ଯୋହନ5
ପୁଷ୍କରିଣୀ ନିକଟରେ ରୋଗୀର ସୁସ୍ଥତା
1ଏହାର କିଛିକାଳ ପରେ, ଯିହୁଦୀମାନଙ୍କର ଏକ ପର୍ବ ପାଇଁ ଯୀଶୁ ଯିରୂଶାଲମକୁ ଗଲେ।2ଯିରୂଶାଲମର ମେଷଦ୍ଵାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି, ଏହାକୁ ହିବ୍ରୁ ଭାଷାରେ ବେଥେସ୍ଦା କହନ୍ତି ଓ ଏହା ଛାତ ଥିବା ପାଞ୍ଚୋଟି ମଣ୍ଡପ ଦ୍ଵାରା ପରିବେଷ୍ଟିତ।3ଏହିଠାରେ ବହୁସଂଖ୍ୟକ ବିକଳାଙ୍ଗ ଲୋକ ଅନ୍ଧ, ଖଞ୍ଜ ଓ ପକ୍ଷାଘାତଗ୍ରସ୍ତ ରୋଗୀ, ପଡ଼ି ରହୁଥିଲେ ଏମାନେ ପାଣି ହଲିବା ଅପେକ୍ଷାରେ ରହୁଥିଲେ।4କାରଣ ପ୍ରଭୁଙ୍କର ଜଣେ ଦୂତ କେବେ କେବେ ଓହ୍ଲାଇ ଆସି ପାଣିକୁ ହଲାଇ ଦେଉଥିଲେ। ପାଣି ହଲିବା ପରେ, ଯିଏ ପ୍ରଥମେ ପୁଷ୍କରିଣୀରେ ପ୍ରବେଶ କରୁଥିଲା, ତାହାର ଯେକୌଣସି ରୋଗ ଥିଲେ ମଧ୍ୟ ସେ ସୁସ୍ଥ ହେଉଥିଲା5ସେଠାରେ ଏପରି ଜଣେ ଲୋକ ଥିଲା ଯେ କି ଅଠତିରିଶ ବର୍ଷ ପର୍ଯ୍ୟନ୍ତ ଅକ୍ଷମ ଅବସ୍ଥାରେ ରହିଥିଲା।6ଯେତେବେଳେ ଯୀଶୁ ତାକୁ ସେଠାରେ ପଡ଼ିଥିବାର ଦେଖିଲେ ଓ ବହୁକାଳ ଧରି ସେପରି ଅବସ୍ଥାରେ ରହିଥିବାର ଜାଣିଲେ, ସେ ତାକୁ ପଚାରିଲେ, “ତୁମେ କଣ ସୁସ୍ଥ ହେବାକୁ ଚାହୁଁଛ?”7ସେହି ଅକ୍ଷମ ଲୋକ ଉତ୍ତର ଦେଲା, ଆଜ୍ଞା, ପାଣି ହଲିଲା ବେଳେ ପୋଖରୀ ଭିତରକୁ ଯିବା ପାଇଁ ମୋତେ ସାହାଯ୍ୟ କରିବାକୁ ମୋର କେହି ନାହିଁ। ମୁଁ ଭିତରକୁ ଯିବା ପାଇଁ ଚେଷ୍ଟା କଲା ବେଳକୁ, ଅନ୍ୟ କେହି ଜଣେ ମୋ ଆଗରୁ ପଶିଯାଏ।8ତତ୍ପରେ ଯୀଶୁ ତାକୁ କହିଲେ, “ଉଠ! ତୁମର ବିଛଣା ନେଇ ଚାଲ।”9ତତ୍କ୍ଷଣାତ୍ ଲୋକଟି ସୁସ୍ଥ ହେଲା; ସେ ବିଛଣା ଉଠାଇ ଚାଲିଲା।ଯେଉଁଦିନ ଏହି ଘଟଣା ଘଟିଥିଲା ସେଦିନ ଶାବତବାର ଥିଲା,10ତେଣୁ ସୁସ୍ଥ ହୋଇଥିବା ଲୋକକୁ ଯିହୁଦୀମାନେ କହିଲେ, “ଆଜି ଶାବତବାର; ବିଛଣା ବୋହିବା ବିଧିନିଷିଦ୍ଧ କାର୍ଯ୍ୟ।”11କିନ୍ତୁ ସେ ଉତ୍ତର ଦେଲା, “ଯେଉଁ ବ୍ୟକ୍ତି ମୋତେ ସୁସ୍ଥ କଲେ ସେ ତ ମୋତେ କହିଲେ, ‘ତୁମର ବିଛଣା ଉଠାଇ ଚାଲ।’ ”12ଅତଏବ ସେମାନେ ତାକୁ ପଚାରିଲେ, “ଯିଏ ତୋତେ ବିଛଣା ଧରି ଚାଲିବାକୁ କହିଲା ସେ ଲୋକ କିଏ?”13ସେହି ବ୍ୟକ୍ତି କିଏ ବୋଲି ସୁସ୍ଥ ହୋଇଥିବା ଲୋକଟିର ଧାରଣା ନ ଥିଲା, କାରଣ ଯୀଶୁ ସେଠାରେ ଲୋକଗହଳି ମଧ୍ୟରେ ମିଶି ଯାଇଥିଲେ।14ପରେ ଯୀଶୁ ମନ୍ଦିରରେ ତାକୁ ଦେଖି କହିଲେ, “ଦେଖ, ତୁମେ ସୁସ୍ଥ ହୋଇଛ। ଆଉ ପାପ କର ନାହିଁ ନଚେତ୍ ତୁମ ପ୍ରତି ଆହୁରି ଅଧିକ ମନ୍ଦ କିଛି ଘଟିପାରେ।”15ଲୋକଟି ଚାଲିଗଲା ଓ ଯେ ତାକୁ ସୁସ୍ଥ କରିଥିଲେ ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।
