର ବିରୋଧ କରୁଥିଲା; ତାହାକୁ ସେ ରଦ୍ କରି ନେଇଗଲେ, ଓ କ୍ରୁଶରେ କଣ୍ଟାବିଦ୍ଧ କଲେ।15ସେସମସ୍ତ ଆଧିପତ୍ୟ ଓ କର୍ତ୍ତାପଣକୁ ନିରସ୍ତ୍ର କରି, ସର୍ବସାଧାରଣରେ ପ୍ରଦର୍ଶନ କଲେ, ଏବଂ କ୍ରୁଶ ଦ୍ଵାରା ସେମାନଙ୍କ ଉପରେ ବିଜୟ ଲାଭ କଲେ।
16ସେଥିପାଇଁ ତୁମ୍ଭମାନଙ୍କର ଭୋଜନପାନ ବିଷୟରେ, ପର୍ବପର୍ବାଣି ବିଷୟରେ, କିମ୍ବା ଅମାବାସ୍ୟା ତିଥି କି ଶାବତବାର ପାଳନ ବିଷୟରେ କେହି ତୁମର ବିଚାର ନ କରୁ।17ଏହିସମସ୍ତ ଆଗାମୀ ବିଷୟର ଛାୟାମାତ୍ର; ବାସ୍ତବ ବିଷୟ ଖ୍ରୀଷ୍ଟଙ୍କଠାରେ ମିଳେ।18ଯିଏ ନମ୍ରତାର ଛଳନା କରିବାରେ ଓ ସ୍ଵର୍ଗଦୂତମାନଙ୍କ ପୂଜା କରିବାରେ ଆନନ୍ଦ ଲାଭ କରେ ସେ ତୁମକୁ ପୁରସ୍କାରରୁ ବଞ୍ଚିତ ନ କରୁ। ସେପ୍ରକାର ଲୋକ ନିଜର ଦର୍ଶନ ବିଷୟରେ ସବିଶେଷ ବର୍ଣ୍ଣନା କରେ; ଏବଂ ତାହାର ଭୋଗପିପାସୁ ମନ ଅସାର ଧାରଣାଗୁଡ଼ିକ ଦ୍ଵାରା ବୃଥାଗର୍ବ କରେ।19ଯେଉଁ ମସ୍ତକରୁ ସମଗ୍ର ଶରୀର ପରିପୁଷ୍ଟ ହୁଏ, ଓ ସନ୍ଧି ଶିରାପ୍ରଶିରା ଦ୍ଵାରା ସୁସଂଯୁକ୍ତ ହୋଇ ଈଶ୍ୱରଙ୍କ ଦ୍ଵାରା ବୃଦ୍ଧିପ୍ରାପ୍ତ ହୁଏ, ସେହି ମସ୍ତକ ଠାରୁ ସେହି ଲୋକ ବିଚ୍ଛିନ୍ନ ହୁଏ।
20ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୈଳିକ ନୀତିନିୟମ ପ୍ରତି ମୃତ ହୋଇଅଛ, ତେବେ କାହିଁକି ଏ ଜଗତର ଲୋକ ପରି ଏହାର ନୀତିନିୟମର ବଶରେ ଆହୁରି ରହିଅଛ ଯଥା21“ଏଇଟା ଧର ନାହିଁ! ସେଇଟା ଖାଅ ନାହିଁ! ଏଇଟା ଛୁଅଁ ନାହିଁ!”22ଏହିସବୁ ବିଷୟ, ବ୍ୟବହାର କରିବାପରେ ଲୋପ ପାଏ, କାରଣ ଏହିସବୁ ମନୁଷ୍ୟରଚିତ ଆଜ୍ଞା ଓ ଶିକ୍ଷା ଉପରେ ପ୍ରତିଷ୍ଠିତ।23ସ୍ଵଇଚ୍ଛା ମତ ଆରାଧନା, ନମ୍ରତାର ଛଳନା ଓ ନିଜ ଶରୀରକୁ କ୍ଲେଶଦାନ, ଏହିପ୍ରକାର ରୀତିନୀତିଗୁଡ଼ିକ ଜ୍ଞାନଭିତ୍ତିକ ବୋଲି ମନେ ହୋଇପାରେ, କିନ୍ତୁ ଭୋଗଲାଳସା ଦମନ କରିବାକୁ ଏହିସବୁ ମୂଲ୍ୟହୀନ।

Biblica, Inc.

https://app.library.bible/content/97b51048ae7f2ec9