କଲସୀୟ1

1ମୁଁ ପାଉଲ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଓ ଆମର ଭ୍ରାତା ତୀମଥିଙ୍କନିକଟରୁ
2କଲସୀୟରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ଏହି ପତ୍ର ଲେଖୁଅଛୁ,
ଆମ୍ଭମାନଙ୍କ ପିତା ଈଶ୍ୱରଙ୍କଠାରୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।

ଧନ୍ୟବାଦ ଓ ପ୍ରାର୍ଥନା

3ଆମେ ତୁମ୍ଭମାନଙ୍କନିମନ୍ତେ ପ୍ରାର୍ଥନା କଲାବେଳେ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ, ସର୍ବଦା ଧନ୍ୟବାଦ ଦେଇଥାଉ,4କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସର କଥା ଓ ସମସ୍ତ ସାଧୁବୃନ୍ଦଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମର ବିଷୟ ଆମେ ଶୁଣିଅଛୁ।5ସ୍ଵର୍ଗରେ ତୁମ୍ଭମାନଙ୍କନିମନ୍ତେ ଯେଉଁ ଭରସା ସଞ୍ଚିତ ଅଛି ତାହା ହିଁ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ଉତ୍ସ ଏବଂ ସେହି ଭରସାର ବିଷୟ ତୁମ୍ଭେମାନେ ସତ୍ୟ ବାକ୍ୟରେ ଅର୍ଥାତ୍ ସୁସମାଚାରରେ ଶୁଣିଅଛ6ସେହି ସୁସମାଚାର ତୁମ୍ଭମାନଙ୍କ ନିକଟକୁ ଆସିଅଛି। ଯେଉଁ ଦିନଠାରୁ ତୁମ୍ଭେମାନେ ଏହି ସୁସମାଚାର ଶୁଣି ଈଶ୍ୱରଙ୍କ ଅନୁଗ୍ରହର ପୂର୍ଣ୍ଣ ସତ୍ୟତା ବୁଝିଲ, ସେହି ସମୟଠାରୁ ତୁମ୍ଭମାନଙ୍କମଧ୍ୟରେ ଯେପରି ସେହିପରି ସାରା ଜଗତରେ ତାହା ଫଳପ୍ରଦ ହୋଇ ବୃଦ୍ଧି ଲାଭ କରୁଅଛି।7ଆମର ପ୍ରିୟ ସହସେବକ ଏପାଫ୍ରାସ୍‌ଙ୍କଠାରୁ, ତୁମ୍ଭେମାନେ ସେହି ବିଷୟରେ ଶିକ୍ଷା ପାଇଅଛ, ଆମ ତରଫରୁ ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ,8ପୁଣି ସେ ଆତ୍ମାଙ୍କଠାରେ ତୁମ୍ଭମାନଙ୍କ ପ୍ରେମ ବିଷୟରେ ମଧ୍ୟ ଆମ୍ଭମାନଙ୍କୁ କହିଅଛନ୍ତି।
9ସେଥିପାଇଁ, ଆମେ ତୁମ୍ଭମାନଙ୍କ ବିଷୟ ଶୁଣିବା ଦିନଠାରୁ, ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବାରୁ ଏବଂ ଈଶ୍ୱର ତୁମ୍ଭମାନଙ୍କୁ ସମସ୍ତ ଆଧ୍ୟାତ୍ମିକ ଜ୍ଞାନ ଓ ବୁଦ୍ଧି ଦ୍ଵାରା ତାହାଙ୍କ ଇଚ୍ଛା ପୂର୍ଣ୍ଣଭାବେ ଜାଣିବାକୁ ଦିଅନ୍ତୁ ବୋଲି, ତାହାଙ୍କ ନିକଟରେ ନିବେଦନ କରିବାରୁ କ୍ଷାନ୍ତ ହୋଇନାହୁଁ।10ଆହୁରି ମଧ୍ୟ ତୁମ୍ଭେମାନେ ସମସ୍ତ ସତ୍କର୍ମରୂପ ଫଳ ଧାରଣ କରି, ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବୃଦ୍ଧି ଲାଭ କରିବା ଦ୍ଵାରା ପ୍ରଭୁଙ୍କର ଯୋଗ୍ୟ ହେଲା ଭଳି ଜୀବନଯାପନ କରିବ: ଓ ସର୍ବପ୍ରକାରେ ତାହାଙ୍କୁ ସନ୍ତୁଷ୍ଟ କରିବ ବୋଲି ଆମେ ପ୍ରାର୍ଥନା କରିଥାଉ,11ତାହାଙ୍କର ଗୌରବମୟ ପରାକ୍ରମ ଅନୁସାରେ ତୁମ୍ଭେମାନେ ବିଶେଷ ସହିଷ୍ଣୁତା ଓ ଧୈର୍ଯ୍ୟ ଲାଭକରି ସମସ୍ତ ଶକ୍ତିରେ ଶକ୍ତିମନ୍ତ ହେବ,12ଓ ଆନନ୍ଦ ସହକାରେ ତାହାଙ୍କର ଧନ୍ୟବାଦ କରିବ ବୋଲି ଆମେ ପ୍ରାର୍ଥନା କରିଥାଉ, ସେହି ପିତା ଆଲୋକ ରାଜ୍ୟରେ ସାଧୁମାନଙ୍କ ଉତ୍ତରାଧିକାରରେ ଭାଗୀ ହେବାକୁ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି।13କାରଣ ସେ ଆମକୁ ଅନ୍ଧକାରର ଆଧିପତ୍ୟରୁ ଉଦ୍ଧାର କରି ତାହାଙ୍କର ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଅଛନ୍ତି,14ଯାହାଙ୍କଠାରେ ଆମେ ମୁକ୍ତି, ଅର୍ଥାତ୍ ପାପକ୍ଷମା ପାଇଅଛୁ।

