ଦ୍ୱିତୀୟ କରିନ୍ଥୀୟ8
ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଦାନର ବଦାନ୍ୟତା
1ହେ ଭାଇମାନେ, ଏବେ, ମାସିଦୋନିଆ ମଣ୍ଡଳୀଗୁଡ଼ିକୁ ଈଶ୍ୱର ଯେଉଁ ଅନୁଗ୍ରହ ଦେଇଛନ୍ତି ସେହିବିଷୟ ତୁମ୍ଭେମାନେ ଜାଣ ବୋଲି ଆମର ଇଚ୍ଛା।2ସେମାନେ କଠିନ ପରୀକ୍ଷା ମଧ୍ୟଦେଇ ଗଲେ, ତଥାପି ଅସୀମ ଆନନ୍ଦରେ ନିଜର ଉତ୍କଟ ଦରିଦ୍ରାବସ୍ଥା ସତ୍ତ୍ୱେ ପ୍ରଚୁର ବଦାନ୍ୟତା ଉତ୍ପନ୍ନ କରିଛନ୍ତି।3କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନେ ସ୍ଵତଃପ୍ରବୃତ୍ତ ହୋଇ ନିଜର ସାଧ୍ୟାନୁସାରେ, ଏପରିକି ସାଧ୍ୟାତୀତ ଭାବରେ ଦାନ କଲେ।4ସାଧୁମାନଙ୍କ ସେବାରେ ଭାଗୀ ହେବାର ସୁଯୋଗ ସେମାନଙ୍କୁ ଦେବା ପାଇଁ ସେମାନେ ଆମ୍ଭମାନଙ୍କୁ ବିଶେଷ ଅନୁରୋଧ କଲେ।5ଆହୁରି ମଧ୍ୟ ଆମେ ଯାହା ଆଶା କରି ନ ଥିଲୁ, ସେମାନେ ତାହା କଲେ: ଈଶ୍ୱରଙ୍କ ଇଚ୍ଛାନୁସାରେ ସେମାନେ ପ୍ରଥମେ ପ୍ରଭୁଙ୍କ ନିକଟରେ ନିଜ ନିଜକୁ ଉତ୍ସର୍ଗ କଲେ।6ତେଣୁ ତୀତସ, ଏହି ଅନୁଗ୍ରହ କାର୍ଯ୍ୟ ତୁମ୍ଭମାନଙ୍କଠାରୁ ଆରମ୍ଭ କରିଥିବାରୁ, ତୁମ୍ଭମାନଙ୍କଠାରେ ତାହା ସଂପୂର୍ଣ୍ଣ କରିବାକୁ ଆମେ ତାଙ୍କୁ ଅନୁରୋଧ କଲୁ।7ତୁମ୍ଭେମାନେ ସବୁ ବିଷୟରେ ଯଥା ବିଶ୍ୱାସରେ, ବକ୍ତାପଣରେ, ଜ୍ଞାନରେ, ପ୍ରଗାଢ଼ ନିଷ୍ଠାରେ ଓ ଆମ ପ୍ରତି ତୁମ୍ଭମାନଙ୍କର ପ୍ରେମରେ ଯେପରି ଶ୍ରେଷ୍ଠତା ଲାଭ କରିଅଛ ସେହିପରି ଏହି ଦାନଶୀଳତାର ଅନୁଗ୍ରହରେ ମଧ୍ୟ ଶ୍ରେଷ୍ଠତା ଲାଭ କର।8ମୁଁ ତୁମ୍ଭମାନଙ୍କୁ ଆଦେଶ ଦେଉ ନାହିଁ, କିନ୍ତୁ ଅନ୍ୟମାନଙ୍କର ଆଗ୍ରହ ସହିତ ତୁମ୍ଭମାନଙ୍କର ପ୍ରେମର ଆନ୍ତରିକତା ତୁଳନା କରି ପରୀକ୍ଷା କରିବାକୁ ଚାହୁଁଛି।