ପ୍ରଥମ ଯୋହନ3

1ଭାବି ଦେଖ ପିତା ଆମ୍ଭମାନଙ୍କୁ କେତେ ପ୍ରେମ କରିଅଛନ୍ତି ଯେ, ଆମେ ଈଶ୍ୱରଙ୍କ ସନ୍ତାନ ବୋଲି ବିଦିତ ହେଉଅଛୁ! ପୁଣି ପ୍ରକୃତରେ ଆମ୍ଭେମାନେ ତ ତାହା ହିଁ ଅଟୁ! ଜଗତ ଆମକୁ ନ ଚିହ୍ନିବାର କାରଣ ହେଉଛି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।2ପ୍ରିୟ ବନ୍ଧୁଗଣ, ଏବେ ଆମେ ଈଶ୍ୱରଙ୍କ ସନ୍ତାନ, ଏବଂ ପରେ କଅଣ ହେବୁ ତାହା ଆହୁରି ପ୍ରକାଶିତ ହୋଇନାହିଁ। କିନ୍ତୁ ଆମେ ଜାଣୁ ଯେ ଖ୍ରୀଷ୍ଟ ଆବିର୍ଭୂତ ହେବା ବେଳେ, ଆମେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମେ ତାହାଙ୍କୁ ସେହିପରି ଦର୍ଶନ କରିବା।3ତାହାଙ୍କଠାରେ ଏହି ଭରସା ରଖିଥିବା ପ୍ରତ୍ୟେକ ଜଣ, ତାଙ୍କ ପରି ନିଜକୁ ପବିତ୍ର କରେ।
4ଯେକେହି ପାପ କରେ, ସେ ବିଧିବ୍ୟବସ୍ଥା ଲଙ୍ଘନ କରେ; କାରଣ ବିଧିବ୍ୟବସ୍ଥା ଲଙ୍ଘନ ହିଁ ପାପ।5କିନ୍ତୁ ସେ ଆମର ପାପ ବହି ନେବା ପାଇଁ ଆବିର୍ଭୂତ ହେଲେ। ଏବଂ ତାହାଙ୍କଠାରେ ପାପ ନାହିଁ।6ଯେକେହି ତାହାଙ୍କଠାରେ ଥାଏ ସେ ପାପରେ ଜଡ଼ିତ ନ ଥାଏ। ଯେ ପାପରେ ଜଡ଼ିତ ରହେ, ସେ ତାହାଙ୍କୁ ଦେଖିନାହିଁ କି ଜାଣି ନାହିଁ।
7ପ୍ରିୟ ସନ୍ତାନଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ। ସେ ଯେପରି ଧାର୍ମିକ ଅଟନ୍ତି, ସତ୍ ଆଚରଣ କରୁଥିବା ବ୍ୟକ୍ତି ତାହାଙ୍କ ପରି ଧାର୍ମିକ ଅଟେ।8ଯେ ପାପାଚରଣ କରେ ସେ ଶୟତାନର ଅଟେ, କାରଣ ଶୟତାନ ଆଦ୍ୟରୁ ପାପ କରି ଆସୁଅଛି। ଶୟତାନର କାର୍ଯ୍ୟସବୁ ବିନାଶ କରିବାକୁ ଈଶ୍ୱରଙ୍କ ପୁତ୍ର ଆବିର୍ଭୂତ ହେଲେ।9ଯେକେହି ଈଶ୍ୱରଙ୍କଠାରୁ ଜାତ ସେ ପାପରେ ଜଡ଼ିତ ରହେ ନାହିଁ, କାରଣ ଈଶ୍ୱରଙ୍କ ସ୍ଵଭାବ ତା ଠାରେ ବିଦ୍ୟମାନ ରହେ; ସେ ପାପରେ ଜଡ଼ିତ ରହିପାରେ ନାହିଁ, କାରଣ ସେ ଈଶ୍ୱରଙ୍କଠାରୁ ଜାତ।10ଏହା ଦ୍ଵାରା ଆମେ ଜାଣୁ କେଉଁମାନେ ଈଶ୍ୱରଙ୍କ ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ: ଯେକେହି ସତ୍ ଆଚରଣ କରେ ନାହିଁ କିମ୍ବା ତାହାର ଭ୍ରାତାକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କ ସନ୍ତାନ ନୁହେଁ।

