ଲୂକ10

ସତୁରି ଜଣ ଶିଷ୍ୟଙ୍କ ପ୍ରଚାର ଯାତ୍ରା

1ଏହାପରେ ପ୍ରଭୁ ଆଉ ସତୁରି ଜଣଙ୍କୁ ମନୋନୀତ କଲେ ଏବଂ ଯେଉଁ ଯେଉଁ ସହର ଓ ସ୍ଥାନଗୁଡ଼ିକୁ ସେ ନିଜେ ଯିବାକୁ ଉଦ୍ୟତ ଥିଲେ ସେଠାକୁ ସେମାନଙ୍କୁ ଦୁଇ ଦୁଇଜଣ କରି ଆଗରୁ ପଠାଇଲେ।2ସେ ସେମାନଙ୍କୁ କହିଲେ, “ଫସଲ ପ୍ରଚୁର, ମାତ୍ର ମୂଲିଆଙ୍କ ସଂଖ୍ୟା ଅଳ୍ପ। ତେଣୁ ତାଙ୍କର କ୍ଷେତ୍ରକୁ ମୂଲିଆ ପଠାଇବାକୁ, ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ପ୍ରାର୍ଥନା କର।3ଯାଅ! କେନ୍ଦୁଆ ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି।4ତୁମ ସଙ୍ଗରେ ଟଙ୍କାଥଳି କି ମୁଣା କି ପାଦୁକା ନିଅ ନାହିଁ; ବାଟରେ କାହାକୁ ନମସ୍କାର କର ନାହିଁ।
5“ତୁମେମାନେ କୌଣସି ଗୃହରେ ପ୍ରବେଶ କଲେ, ପ୍ରଥମେ କୁହ, ‘ଏ ଗୃହ ପ୍ରତି ଶାନ୍ତି ହେଉ।’6ଯଦି ସେହି ଗୃହରେ ଶାନ୍ତିପ୍ରିୟ କେହି ଥାଏ, ତେବେ ତୁମର ଶାନ୍ତି ତାହା ଉପରେ ବର୍ତ୍ତିବ; ନଚେତ୍, ତାହା ତୁମ ନିକଟକୁ ଫେରି ଆସିବ।7ସେମାନେ ଯାହା ଦେବେ ତାହା ଭୋଜନପାନ କରି, ସେହି ଗୃହରେ ହିଁ ରୁହ, କାରଣ କାର୍ଯ୍ୟକାରୀ ତାହାର ମୂଲ ପାଇବାକୁ ଯୋଗ୍ୟ। ଗୋଟିଏ ଘରୁ ଅନ୍ୟ ଘରକୁ ଯାଅ ନାହିଁ।
8“ତୁମେମାନେ କୌଣସି ସହରରେ ପ୍ରବେଶ କଲେ ସେମାନେ ଯଦି ତୁମକୁ ସ୍ୱାଗତ କରନ୍ତି, ତେବେ ଯାହା ପରିବେଷଣ କରାଯିବ ତାହା ଭୋଜନ କର।9ସେଠାରେ ଥିବା ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କର ଓ ସେମାନଙ୍କୁ କୁହ, ‘ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ।’10କିନ୍ତୁ କୌଣସି ସହରରେ ପ୍ରବେଶ କଲେ ସେମାନେ ଯଦି ତୁମକୁ ସ୍ୱାଗତ ନ କରନ୍ତି, ତେବେ ରାସ୍ତାକୁ ଯାଇ ଏହି କଥା କୁହ,11‘ଆମ ପାଦରେ ଲାଗିଥିବା ତୁମ ସହରର ଧୂଳି ସୁଦ୍ଧା ତୁମ ବିରୁଦ୍ଧରେ ଝାଡ଼ି ଦେଉଛୁ। ତଥାପି ନିଶ୍ଚିତ ରୂପେ ଜାଣିଥାଅ ଯେ: ଈଶ୍ୱରଙ୍କ ରାଜ୍ୟ ନିକଟବର୍ତ୍ତୀ।’12ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ଦିନରେ ସେହି ସହରର ଦଶା ଅପେକ୍ଷା ସଦୋମର ଦଶା ଅଧିକ ସହନୀୟ ହେବ।
13“ହେ କୋରାଜୀନ୍, ତୋତେ ଧିକ୍! ହେ ବେଥ୍‌ସାଇଦା, ତୋତେ ଧିକ୍! କାରଣ ତୁମମାନଙ୍କ ମଧ୍ୟରେ ଯେଉଁ ଅଲୌକିକ କାର୍ଯ୍ୟସବୁ ସାଧିତ ହୋଇଛି ସେସମସ୍ତ ଯଦି ସୋର ଓ ସୀଦୋନରେ ହୋଇଥାଆନ୍ତା, ତେବେ ସେମାନେ ବହୁକାଳରୁ ଅନୁତାପ କରି, ଅଖା ପିନ୍ଧି ଭସ୍ମରେ ବସିଥାଆନ୍ତେ।14ମାତ୍ର ବିଚାର ବେଳେ ତୁମମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ଅଧିକ ସହନୀୟ ହେବ।15ହେ କଫର୍ନାହୁମ, ତୁ କଣ ଆକାଶମଣ୍ଡଳକୁ ଉନ୍ନୀତ ହେବୁ? ନା, ତୋର ପାତାଳକୁ ଅଧୋଗତି ହେବ।