ଖ୍ରୀଷ୍ଟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି

15ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମଗ୍ର ସୃଷ୍ଟି ମଧ୍ୟରେ ସେ ପ୍ରଥମଜାତ।16କାରଣ ତାହାଙ୍କ ଦ୍ଵାରା ସମସ୍ତ ବିଷୟ ସୃଷ୍ଟ ହେଲା: ସ୍ଵର୍ଗରେ ଓ ପୃଥିବୀରେ, ଦୃଶ୍ୟ ଓ ଅଦୃଶ୍ୟ, ସିଂହାସନ ବା କ୍ଷମତା ବା ଶାସକ ବା ଆଧିପତ୍ୟ ସବୁକିଛି ତାହାଙ୍କ ଦ୍ଵାରା ଓ ତାହାଙ୍କ ପାଇଁ ସୃଷ୍ଟ ହେଲା।17ସମସ୍ତ ବିଷୟର ସୃଷ୍ଟି ପୂର୍ବରୁ ସେ ବିଦ୍ୟମାନ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟ ସଂଲଗ୍ନ ହୋଇ ରହିଅଛି।18ପୁଣି ସେ ମଣ୍ଡଳୀରୂପ ଶରୀରର ମସ୍ତକ, ସେ ଆଦି ଓ ମୃତମାନଙ୍କ ମଧ୍ୟରେ ଉତ୍ଥିତ ହେବାରେ ପ୍ରଥମ, ଯେପରିକି ସେ ସର୍ବ ବିଷୟରେ ସର୍ବପ୍ରଧାନ ହେବେ।19କାରଣ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ଅଧିଷ୍ଠାନ କରୁ ବୋଲି ଈଶ୍ୱର ଇଚ୍ଛା କଲେ,20ଏବଂ କ୍ରୁଶରେ ପତିତ ତାହାଙ୍କ ରକ୍ତ ଦ୍ଵାରା ଶାନ୍ତି ସ୍ଥାପନ କରି ପୃଥିବୀରେ ହେଉ ବା ସ୍ଵର୍ଗରେ ହେଉ ସମସ୍ତ ବିଷୟକୁ ନିଜ ସହିତ ପୁନର୍ମିଳିତ କରିବାକୁ ଇଚ୍ଛା କଲେ।
21ତୁମ୍ଭେମାନେ ନିଜର ଅସତ୍ ଆଚରଣ ହେତୁ ଏକଦା ଈଶ୍ୱରଙ୍କଠାରୁ ପୃଥକ ଥିଲ ଓ ମନ ମଧ୍ୟରେ ତାହାଙ୍କର ଶତ୍ରୁ ଥିଲ।22କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ନିଜ ଦୃଷ୍ଟିରେ ପବିତ୍ର, ନିଷ୍କଳଙ୍କ ଓ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ଖ୍ରୀଷ୍ଟଙ୍କ ଶାରୀରିକ ମୃତ୍ୟୁ ଦ୍ଵାରା ନିଜ ସହିତ ପୁନର୍ମିଳିତ କରିଅଛନ୍ତି23ତୁମ୍ଭେମାନେ ଯଦି ବିଶ୍ୱାସରେ ଦୃଢ଼, ଓ ଅଟଳ ରହିବ ଏବଂ ସୁସମାଚାରରେ ନିହିତ ଭରସାରୁ ବିଚ୍ୟୁତ ହେବ ନାହିଁ ସେ ଏହା ଅବଶ୍ୟ କରିବେ। ଏହି ସୁସମାଚାର ତୁମ୍ଭେମାନେ ଶୁଣିଅଛ ଓ ଆକାଶମଣ୍ଡଳ ତଳେ ସବୁ ଲୋକଙ୍କ ନିକଟରେ ଏହା ପ୍ରଚାରିତ ହେଉଛି ଏବଂ ମୁଁ, ପାଉଲ, ତହିଁର ଜଣେ ସେବକ ହୋଇଅଛି।

