ଲୂକ9

ଯୀଶୁ ପ୍ରଚାର ଯାତ୍ରାରେ ଦ୍ଵାଦଶ ଶିଷ୍ୟଙ୍କୁ ପଠାଇଲେ

1ଏହାପରେ ଯୀଶୁ ତାଙ୍କର ଦ୍ଵାଦଶ ଶିଷ୍ୟଙ୍କୁ ଏକତ୍ର ଡାକି, ସେମାନଙ୍କୁ ଭୂତ ଛଡ଼ାଇବା ଓ ରୋଗ ସୁସ୍ଥକରିବା ର ଶକ୍ତି ଓ କ୍ଷମତା ଦେଲେ,2ଆହୁରି ମଧ୍ୟ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟ ପ୍ରଚାର କରିବାକୁ ଓ ପୀଡ଼ିତ ଲୋକମାନଙ୍କୁ ଆରୋଗ୍ୟ କରିବାକୁ ପଠାଇଲେ।3ସେ ସେମାନଙ୍କୁ କହିଲେ: “ତୁମେମାନେ ଯାତ୍ରା ପାଇଁ ଯଷ୍ଟି କି, ମୁଣା କି, ରୋଟୀ କି, ଟଙ୍କାପଇସା, କି ଜାମା ଖଣ୍ଡେ ସୁଦ୍ଧା ନିଅ ନାହିଁ।4ଯେତେବେଳେ କୌଣସି ଗୃହରେ ପ୍ରବେଶ କରିବ, ସେହି ସହରରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେହିଠାରେ ରୁହ।5ଲୋକେ ଯଦି ତୁମକୁ ସ୍ୱାଗତ ନ କରନ୍ତି, ତେବେ ସେହି ସହରରୁ ପ୍ରସ୍ଥାନ କଲାବେଳେ ତୁମର ପାଦଧୂଳି ଝାଡ଼ି ଦେଇ ଯାଅ ଏହା ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ସ୍ଵରୂପ ହେବ।”6ଅତଏବ ସେମାନେ ଯାତ୍ରା କରି ଗ୍ରାମେ ଗ୍ରାମେ ସୁସମାଚାର ପ୍ରଚାର କଲେ ଓ ସର୍ବତ୍ର ରୋଗୀମାନଙ୍କୁ ସୁସ୍ଥ କଲେ।
7ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏସମସ୍ତ ଘଟନା ଶୁଣି ହତବୁଦ୍ଧି ହେଲେ। କାରଣ କେହି କେହି କହୁଥିଲେ ଯେ ଯୋହନ ମୃତଲୋକମାନଙ୍କ ମଧ୍ୟରୁ ଉଠିଅଛନ୍ତି,8ଆଉ କେହି କେହି କହୁଥିଲେ ଯେ ଏଲିୟ ଆବିର୍ଭୂତ ହୋଇଅଛନ୍ତି, ଏବଂ ଅନ୍ୟମାନେ କହୁଥିଲେ ଯେ ପୁରାକାଳର କୌଣସି ଭାବବାଦୀ ପୁନର୍ଜୀବିତ ହୋଇଛନ୍ତି।9କିନ୍ତୁ ହେରୋଦ କହିଲେ, “ମୁଁ ତ ଯୋହନଙ୍କ ମସ୍ତକ ଛେଦନ କରିଛି। ତେବେ ଏ ଜଣକ କିଏ, ଯାହାଙ୍କ ସମ୍ବନ୍ଧରେ ମୁଁ ଏପ୍ରକାର କଥାସବୁ ଶୁଣୁଅଛି?” ତେଣୁ ସେ ଯୀଶୁଙ୍କୁ ଦେଖିବାକୁ ଚେଷ୍ଟା କଲେ।

