ଯୋହନ4

ଯୀଶୁ ଓ ଶମିରୋଣୀୟା ସ୍ତ୍ରୀ

1ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଲୋକଙ୍କୁ ଶିଷ୍ୟ କରୁଅଛନ୍ତି ଓ ଡୁବନ ଦେଉଛନ୍ତି ବୋଲି ଫାରୂଶୀମାନେ ଶୁଣିଲେ;2କିନ୍ତୁ ଯୀଶୁ ନିଜେ ଯେ ଡୁବନ ଦେଉଥିଲେ ତା ନୁହେଁ, ତାହାଙ୍କର ଶିଷ୍ୟମାନେ ଦେଉଥିଲେ।3ପ୍ରଭୁ ଯେତେବେଳେ ଏହା ଶୁଣିଲେ ସେ ଯିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ଚାଲିଗଲେ।
4ତାହାଙ୍କୁ ଶମରିଆ ମଧ୍ୟଦେଇ ଯିବାକୁ ପଡ଼ିଲା।5ସେ ଶମରିଆର ସୁଖାର ନାମକ ଗୋଟିଏ ସହରରେ ପହଞ୍ଚିଲେ, ଏହା ଯାକୁବ ନିଜର ପୁତ୍ର ଯୋସେଫଙ୍କୁ ଦେଇଥିବା ଜମି ନିକଟରେ ଥିଲା।6ସେଠାରେ ଯାକୁବଙ୍କ କୂପ ଥିଲା, ଏବଂ ଯୀଶୁ, ପଥଶ୍ରାନ୍ତ ହୋଇଥିବାରୁ, ସେହି କୂପ ନିକଟରେ ବସିଲେ। ସେତେବେଳେ ପ୍ରାୟ ମଧ୍ୟାହ୍ନ ସମୟ।
7ସେହି ସମୟରେ ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବାକୁ ଆସିଲା, ଯୀଶୁ ତାକୁ କହିଲେ, “ମୋତେ ପାଣି ଟିକେ ପିଇବାକୁ ଦିଅ।”8ସେତେବେଳେ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବାକୁ ସହର ଭିତରକୁ ଯାଇଥିଲେ।
9ସେହି ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, “ଆପଣ ଜଣେ ଯିହୁଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ। ଆପଣ କିପରି ମୋ ହାତରୁ ପାଣି ପିଇବାକୁ ମାଗୁଛନ୍ତି?” କାରଣ ଯିହୁଦୀମାନେ ଶମିରୋଣୀୟମାନଙ୍କ ସହିତ ମିଳାମିଶା କରନ୍ତି ନାହିଁ।
10ଯୀଶୁ ତାକୁ ଉତ୍ତର ଦେଲେ, “ଈଶ୍ୱରଙ୍କ ଦାନ କଅଣ ଓ କିଏ ତୁମକୁ ପାଣି ପିଇବାକୁ ମାଗୁଛନ୍ତି ତାହା ଯଦି ତୁମେ ଜାଣିଥାଆନ୍ତ, ତେବେ ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନଦାୟକ ଜଳ ଦିଅନ୍ତେ।”
11ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ପାଣି କାଢ଼ିବାକୁ ଆପଣଙ୍କ ପାଖରେ ବାଲଟି ବା କିଛି ନାହିଁ ପୁଣି ଏହି କୂପ ତ ଗଭୀର। ଆପଣ କେଉଁଠାରୁ ଏହି ଜୀବନଦାୟକ ଜଳ ପାଇବେ?12ଆମର ଯେଉଁ ପିତୃପୁରୁଷ ଯାକୁବ ଆମକୁ ଏହି କୂପ ଦେଇଛନ୍ତି, ଓ ନିଜେ ପୁଣି ତାଙ୍କର ପୁତ୍ରମାନେ ତଥା ଗୋମେଷାଦି ପଲ ଏଥିରୁ ପାନ କରିଥିଲେ, ଆପଣ କଅଣ ତାଙ୍କଠାରୁ ମହାନ୍?