16“ଯେ ତୁମର କଥାରେ କର୍ଣ୍ଣପାତ କରେ ସେ ମୋର କଥାରେ କର୍ଣ୍ଣପାତ କରେ; ଯେ ତୁମକୁ ଅଗ୍ରାହ୍ୟ କରେ ସେ ମୋତେ ଅଗ୍ରାହ୍ୟ କରେ।”
17ସେହି ସତୁରି ଜଣ ଆନନ୍ଦରେ ଫେରିଆସି କହିଲେ, “ପ୍ରଭୁ, ଭୂତାତ୍ମାମାନେ ସୁଦ୍ଧା ଆପଣଙ୍କ ନାମରେ ଆମର ବଶୀଭୂତ ହେଉଛନ୍ତି।”
18ସେ ଉତ୍ତର ଦେଲେ, “ମୁଁ ଶୟତାନକୁ ବିଜୁଳି ପରି ସ୍ଵର୍ଗରୁ ପତିତ ହେବାର ଦେଖିଲି।19ଦେଖ ସାପ ଓ ବିଛାମାନଙ୍କୁ ପଦଦଳିତ କରିବାକୁ ଏବଂ ଶତ୍ରୁର ସମସ୍ତ ଶକ୍ତି ଉପରେ ଜୟଲାଭ କରିବାକୁ ମୁଁ ତୁମ୍ଭମାନଙ୍କୁ ଅଧିକାର ଦେଇଛି; କିଛି ହିଁ ତୁମମାନଙ୍କର ଅନିଷ୍ଟ କରିବ ନାହିଁ।20କିନ୍ତୁ, ଭୂତାତ୍ମାମାନେ ତୁମମାନଙ୍କ ବଶୀଭୂତ ବୋଲି ଆନନ୍ଦିତ ହୁଅ ନାହିଁ, ବରଂ ସ୍ଵର୍ଗରେ ତୁମମାନଙ୍କ ନାମ ଲେଖା ହୋଇଛି ବୋଲି ଆନନ୍ଦିତ ହୁଅ।”
21ସେହି ସମୟରେ ଯୀଶୁ, ପବିତ୍ରଆତ୍ମାଙ୍କ ଦ୍ଵାରା ଆନନ୍ଦରେ ପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ଵର୍ଗ ଓ ପୃଥିବୀର ପ୍ରଭୁ, ଯେଉଁମାନେ ଜ୍ଞାନୀ ଓ ବିଦ୍ଵାନ ତୁମ୍ଭେ ସେମାନଙ୍କ ନିକଟରେ ଏସମସ୍ତ ବିଷୟ ଗୁପ୍ତ ରଖି, ଶିଶୁମାନଙ୍କ ନିକଟରେ ପ୍ରକାଶ କରିଅଛ। ସେଥିପାଇଁ ମୁଁ ତୁମ୍ଭର ସ୍ତୁତିବାଦ କରୁଛି, ହଁ, ପିତା ଏହା ତୁମ୍ଭ ଦୃଷ୍ଟିରେ ଉତ୍ତମ ର ବିଷୟ ହେଲା।
22“ମୋର ପିତା ସମସ୍ତ ବିଷୟ ମୋତେ ସମର୍ପଣ କରିଛନ୍ତି। ପୁତ୍ର କିଏ ତାହା ପିତାଙ୍କ ବିନା କେହି ଜାଣେ ନାହିଁ, ଏବଂ ପିତା କିଏ ତାହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ ଓ ଯେଉଁମାନଙ୍କ ନିକଟରେ ପୁତ୍ର ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେହିମାନଙ୍କ ବିନା ଅନ୍ୟ କେହି ଜାଣେ ନାହିଁ।”
23ତତ୍ପରେ ସେ ଶିଷ୍ୟମାନଙ୍କ ଆଡ଼କୁ ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ଯାହାସବୁ ତୁମେମାନେ ଦେଖୁଅଛ ସେହିସବୁ ଯେଉଁ ଚକ୍ଷୁ ଦେଖେ ତାହା ଧନ୍ୟ।24କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମେମାନେ ଯାହା ଯାହା ଦେଖୁଅଛ ସେସମସ୍ତ ଦେଖିବାକୁ ବହୁ ଭାବବାଦୀ ଓ ରାଜା ଇଚ୍ଛା କରିଥିଲେ କିନ୍ତୁ ଦେଖିଲେ ନାହିଁ, ପୁଣି ତୁମେମାନେ ଯାହା ଯାହା ଶୁଣୁଅଛ ତାହା ଶୁଣିବାକୁ ସେମାନେ ଇଚ୍ଛା କରିଥିଲେ କିନ୍ତୁ ଶୁଣିଲେ ନାହିଁ।”