ପାଞ୍ଚ ରୋଟୀ ଓ ଦୁଇ ମାଛ

10ପ୍ରେରିତ ଶିଷ୍ୟମାନେ ଫେରିଆସି, ଯାହା ଯାହା କରିଥିଲେ ତାହା ଯୀଶୁଙ୍କୁ ଜଣାଇଲେ। ତତ୍ପରେ ସେ କେବଳ ସେମାନଙ୍କୁ ନେଇ ବେଥସାଇଦା ନାମକ ଏକ ସହରକୁ ଚାଲିଗଲେ,11କିନ୍ତୁ ଲୋକସମୂହ ତାହା ଜାଣିପାରି ତାଙ୍କ ପଛେ ପଛେ ଗଲେ। ସେ ସେମାନଙ୍କୁ ସାଦରେ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ କହିଲେ, ଓ ଯେଉଁମାନଙ୍କର ସୁସ୍ଥ ହେବାର ପ୍ରୟୋଜନ ଥିଲା ସେମାନଙ୍କୁ ସୁସ୍ଥ କଲେ।
12ଦିନ ଅବସାନ ହେଲା ବେଳକୁ ଦ୍ଵାଦଶ ଶିଷ୍ୟ ତାଙ୍କ ନିକଟକୁ ଆସି କହିଲେ, “ଲୋକମାନଙ୍କୁ ବିଦାୟ କରି ଦିଅନ୍ତୁ ତା ହେଲେ ସେମାନେ ନିକଟବର୍ତ୍ତୀ ଗ୍ରାମ ଓ ଚାଷ ଘରମାନଙ୍କୁ ଯାଇ ଖାଦ୍ୟପଦାର୍ଥର ଓ ରହିବାର ବ୍ୟବସ୍ଥା କରିପାରିବେ, କାରଣ ଆମେ ଏକ ନିର୍ଜନ ସ୍ଥାନରେ ଅଛୁ।”
13ସେ ଉତ୍ତର ଦେଲେ, “ତୁମେମାନେ ସେମାନଙ୍କୁ କିଛି ଖାଇବାକୁ ଦିଅ।”
ସେମାନେ କହିଲେ, “ଆମ ପାଖରେ ତ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି ତା ହେଲେ ଆମେ କଅଣ ଯାଇ ଏତେ ଲୋକଙ୍କ ପାଇଁ ଖାଦ୍ୟ କିଣିବୁ।”
14ସେଠାରେ ପ୍ରାୟ ପାଞ୍ଚହଜାର ପୁରୁଷ ଲୋକ ଥିଲେ।
କିନ୍ତୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଗୋଟିଏ ଗୋଟିଏ ଦଳରେ ପଚାଶ ଲେଖାଏଁ କରି ସେମାନଙ୍କୁ ବସାଅ।”
15ଶିଷ୍ୟମାନେ ସେହିପରି କଲେ, ଓ ସମସ୍ତେ ବସିଲେ।16ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ଵର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଧନ୍ୟବାଦ ଦେଲେ ଓ ସେଗୁଡ଼ିକୁ ଭାଙ୍ଗିଲେ। ତା ପରେ ସେଗୁଡ଼ିକୁ ଲୋକମାନଙ୍କୁ ପରିବେଷଣ କରିବା ପାଇଁ ସେ ଶିଷ୍ୟମାନଙ୍କୁ ଦେଲେ।17ସେମାନେ ସମସ୍ତେ ଖାଇ ପରିତୃପ୍ତ ହେଲେ, ପୁଣି ଶିଷ୍ୟମାନେ ସେହି ଭଙ୍ଗାଭଙ୍ଗି ବଳକା ଖାଦ୍ୟ ଗୋଟାଇବାରୁ ବାରଟି ଟୋକେଇ ପୂର୍ଣ୍ଣ ହେଲା।

ଯୀଶୁଙ୍କ ବିଷୟରେ ପିତରଙ୍କ ସ୍ୱୀକାରୋକ୍ତି

18ଥରେ ଯୀଶୁ ନିଭୃତରେ ପ୍ରାର୍ଥନା କରୁଥିଲେ ଓ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ଏ ବିଷୟରେ ଲୋକେ କଅଣ କହନ୍ତି?”
19ସେମାନେ ଉତ୍ତର ଦେଲେ, “କେହି କେହି ଡୁବକ ଯୋହନ, ଆଉ କେହି କେହି ଏଲିୟ, ଅନ୍ୟ କେତେକେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ କେହି ଜଣେ ପୁନର୍ଜୀବିତ ହୋଇଛନ୍ତି ବୋଲି କହନ୍ତି।”
20ସେ ପ୍ରଶ୍ନ କଲେ। “ମୁଁ କିଏ? ଏ ବିଷୟରେ ତୁମେମାନେ କଅଣ କହୁଅଛ?”
ପିତର ଉତ୍ତର ଦେଲେ, “ଆପଣ ଈଶ୍ୱରଙ୍କ ଖ୍ରୀଷ୍ଟ।”

