ପ୍ରଥମ ଥେସଲନୀକୀୟ3
1ଅତଏବ ଆମେ ଯେତେବେଳେ ଆଉ ସମ୍ଭାଳି ରହି ପାରିଲୁ ନାହିଁ, ଏଥେନ୍ସରେ ଆମର ଏକୁଟିଆ ରହିଯିବା ଭଲ ହେବ ବୋଲି ମନେ କଲୁ।2ତୁମ୍ଭମାନଙ୍କୁ ଶକ୍ତିମନ୍ତ କରିବାକୁ ଓ ବିଶ୍ୱାସରେ ଉତ୍ସାହିତ କରିବାକୁ, ଆମେ ଆମର ଭାଇ ଓ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକର୍ମୀ ତୀମଥିଙ୍କୁ ପଠାଇଲୁ,3ଯେପରି ଏହିସବୁ କଠିନ ପରୀକ୍ଷାରେ କେହି ବିଚଳିତ ନ ହୁଏ। ଏହିସବୁ ଆମ ପାଇଁ ନିରୂପିତ ଅଛି ବୋଲି ତୁମ୍ଭେମାନେ ଭଲ ରୂପେ ଜାଣିଅଛ।4ପ୍ରକୃତପକ୍ଷେ, ଆମେ ନିର୍ଯ୍ୟାତନା ଭୋଗ କରିବୁ ବୋଲି ତୁମ୍ଭମାନଙ୍କ ସହିତ ଥିଲାବେଳେ ବାରମ୍ୱାର କହିଥିଲୁ। ଆଉ, ତାହା ହିଁ ଘଟିଲା ବୋଲି ତୁମ୍ଭେମାନେ ଜାଣୁଅଛ।5ଏହି କାରଣରୁ, କାଳେ ପ୍ରଲୋଭନକାରୀ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ପରିଶ୍ରମ ବ୍ୟର୍ଥ ହୋଇଥିବ ଏହି ଆଶଙ୍କାରେ ମୁଁ ଆଉ ଧୈର୍ଯ୍ୟ ଧରି ରହି ନ ପାରିବାରୁ, ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ଉଦ୍ଦେଶ୍ୟରେ ଲୋକ ପଠାଇଲି।
ତୀମଥିଙ୍କର ଉତ୍ସାହଜନକ ସମ୍ବାଦ
6କିନ୍ତୁ ତୀମଥି ତୁମ୍ଭମାନଙ୍କ ନିକଟରୁ ଏବେ ଆମ ନିକଟରେ ଆସି ପହଞ୍ଚିଅଛନ୍ତି ଓ ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ ସୁସମ୍ୱାଦ ଆଣିଅଛନ୍ତି। ସେ ଆମକୁ ଜଣାଇଅଛନ୍ତି ଯେ ଆମ ବିଷୟରେ ସର୍ବଦା ତୁମ୍ଭମାନଙ୍କର ମଧୁର ସ୍ମୃତି ରହିଅଛି ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଆକାଂକ୍ଷିତ, ତୁମ୍ଭେମାନେ ମଧ୍ୟ ସେହିପରି ଆମକୁ ଦେଖିବାକୁ ଆକାଂକ୍ଷିତ ଅଟ।7ହେ ଭାଇମାନେ, ସେଥିପାଇଁ, ଆମର ସମସ୍ତ ଦୁର୍ଦ୍ଦଶା ଓ ନିର୍ଯ୍ୟାତନା ମଧ୍ୟରେ ତୁମର ବିଶ୍ୱାସ ସକାଶେ ଆମେ ତୁମ୍ଭମାନଙ୍କ ବିଷୟରେ ଉତ୍ସାହ ଲାଭ କଲୁ।8ତୁମ୍ଭେମାନେ ପ୍ରଭୁଙ୍କଠାରେ ଅବିଚଳିତ ରହିଥିବାରୁ, ଆମେ ଏବେ ପ୍ରକୃତରେ ଜୀବିତ।9ତୁମ୍ଭମାନଙ୍କ ସକାଶେ ଆମେ ଆମର ଈଶ୍ୱରଙ୍କ ସାକ୍ଷାତରେ ଯେଉଁ ଅଶେଷ ଆନନ୍ଦ ଲାଭ କରିଅଛୁ ତାହାର ପ୍ରତିଦାନରେ ଈଶ୍ୱରଙ୍କୁ କିପରି ଅବା ଧନ୍ୟବାଦ ଦେଇପାରୁ?10ତୁମ୍ଭମାନଙ୍କୁ ଯେପରି ପୁନର୍ବାର ଦେଖିପାରିବୁ ଓ ତୁମ ବିଶ୍ୱାସରେ ଯାହା ଊଣା ଅଛି ତାହା ଦେଇପାରିବୁ ଏଥିପାଇଁ ଆମେ ଦିବାରାତ୍ର ଆନ୍ତରିକ ଭାବରେ ପ୍ରାର୍ଥନା କରୁଅଛୁ।11ଆମ୍ଭମାନଙ୍କର ଈଶ୍ୱର ଓ ପିତା ନିଜେ ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖକୁ ଆମର ଯିବା ପଥ ସୁଗମ କରନ୍ତୁ।12ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ବୃଦ୍ଧି ପାଇ ଉଛୁଳି ଉଠୁଅଛି, ପରସ୍ପର ପ୍ରତି ତଥା ଅନ୍ୟ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ପ୍ରଭୁ ସେହିପରି ବୃଦ୍ଧି କରି ଉଛୁଳାଇ ଦିଅନ୍ତୁ।13ସେ ତୁମ୍ଭମାନଙ୍କୁ ଦୃଢ଼ଚିତ୍ତ କରି ରଖନ୍ତୁ ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆପଣାର ସାଧୁବର୍ଗଙ୍କ ସହିତ ଆସିଲା ବେଳେ ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କ ଦୃଷ୍ଟିରେ ତୁମ୍ଭେମାନେ ଦୋଷଶୂନ୍ୟ ଓ ପବିତ୍ର ଦେଖାଯିବ।Biblica, Inc.