13ଯୀଶୁ ଉତ୍ତର ଦେଲେ, “ଯେକେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ,14କିନ୍ତୁ ମୁଁ ଯେଉଁ ଜଳ ଦିଏ ତାହା ଯିଏ ପାନ କରେ ସେ କେବେହେଲେ ତୃଷିତ ହେବ ନାହିଁ। ବରଞ୍ଚ, ମୁଁ ତାକୁ ଯେଉଁ ଜଳ ଦିଏ ସେହି ଜଳ ତା ମଧ୍ୟରେ ନିର୍ଝର ସ୍ଵରୂପ ହୋଇ ଅନନ୍ତ ଜୀବନକୁ ଉଚ୍ଛୁଳି ଉଠୁଥିବ।”
15ସେହି ସ୍ତ୍ରୀଲୋକ ତାଙ୍କୁ କହିଲା, “ମହାଶୟ, ମୁଁ ଯେପରି ତୃଷାର୍ତ୍ତ ହେବି ନାହିଁ ଏବଂ ମୋତେ ଯେପରି ପାଣି କାଢ଼ିବା ପାଇଁ ଥରକୁ ଥର ଏଠାକୁ ଆସିବାକୁ ପଡ଼ିବ ନାହିଁ ସେଥିପାଇଁ ମୋତେ ଏହି ଜଳ ଦିଅନ୍ତୁ।”
16ଯୀଶୁ ତାହାକୁ କହିଲେ, “ଯାଅ, ତୁମର ସ୍ୱାମୀକୁ ଡାକି ଏଠାକୁ ଆସ।”
17ସ୍ତ୍ରୀଲୋକଟି କହିଲା, “ମୋର ସ୍ୱାମୀ କେହି ନାହିଁ।”
ଯୀଶୁ ତାକୁ କହିଲେ, “ତୁମର ସ୍ୱାମୀ କେହି ନାହିଁ ବୋଲି ଯାହା କହିଲ ତାହା ଠିକ କଥା।
18ପ୍ରକୃତରେ, ତୁମର ପାଞ୍ଚ ସ୍ୱାମୀ ଥିଲେ, ଓ ବର୍ତ୍ତମାନ ଯେଉଁ ପୁରୁଷ ତୁମ ପାଖେ ରହିଛ ସେ ତୁମର ସ୍ୱାମୀ ନୁହେଁ। ଏବେ ଯାହା କହିଲ ତାହା ସତ କଥା।”
19ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ଆପଣ ଯେ ଜଣେ ଭାବବାଦୀ “ଏହା ମୁଁ ଜାଣିପାରୁଛି।20ଆମର ପୂର୍ବପୁରୁଷମାନେ ଏହି ପର୍ବତରେ ଆରାଧନା କରୁଥିଲେ, କିନ୍ତୁ ଆପଣମାନେ ଅର୍ଥାତ୍, ଯିହୁଦୀମାନେ କହନ୍ତି ଯେ ଆମେ ଯେଉଁ ସ୍ଥାନରେ ଆରାଧନା କରିବା ଉଚିତ ତାହା ଯିରୂଶାଲମରେ ଅଛି।”
21ଯୀଶୁ ତାହାକୁ କହିଲେ, “ଆଗୋ ନାରୀ,” ମୋ କଥା ବିଶ୍ୱାସ କର, ସମୟ ଆସୁଛି, ଯେତେବେଳେ ଏହି ପର୍ବତରେ କି ଯିରୂଶାଲମରେ ତୁମ୍ଭେମାନେ ପିତାଙ୍କର ଆରାଧନା କରିବ ନାହିଁ।22ତୁମ୍ଭେମାନେ ନ ଜାଣି ଉପାସନା କରୁଥାଅ; କିନ୍ତୁ ଆମେ ତାହା ଜାଣି ଉପାସନା କରୁ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।23ତଥାପି ଏପରି ଏକ ସମୟ ଆସୁଛି ପ୍ରକୃତରେ କହିବାକୁ ଗଲେ ଏବେ ଆସିଗଲାଣି ଯେତେବେଳେ ସତ୍ୟ ଉପାସକମାନେ ଆତ୍ମା ଓ ସତ୍ୟରେ ପିତାଙ୍କର ଉପାସନା କରିବେ, କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି।24ଈଶ୍ୱର ଆତ୍ମା ଅଟନ୍ତି ଏବଂ ତାହାଙ୍କର ଉପାସକମାନେ ତାହାଙ୍କୁ ଆତ୍ମା ଓ ସତ୍ୟରେ ତାହାଙ୍କର ଉପାସନା କରିବା ଉଚିତ।
25ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମସୀହ” (ଯାହାଙ୍କୁ ଖ୍ରୀଷ୍ଟ କହନ୍ତି) “ସେ ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେବେ।”
26ତତ୍ପରେ ଯୀଶୁ ପ୍ରକାଶ କଲେ, “ମୁଁ, ଯେ କି ତୁମ ସହିତ କଥା କହୁଛି, ମୁଁ ସେହି।”
27ଠିକ ସେତିକିବେଳେ ତାଙ୍କର ଶିଷ୍ୟମାନେ ଫେରି ଆସିଲେ ଏବଂ ଜଣେ ସ୍ତ୍ରୀଲୋକ ସହିତ ତାଙ୍କୁ କଥାବାର୍ତ୍ତା କରୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ। କିନ୍ତୁ କେହି ତାଙ୍କୁ ପଚାରିଲେ ନାହିଁ, “ଆପଣ କଅଣ ଚାହାନ୍ତି?” କିମ୍ବା “ଆପଣ କାହିଁକି ତା ସହିତ କଥାବାର୍ତ୍ତା କରୁଛନ୍ତି?”