ନିଜ ମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ ଯୀଶୁଙ୍କ ସୂଚନା

21ସେ ଏହି କଥା କାହାକୁ ନ କହିବା ପାଇଁ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।22ସେ କହିଲେ, “ମନୁଷ୍ୟପୁତ୍ରଙ୍କୁ ବହୁ ଦୁଃଖକଷ୍ଟ ସହିବାକୁ ହେବ ଏବଂ କୁଳବୃଦ୍ଧ, ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିବେ, ପୁଣି ସେ ନିହତ ହେବେ ଏବଂ ତୃତୀୟ ଦିନ ପୁନରୁଜ୍ଜୀବିତ ହେବେ।”
23ଏହାପରେ ସେସମସ୍ତଙ୍କୁ କହିଲେ “କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆତ୍ମତ୍ୟାଗ କରୁ ଓ ଦୈନନ୍ଦିନ ନିଜର କୃଶ ବହନ କରି ମୋର ଅନୁଗମନ କରୁ।24କାରଣ କେହି ଯେବେ ନିଜ ଜୀବନକୁ ଧରି ରଖିବାକୁ ଚାହେଁ ସେ ଅନନ୍ତଜୀବନ ହରାଇବ, କିନ୍ତୁ ଯେ ମୋ ସକାଶେ ନିଜ ଜୀବନ ହରାଇ ଦେବ ସେ ତାହା ଅନନ୍ତକାଳ ପାଇଁ ରକ୍ଷା କରିବ।25ମନୁଷ୍ୟ ଯଦି ସମଗ୍ର ଜଗତ ଲାଭକରି ନିଜେ ହଜିଯାଏ ବା ବିନଷ୍ଟ ହୁଏ, ତେବେ ସେଥିରେ କି ଲାଭ?26କେହି ଯଦି ମୋ ସକାଶେ ଓ ମୋର ବାକ୍ୟ ସକାଶେ ଲଜ୍ଜାବୋଧ କରେ, ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ଵମହିମାରେ ଓ ପିତାଙ୍କର ତଥା ପବିତ୍ର ଦୂତମାନଙ୍କର ମହିମାରେ ଆସିବେ ସେତେବେଳେ ସେ ମଧ୍ୟ ତା ପାଇଁ ଲଜ୍ଜାବୋଧ କରିବେ।
27“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଠାରେ ଠିଆ ହୋଇଥିବା କେତେଜଣ ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁଭୋଗ କରିବେ ନାହିଁ।”