ଯୀଶୁଙ୍କ ଦ୍ଵାରା ଜୀବନ ମିଳେ
16ଯୀଶୁ ଶାବତବାରରେ ଏହିସବୁ କାର୍ଯ୍ୟ କରୁଥିବାରୁ, ଯିହୁଦୀମାନେ ତାଙ୍କୁ ଉତ୍ପୀଡ଼ନ କଲେ।17ଯୀଶୁ ସେମାନଙ୍କୁ କହିଲେ, “ମୋର ପିତା ଏପର୍ଯ୍ୟନ୍ତ ତାହାଙ୍କର କାର୍ଯ୍ୟ ସାଧନ କରୁଛନ୍ତି, ଓ ମୁଁ ମଧ୍ୟ କାର୍ଯ୍ୟ କରୁଅଛି।”18ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବାକୁ ଆହୁରି ଅଧିକ ଚେଷ୍ଟା କଲେ; ଯେହେତୁ ସେ ଯେ କେବଳ ଶାବତବାର ନିୟମ ଭଙ୍ଗ କରୁଥିଲେ, ତା ନୁହେଁ ମାତ୍ର ଈଶ୍ୱରଙ୍କୁ ନିଜର ପିତା ବୋଲି ସମ୍ବୋଧନ କରି, ନିଜକୁ ଈଶ୍ୱରଙ୍କ ସମକକ୍ଷ କରୁଥିଲେ।19ଯୀଶୁ ସେମାନଙ୍କୁ ଏହି ଉତ୍ତର ଦେଲେ: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ପୁତ୍ର ନିଜ ଇଚ୍ଛାରୁ କିଛି କରିପାରନ୍ତି ନାହିଁ; ସେ ତାହାଙ୍କ ପିତାଙ୍କୁ ଯାହା କରିବାର ଦେଖନ୍ତି କେବଳ ତାହା ହିଁ କରିପାରନ୍ତି, କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ତାହା କରନ୍ତି।20ଯେହେତୁ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି ଏବଂ ସେ ଯାହା କରନ୍ତି ସେହିସବୁ ତାଙ୍କ ନିକଟରେ ପ୍ରକାଶ କରନ୍ତି। ତୁମ୍ଭେମାନେ ଯେପରି ଆଚମ୍ବିତ ହେବ, ଏଥିପାଇଁ ଏହିସବୁ ଅପେକ୍ଷା, ସେ ଆହୁରି ମହତ୍ ବିଷୟମାନ ତାହାଙ୍କ ନିକଟରେ ପ୍ରକାଶ କରିବେ।21କାରଣ ପିତା ଯେପରି ମୃତ ଲୋକମାନଙ୍କୁ ପୁନରୁତ୍ଥିତ କରି ଜୀବନ ଦାନ କରନ୍ତି, ସେହିପରି ପୁତ୍ର ମଧ୍ୟ ଯାହାକୁ ଇଚ୍ଛା ତାହାକୁ ଜୀବନ ଦାନ କରନ୍ତି।22ଆହୁରି ମଧ୍ୟ, ପିତା କାହାର ବିଚାର କରନ୍ତି ନାହିଁ, କିନ୍ତୁ ସେସମସ୍ତ ବିଚାର ଭାର ପୁତ୍ରଙ୍କୁ ଅର୍ପଣ କରିଛନ୍ତି,23ଏତଦ୍ଦ୍ୱାରା ସମସ୍ତେ ପିତାଙ୍କୁ ଯେପରି ସମ୍ଭ୍ରମ କରନ୍ତି ପୁତ୍ରଙ୍କୁ ମଧ୍ୟ ସେହିପରି ସମ୍ଭ୍ରମ କରିବେ। ଯେ ପୁତ୍ରଙ୍କୁ ସମ୍ଭ୍ରମ କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମ୍ଭ୍ରମ କରେ ନାହିଁ।24“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେକେହି ମୋର କଥା ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତଜୀବନ ଲାଭ କରିଛି ଓ ସେ ଦଣ୍ଡିତ ହେବ ନାହିଁ ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।25ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେଉଁ ସମୟରେ ମୃତଲୋକେ ଈଶ୍ୱରଙ୍କ ପୁତ୍ରଙ୍କ ସ୍ଵର ଶୁଣିବେ ଓ ଯେଉଁମାନେ ତାହା ଶୁଣିବେ ସେମାନେ ସଜୀବ ହେବେ ଏପରି ସମୟ ଆସୁଅଛି ଏବଂ ପ୍ରକୃତରେ ତାହା ଆସିଗଲାଣି।