ଯୋହନ15
ଅଙ୍ଗୁରଲତା ଓ ଶାଖାର ସମ୍ବନ୍ଧ
1“ମୁଁ ହେଉଛି ପ୍ରକୃତ ଅଙ୍ଗୁରଲତା, ଓ ମୋର ପିତା ଉଦ୍ୟାନ ପାଳକ ଅଟନ୍ତି।2ମୋର ଯେଉଁ ଶାଖା ଫଳ ଧାରଣ କରେ ନାହିଁ, ତାହା ସେ କାଟି ପକାନ୍ତି ଏବଂ ଯେଉଁ ଶାଖା ଫଳ ଧାରଣ କରେ ତାହା ଅଧିକ ଫଳପ୍ରଦ ହେବା ପାଇଁ ସେ ତାକୁ କାଟିଛାଟି ପରିସ୍କାର କରନ୍ତି।3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଛି ସେଥିଯୋଗୁଁ ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ।4ମୋ ଠାରେ ରୁହ, ତା ହେଲେ ମୁଁ ତୁମଠାରେ ରହିବି। କୌଣସି ଶାଖା ନିଜରୁ ଫଳ ଫଳି ପାରେ ନାହିଁ; ତାକୁ ଅଙ୍ଗୁର ଲତାରେ ରହିବା ଆବଶ୍ୟକ। ସେହିପରି ମୋ ଠାରେ ନ ରହିଲେ ତୁମ୍ଭେମାନେ ମଧ୍ୟ ଫଳ ଫଳି ପାରିବ ନାହିଁ।5“ମୁଁ ଅଙ୍ଗୁରଲତା; ତୁମ୍ଭେମାନେ ଶାଖା। ଯେ ମୋ ଠାରେ ଥାଏ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଫଳେ; କାରଣ ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ।6ଯେକେହି ମୋ ଠାରେ ରହେ ନାହିଁ, ସେ ବାହାରେ ପକାଇ ଦିଆଯାଇଥିବା ଓ ଶୁଖି ଯାଇଥିବା ଶାଖା ପରି; ଏହିପ୍ରକାର ଶାଖାଗୁଡ଼ିକ ସଂଗ୍ରହ କରାଯାଇ, ନିଆଁରେ ପକାଯାଏ ଓ ଜାଳି ଦିଆଯାଏ।7ତୁମେ ଯଦି ମୋ ଠାରେ ଓ ମୋର ବାକ୍ୟ ତୁମଠାରେ ଥାଏ, ତେବେ ତୁମର ଯାହା ଇଚ୍ଛା ମାଗ, ଆଉ ତାହା ତୁମକୁ ଦିଆଯିବ।8ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋର ପିତା ମହିମାନ୍ୱିତ ହେବେ, ଓ ତୁମ୍ଭେମାନେ ମୋର ଶିଷ୍ୟ ବୋଲି ଜଣାଯିବ।9“ପିତା ଯେପରି ମୋତେ ପ୍ରେମ କରିଛନ୍ତି, ମୁଁ ତୁମ୍ଭମାନଙ୍କୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋର ପ୍ରେମରେ ଅଟଳ ରୁହ।10ମୁଁ ଯେପରି ପିତାଙ୍କର ଆଜ୍ଞାସବୁ ପାଳନ କରି ତାହାଙ୍କ ପ୍ରେମରେ ଅଟଳ ରହିଛି, ତୁମ୍ଭେମାନେ ସେହିପରି ମୋର ଆଜ୍ଞାସବୁ ପାଳନ କଲେ, ମୋର ପ୍ରେମରେ ଅଟଳ ରହିବ।11ତୁମ ଅନ୍ତରରେ ମୋର ଆନନ୍ଦ ଯେପରି ରହିଥିବ ଓ ତୁମର ଆନନ୍ଦ ଯେପରି ପରିପୂର୍ଣ୍ଣ ହେବ ଏଥିପାଇଁ ମୁଁ ଏହା କହିଲି।12ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ପରସ୍ପରକୁ ସେହିପରି ପ୍ରେମ କର, ଏହା ମୋର ଆଜ୍ଞା।13ନିଜର ବନ୍ଧୁମାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିବା ଅପେକ୍ଷା ଉଚ୍ଚତର ପ୍ରେମ ଆଉ କାହାରି ନାହିଁ।14ମୁଁ ଯେଉଁ ଆଜ୍ଞା ଦେଇଛି ତାହା ପାଳନ କଲେ ତୁମ୍ଭେମାନେ ମୋର ବନ୍ଧୁ।15ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ ମୁନିବର କାର୍ଯ୍ୟକଳାପ ଦାସ ଜାଣେ ନାହିଁ। କିନ୍ତୁ, ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପିତାଙ୍କଠାରୁ ଯାହା ଶିକ୍ଷା କରିଛି ତାହା ତୁମ୍ଭମାନଙ୍କୁ ଜଣାଇଅଛି।16ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଛି ଏବଂ ତୁମ୍ଭେମାନେ ଯେପରି ଫଳ ଉତ୍ପନ୍ନ କରିବ ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହେବ ଏଥିପାଇଁ ତୁମ୍ଭମାନଙ୍କୁ ନିଯୁକ୍ତ କରିଛି। ସେତେବେଳେ ତୁମ୍ଭେମାନେ ମୋ ନାମରେ ପିତାଙ୍କୁ ଯାହା ମାଗିବ ତାହା ସେ ତୁମକୁ ଦେବେ।17ପରସ୍ପରକୁ ପ୍ରେମ କର: ଏହା ମୋର ଆଜ୍ଞା।18“ଜଗତ ଯଦି ତୁମ୍ଭମାନଙ୍କୁ ଘୃଣା କରେ, ତେବେ ମନେରଖ ତାହା ପ୍ରଥମେ ମୋତେ ଘୃଣା କରିଛି।19ତୁମ୍ଭେମାନେ ଯଦି ଜଗତର ହୋଇଥାଆନ୍ତ, ତେବେ ଜଗତ ତୁମକୁ ନିଜର ମନେ କରି ଭଲ ପାଇଥାଆନ୍ତା। କିନ୍ତୁ, ତୁମ୍ଭେମାନେ ତ ଜଗତର ନୁହଁ, ମୁଁ ଜଗତ ମଧ୍ୟରୁ ତୁମ୍ଭମାନଙ୍କୁ ମନୋନୀତ କରିଛି। ସେଥିପାଇଁ ଜଗତ ତୁମ୍ଭମାନଙ୍କୁ ଘୃଣା କରେ।20ଦାସ ନିଜର ମୁନିବଠାରୁ ବଡ଼ ନୁହେଁ: ‘ଏହି ଯେଉଁ କଥା ମୁଁ ତୁମ୍ଭମାନଙ୍କୁ କହିଛି ତାହା ସ୍ମରଣ କର।’ ସେମାନେ ଯଦି ମୋତେ ନିର୍ଯ୍ୟାତନା କରିଛନ୍ତି, ତେବେ ତୁମକୁ ମଧ୍ୟ ନିର୍ଯ୍ୟାତନା କରିବେ। ସେମାନେ ଯଦି ମୋର ଶିକ୍ଷା ପାଳନ କରିଛନ୍ତି, ତେବେ ତୁମର ଶିକ୍ଷା ମଧ୍ୟ ପାଳନ କରିବେ।21ମୋ ନାମ ସକାଶେ ସେମାନେ ତୁମ ପ୍ରତି ଏହିପରି ବ୍ୟବହାର କରିବେ, କାରଣ ମୋତେ ଯେ ପଠାଇଛନ୍ତି ତାହାଙ୍କୁ ସେମାନେ ଜାଣନ୍ତି ନାହିଁ।22ଯଦି ମୁଁ ଆସି ନ ଥାଆନ୍ତି ଓ ସେମାନଙ୍କୁ କହି ନ ଥାଆନ୍ତି, ତେବେ ସେମାନଙ୍କୁ ପାପ ଲାଗି ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କର ପାପ ଘୋଡ଼ାଇବାର କୌଣସି ଉପାୟ ନାହିଁ।23ଯେ ମୋତେ ଘୃଣା କରେ ସେ ମୋର ପିତାଙ୍କୁ ମଧ୍ୟ ଘୃଣା କରେ।24ଯେଉଁସବୁ କର୍ମ ଅନ୍ୟ କେହି କରି ନାହିଁ ସେସବୁ ମୁଁ ଯଦିସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତେବେ ସେମାନଙ୍କୁ ପାପ ଲାଗି ନ ଥାଆନ୍ତା। କିନ୍ତୁ ଏବେ ସେମାନେ ସେହି ଅଲୌକିକ କର୍ମସବୁ ଦେଖି ସୁଦ୍ଧା, ମୋତେ ଓ ମୋର ପିତା ଉଭୟଙ୍କୁ ଘୃଣା କରନ୍ତି।25କିନ୍ତୁ ସେମାନଙ୍କ ବିଧିବ୍ୟବସ୍ଥାରେ ଏହି ଯେଉଁ ବାକ୍ୟ ଲେଖାଅଛି: ‘ସେମାନେ ବିନା କାରଣରେ ମୋତେ ଘୃଣା କଲେ ଏହା ସଫଳ ହେବା ପାଇଁ ଘଟୁଛି।’26“ମୁଁ ପିତାଙ୍କଠାରୁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କି ପଠାଇବି, ପିତାଙ୍କଠାରୁ ଆଗତ ସେହି ସତ୍ୟମୟ ଆତ୍ମା ଆସିଲେ ସେ ମୋ ବିଷୟରେ ସାକ୍ଷ୍ୟ ଦେବେ।27କିନ୍ତୁ ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ଆରମ୍ଭରୁ ତୁମ୍ଭେମାନେ ମୋ ସଙ୍ଗରେ ରହିଛ।Biblica, Inc.