ଦ୍ୱିତୀୟ କରିନ୍ଥୀୟ9

1ସାଧୁମାନଙ୍କ ପ୍ରତି ଏହି ସେବା ବିଷୟରେ ତୁମ୍ଭମାନଙ୍କୁ ଲେଖିବା ମୋର ପ୍ରୟୋଜନ ନାହିଁ।2କାରଣ ସାହାଯ୍ୟ କରିବା ବିଷୟରେ ତୁମ୍ଭମାନଙ୍କର ଆଗ୍ରହ ମୁଁ ଜାଣେ, ଏବଂ ମାସିଦୋନୀୟମାନଙ୍କ ନିକଟରେ ମୁଁ ଏହି ବିଷୟରେ ଦର୍ପ କରି ସେମାନଙ୍କୁ କହିଛି ଯେ ଆଖାୟାରେ ଗତବର୍ଷରୁ ତୁମ୍ଭେମାନେ ଦାନ ଦେବାକୁ ପ୍ରସ୍ତୁତ ଥିଲ; ଓ ତୁମ୍ଭମାନଙ୍କର ଉତ୍ସାହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦାନ ଦେବା କାର୍ଯ୍ୟରେ ଅନୁପ୍ରାଣିତ କରିଛି।3କିନ୍ତୁ ମୁଁ ଭାଇମାନଙ୍କୁ ଏହି ଉଦ୍ଦେଶ୍ୟରେ ପଠାଉଛି ଯେ, ତୁମ୍ଭେମାନେ ପ୍ରସ୍ତୁତ ଥିବ ବୋଲି ମୁଁ ଯାହା କହିଥିଲି, ଏ ବିଷୟରେ ଆମର ଦର୍ପ ଯେପରି ବୃଥା ହେବ ନାହିଁ ଏବଂ ତୁମ୍ଭେମାନେ ପ୍ରସ୍ତୁତ ରହିଥିବ।4କୌଣସି ମାସିଦୋନୀୟ ଯଦି ମୋ ସଙ୍ଗରେ ଯାଇ ତୁମ୍ଭମାନଙ୍କୁ ପ୍ରସ୍ତୁତ ନ ଥିବାର ଦେଖେ, ତେବେ ତୁମ୍ଭମାନଙ୍କ କଥା ତ ଦୂରେ ଥାଉ ଆମେ ମଧ୍ୟ ଏତେ ଦୃଢ଼ ବିଶ୍ୱାସ ରଖିଥିବାରୁ ଲଜ୍ଜିତ ହେବୁ।5ତୁମ୍ଭେମାନେ ପ୍ରତିଜ୍ଞା କରିଥିବା ଅକୁଣ୍ଠିତ ଦାନର ଆୟୋଜନ ସଂପୂର୍ଣ୍ଣ କରିବାକୁ ତୁମ୍ଭମାନଙ୍କ ନିକଟକୁ ଆଗରୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବା ଆବଶ୍ୟକ ମନେ କଲି। ତା ହେଲେ ଏହା ଅନିଚ୍ଛାକୃତ ଦାନ ନ ହୋଇ, ସ୍ୱେଚ୍ଛାପ୍ରଣୋଦିତ ଦାନ ହେବ।