ଖ୍ରୀଷ୍ଟଙ୍କ ପାଇଁ ପାଉଲଙ୍କର ପରିଶ୍ରମ

24ମୁଁ ତୁମ୍ଭମାନଙ୍କନିମନ୍ତେ ଯେଉଁ ଦୁଃଖ ସହିଅଛି, ସେଥିପାଇଁ ଆନନ୍ଦ କରୁଅଛି ଏବଂ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ନିମନ୍ତେ, ତାହାଙ୍କ ଦୁଃଖଭୋଗର ଯାହା ଊଣା ଅଛି, ତାହା ମୁଁ ମୋର ଶରୀରରେ ପୂରଣ କରୁଅଛି।25ଈଶ୍ୱର ତୁମ୍ଭମାନଙ୍କ ପାଇଁ ମୋତେ ଯେଉଁ କାର୍ଯ୍ୟରେ ନିଯୁକ୍ତି ଦେଇଅଛନ୍ତି ସେଥିରେ ମୁଁ ଯେପରି ଈଶ୍ୱରଙ୍କ ବାକ୍ୟ ସଂପୂର୍ଣ୍ଣ ଭାବରେ ଘୋଷଣା କରିପାରେ ଏଥିପାଇଁ ମୁଁ ମଣ୍ଡଳୀର ସେବକ ହୋଇଅଛି।26ଏହି ନିଗୂଢ଼ତତ୍ତ୍ୱ ବହୁ ଯୁଗ ପର୍ଯ୍ୟନ୍ତ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ଥିଲା, ମାତ୍ର ଏବେ ତାହା ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି।27ଅଣଯିହୁଦୀମାନଙ୍କ ପାଇଁ ସେହି ନିଗୂଢ଼ ତତ୍ତ୍ୱର ଗୌରବମୟ ନିଧି ଯେ କଅଣ, ତାହା ସାଧୁମାନଙ୍କ ନିକଟରେ ପ୍ରକାଶ କରିବା ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା। ସେହି ନିଗୂଢ଼ତତ୍ତ୍ୱ ହେଉଅଛି, ତୁମ୍ଭମାନଙ୍କ ଅନ୍ତରସ୍ଥ ଖ୍ରୀଷ୍ଟ, ଯେ କି ଗୌରବର ଭରସା ଅଟନ୍ତି।
28ତାହାଙ୍କୁ ହିଁ ଆମେ ପ୍ରଚାର କରୁଅଛୁ, ଓ ପ୍ରତ୍ୟେକ ଲୋକକୁ ଚେତନାବାଣୀ ଦେଇ ସମସ୍ତ ଜ୍ଞାନରେ ଶିକ୍ଷା ଦେଉଅଛୁ, ଯେପରି ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଆମେ ପ୍ରତ୍ୟେକଙ୍କୁ ଉପସ୍ଥିତ କରିପାରିବୁ।29ଖ୍ରୀଷ୍ଟଙ୍କର ଯେଉଁ ଶକ୍ତି ମୋତେ ପ୍ରବଳଭାବେ ଅନୁପ୍ରାଣିତ କରୁଅଛି ତାହାରି ବଳରେ ମୁଁ ଏହି ଲକ୍ଷ୍ୟରେ ପ୍ରାଣପଣେ ପରିଶ୍ରମ କରୁଅଛି।

Biblica, Inc.

https://app.library.bible/content/97b51048ae7f2ec9