9କାରଣ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ତୁମ୍ଭେମାନେ ଜାଣିଛ ସେ ଧନବାନ ହୋଇ ସୁଦ୍ଧା, ତୁମ୍ଭମାନଙ୍କ ସକାଶେ ଦରିଦ୍ର ହେଲେ, ଯେପରିକି ତାହାଙ୍କର ଦରିଦ୍ରତା ଦ୍ଵାରା ତୁମ୍ଭେମାନେ ଧନବାନ ହେବ।10ତୁମ୍ଭମାନଙ୍କ ପାଇଁ ଉତ୍କୃଷ୍ଟ ପନ୍ଥା କଅଣ, ଏ ବିଷୟରେ ମୋର ପରାମର୍ଶ ଏହି। ଗତବର୍ଷ ତୁମ୍ଭେମାନେ କେବଳ ଦାନ ଦେବାକୁ ନୁହେଁ ମାତ୍ର ଦାନ ଦେବାକୁ ଇଚ୍ଛା ପ୍ରକାଶ କରିବାରେ ଅଗ୍ରଣୀ ଥିଲ।11ବର୍ତ୍ତମାନ ସେହି କାର୍ଯ୍ୟ ସଂପୂର୍ଣ୍ଣ କର, ତୁମର ସାଧ୍ୟମତେ ତାହା ସଂପୂର୍ଣ୍ଣ କଲେ ତୁମ୍ଭମାନଙ୍କର ପ୍ରଗାଢ଼ ଆଗ୍ରହ, ଓ କାର୍ଯ୍ୟ ସମାପ୍ତି ମଧ୍ୟରେ ସମତା ରହିବ।12କାରଣ ଆଗ୍ରହ ଥିଲେ କୌଣସି ଲୋକ ପାଖେ ଯାହା ଅଛି, ତଦନୁସାରେ ଦାନ ଦେବା ଗ୍ରାହ୍ୟ ହୁଏ, ଯାହା ନାହିଁ ତଦନୁସାରେ ଗ୍ରାହ୍ୟ ହୁଏ ନାହିଁ।13ଅନ୍ୟମାନଙ୍କର ଭାର ଲାଘବ କରିବାକୁ ଯାଇ ତୁମ୍ଭେମାନେ ଯେ ଭାରଗ୍ରସ୍ତ ହେବ ଏହା ଆମର ଇଚ୍ଛା ନୁହେଁ, ମାତ୍ର ତୁମ୍ଭମାନଙ୍କମଧ୍ୟରେ ସମତା ଥାଉ ଏହା ଆମର ଇଚ୍ଛା।14ବର୍ତ୍ତମାନ ତୁମ୍ଭମାନଙ୍କର ପ୍ରାଚୁର୍ଯ୍ୟ ସେମାନଙ୍କର ଅଭାବମୋଚନ କରିବ, ତା ହେଲେ ବେଳ ଆସିଲେ ସେମାନଙ୍କ ପ୍ରାଚୁର୍ଯ୍ୟ ତୁମ୍ଭମାନଙ୍କର ଅଭାବମୋଚନ କରିବ। ଏହିରୂପେ ସମତା ରହିବ,15କାରଣ ଏହିପରି ଲେଖାଅଛି: “ଯିଏ ଅଧିକ ସଂଗ୍ରହ କରିଥିଲା ତାହାର ବଳକା ରହିଲା ନାହିଁ, ଏବଂ ଯିଏ ଅଳ୍ପ ସଂଗ୍ରହ କରିଥିଲା ତାହାର ଊଣା ହେଲା ନାହିଁ।”ତୀତସଙ୍କ କରିନ୍ଥକୁ ଯାତ୍ରା
16ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ତୁମ୍ଭମାନଙ୍କ ପାଇଁ ମୋର ଯେଉଁ ପ୍ରକାର ମନୋଯୋଗ ଅଛି ସେ ତୀତସଙ୍କ ହୃଦୟରେ ମଧ୍ୟ ସେହିପ୍ରକାର ମନୋଯୋଗ ଦେଇଛନ୍ତି।17କାରଣ ତୀତସ ଯେ ଆମର ନିବେଦନ କେବଳ ସ୍ୱାଗତ କଲେ, ତା ନୁହେଁ ମାତ୍ର ସେ ସ୍ୱେଚ୍ଛାପ୍ରଶୋଦିତ ହୋଇ ଖୁବ୍ ଆଗ୍ରହ ସହକାରେ ତୁମ୍ଭମାନଙ୍କ ନିକଟକୁ ଯାଉଛନ୍ତି।18ପୁଣି ଯେଉଁ ଭାଇ ସୁସମାଚାର ସେବାରେ ସବୁ ମଣ୍ଡଳୀରେ ପ୍ରଶଂସିତ ଆମେ ତାଙ୍କୁ ତୀତସଙ୍କ ସହିତ ପଠାଉଚୁ।19ଆହୁରି ମଧ୍ୟ, ଦାନ ନେଇ ଆମ ସହିତ ଯିବା ପାଇଁ ମଣ୍ଡଳୀଗୁଡ଼ିକ ତାଙ୍କୁ ମନୋନୀତ କରିଛନ୍ତି, ସ୍ଵୟଂ ପ୍ରଭୁଙ୍କୁ ଗୌରବ ଦେବା ପାଇଁ ଏବଂ ସାହାଯ୍ୟ କରିବାକୁ ଆମର ଆଗ୍ରହ ପ୍ରକାଶ କରିବା ପାଇଁ ଆମେ ଏହି ଦାନର ବିତରଣ କାର୍ଯ୍ୟ ସମ୍ପାଦନ କରୁଛୁ।20ଏହି ଉଦାରତାର ଦାନ ଆମେ କିପରି ଭାବରେ ବିତରଣ କରିବୁ ସେହି ବିଷୟରେ ସବୁପ୍ରକାର ସମାଲୋଚନାରୁ ମୁକ୍ତ ରହିବାକୁ ଆମେ ଚାହୁଁଛୁ।21କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ସମୁଚିତ କାର୍ଯ୍ୟ କରିବାକୁ ଆମେ ସବୁପ୍ରକାର ଉଦ୍ୟମ କରୁଅଛୁ।22ଏମାନଙ୍କ ସଙ୍ଗରେ, ଆମର ଆଉ ଜଣେ ଭାଇଙ୍କୁ ମଧ୍ୟ ଆମେ ପଠାଉଛୁ, ଏହାଙ୍କର ଉଦ୍ଯୋଗ ବିଷୟରେ ଆମେ ଅନେକଥର ପ୍ରମାଣ ପାଇଛୁ, ଏବେ ତୁମ୍ଭମାନଙ୍କ ଉପରେ ତାଙ୍କର ବିଶେଷ ଆସ୍ଥା ଥିବାରୁ ସେ ଆହୁରି ଉଦ୍ଯୋଗୀ ହୋଇଛନ୍ତି।23ତୀତସଙ୍କ ବିଷୟରେ ଏହା କୁହାଯାଇପାରେ ଯେ, ସେ ମୋର ସହଯୋଗୀ ଓ ତୁମ୍ଭମାନଙ୍କ ସେବାରେ ମୋର ସହକର୍ମୀ; ଭାଇମାନଙ୍କ ବିଷୟରେ ଏହା କୁହାଯାଇପାରେ ଯେ, ସେମାନେ ମଣ୍ଡଳୀ ଗୁଡ଼ିକର ପ୍ରତିନିଧି ଓ ଖ୍ରୀଷ୍ଟଙ୍କର ଗୌରବ ସ୍ଵରୂପ।24ଅତଏବ ସବୁ ମଣ୍ଡଳୀ ଯେପରି ଦେଖିପାରିବେ, ଏଥିପାଇଁ ଏହି ବ୍ୟକ୍ତିମାନଙ୍କ ନିକଟରେ ତୁମ୍ଭମାନଙ୍କର ପ୍ରେମର ଏବଂ ତୁମ ବିଷୟରେ ଆମର ଗର୍ବର ପ୍ରମାଣ ଦିଅ।Biblica, Inc.