ପ୍ରଥମ ଥେସଲନୀକୀୟ2
ଥେସଲନିକାରେ ପାଉଲଙ୍କ କାର୍ଯ୍ୟ
1ହେ ଭାଇମାନେ, ତୁମ୍ଭେମାନେ ଜାଣିଅଛ ଯେ, ତୁମ୍ଭମାନଙ୍କ ନିକଟକୁ ଆମର ଯାତ୍ରା ବିଫଳ ହୋଇନାହିଁ।2ଆମେ ଏଥିପୂର୍ବରୁ ଫିଲିପୀରେ ଯେଉଁ ଦୁଃଖ ଓ ଅପମାନ ସହିଥିଲୁ, ତାହା ତୁମ୍ଭେମାନେ ଜାଣ, କିନ୍ତୁ ପ୍ରବଳ ବାଧା ସତ୍ତ୍ୱେ ଆମେ ଆମର ଈଶ୍ୱରଙ୍କ ସାହାଯ୍ୟରେ ତୁମ୍ଭମାନଙ୍କ ନିକଟରେ ତାହାଙ୍କ ସୁସମାଚାର ପ୍ରଚାର କରିବାକୁ ସାହାସ ପାଇଥିଲୁ।3କାରଣ ଆମେ ଯେଉଁ ଆବେଦନ କରୁ ତାହା କୌଣସି ଭ୍ରମଧାରଣାରୁ ବା ଅସାଧୁ ଅଭିପ୍ରାୟରୁ ଜାତ ନୁହେଁ, କିମ୍ବା ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଆମେ ଉଦ୍ୟମ କରୁ ନାହୁଁ।4ବରଞ୍ଚ, ସୁସମାଚାର ପ୍ରଚାର ଦାୟିତ୍ଵ ନେବାକୁ ଈଶ୍ୱରଙ୍କ ଦ୍ଵାରା ଯୋଗ୍ୟ ବିବେଚିତ ଲୋକଙ୍କପରି ଆମେ କଥା କହିଥାଉ। ଆମେ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହୁଁ ମାତ୍ର ଯେ ଆମର ହୃଦୟ ପରୀକ୍ଷା କରନ୍ତି, ସେହି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ।5ତୁମ୍ଭେମାନେ ଜାଣିଅଛ ଯେ ଆମେ କେବେ ଚାଟୁବାକ୍ୟ ବ୍ୟବହାର କରି ନାହୁଁ, କିମ୍ବା ଲୋଭକୁ ଘୋଡ଼ାଇବା ପାଇଁ ମୁଖା ପିନ୍ଧି ନାହୁଁ, ଈଶ୍ୱର ଆମର ସାକ୍ଷୀ।6ଆମେ ମନୁଷ୍ୟମାନଙ୍କ ନିକଟରୁ କି ତୁମ୍ଭମାନଙ୍କ ନିକଟରୁ କି ଅନ୍ୟ କାହାରି ନିକଟରୁ ପ୍ରଶଂସା ଲୋଡ଼ି ନାହୁଁ।7ଖ୍ରୀଷ୍ଟଙ୍କ ପ୍ରେରିତ ରୂପେ ଆମେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିପାରି ଥାଆନ୍ତୁ।କିନ୍ତୁ ମାତା ନିଜ ସନ୍ତାନମାନଙ୍କ ଯତ୍ନ ନେଲା ପରି ଆମେ ତୁମ୍ଭମାନଙ୍କ ପ୍ରତି କୋମଳଭାବାପନ୍ନ ଥିଲୁ,8ତୁମ୍ଭମାନଙ୍କ ପ୍ରତି ଆମର ଅତ୍ୟନ୍ତ ସ୍ନେହ ଥିବାରୁ, ଆମେ କେବଳ ଯେ ଈଶ୍ୱରଙ୍କ ସୁସମାଚାର ଦେବାକୁ ପ୍ରସ୍ତୁତ ଥିଲୁ ତା ନୁହେଁ, ମାତ୍ର ନିଜର ଜୀବନ ସୁଦ୍ଧା ଦେବାକୁ ପ୍ରସ୍ତୁତ ଥିଲୁ କାରଣ ତୁମ୍ଭେମାନେ ଆମର ଅତିଶୟ ପ୍ରିୟପାତ୍ର ହୋଇଥିଲ।9ହେ ଭାଇମାନେ, ଆମର ପରିଶ୍ରମ ଓ ଆମର କଷ୍ଟ ସ୍ୱୀକାର ତୁମ୍ଭମାନଙ୍କର ନିଶ୍ଚୟ ମନେ ଥିବ; ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲାବେଳେ, କାହାରି ପ୍ରତି ଭାରଗ୍ରସ୍ତ ନ ହେବାକୁ ନିଜର ଭରଣପୋଷଣ ପାଇଁ ଆମେ ଦିବାରାତ୍ରି ପରିଶ୍ରମ କରିଥିଲୁ।10ତୁମ୍ଭେମାନେ, ଅର୍ଥାତ୍ ଯେଉଁମାନେ ବିଶ୍ୱାସ କଲ, ତୁମ୍ଭମାନଙ୍କମଧ୍ୟରେ ଆମର ଆଚରଣ ଯେ ପବିତ୍ର, ନ୍ୟାୟସଙ୍ଗତ ଓ ଦୋଷଶୂନ୍ୟ ଥିଲା ଏ ବିଷୟରେ ତୁମ୍ଭେମାନେ ସାକ୍ଷୀ ଏବଂ ଈଶ୍ୱର ମଧ୍ୟ ସାକ୍ଷୀ।