ଯୀଶୁଙ୍କର ଗୌରବୋଜ୍ଜ୍ୱଳ ରୂପାନ୍ତର

28ଯୀଶୁ ଏହା କହିବାର ପ୍ରାୟ ଆଠ ଦିନ ପରେ, ସେ ପିତର, ଯୋହନ ଏବଂ ଯାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ପର୍ବତ ଉପରକୁ ଗଲେ।29ସେ ପ୍ରାର୍ଥନା କରୁ କରୁ, ତାହାଙ୍କ ମୁଖ ରୂପାନ୍ତରିତ ହେଲା, ଓ ପୋଷାକ ବିଦ୍ୟୁତ୍‌ର ଆଲୋକ ପରି ଉଜ୍ଜ୍ୱଳ ହେଲା।30ଦୁଇଜଣ ପୁରୁଷ, ମୋଶା ଓ ଏଲିୟ, ଗୌରବୋଜ୍ଜ୍ୱଳ ରୂପରେ ଦେଖାଦେଇ, ଯୀଶୁଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ।31ଯିରୂଶାଲମରେ ଯୀଶୁ ଯେଉଁ ମହାପ୍ରୟାଣ କାର୍ଯ୍ୟ ସାଧନ କରିବାକୁ ଯାଉଥିଲେ, ସେହିବିଷୟ ସେମାନେ କଥାବାର୍ତ୍ତା କରୁଥିଲେ।32ପିତର ଓ ତାଙ୍କ ସଙ୍ଗୀମାନେ ଶୋଇପଡ଼ିଥିଲେ, କିନ୍ତୁ ସଂପୂର୍ଣ୍ଣ ଜାଗ୍ରତ ହେଲାପରେ, ସେମାନେ ଯୀଶୁଙ୍କର ଗୌରବ ଓ ସେହି ଦୁଇ ବ୍ୟକ୍ତିଙ୍କୁ ତାଙ୍କ ସହିତ ଠିଆ ହୋଇଥିବା ଦେଖିଲେ।33ସେହି ଦୁଇ ବ୍ୟକ୍ତି ଯୀଶୁଙ୍କ ନିକଟରୁ ବାହାରିଲା, ବେଳେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଆମେ ଯେ ଏଠାରେ ଅଛୁ ଏହା ଆମ ପାଇଁ ଭଲ ହେଲା। ଆମେ ଏଠାରେ ତିନୋଟି କୁଡ଼ିଆ ତିଆରି କରିଦେବା, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଗୋଟିଏ ଏଲିୟଙ୍କ ପାଇଁ।” (ସେ କଣ କହୁଥିଲେ ତାହା ଜାଣୁ ନ ଥିଲେ।)
34କିନ୍ତୁ ସେ ଏହି କଥା କହୁ କହୁ, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛନ କଲା, ଓ ସେମାନେ ମେଘ ମଧ୍ୟରେ ପ୍ରବେଶ କଲାବେଳେ ଭୀତ ହୋଇପଡ଼ିଲେ।35ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପୁତ୍ର, ମୋର ମନୋନୀତ; ଏହାଙ୍କ କଥାରେ ମନୋଯୋଗ କର।”36ଏହି ବାଣୀ ହେବା ପରେ, ସେମାନେ ଯୀଶୁଙ୍କୁ ଏକାକୀ ଦେଖିଲେ। ଶିଷ୍ୟମାନେ ଯାହା ଦେଖିଲେ ସେହିବିଷୟ ନିଜ ମଧ୍ୟରେ ରଖିଲେ ସେତେବେଳେ କାହାକୁ କିଛି କହିଲେ ନାହିଁ।