28ତତ୍ପରେ, ସ୍ତ୍ରୀଲୋକଟି ତାହାର କଳସୀ ଛାଡ଼ିଦେଇ, ସହରକୁ ଫେରିଗଲା ଓ ଲୋକମାନଙ୍କୁ କହିବାକୁ ଲାଗିଲା,29“ଆସ, ଜଣେ ବ୍ୟକ୍ତିଙ୍କୁ ଦେଖିବ ମୁଁ ଯେବେ ଯାହାକିଛି କରିଛି ସେହିସବୁ ସେ ମୋତେ କହିଛନ୍ତି। ଏ ଖ୍ରୀଷ୍ଟ ହୋଇଥାଇ ପାରନ୍ତି କି?”30ଲୋକମାନେ ସହରରୁ ବାହାରି ଯୀଶୁଙ୍କ ନିକଟକୁ ଚାଲିଲେ।
31ଇତିମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ଗୁରୁ, କିଛି ଭୋଜନ କରନ୍ତୁ।”
32କିନ୍ତୁ ସେ ସେମାନଙ୍କୁ କହିଲେ, “ମୋର ଏପରି ଖାଦ୍ୟ ଅଛି ଯେଉଁ ବିଷୟରେ ତୁମେମାନେ ଆଦୌ ଜାଣ ନାହିଁ।”
33ତତ୍ପରେ ଶିଷ୍ୟମାନେ ପରସ୍ପରକୁ କହିବାକୁ ଲାଗିଲେ, “କେହି ତାଙ୍କ ପାଇଁ ଖାଦ୍ୟ ଆଣି ଦେଇଛି କି?”
34ଯୀଶୁ କହିଲେ, “ଯେ ମୋତେ ପଠାଇଛନ୍ତି” ତାହାଙ୍କର ଇଚ୍ଛା ସାଧନ କରିବା ଓ “ତାହାଙ୍କର କାର୍ଯ୍ୟ ସଂପୂର୍ଣ୍ଣ କରିବା ହିଁ ମୋର ଖାଦ୍ୟ।35ଆଉ ଚାରି ମାସ ପରେ ଶସ୍ୟ କଟା ହେବ, ‘ଏହି କଥା କଅଣ ତୁମ୍ଭେମାନେ କହି ନ ଥାଅ’? ମୁଁ ତୁମ୍ଭମାନଙ୍କୁ କହୁଛି, ଆଖି ଖୋଲି କ୍ଷେତଗୁଡ଼ିକୁ ଦେଖ! କଟା ହେବା ପାଇଁ ସେହିସବୁ ପାଚିଗଲାଣି।36ଏବେ ମଧ୍ୟ କଟାଳି ମୂଲ ପାଉଛି ଏବେ ମଧ୍ୟ ସେ ଅନନ୍ତଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତା ହେଲେ ବୁଣାଳି ଓ କଟାଳି ଉଭୟେ ଏକତ୍ର ଆନନ୍ଦ ଲାଭ କରିବେ।37ଏହିରୂପେ ‘ଜଣେ ବୁଣେ ଓ ଅନ୍ୟ ଜଣେ କାଟେ’ ବୋଲି ଯେଉଁ ଉକ୍ତି ଅଛି ତାହା ସତ୍ୟ।38ଯାହା ପାଇଁ ତୁମ୍ଭେମାନେ ପରିଶ୍ରମ କରି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି। ଅନ୍ୟମାନେ କଠିନ ପରିଶ୍ରମ କରିଛନ୍ତି, ଓ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ଉପଭୋଗ କରିଛ।”
39“ମୁଁ ଯେବେ ଯାହାକିଛି କରିଛି ସେସବୁ ସେ ମୋତେ କହିଲେ” ସ୍ତ୍ରୀ ଲୋକଟିର ଏହି ସାକ୍ଷ୍ୟ ଯୋଗୁଁ, ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କଲେ।40ତେଣୁ ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି, ସେମାନଙ୍କ ସହିତ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ, ଏବଂ ସେ ସେଠାରେ ଦୁଇଦିନ ରହିଲେ।41ପୁଣି ତାହାଙ୍କର କଥା ଯୋଗୁଁ ଆହୁରି ଅନେକ ସଂଖ୍ୟକ ଲୋକ ବିଶ୍ୱାସୀ ହେଲେ।
42ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, “କେବଳ ତୁମ କଥା ହେତୁ ଯେ ଆମେ ବିଶ୍ୱାସ କରୁଛୁ ତା ନୁହେଁ; ଏବେ ଆମେ ନିଜେ ଶୁଣିଛୁ, ଓ ଜାଣିଛୁ ଯେ ପ୍ରକୃତରେ ଏହି ବ୍ୟକ୍ତି ଜଗତର ତ୍ରାଣକର୍ତ୍ତା।”

ଯୀଶୁ ରାଜକର୍ମଚାରୀଙ୍କ ପୁତ୍ରକୁ ସୁସ୍ଥ କଲେ

43ସେହି ଦୁଇଦିନ ପରେ ଯୀଶୁ ଗାଲିଲୀ ଅଭିମୁଖେ ବାହାରିଲେ।44କାରଣ ନିଜ ଦେଶରେ ଭାବବାଦୀ ସମ୍ମାନ ପାଏ ନାହିଁ ବୋଲି ଯୀଶୁ ନିଜେ ସୂଚନା ଦେଇ କହିଥିଲେ।45ସେ ଗାଲିଲୀରେ ପହଞ୍ଚିବା ପରେ, ଗାଲିଲୀୟମାନେ ତାଙ୍କୁ ସ୍ୱାଗତ କଲେ। ନିସ୍ତାର ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ ସେମାନେ ସେହିସବୁ ଦେଖିଥିଲେ, କାରଣ ସେମାନେ ମଧ୍ୟ ସେଠାରେ ଥିଲେ।
46ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ, ସେଠାକୁ ପୁଣି ଥରେ ଗଲେ। ସେଠାରେ ଜଣେ ରାଜକର୍ମଚାରୀ ଥିଲେ ତାଙ୍କର ପୁତ୍ର କଫର୍ନାହୁମରେ ପୀଡ଼ିତ ଥିଲା।47ଏହି ବ୍ୟକ୍ତି ଯେତେବେଳେ ଶୁଣିଲେ ଯେ ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି, ସେ ତାହାଙ୍କ ନିକଟକୁ ଗଲେ ଏବଂ ଆସି ତାଙ୍କର ପୁତ୍ରକୁ ସୁସ୍ଥକରିବା ପାଇଁ ଗୁହାରି କଲେ, କାରଣ ପୁତ୍ରଟି ମୁମୂର୍ଷୁ ଅବସ୍ଥାରେ ଥିଲା।
48ଯୀଶୁ ତାଙ୍କୁ କହିଲେ, “ଅଲୌକିକ ଚିହ୍ନ ଓ କର୍ମସକଳ ନ ଦେଖିଲେ,” ତୁମେ ସମସ୍ତେ କେବେ ବିଶ୍ୱାସ କରିବ ନାହିଁ।
49ରାଜକର୍ମଚାରୀ କହିଲେ, “ମହାଶୟ, ମୋ ପିଲାଟି ମରିଯିବା ପୂର୍ବରୁ ଆସନ୍ତୁ।”
50ଯୀଶୁ ଉତ୍ତର ଦେଲେ, ତୁମେ ଯାଅ, ତୁମର ପୁଅ ବଞ୍ଚିବ।
ସେହି ବ୍ୟକ୍ତି ଯୀଶୁଙ୍କ କଥାରେ ବିଶ୍ୱାସ କରି ଚାଲିଗଲେ।
51ବାଟରେ ଯାଉଁ ଯାଉଁ, ତାଙ୍କର ପୁଅ ବଞ୍ଚିଲା ବୋଲି ଖବର ନେଇ ଦାସମାନେ ତାଙ୍କୁ ଭେଟିଲେ।52କେଉଁ ସମୟରୁ ତାଙ୍କର ପୁତ୍ର ଆରୋଗ୍ୟତା ଲାଭ କଲା ବୋଲି ପ୍ରଶ୍ନ କରିବାରୁ, ସେମାନେ ତାଙ୍କୁ କହିଲେ, “ଗତକାଲି, ସାତ ଘଣ୍ଟା ସମୟରେ, ତାହାର ଜ୍ୱର ଛାଡ଼ିଗଲା।”
53ସେତେବେଳେ ପିତା ବୁଝୀପାରିଲେ ଯେ ଠିକ ସେହି ସମୟରେ ହିଁ ଯୀଶୁ ତାଙ୍କୁ କହିଥିଲେ, “ତୁମର ପୁଅ ବଞ୍ଚିବ।” ଅତଏବ ସେ ଓ ତାଙ୍କର ପରିବାରର ସମସ୍ତେ ବିଶ୍ୱାସ କଲେ।
54ଯିହୁଦାରୁ ଗାଲିଲୀକୁ ଆସିବା ପରେ ଏହା ଥିଲା ଯୀଶୁଙ୍କର ଦ୍ୱିତୀୟ ଅଲୌକିକ କର୍ମ।

Biblica, Inc.

https://app.library.bible/content/97b51048ae7f2ec9