ପ୍ରଥମ କରିନ୍ଥୀୟ3

ମଣ୍ଡଳୀ ଓ ତାହାର ନେତା

1ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଆଧ୍ୟାତ୍ମିକମନା ବୋଲି କହିପାରିଲି ନାହିଁ ତୁମ୍ଭେମାନେ ଜାଗତିକମନା ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାତ୍ର ବୋଲି କହୁଛି।2ମୁଁ ତୁମ୍ଭମାନଙ୍କୁ ଦୁଗ୍‌ଧପାନ କରିବାକୁ ଦେଲି, ଗୁରୁପାକ ଖାଦ୍ୟ ଦେଲି ନାହିଁ, କାରଣ ତାହା ଗ୍ରହଣ କରିବାକୁ ତୁମ୍ଭେମାନେ ସମର୍ଥନ ଥିଲ। ପ୍ରକୃତରେ, ତୁମ୍ଭେମାନେ ଏପର୍ଯ୍ୟନ୍ତ ସମର୍ଥ ହୋଇ ନାହଁ।3ତୁମ୍ଭେମାନେ ଆହୁରି ଜାଗତିକମନା ଅଛ। ତୁମ୍ଭମାନଙ୍କମଧ୍ୟରେ ଈର୍ଷାଭାବ ଓ କଳହ ଥିବାରୁ, ତୁମ୍ଭେମାନେ କଣ ଜାଗତିକମନା ନୁହଁ? ତୁମ୍ଭେମାନେ କଅଣ ସାଧାରଣ ମନୁଷ୍ୟ ପରି ଆଚରଣ କରୁ ନାହଁ?4କାରଣ ଜଣେ ଯେତେବେଳେ କହେ, “ମୁଁ ପାଉଲଙ୍କ ଅନୁଗମନ କରେ,” ଓ ଆଉ ଜଣେ କହେ, “ମୁଁ ଆପଲ୍ଲଙ୍କ ଅନୁଗମନ କରେ,” ସେତେବେଳେ ତୁମ୍ଭେମାନେ କଅଣ ସାଧାରଣ ମନୁଷ୍ୟ ପରି ନୁହଁ?
5ଆପଲ୍ଲ କିଏ? ପାଉଲ କିଏ? ଏମାନେ ତ କେବଳ ସେବକ, ପ୍ରଭୁ ପ୍ରତ୍ୟେକଙ୍କ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରିଛନ୍ତି, ତଦନୁସାରେ ଏମାନଙ୍କ ସାହାଯ୍ୟରେ ତୁମ୍ଭେମାନେ ବିଶ୍ୱାସ ଲାଭ କଲ।6ମୁଁ ରୋପଣ କଲି, ଆପଲ୍ଲ ଜଳସେଚନ କଲେ, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କଲେ।7ଅତଏବ ରୋପଣକାରୀ କିମ୍ବା ଜଳସେଚନକାରୀ କିଛି ହିଁ ନୁହନ୍ତି, ମାତ୍ର ଯେ ବୃଦ୍ଧି ସାଧନ କରନ୍ତି, ସେହି ଈଶ୍ୱର ହିଁ ପ୍ରଧାନ।8ଯେଉଁ ମନୁଷ୍ୟ ରୋପଣ କରେ ଓ ଯେଉଁ ମନୁଷ୍ୟ ଜଳସେଚନ କରେ ସେହି ଦୁହିଁଙ୍କର ଲକ୍ଷ୍ୟ ଏକ, ଏବଂ ପ୍ରତ୍ୟେକେ ନିଜର ପରିଶ୍ରମ ଅନୁସାରେ ପୁରସ୍କୃତ ହେବେ।9କାରଣ ଆମେ ହେଉଛୁ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ହେଉଛ ଈଶ୍ୱରଙ୍କ କ୍ଷେତ୍ର ସ୍ଵରୂପ, ଈଶ୍ୱରଙ୍କ ଗୃହସ୍ଵରୂପ।