ଭୂତଗ୍ରସ୍ତ ବାଳକ ସୁସ୍ଥ ହେଲା

37ପରବର୍ତ୍ତୀ ଦିନ, ସେମାନେ ପର୍ବତ ଉପରୁ ଓହ୍ଲାଇଲା ବେଳକୁ, ବହୁସଂଖ୍ୟକ ଲୋକ ଆସି ତାଙ୍କୁ ଭେଟିଲେ।38ଜନତା ମଧ୍ୟରୁ ଜଣେ ଲୋକ ତାଙ୍କୁ ଡାକି କହିଲା, “ଗୁରୁ, ବିନତି କରୁଛି ମୋର ଏହି ପୁଅ ପ୍ରତି ଦୟାଦୃଷ୍ଟି କରନ୍ତୁ, କାରଣ ଏ ମୋର ଗୋଟିଏ ବୋଲି ପିଲା।39ଏହାକୁ ଗୋଟିଏ ଭୂତାତ୍ମା ଏପରିଭାବେ ଧରିଛି ଯେ ସେ ହଠାତ୍ ଚିତ୍କାର କରି ଭୂମିରେ କଚାଡ଼ି ହୋଇ ପଡ଼େ ଓ ମୁଖରୁ ଫେଣ ବାହାର କରେ। ଏହି ଭୂତାତ୍ମା ତାକୁ ପ୍ରାୟ ଛାଡ଼ୁ ନାହିଁ ଓ ତାକୁ କ୍ଷତବିଷତ କରୁଛି।40ଭୂତ ଛଡ଼ାଇବା ପାଇଁ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ଅନୁରୋଧ କଲି, ମାତ୍ର ସେମାନେ ପାରିଲେ ନାହିଁ।”
41ଯୀଶୁ କହିଲେ, ହେ ଅବିଶ୍ୱାସୀ ଓ ଭ୍ରଷ୍ଟାଚାରୀ ବଂଶ, “ଆଉ କେତେ କାଳ ମୁଁ ତୁମମାନଙ୍କ ସଙ୍ଗରେ ଥିବି ଓ ତୁମ୍ଭମାନଙ୍କୁ ସମ୍ଭାଳିବି? ତୁମର ପୁଅକୁ ଏଠାକୁ ନେଇଆସ।”
42ସେହି ବାଳକ ଆସୁ ଆସୁ, ଭୂତାତ୍ମା ତାକୁ ଧରି ତଳେ କଚାଡ଼ି ଦେଇ ମୋଡ଼ି ପକାଇଲା। କିନ୍ତୁ ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଇ, ବାଳକକୁ ସୁସ୍ଥ କଲେ ଓ ତାହାର ପିତାର ହସ୍ତରେ ସମର୍ପଣ କଲେ।43ଈଶ୍ୱରଙ୍କ ମହାଶକ୍ତି ପ୍ରକାଶନରେ ସେମାନେ ସମସ୍ତେ ବିସ୍ମୟାଭିଭୂତ ହେଲେ। ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ପୁନଃସୂଚନା
ସେମାନେ ଯୀଶୁଙ୍କର ସମସ୍ତ କାର୍ଯ୍ୟରେ ଆଶ୍ଚର୍ଯ୍ୟ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
44“ମୁଁ ତୁମ୍ଭମାନଙ୍କୁ ଯାହା କହିବାକୁ ଯାଉଛି ତାହା ମନୋଯୋଗ ସହ ଶୁଣ: ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ଲୋକଙ୍କ ହସ୍ତରେ ଧରାଇ ଦିଆଯିବ।”45କିନ୍ତୁ ଶିଷ୍ୟମାନେ ଏହାର ଅର୍ଥ ବୁଝିଲେ ନାହିଁ। କାରଣ ସେମାନଙ୍କଠାରୁ ତାହା ଗୁପ୍ତ ଥିଲା, ତେଣୁ ସେମାନେ ବୁଝିଲେ ନାହିଁ, ଓ ତାହାଙ୍କୁ ପଚାରିବାକୁ ଭୟ କଲେ।

କିଏ ଶ୍ରେଷ୍ଠ

46ଶିଷ୍ୟମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ହେବ ଏ ବିଷୟ ନେଇ ଯୁକ୍ତିତର୍କ ଲାଗିଲା।47କିନ୍ତୁ ଯୀଶୁ, ସେମାନଙ୍କ ଚିନ୍ତାଭାବନା ଜାଣିପାରି, ଗୋଟିଏ ସାନ ପିଲାକୁ ଆଣି ନିଜ ପାଖରେ ଠିଆ କରାଇଲେ।48ତା ପରେ ସେ ସେମାନଙ୍କୁ କହିଲେ, “ଯେକେହି ମୋ ନାମରେ ଏହି ସାନ ପିଲାକୁ ସ୍ୱାଗତ କରେ ସେ ମୋତେ ସ୍ୱାଗତ କରେ; ଯେକେହି ମୋତେ ସ୍ୱାଗତ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ସ୍ୱାଗତ କରେ। କାରଣ ଯିଏ ତୁମ ସମସ୍ତଙ୍କ ମଧ୍ୟରୁ ନଗଣ୍ୟତମ ସେ ହିଁ ଶ୍ରେଷ୍ଠ।”
49ଯୋହନ କହିଲେ, ଗୁରୁ “ଆମେ ଜଣେ ଲୋକକୁ ଆପଣଙ୍କ ନାମରେ ଭୂତ ଛଡ଼ାଡଥିବା ଦେଖିଲୁ କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ, ଆମେ ତାକୁ ମନା କଲୁ।”
50ଯୀଶୁ କହିଲେ, “ତାକୁ ମନା କର ନାହିଁ, କାରଣ ଯିଏ ତୁମର ବିପକ୍ଷ ନୁହେଁ ସେ ତୁମର ସପକ୍ଷ।”

