ପ୍ରଥମ ଯୋହନ4

ଭଲ ଓ ମନ୍ଦ ଆତ୍ମା ଚିହ୍ନିବା ଉପାୟ

1ପ୍ରିୟ ବନ୍ଧୁଗଣ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ମାତ୍ର ଆତ୍ମାମାନେ ଈଶ୍ୱରଙ୍କଠାରୁ କି ନୁହନ୍ତି ତାହା ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରିଗଲେଣି।2ତୁମେ ଏହିରୂପେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନ ପାରିବ, ଯୀଶୁ ଖ୍ରୀଷ୍ଟ ଦେହ ଧାରଣ କରି ଆସିଅଛନ୍ତି ବୋଲି ଯେଉଁ ଆତ୍ମା ସ୍ୱୀକାର କରେ ସେ ଈଶ୍ୱରଙ୍କଠାରୁ ଆଗତ ଅଟେ,3କିନ୍ତୁ ଯେଉଁ ଆତ୍ମା ଯୀଶୁଙ୍କୁ ସ୍ୱୀକାର କରେ ନାହିଁ ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ। ଏହା ହେଉଛି ସେହି ଖ୍ରୀଷ୍ଟବିରୋଧୀର ଆତ୍ମା ଯିଏ ଆସୁଅଛି ବୋଲି ତୁମ୍ଭେମାନେ ଶୁଣିଅଛ, ଏପରିକି ତାହା ଏବେ ମଧ୍ୟ ଜଗତରେ ରହିଅଛି।
4କିନ୍ତୁ ପ୍ରିୟ ସନ୍ତାନଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ ଓ ସେମାନଙ୍କ ଉପରେ ଜୟଲାଭ କରିଅଛ, କାରଣ ତୁମ୍ଭମାନଙ୍କ ଅନ୍ତରରେ ଯେ ଅଛନ୍ତି ଏହି ଜଗତରେ ଯିଏ ଅଛି ତାହା ଅପେକ୍ଷା ସେ ମହାନ୍ ଅଟନ୍ତି।5ସେମାନେ ଜଗତର ଓ ସେଥିପାଇଁ ସେମାନେ ଜାଗତିକ ଦୃଷ୍ଚିକୋଣରୁ କଥା କହନ୍ତି ଏବଂ ଜଗତ ସେମାନଙ୍କ କଥାରେ କର୍ଣ୍ଣପାତ କରେ।6ଆମେ ଈଶ୍ୱରଙ୍କଠାରୁ ଜାତ ଏବଂ ଯେ ଈଶ୍ୱରଙ୍କୁ ଜାଣେ ସେ ଆମ କଥାରେ କର୍ଣ୍ଣପାତ କରେ; କିନ୍ତୁ ଯେକେହି ଈଶ୍ୱରଙ୍କଠାରୁ ଜାତ ନୁହେଁ ସେ ଆମ କଥାରେ କର୍ଣ୍ଣପାତ କରେ ନାହିଁ। ଏହିରୂପେ ଆମେ ସତ୍ୟମୟ ଆତ୍ମାଙ୍କୁ ଓ ଭ୍ରାନ୍ତିଜନକ ଆତ୍ମାକୁ ଚିହ୍ନ ପାରୁ।