ପରସ୍ପରକୁ ପ୍ରେମ କର

11ଏହି ବାର୍ତ୍ତା ତୁମ୍ଭେମାନେ ଆରମ୍ଭରୁ ଶୁଣିଅଛ ଯେ ପରସ୍ପରକୁ ପ୍ରେମ କରିବା ଆମର କର୍ତ୍ତବ୍ୟ।12କୟିନ ପରି ହୁଅ ନାହିଁ, କାରଣ ସେ ପାପାତ୍ମାର ହୋଇଥିବାରୁ ନିଜ ଭାଇକୁ ହତ୍ୟା କଲା। ସେ କାହିଁକି ହତ୍ୟା କଲା? କାରଣ ତାହାର ନିଜର କାର୍ଯ୍ୟକଳାପ ମନ୍ଦ ଥିଲା ଏବଂ ତାହାର ଭାଇର କାର୍ଯ୍ୟକଳାପ ଧର୍ମସଂଗତ ଥିଲା।13ହେ ମୋହର ଭାଇମାନେ, ଜଗତ ଯଦି ତୁମକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ।14ଆମେ ଜାଣୁ ଯେ ମୃତ୍ୟୁକୁ ଅତିକ୍ରମ କରି ଆମେ ଜୀବନଲାଭ କରିଅଛୁ, କାରଣ ଭ୍ରାତୃବର୍ଗଙ୍କ ପ୍ରତି ଆମର ପ୍ରେମ ରହିଅଛି। ଯେ ପ୍ରେମ କରେ ନାହିଁ ସେ ମୃତ୍ୟୁର ଅଧୀନରେ ଥାଏ।15ଯେ ନିଜର ଭ୍ରାତାକୁ ଘୃଣା କରେ ସେ ନରହନ୍ତା, ପୁଣି ନରହନ୍ତାଠାରେ ଯେ ଅନନ୍ତଜୀବନ ନ ଥାଏ ଏହା ତୁମ୍ଭେମାନେ ଜାଣିଅଛ।
16ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଜୀବନ ଦାନ କଲେ, ଏଥିରୁ ଆମେ ପ୍ରକୃତ ପ୍ରେମର ପରିଚୟ ପାଇଅଛୁ। ତେଣୁ ଭାଇମାନଙ୍କ ପାଇଁ ଆମର ମଧ୍ୟ ଜୀବନ ଦାନ କରିବା ଉଚିତ୍।17କାହାରି ଯଦି ଧନସମ୍ପଦ ଥାଏ ଓ ତାହାର ଭାଇ ଅଭାବରେ ଥିବାର ଦେଖେ କିନ୍ତୁ ତା ପ୍ରତି ସେ ଦୟା ପ୍ରକାଶ କରେ ନାହିଁ, ତେବେ ତା ଅନ୍ତରରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ?18ହେ ପ୍ରିୟ ସନ୍ତାନଗଣ, ଆମେ ପ୍ରେମ କରୁ ବୋଲି କେବଳ କଥାରେ ବା ମୁଖରେ ନ କହି ଆସ ଆମ୍ଭେ କାର୍ଯ୍ୟରେ ଓ ପ୍ରକୃତରେ ପ୍ରେମ ପ୍ରକାଶ କରୁ।
19ଏହିରୂପେ ଆମେ ଜାଣୁ ଯେ ଆମେ ସତ୍ୟର ସପକ୍ଷ ଓ ଆମେ କିପରି ତାଙ୍କ ପାଖରେ ଆମ ହୃଦୟକୁ ଶାନ୍ତ ରଖିପାରିବୁ20ଏବଂ ଆମ ହୃଦୟ ଆମକୁ ଦୋଷୀ କଲାବେଳେ, ଏହିରୂପେ ଆମେ ତାହାଙ୍କ ସାକ୍ଷାତରେ ହୃଦୟକୁ ଆଶ୍ୱାସନା ଦେଉ କାରଣ ଈଶ୍ୱର ଆମ ହୃଦୟ ଅପେକ୍ଷା ମହାନ୍ ଓ ସେସବୁ ଜାଣନ୍ତି।21ପ୍ରିୟ ବନ୍ଧୁଗଣ, ଆମର ହୃଦୟ ଯଦି ଆମକୁ ଦୋଷୀ କରେ ନାହିଁ, ତେବେ ଈଶ୍ୱରଙ୍କ ଛାମୁରେ ଆମର ଭରସା ଅଛି ଏବଂ ଆମେ ଯାହା ମାଗୁ22ସେସମସ୍ତ ତାହାଙ୍କଠାରୁ ପାଇଥାଉ, କାରଣ ଆମେ ତାହାଙ୍କର ଆଜ୍ଞା ପାଳନ କରିଥାଉ ଓ ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥାଉ।23ପୁଣି ଏହା ହିଁ ତାହାଙ୍କର ଆଜ୍ଞା ଯେ ଆମେ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ଆମ ପ୍ରତି ତାହାଙ୍କର ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।24ଯେଉଁମାନେ ତାହାଙ୍କର ଆଜ୍ଞା ପାଳନ କରନ୍ତି ସେମାନେ ତାହାଙ୍କଠାରେ ବାସ କରନ୍ତି ଓ ସେ ସେମାନଙ୍କଠାରେ ବାସ କରନ୍ତି। ସେ ଯେ ଆମଠାରେ ବାସ କରନ୍ତି ତାହା ଆମେ ତାହାଙ୍କ ପ୍ରଦତ୍ତ ଆତ୍ମାଙ୍କ ଦ୍ଵାରା ଜାଣୁ।

Biblica, Inc.

https://app.library.bible/content/97b51048ae7f2ec9