ଉତ୍ତମ ଶମରୀୟ ଲୋକର ଦୃଷ୍ଟାନ୍ତ ଗଳ୍ପ

25ଏକଦା ଜଣେ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବାକୁ ଉଠିଲେ, ସେ ପଚାରିଲେ, “ଗୁରୁ, ଅନନ୍ତଜୀବନ ଲାଭ କରିବା ପାଇଁ ମୋତେ କଅଣ କରିବାକୁ ହେବ?”
26ଯୀଶୁ ଉତ୍ତର ଦେଇ କହିଲେ, “ବିଧିବ୍ୟବସ୍ଥାରେ କଅଣ ଲେଖାଅଛି? ତୁମେ ସେଥିରୁ କଅଣ ବୁଝୁଅଛ?”
27ସେ ଉତ୍ତର ଦେଲେ, “ ‘ତୁମେ ତୁମର ପ୍ରଭୁ ଈଶ୍ୱରଙ୍କୁ ତୁମର ସମସ୍ତ ହୃଦୟ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁଙ୍କର ପ୍ରେମ କର’; ଏବଂ, ‘ଆପଣା ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର।’ ”
28ଯୀଶୁ କହିଲେ। ତୁମେ ଠିକ ଉତ୍ତର ଦେଇଛ, “ଏହା ପାଳନ କର ଓ ତୁମେ ବଞ୍ଚିବ।”
29ସେହି ବ୍ୟକ୍ତି ନିଜକୁ ଯଥାର୍ଥ ବୋଲି ଦେଖାଇବାକୁ ଇଚ୍ଛା କରି, ପ୍ରଶ୍ନ କଲେ, “ମୋର ପ୍ରତିବେଶୀ କିଏ?”
30ଯୀଶୁ ଉତ୍ତର ଦେଇ କହିଲେ: “ଜଣେ ଲୋକ ଯିରୂଶାଲମରୁ ଯିରିଖୋକୁ ଯାତ୍ରା କରୁଥିବା ସମୟରେ, ଦସ୍ୟୁମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇ ନେଲେ, ଓ ତାକୁ ମାଡ଼ ମାରି, ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।31ଘଟନାକ୍ରମେ ସେହିବାଟେ ଜଣେ ଯାଜକ ଯାଉଥିଲେ, ସେ ଲୋକଟିକୁ ଦେଖି, ରାସ୍ତାର ଅନ୍ୟ ପାଖ ଦେଇ ଚାଲିଗଲେ।32ସେହିପରି, ଜଣେ ଲେବୀୟ ମଧ୍ୟ, ସେହି ସ୍ଥାନରେ ପହଞ୍ଚି ଲୋକଟିକୁ ଦେଖି, ଅନ୍ୟ ପାଖ ଦେଇ ଚାଲିଗଲେ।33ମାତ୍ର ଜଣେ ଶମରୀୟ ଲୋକ, ଯାତ୍ରା କରୁଥିବା ବେଳେ, ସେହି ଲୋକ ପାଖେ ପହଞ୍ଚିଲେ; ତାକୁ ଦେଖି, ତାଙ୍କ ମନରେ ଦୟା ଜାତ ହେଲା।34ସେ ତା ନିକଟକୁ ଯାଇ ତାହାର କ୍ଷତରେ ତୈଳ ଓ ସୁରା ଢାଳି, ପଟି ବାନ୍ଧି ଦେଲେ, ତା ପରେ ସେ ତାକୁ ନିଜର ଗଧ ଉପରେ ବସାଇ, ଏକ ପାନ୍ଥଶାଳାକୁ ନେଇଗଲେ ଏବଂ ତାହାର ସେବା ଶୁଶ୍ରୁଷା କଲେ।35ପରଦିନ ସେ ପାନ୍ଥଶାଳାର ମାଲିକ ହାତରେ ଦୁଇ ରୂପା ମୁଦ୍ରା ଦେଇ କହିଲେ। ‘ଏହି ଲୋକଟିର ସେବା କର,’ ଯଦି ଏହାଠାରୁ ବେଶୀ ଖର୍ଚ୍ଚ ହୁଏ, ‘ତେବେ ମୁଁ ଫେରି ଆସିଲେ, ଶୁଝି ଦେବି।’
36“ତୁମ ମତରେ ଏହି ତିନିଜଣଙ୍କ ମଧ୍ୟରୁ କିଏ ଦସ୍ୟୁମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ହେଲା?”
37ଶାସ୍ତ୍ରଜ୍ଞ ଉତ୍ତର ଦେଲେ, “ଯିଏ ତାକୁ ଦୟା କଲା, ସେହି ଜଣକ।”
ଯୀଶୁ ତାକୁ କହିଲେ, “ତୁମେ ମଧ୍ୟ ଯାଇ ସେହିପରି କର।”

