ପ୍ରଥମ କରିନ୍ଥୀୟ4

ଖ୍ରୀଷ୍ଟଙ୍କର ପ୍ରେରିତ ଶିଷ୍ୟମାନେ

1ଅତଏବ, ଲୋକେ ଆମକୁ ଖ୍ରୀଷ୍ଟଙ୍କର ସେବକ ଏବଂ ଈଶ୍ୱରଙ୍କ ନିଗୂଢ଼ ବିଷୟମାନର ତତ୍ତ୍ୱାବଧାରକ ବୋଲି ମନେ କରିବା ଉଚିତ।2ଯେଉଁମାନଙ୍କୁ କୌଣସି ବିଷୟର ତତ୍ତ୍ୱାବଧାନ ଦାୟିତ୍ଵ ଦିଆଯାଇଛି ସେମାନେ ବିଶ୍ୱସ୍ତ ହେବା ନିତାନ୍ତ ଆବଶ୍ୟକ।3ତୁମ୍ଭେମାନେ କିମ୍ବା ମନୁଷ୍ୟମାନଙ୍କର କୌଣସି ବିଚାରାଳୟ ମୋର ବିଚାର କଲେ; ମୁଁ ଆଦୌ ଚିନ୍ତିତ ନୁହେଁ, ଏପରିକି ମୁଁ ନିଜେ ମଧ୍ୟ ନିଜର ବିଚାର କରେ ନାହିଁ।4ମୋର ବିବେକ ନିର୍ମଳ, କିନ୍ତୁ ସେଥିପାଇଁ ମୁଁ ଯେ ନିର୍ଦ୍ଦୋଷ ତା ନୁହେଁ। ପ୍ରଭୁ ହିଁ ମୋର ବିଚାର କରନ୍ତି।5ତେଣୁ ନିରୂପିତ ସମୟ ପୂର୍ବରୁ ବିଚାର କର ନାହିଁ; ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଅପେକ୍ଷା କର। ଯାହା ଅନ୍ଧକାରରେ ଲୁକାୟିତ ଅଛି ସେ ତହିଁ ଉପରେ ଆଲୋକପାତ କରିବେ ଏବଂ ମନୁଷ୍ୟମାନଙ୍କ ହୃଦୟର ଅଭିପ୍ରାୟସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କଠାରୁ ନିଜର ପ୍ରଶଂସା ପାଇବେ।
6ବର୍ତ୍ତମାନ, ହେ ଭାଇମାନେ, ତୁମ୍ଭମାନଙ୍କ ଉପକାର ନିମନ୍ତେ, ମୁଁ ଏହିସମସ୍ତ ବିଷୟରେ ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ତା ହେଲେ ତୁମ୍ଭେମାନେ ଏହି କଥିତ ବାକ୍ୟର ତାତ୍ପର୍ଯ୍ୟ ଆମଠାରୁ ଶିଖି ପାରିବ, “ଯାହା ଲିଖିତ ଅଛି, ତାହାର ସୀମା ଅତିକ୍ରମ କର ନାହିଁ।” ସେତେବେଳେ ତୁମ୍ଭେମାନେ ଜଣକ ଅପେକ୍ଷା ଅନ୍ୟ ଜଣକ ବିଷୟରେ ଗର୍ବ କରିବ ନାହିଁ।7କାରଣ କିଏ ତୁମକୁ ଅନ୍ୟଠାରୁ ଭିନ୍ନ କରିଛି? ତୁମର କଅଣ ଏପରି କିଛି ଅଛି ଯାହା ତୁମେ ଦାନ ରୂପେ ପାଇ ନାହଁ? ପୁଣି ଯଦି ଦାନ ରୂପେ ପାଇଛ, ତେବେ ଦାନ ରୂପେ ପାଇ ନ ଥିଲା ଭଳି କାହିଁକି ଗର୍ବ କରୁଅଛ?
8ଯାହା ତୁମେ ଚାହଁ ସେହିସବୁ ତୁମ୍ଭେମାନେ ତା ହେଲେ ପାଇ ସାରିଲଣି! ତୁମ୍ଭେମାନେ ଧନବାନ୍ ହୋଇ ସାରିଲଣି! ଆମକୁ ଛାଡ଼ି ତୁମ୍ଭେମାନେ ରାଜା ହୋଇ ଗଲଣି! ଆହା ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥାଆନ୍ତ କି ତା ହେଲେ ଆମେ ମଧ୍ୟ ତୁମ ସଙ୍ଗେ ରାଜତ୍ଵ କରନ୍ତୁ!9କାରଣ ମୋର ମନେ ହୁଏ ଯେ ଈଶ୍ୱର ଆମକୁ ଅର୍ଥାତ୍ ପ୍ରେରିତଶିଷ୍ୟମାନଙ୍କୁ ରଙ୍ଗଭୂମିରେ ମୃତ୍ୟୁଦଣ୍ଡ ପାଇବା ଲୋକଙ୍କପରି, ପ୍ରଦର୍ଶନ କରାଇବାକୁ ଶୋଭାଯାତ୍ରାର ଶେଷ ଭାଗରେ ରଖିଛନ୍ତି। ଆମେ ସମଗ୍ର ବିଶ୍ୱଜଗତରେ, ସ୍ଵର୍ଗଦୂତ ତଥା ମନୁଷ୍ୟମାନଙ୍କ ସମ୍ମୁଖରେ ଖେଳକୌତୁକର ବିଷୟ ହେଉଅଛୁ।