ଉଦାରଚିତ୍ତ ଦାନ

6ଏହା ମନେରଖ: ଯିଏ ଅଳ୍ପ ବୁଣେ ସେ ମଧ୍ୟ ଅଳ୍ପ କାଟିବ, ଯିଏ ପ୍ରଚୁର ବୁଣେ ସେ ମଧ୍ୟ ପ୍ରଚୁର କାଟିବ।7ଦାନ କରିବାକୁ ପ୍ରତ୍ୟେକ ଜଣ ନିଜ ହୃଦୟରେ ଯାହା ସ୍ଥିର କରିଛି, ସେ ତାହା ଦାନ କରୁ କୁଣ୍ଠିତ ମନରେ କିମ୍ବା ବାଧ୍ୟବାଧକତା ଯୋଗୁଁ ନ କରୁ, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି।8ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ଭାବରେ ଲାଭକରି, ତୁମ୍ଭେମାନେ ଯେପରି ସବୁ ସତ୍କର୍ମ ନିମନ୍ତେ ଅଧିକ ତତ୍ପର ହୋଇପାରିବ, ଏଥିପାଇଁ ଈଶ୍ୱର ପ୍ରଚୁରଭାବେ ତୁମ୍ଭମାନଙ୍କୁ ସର୍ବପ୍ରକାର ଆଶୀର୍ବାଦ କରିବାକୁ ସମର୍ଥ ଅଟନ୍ତି।9କାରଣ ଏହିପରି ଲେଖାଅଛି:“ସେ ଦରିଦ୍ରକୁ ଅକାତରେ ଦାନ କରେ;ତାହାର ଧାର୍ମିକତା ଚିରସ୍ଥାୟୀ ହୁଏ।”
10ଯେ ବୀଜବୁଣାଳିକୁ ବିହନ ଓ ଆହାର ପାଇଁ ଅନ୍ନ ଯୋଗାନ୍ତି ସେ ତୁମର ଭଣ୍ଡାର ପାଇଁ ଶସ୍ୟ ଯୋଗାଇବେ ଓ ତାହା ସମୃଦ୍ଧ କରିବେ ପୁଣି ତୁମର ଧାର୍ମିକତାରୂପ ଫସଲ ବୃଦ୍ଧି କରିବେ।11ତୁମ୍ଭେମାନେ ଯେପରି ସବୁ ସମୟରେ ଉଦାରମନା ହୋଇପାରିବ, ଏଥିପାଇଁ ସବୁ ବିଷୟରେ ଧନବାନ ହେବ ଓ ତୁମ୍ଭମାନଙ୍କର ବଦାନ୍ୟତା ହେତୁ ଆମ ଦ୍ଵାରା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରାଯିବ।
12ତୁମ୍ଭମାନଙ୍କର ଏହି ଦାନ ରୂପ ସେବାକାର୍ଯ୍ୟ ଯେ କେବଳ ଈଶ୍ୱରଙ୍କ ଲୋକମାନଙ୍କର ଅଭାବମୋଚନ କରୁଅଛି ତାହା ନୁହେଁ ମାତ୍ର ଅନେକ ଭାବେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଉଛୁଳି ଉଠୁଛି।13କାରଣ ଖ୍ରୀଷ୍ଟଙ୍କର ସୁସମାଚାର ସ୍ୱୀକାର କରି ତୁମ୍ଭେମାନେ ଆଜ୍ଞାବହ ହେବାରୁ ଓ ଈଶ୍ୱରଙ୍କ ଲୋକମାନଙ୍କ ତଥା ଅଭାବଗ୍ରସ୍ତ ସମସ୍ତଙ୍କ ପ୍ରତି ତୁମର ବଦାନ୍ୟତା ପ୍ରକାଶ କରିବାରୁ, ଲୋକେ ତୁମ କାର୍ଯ୍ୟର ପ୍ରମାଣ ପାଇ ଈଶ୍ୱରଙ୍କ ସ୍ତୁତିବାଦ କରିବେ।14ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଅସୀମ ଅନୁଗ୍ରହ ହେତୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କଲାବେଳେ, ସେମାନଙ୍କ ହୃଦୟ ତୁମ୍ଭମାନଙ୍କ ପ୍ରତି ପ୍ରେମରେ ପୂର୍ଣ୍ଣ ହେବ।15ଈଶ୍ୱରଙ୍କ ଅବର୍ଣ୍ଣନୀୟ ଦାନ ନିମନ୍ତେ ତାହାଙ୍କର ସ୍ତୁତିବାଦ ହେଉ!

Biblica, Inc.

https://app.library.bible/content/97b51048ae7f2ec9