ମାର୍ଥା ଓ ମରିୟମଙ୍କ ଗୃହରେ ଯୀଶୁ

38ଯୀଶୁ ଓ ତାଙ୍କର ଶିଷ୍ୟମାନେ ଯାତ୍ରା କରୁଥିବା ସମୟରେ, ଗୋଟିଏ ଗ୍ରାମରେ ପହଞ୍ଚିଲେ ସେଠାରେ ମାର୍ଥା ନାମ୍ନୀ ଜଣେ ସ୍ତ୍ରୀଲୋକ ନିଜ ଗୃହରେ ତାଙ୍କର ଆତିଥ୍ୟ କଲେ।39ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ, ଯେ କି ପ୍ରଭୁଙ୍କର ପାଦତଳେ ବସି ତାଙ୍କର କଥା ଶୁଣୁଥିଲେ।40କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟ ନେଇ ବ୍ୟସ୍ତ ହେଉଥିଲେ। ସେ ତାହାଙ୍କ ନିକଟକୁ ଯାଇ କହିଲେ, “ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ କାମର ଭାର ପକାଇ ଦେଇଛି ଏ ବିଷୟରେ ଆପଣଙ୍କର କଣ ଚିନ୍ତା ନାହିଁ? ମୋତେ ସାହାଯ୍ୟ କରିବା ପାଇଁ ତାକୁ କହନ୍ତୁ!”
41ପ୍ରଭୁ ଉତ୍ତର ଦେଲେ, “ମାର୍ଥା, ମାର୍ଥା ତୁମେ ଅନେକ ବିଷୟରେ ଚିନ୍ତିତ ଓ ବ୍ୟସ୍ତ ହେଉଛ,42କିନ୍ତୁ କେବଳ ଗୋଟିଏ ବିଷୟ ଆବଶ୍ୟକ। ଯାହା ଉତ୍ତମ, ତାହା ମରିୟମ ମନୋନୀତ କରିଛି, ଏବଂ ଏହା ତା ଠାରୁ କାଢ଼ି ନିଆଯିବ ନାହିଁ।”

Biblica, Inc.

https://app.library.bible/content/97b51048ae7f2ec9