10ଆମେ ସିନା ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଅଛୁ, କିନ୍ତୁ ଖ୍ରୀଷ୍ଟଙ୍କଠାରେ ଥିବାରୁ ତୁମ୍ଭେମାନେ ତ ବୁଦ୍ଧିମାନ! ଆମେ ସିନା ଦୁର୍ବଳ, କିନ୍ତୁ ତୁମ୍ଭେମାନେ ତ ବଳବାନ୍! ତୁମ୍ଭେମାନେ ତ ସମ୍ମାନପ୍ରାପ୍ତ, କିନ୍ତୁ ଆମେ ଅପମାନଗ୍ରସ୍ତ!11ଏବେ ସୁଦ୍ଧା ଆମେ କ୍ଷୁଧିତ ଓ ତୃଷିତ, ଆମେ ବସ୍ତ୍ରହୀନ, ନିର୍ଦ୍ଦୟ ଭାବରେ ବ୍ୟବହୃତ, ଓ ଆଶ୍ରୟହୀନ।12ଆମେ ନିଜ ହାତରେ କଠିନ ପରିଶ୍ରମ କରୁ। ଆମକୁ କେହି ଅଭୀଶାପ ଦେଲେ, ଆମେ ଆଶୀର୍ବାଦ କରିଥାଉ; ଆମେ ନିର୍ଯ୍ୟାତିତ ହେଲେ, ସହ୍ୟ କରିଥାଉ;13ଆମେ ନିନ୍ଦିତ ହେଲେ, କୋମଳ କଥାରେ ଉତ୍ତର ଦେଇଥାଉ। ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ ପୃଥିବୀର ଅଳିଆ ସଦୃଶ, ଓ ଜଗତର ଆବର୍ଜନା ସଦୃଶ ହୋଇଛୁ।
14ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଏସବୁ ଲେଖୁନାହିଁ ମାତ୍ର ତୁମ୍ଭମାନଙ୍କୁ ମୋର ପ୍ରିୟ ସନ୍ତାନ ମନେ କରି ସତର୍କ କରାଇ ଲେଖୁଛି।15ଖ୍ରୀଷ୍ଟଙ୍କ ବିଷୟରେ ଯଦିବା ତୁମ୍ଭମାନଙ୍କର ଦଶସହସ୍ର ଶିକ୍ଷାଗୁରୁ ଅଛନ୍ତି, ତଥାପି ଏକାଧିକ ପିତା ନାହାନ୍ତି, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ମୁଁ ସୁସମାଚାର ଦ୍ଵାରା ତୁମ୍ଭମାନଙ୍କର ପିତା ହେଲି।16ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ମୋତେ ଅନୁକରଣ କର।17ଏହି କାରଣରୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଉଛି, ସେ ମୋର ପ୍ରିୟ ପୁତ୍ର ସ୍ଵରୂପ, ଓ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବାରୁ ମୋର ଜୀବନଆଦର୍ଶ କି ପ୍ରକାର, ସେହିବିଷୟ ସେ ତୁମ୍ଭମାନଙ୍କୁ ସ୍ମରଣ କରାଇବେ ଠିକ ଏହା ହିଁ ମୁଁ ସର୍ବତ୍ର ସବୁ ମଣ୍ଡଳୀରେ ଶିକ୍ଷା ଦେଇଥାଏ।
18ମୁଁ ତୁମ୍ଭମାନଙ୍କ ନିକଟକୁ ସତେ ଯେପରି ଯିବି ନାହିଁ, ଏହା ମନେ କରି ତୁମ ମଧ୍ୟରୁ କେହି କେହି ଉଦ୍ଧତ ହୋଇଛନ୍ତି।19କିନ୍ତୁ ପ୍ରଭୁଙ୍କର ଇଚ୍ଛା ଥିଲେ, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବି, ଓ ସେତେବେଳେ ଏହି ଉଦ୍ଧତ ଲୋକେ କି ପ୍ରକାର କଥା କହୁଛନ୍ତି କେବଳ ତାହା ଜାଣିବି ନାହିଁ, ମାତ୍ର ସେମାନଙ୍କଠାରେ କି ଶକ୍ତି ଅଛି ତାହା ଜାଣିବି।20କାରଣ ଈଶ୍ୱରଙ୍କ ରାଜ୍ୟ କଥାର ବିଷୟ ନୁହେଁ ମାତ୍ର ଶକ୍ତିର ବିଷୟ।21ତେବେ ତୁମ୍ଭେମାନେ କଅଣ ପସନ୍ଦ କରୁଅଛ? ମୁଁ ତୁମ୍ଭମାନଙ୍କ ନିକଟକୁ ଚାବୁକ ଧରି ଯିବି, ନା ପ୍ରେମ ଓ କୋମଳ ମନରେ ଯିବି?

Biblica, Inc.

https://app.library.bible/content/97b51048ae7f2ec9