10ଈଶ୍ୱରପ୍ରଦତ୍ତ ଅନୁଗ୍ରହ ଦ୍ଵାରା, ମୁଁ ଜଣେ ସୁଦକ୍ଷ ନିର୍ମାତା ଭାବରେ ଏକ ଭିତ୍ତିମୂଳ ସ୍ଥାପନ କରିଛି, ଏବଂ ଅନ୍ୟ ଜଣେ ତା ଉପରେ ଗୃହ ନିର୍ମାଣ କରୁଛି। କିନ୍ତୁ ପ୍ରତ୍ୟେକ ଜଣ କି ପ୍ରକାରେ ନିର୍ମାଣ କରୁଛି ସେହି ବିଷୟରେ ସାବଧାନ ହେବା ଉଚିତ।11କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇ ସାରିଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ।12ଏହି ଭିତ୍ତିମୂଳ ଉପରେ କେହି ଯଦି ସୁନା, ରୂପା, ମୂଲ୍ୟବାନ୍ ପ୍ରସ୍ତର, କାଠ, ନଡ଼ା ବା କୁଟା ବ୍ୟବହାର କରି ଗଠନ କରେ,13ତେବେ ତାହାର କର୍ମ କି ପ୍ରକାର ତାହା ପ୍ରକାଶିତ ହେବ, ତାହା ସେହି ବିଚାର ଦିନ ପ୍ରକାଶିତ ହେବ। ତାହା ଅଗ୍ନି ଦ୍ଵାରା ପ୍ରକାଶିତ ହେବ, ଏବଂ ପ୍ରତ୍ୟେକ ମନୁଷ୍ୟର କର୍ମ କି ପ୍ରକାର ତାହା ଅଗ୍ନିପରୀକ୍ଷା କରିବ।14ସେ ଯାହା ନିର୍ମାଣ କରିଛି ତାହା ଯଦି ତିଷ୍ଠି ରହେ, ତେବେ ସେ ତାହାର ପୁରସ୍କାର ପାଇବ।15ଯଦି ତାହା ଜଳିଯାଏ, ତେବେ ସେ କ୍ଷତି ସହିବ ତଥାପି ସେ ନିଜେ ରକ୍ଷା ପାଇବ କିନ୍ତୁ ତାହା ଅଗ୍ନିରୁ ରକ୍ଷା ପାଇଲା ପରି ହେବ।
16ତୁମ୍ଭେମାନେ କଅଣ ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର ଓ ଈଶ୍ୱରଙ୍କ ଆତ୍ମା ତୁମ ମଧ୍ୟରେ ବାସ କରନ୍ତି?17କେହି ଯଦି ଈଶ୍ୱରଙ୍କ ମନ୍ଦିରକୁ ବିନଷ୍ଟ କରେ, ତେବେ ଈଶ୍ୱର ତାକୁ ବିନଷ୍ଟ କରିବେ; କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ଏବଂ ତୁମ୍ଭେମାନେ ହେଉଛ ସେହି ମନ୍ଦିର।
18ନିଜକୁ ପ୍ରତାରଣା କର ନାହିଁ। ତୁମ ମଧ୍ୟରୁ କେହି ଯଦି ଏହି ଯୁଗର ମାନଦଣ୍ଡ ଅନୁସାରେ ନିଜକୁ ଜ୍ଞାନୀ ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ “ମୂର୍ଖ” ହେଉ।19କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖତା। ଯେପରି ଲେଖାଅଛି: “ସେ ଚତୁର ଲୋକଙ୍କୁ ସେମାନଙ୍କ ଚାତୁରୀରେ ଧରନ୍ତି”;20ପୁନଶ୍ଚ, “ଜ୍ଞାନବାନର ଚିନ୍ତାଭାବନାସବୁ ଅସାର ବୋଲି ପ୍ରଭୁ ଜାଣନ୍ତି।”21ଅତଏବ, ମନୁଷ୍ୟ ବିଷୟରେ ଆଉ ଦର୍ପ କରା ନ ଯାଉ! ସମସ୍ତ ବିଷୟ ତୁମ୍ଭମାନଙ୍କର,22ପାଉଲ କି ଆପଲ୍ଲ କି କେଫା କିମ୍ବା ଜଗତ କି ଜୀବନ କି ମରଣ କିମ୍ବା ବର୍ତ୍ତମାନ କାଳ କି ଭବିଷ୍ୟତ୍ କାଳ ସବୁ ହିଁ ତୁମ୍ଭମାନଙ୍କର,23ପୁଣି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଏବଂ ଖ୍ରୀଷ୍ଟ ଈଶ୍ୱରଙ୍କର।

Biblica, Inc.

https://app.library.bible/content/97b51048ae7f2ec9