ଈଶ୍ୱର ପ୍ରେମସ୍ଵରୂପ

7ପ୍ରିୟ ବନ୍ଧୁଗଣ, ଆସ ଆମେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଆଗତ। ଯେକେହି ପ୍ରେମ କରେ ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କ ପରିଚୟ ପାଇଅଛି।8ଯେକେହି ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କର ପରିଚୟ ପାଇ ନାହିଁ, କାରଣ ଈଶ୍ୱର ପ୍ରେମସ୍ଵରୂପ।9ଆମ ମଧ୍ୟରେ ଈଶ୍ୱର ଏହିରୂପେ ନିଜର ପ୍ରେମ ପ୍ରଦର୍ଶନ କରିଅଛନ୍ତି, ସେ ଆପଣାର ଏକମାତ୍ର ଓ ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପଠାଇଲେ ଯେପରି ଆମେ ତାହାଙ୍କ ଦ୍ଵାରା ଜୀବନଲାଭ କରିପାରିବୁ।10ଏହା ହିଁ ପ୍ରକୃତ ପ୍ରେମ, ଆମେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ ତାହା ନୁହେଁ, ମାତ୍ର ସେ ଆମକୁ ପ୍ରେମ କରି ଆମ ପାପର ପ୍ରାୟଶ୍ଚିତ ବଳି ସ୍ଵରୂପେ ନିଜ ପୁତ୍ରଙ୍କୁ ପଠାଇଲେ।11ପ୍ରିୟ ବନ୍ଧୁଗଣ, ଈଶ୍ୱର ଯଦି ଆମକୁ ଏତେ ପ୍ରେମ କଲେ, ତେବେ ପରସ୍ପରକୁ ପ୍ରେମ କରିବା ଆମର କର୍ତ୍ତବ୍ୟ ଅଟେ।12କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ତେବେ ଈଶ୍ୱର ଆମ ମଧ୍ୟରେ ବାସ କରନ୍ତି ଏବଂ ତାହାଙ୍କର ପ୍ରେମ ଆମ ଅନ୍ତରରେ ପୂର୍ଣ୍ଣତା ଲାଭ କରେ।
13ଆମେ ଜାଣୁ ଯେ ଆମେ ତାହାଙ୍କଠାରେ ଓ ସେ ଆମଠାରେ ବାସ କରନ୍ତି, କାରଣ ସେ ଆମକୁ ଆପଣାର ଆତ୍ମା ଦେଇଅଛନ୍ତି।14ଆମେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ ଯେ ପିତା ଆପଣା ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପଠାଇଲେ।15କେହି ଯଦି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ତେବେ ଈଶ୍ୱର ତାହାଠାରେ ଓ ସେ ଈଶ୍ୱରଙ୍କଠାରେ ବାସ କରେ।16ସେଥିପାଇଁ ଆମ ପ୍ରତି ଈଶ୍ୱରଙ୍କ ପ୍ରେମ ଅଛି ବୋଲି ଆମେ ଜାଣୁ ଓ ତହିଁ ଉପରେ ନିର୍ଭର କରୁ।
ଈଶ୍ୱର ତ ପ୍ରେମ। ଯେକେହି ପ୍ରେମରେ ଜୀବନଯାପନ କରେ ସେ ଈଶ୍ୱରଙ୍କଠାରେ ବାସ କରେ ଓ ଈଶ୍ୱର ତାହାଠାରେ ବାସ କରନ୍ତି।
17ବିଚାର ଦିନରେ ଆମେ ଯେପରି ଭରସା ଲାଭ କରିବୁ ଏଥିପାଇଁ ପ୍ରେମ ଆମ ମଧ୍ୟରେ ପୂର୍ଣ୍ଣତା ଲାଭ କରିଅଛି, କାରଣ ସେ ଯେପରି ଆମେ ଏହି ଜଗତରେ ଥାଉଁ ଥାଉଁ ସେହିପରି ହୋଇଅଛୁ।18ପ୍ରେମରେ ଭୟର କୌଣସି ସ୍ଥାନ ନ ଥାଏ। କିନ୍ତୁ ପୂର୍ଣ୍ଣ ପ୍ରେମ ଭୟ ଦୂର କରେ, କାରଣ ଦଣ୍ଡ ହେତୁ ଭୟ ଥାଏ। ଯେଉଁ ମନୁଷ୍ୟ ଭୟ କରେ ସେ ପ୍ରେମରେ ପୂର୍ଣ୍ଣତା ଲାଭକରି ନାହିଁ।
19ଆମେ ତାହାଙ୍କୁ ପ୍ରେମ କରୁ କାରଣ ସେ ଆମକୁ ପ୍ରଥମେ ପ୍ରେମ କଲେ।20କେହି ଯଦି କହେ ମୁଁ ଈଶ୍ୱରଙ୍କୁ ପ୍ରେମ କରେ ଅଥଚ ତାହାର ଭାଇକୁ ଘୃଣା କରେ, ତେବେ ସେ ମିଥ୍ୟାବାଦୀ। କାରଣ ଯେଉଁ ଭାଇକୁ ସେ ଦେଖିଅଛି ତାକୁ ଯଦି ପ୍ରେମ କରେ ନାହିଁ, ତେବେ ଯେଉଁ ଈଶ୍ୱରଙ୍କୁ ସେ ଦେଖିନାହିଁ, ତାହାଙ୍କୁ ପ୍ରେମ କରିପାରିବ ନାହିଁ।21ସେ ଆମକୁ ଏହି ଆଜ୍ଞା ଦେଇଅଛନ୍ତି: ଯେକେହି ଈଶ୍ୱରଙ୍କୁ ପ୍ରେମ କରେ ସେ ତାହାର ଭାଇକୁ ମଧ୍ୟ ପ୍ରେମ କରିବା ଉଚିତ୍।

Biblica, Inc.

https://app.library.bible/content/97b51048ae7f2ec9