ପ୍ରଥମ ଯୋହନ5
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ
1ଯେକେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ ସେ ଈଶ୍ୱରଙ୍କଠାରୁ ଜାତ ଏବଂ ଯେ ପିତାଙ୍କୁ ପ୍ରେମ କରେ, ସେ ତାଙ୍କର ସନ୍ତାନକୁ ମଧ୍ୟ ପ୍ରେମ କରେ।2ଈଶ୍ୱରଙ୍କୁ ପ୍ରେମ କରିବା ଦ୍ଵାରା ଓ ତାହାଙ୍କର ଆଜ୍ଞାସବୁ ପାଳନ କରିବା ଦ୍ଵାରା ଆମେ ଜାଣିପାରୁ ଯେ ଆମେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ।3ଈଶ୍ୱରଙ୍କୁ ପ୍ରେମ କରିବା ଅର୍ଥ ତାହାଙ୍କର ଆଜ୍ଞା ପାଳନ କରିବା। ଏବଂ ତାହାଙ୍କର ଆଜ୍ଞାସବୁ ଭାରଦାୟକ ନୁହେଁ,4କାରଣ ଯେକେହି ଈଶ୍ୱରଙ୍କଠାରୁ ଜାତ ସେ ଜଗତକୁ ଜୟ କରିଅଛି। ଯାହା ଜଗତ ଉପରେ ଜୟଲାଭ କରିଅଛି, ତାହା ହେଉଛି ଆମର ବିଶ୍ୱାସ।5କିଏ ଜଗତ ଉପରେ ଜୟଲାଭ କରିପାରେ? ଯିଏ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରେ କେବଳ ସେ ଜୟ କରିପାରେ।6ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ମଧ୍ୟଦେଇ ଆସିଲେ। କେବଳ ଜଳ ମଧ୍ୟଦେଇ ନୁହେଁ, ମାତ୍ର ଜଳ ଓ ରକ୍ତ ମଧ୍ୟଦେଇ ଆସିଥିଲେ। ପୁଣି ପବିତ୍ରଆତ୍ମା ଏ ବିଷୟରେ ସାକ୍ଷ୍ୟ ଦିଅନ୍ତି, ଯେହେତୁ ପବିତ୍ରଆତ୍ମା ସତ୍ୟମୟ ଅଟନ୍ତି।7କାରଣ ତିନି ସାକ୍ଷୀ ଅଛନ୍ତି।8ଆତ୍ମା, ଜଳ ଓ ରକ୍ତ; ପୁଣି ଏହି ତିନିଙ୍କର ମତ ଏକ।9ଆମେ ମନୁଷ୍ୟମାନଙ୍କ ସାକ୍ଷ୍ୟ ଗ୍ରହଣ କରିଥାଉ, କିନ୍ତୁ ଈଶ୍ୱରଙ୍କ ସାକ୍ଷ୍ୟ ମହତ୍ତର କାରଣ ତାହା ଈଶ୍ୱରଙ୍କ ସାକ୍ଷ୍ୟ, ଏବଂ ସେ ଏହା ନିଜ ପୁତ୍ରଙ୍କ ସମ୍ବନ୍ଧରେ ଦେଇଅଛନ୍ତି।10ଯେକେହି ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ ତାହାର ହୃଦୟରେ ଏହି ସାକ୍ଷ୍ୟ ରହିଅଛି। ଯେକେହି ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ ସେ ଈଶ୍ୱରଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି ତାହା ସେ ବିଶ୍ୱାସ କରି ନାହିଁ।11ଏହା ହିଁ ସେହି ସାକ୍ଷ୍ୟ ଯେ ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତଜୀବନ ଦେଇଅଛନ୍ତି ଏବଂ ଏହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ନିହିତ ଅଛି।12ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ ସେ ଜୀବନ ପାଇ ନାହିଁ।ଉପସଂହାର
13ତୁମ୍ଭେମାନେ ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ତୁମ୍ଭେମାନେ ଅନନ୍ତଜୀବନ ଲାଭ କରିଅଛ ବୋଲି ଜାଣିବା ସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହିସବୁ ଲେଖୁଅଛି।14ଈଶ୍ୱରଙ୍କ ନିକଟକୁ ଆସିଲା ବେଳେ ଆମର ଏହି ଭରସା ଅଛି ଯେ, ଆମେ ଯଦି ତାହାଙ୍କର ଇଚ୍ଛାନୁସାରେ କିଛି ମାଗୁ, ତେବେ ସେ ଆମର ପ୍ରାର୍ଥନା ଶୁଣନ୍ତି।15ପୁଣି ଆମେ ଯାହାକିଛି ମାଗୁ ସେ ଶୁଣନ୍ତି ବୋଲି ଯଦି ଜାଣୁ ତେବେ ଆମେ ତାହାଙ୍କୁ ଯାହା ମାଗିଥାଉ ତାହା ପାଇଅଛୁ ବୋଲି ମଧ୍ୟ ଜାଣୁ।16କେହି ଯଦି ତାହାର ଭାଇକୁ ଏପରି କୌଣସି ପାପ କରିବାର ଦେଖେ ଯାହା ମରଣାନ୍ତକ ନୁହେଁ, ତେବେ ସେ ପ୍ରାର୍ଥନା କରୁ ଓ ଈଶ୍ୱର ତାହାକୁ ଜୀବନ ଦାନ କରିବେ। ଯେଉଁମାନଙ୍କର ପାପ ମରଣାନ୍ତକ ନୁହେଁ ମୁଁ ସେହିମାନଙ୍କ ବିଷୟରେ କହୁଅଛି। ଏପରି ଏକ ପାପ ଅଛି ଯାହାର ପରିଣତି ମୃତ୍ୟୁ। ସେହି ବିଷୟରେ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।17ସମସ୍ତ ଦୁଷ୍କର୍ମ ପାପ, କିନ୍ତୁ ଏପରି ପାପ ଅଛି ଯାହା ମରଣାନ୍ତକ ନୁହେଁ।18ଆମେ ଜାଣୁ ଯେ ଯେକେହି ଈଶ୍ୱରଙ୍କଠାରୁ ଜାତ ସେ ପାପରେ ଜଡ଼ିତ ରହେ ନାହିଁ; ଯେ ଈଶ୍ୱରଙ୍କଠାରୁ ଜାତ ହୋଇଅଛି ସେ ନିଜକୁ ରକ୍ଷା କରେ, ଏବଂ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ।19ଆମେ ଜାଣୁ ଯେ ଆମେ ଈଶ୍ୱରଙ୍କ ସନ୍ତାନ ଏବଂ ସମଗ୍ର ଜଗତ ପାପାତ୍ମାର ଅଧୀନରେ ଅଛି।20ଆମେ ଏହା ମଧ୍ୟ ଜାଣୁ ଯେ, ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ଯେ ସତ୍ୟମୟ ତାହାଙ୍କୁ ଜାଣିବା ପାଇଁ ଆମକୁ ଜ୍ଞାନ ପ୍ରଦାନ କରିଅଛନ୍ତି। ଆମେ ସତ୍ୟମୟଙ୍କଠାରେ ଅର୍ଥାତ୍ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଅଛୁ। ସେ ସତ୍ୟ ଈଶ୍ୱର ଓ ଅନନ୍ତଜୀବନ ଅଟନ୍ତି।21ପ୍ରିୟ ସନ୍ତାନଗଣ, ପ୍ରତିମାମାନଙ୍କଠାରୁ ନିଜକୁ ଦୂରରେ ରଖ।Biblica, Inc.