11କାରଣ ତୁମ୍ଭେମାନେ ଜାଣ ଯେ ପିତା ନିଜ ସନ୍ତାନମାନଙ୍କ ପ୍ରତି ଯେପରି ବ୍ୟବହାର କରେ ଆମେ ତୁମ ପ୍ରତ୍ୟେକଙ୍କ ପ୍ରତି ସେହିପରି ବ୍ୟବହାର କରିଅଛୁ,12ଯେଉଁ ଈଶ୍ୱର ତାହାଙ୍କ ରାଜ୍ୟ ଓ ଗୌରବରେ ଭାଗୀ ହେବାକୁ ତୁମ୍ଭମାନଙ୍କୁ ଆହ୍ଵାନ କରନ୍ତି, ତାହାଙ୍କର ଯୋଗ୍ୟ ହେଲା ଭଳି ଜୀବନଯାପନ କରିବାକୁ ଆମେ ଉତ୍ସାହ ଓ ସାନ୍ତ୍ଵନା ଦେଇ ଅନୁରୋଧ କରିଥିଲୁ।13ଆହୁରି ମଧ୍ୟ, ଆମେ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁ, କାରଣ ଆମଠାରୁ ଶୁଣି ତୁମ୍ଭେମାନେ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ତାହା ମନୁଷ୍ୟମାନଙ୍କ ବାକ୍ୟ ରୂପେ ଗ୍ରହଣ ନ କରି ଈଶ୍ୱରଙ୍କ ବାକ୍ୟ ରୂପେ ଗ୍ରହଣ କଲ, ପ୍ରକୃତରେ, ତାହା ତ ଈଶ୍ୱରଙ୍କ ବାକ୍ୟ ଯାହା ତୁମ୍ଭେମାନେ ବିଶ୍ୱାସ କରିବାରୁ ତୁମ ମଧ୍ୟରେ କାର୍ଯ୍ୟ ସାଧନ କରୁଅଛି।14କାରଣ ହେ ଭାଇମାନେ, ଯିହୁଦା ଦେଶରେ ଈଶ୍ୱରଙ୍କର ଯେଉଁ ମଣ୍ଡଳୀଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସରେ ଅଛନ୍ତି, ତୁମ୍ଭେମାନେ ସେମାନଙ୍କ ଅନୁକାରୀ ହୋଇଅଛ: ସେହି ମଣ୍ଡଳୀଗୁଡ଼ିକ ଯେପରି ଯିହୁଦୀମାନଙ୍କ ଦ୍ଵାରା ଦୁଃଖଭୋଗ କଲେ, ତୁମ୍ଭେମାନେ ସେହିପ୍ରକାରେ ନିଜ ଲୋକ ଦେଶବାସୀଙ୍କ ଦ୍ଵାରା ଦୁଃଖଭୋଗ କଲ15ସେହି ଯିହୁଦୀମାନେ ପ୍ରଭୁଯୀଶୁଙ୍କୁ ଓ ଭାବବାଦୀମାନଙ୍କୁ ବଧ କଲେ। ପୁଣି ଆମ୍ଭମାନଙ୍କୁ ମଧ୍ୟ ତଡ଼ିଦେଲେ, ସେମାନେ ଈଶ୍ୱରଙ୍କ ଅସନ୍ତୋଷର କାରଣ ଓ ମନୁଷ୍ୟଜାତିର ବିରୋଧୀ16କାରଣ ଅଣଯିହୁଦୀମାନଙ୍କ ପରିତ୍ରାଣ ପାଇଁ ସେମାନଙ୍କ ନିକଟରେ ଆମର ପ୍ରଚାର କାର୍ଯ୍ୟକୁ ସେମାନେ ବାଧା ଦେଉଅଛନ୍ତି। ଏହିରୂପେ ଅନବରତ ନିଜର ପାପ ଶେଷ ସୀମା ଯାଏ ସ୍ତୂପୀକୃତ କରୁଅଛନ୍ତି। କିନ୍ତୁ ଈଶ୍ୱରଙ୍କ କ୍ରୋଧପୂର୍ଣ୍ଣ ମାତ୍ରାରେ ସେମାନଙ୍କ ଉପରେ ଆସିଲାଣି।
ଥେସଲନିକୀୟମାନଙ୍କୁ ଦେଖିବାକୁ ପାଉଲଙ୍କ ଆକାଂକ୍ଷା
17କିନ୍ତୁ, ଭାଇମାନେ, ଆମ୍ଭେମାନେ ଯେତେବେଳେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ଅନ୍ତର ହୋଇଥିଲୁ, ସେତେବେଳେ ଆମର ପ୍ରବଳ ଆକାଂକ୍ଷା ଥିବାରୁ ତୁମ୍ଭମାନଙ୍କୁ ଦେଖିବାକୁ ସମସ୍ତ ଚେଷ୍ଟା କରିଥିଲୁ।18କାରଣ ଆମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରିଥିଲୁ, ବିଶେଷରେ ମୁଁ, ପାଉଲ, ଥରକୁ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ବାଧା ଦେଲା।19କାରଣ ଆମର ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ ତାହାଙ୍କ ସାକ୍ଷାତରେ ଆମର ଭରସା, ଆମର ଆନନ୍ଦ, କିମ୍ବା ଆମ ଗୌରବର ମୁକୁଟ କଅଣ? ତାହା କଅଣ ତୁମ୍ଭେମାନେ ନୁହଁ?20ବାସ୍ତବରେ, ତୁମ୍ଭେମାନେ ହିଁ ଆମର ଗୌରବ ଓ ଆନନ୍ଦ।Biblica, Inc.