ଶମିରୋଣୀୟ ଗ୍ରାମରେ ଯୀଶୁଙ୍କୁ ଅଗ୍ରାହ୍ୟ

51ତାଙ୍କର ସ୍ଵର୍ଗାରୋହଣ ସମୟ ନିକଟବର୍ତ୍ତୀ ହେବାରୁ, ଯୀଶୁ ଦୃଢ଼ ସଂକଳ୍ପରେ ଯିରୂଶାଲମର ଅଭିମୁଖେ ଚାଲିଲେ।52ସେ ତାଙ୍କ ଆଗେ ଆଗେ ବାର୍ତ୍ତାବହମାନଙ୍କୁ ପଠାଇଲେ, ତାହାଙ୍କ ନିମନ୍ତେ ସବୁକିଛି ପ୍ରସ୍ତୁତ କରିବାକୁ ସେମାନେ ଶମରିଆର ଗୋଟିଏ ଗ୍ରାମକୁ ଗଲେ;53କିନ୍ତୁ ସେଠାର ଲୋକମାନେ ତାହାଙ୍କୁ ସ୍ୱାଗତ କଲେ ନାହିଁ, କାରଣ ସେ ଯିରୂଶାଲମକୁ ଯିବା ପାଇଁ ମନସ୍ଥ କରୁଥିଲେ।54ତାହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ ପଚାରିଲେ, “ପ୍ରଭୁ, ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ଧ୍ୱଂସ କରୁ ଏହା ଆମେ ଆଜ୍ଞା କରିବା ବୋଲି ଆପଣ ଚାହାନ୍ତି କି?”55କିନ୍ତୁ ଯୀଶୁ ବୁଲିପଡ଼ି ସେମାନଙ୍କୁ ଭତ୍ସନା କଲେ56ସେମାନେ ଅନ୍ୟ ଏକ ଗ୍ରାମକୁ ଚାଲିଗଲେ।

ଶିଷ୍ୟତ୍ଵର ମୂଲ୍ୟ

57ସେମାନେ ବାଟରେ ଚାଲୁଥିବା ସମୟରେ, ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଆଡ଼େ ଯିବେ ମୁଁ ଆପଣଙ୍କର ଅନୁଗମନ କରିବି।”
58ଯୀଶୁ ଉତ୍ତର ଦେଲେ, “କୋକିଶିଆଳିମାନଙ୍କର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କ ବସା ଅଛି, ମାତ୍ର ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ।”
59ସେ ଆଉ ଜଣେ ଲୋକକୁ କହିଲେ, “ମୋର ଅନୁଗମନ କର।”
କିନ୍ତୁ ସେହି ଲୋକ ଉତ୍ତର ଦେଲା, “ପ୍ରଭୁ, ଆଗେ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ମୋତେ ଅନୁମତି ଦିଅନ୍ତୁ।”
60ଯୀଶୁ ଉତ୍ତର ଦେଲେ, “ଯେଉଁମାନେ ଆଧ୍ୟାତ୍ମିକଭାବେ ମୃତ ସେମାନେ ସେମାନଙ୍କର ମୃତଲୋକଙ୍କୁ କବର ଦିଅନ୍ତୁ, ମାତ୍ର ତୁମେ ଯାଇ ଈଶ୍ୱରଙ୍କ ରାଜ୍ୟର ବିଷୟ ପ୍ରଚାର କର।”
61ଆଉ ଜଣେ କହିଲା, “ପ୍ରଭୁ; ମୁଁ ଆପଣଙ୍କ ଅନୁଗାମୀ ହେବି, କିନ୍ତୁ ପ୍ରଥମେ ମୋର ପରିବାରବର୍ଗଙ୍କଠାରୁ ବିଦାୟ ନେବାକୁ ମୋତେ ଅନୁମତି ଦିଅନ୍ତୁ।”
62ଯୀଶୁ ଉତ୍ତର ଦେଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଅନାଏ ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”

Biblica, Inc.

https://app.library.bible/content/97b51048ae7f2ec9