26କାରଣ ପିତା ଯେପରି ସ୍ଵୟଂଜୀବୀ, ସେହିପରି ପୁତ୍ରଙ୍କୁ ମଧ୍ୟ ସ୍ଵୟଂଜୀବୀ ହେବାକୁ ସେ ଅଧିକାର ଦେଇଛନ୍ତି।27ପୁଣି ସେ ତାହାଙ୍କୁ ବିଚାର କରିବା ଅଧିକାର ଦେଇଛନ୍ତି କାରଣ ସେ ମନୁଷ୍ୟପୁତ୍ର ଅଟନ୍ତି।28“ଏ ବିଷୟରେ ବିସ୍ମୟାନ୍ୱିତ ହୁଅ ନାହିଁ, କାରଣ ଏପରି ଏକ ସମୟ ଆସୁଛି ଯେତେବେଳେ ସମାଧିରେ ଥିବା ସମସ୍ତେ ତାହାଙ୍କର ସ୍ଵର ଶୁଣିବେ29ଏବଂ ବାହାରି ଆସିବେ ଯେଉଁମାନେ ସତ୍କର୍ମ କରିଛନ୍ତି ସେମାନେ ଜୀବନଲାଭ କରିବାକୁ ଉଠିବେ, ଓ ଯେଉଁମାନେ ଅସତ୍ କର୍ମ କରିଛନ୍ତି ସେମାନେ ଦଣ୍ଡଭୋଗ କରିବାକୁ ଉଠିବେ।30ମୁଁ ନିଜରୁ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ ସେପରି ବିଚାର କରେ, ମୋର ବିଚାର ନ୍ୟାୟସଙ୍ଗତ, କାରଣ ମୁଁ ନିଜ ଇଚ୍ଛା ନ ଲୋଡ଼ି ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ଲୋଡ଼ିଥାଏ।ଯୀଶୁଙ୍କ ସମ୍ବନ୍ଧରେ ଚାରୋଟି ସାକ୍ଷ୍ୟ
31“ମୁଁ ଯଦି ନିଜ ସମ୍ବନ୍ଧରେ ସାକ୍ଷ୍ୟ ଦିଏ, ତେବେ ମୋର ସାକ୍ଷ୍ୟ ବିଧିସଙ୍ଗତ ନୁହେଁ।32ଆଉ ଜଣେ ଅଛନ୍ତି ଯେ ମୋ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି, ଏବଂ ମୋ ସମ୍ବନ୍ଧରେ ତାଙ୍କର ସାକ୍ଷ୍ୟ ଯେ ସତ୍ୟ ଏହା ମୁଁ ଜାଣେ।33“ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଛ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି।34ମନୁଷ୍ୟର ସାକ୍ଷ୍ୟ ଯେ ମୋ ନିକଟରେ ଗ୍ରହଣୀୟ ତା ନୁହେଁ; କିନ୍ତୁ ତୁମ୍ଭେମାନେ ଯେପରି ପରିତ୍ରାଣ ପାଇବ ଏଥିପାଇଁ ମୁଁ ଏସବୁ କହୁଛି।35ଯୋହନ ଥିଲେ ଏକ ପ୍ରଦୀପ ଯାହା ଜଳି ଆଲୋକ ପ୍ରଦାନ କଲା, ଏବଂ ତାହାଙ୍କ ଆଲୋକ କିଛିକାଳ ଉପଭୋଗ କରିବାକୁ ତୁମ୍ଭେମାନେ ପସନ୍ଦ କଲ।36“କିନ୍ତୁ ମୋର ଯେଉଁ ସାକ୍ଷ୍ୟ ଅଛି ତାହା ଯୋହନଙ୍କ ସାକ୍ଷ୍ୟ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ। କାରଣ ପିତା ମୋତେ ଯେଉଁ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପଠାଇଛନ୍ତି ଓ ଯାହା ମୁଁ କରୁଛି ତାହା ହିଁ ସାକ୍ଷ୍ୟ ଦେଉଛି ଯେ ପିତା ମୋତେ ପଠାଇଛନ୍ତି।37ପୁଣି ମୋର ପ୍ରେରଣକର୍ତ୍ତା ପିତା ନିଜେ ମୋ ସମ୍ବନ୍ଧରେ ସାକ୍ଷ୍ୟ ଦେଇଛନ୍ତି। ତୁମ୍ଭେମାନେ କେବେ ତାହାଙ୍କର ସ୍ଵର ଶୁଣି ନାହଁ କି ତାହାଙ୍କର ଆକୄତି ଦେଖି ନାହଁ,38କିମ୍ବା ତାହାଙ୍କର ବାକ୍ୟ ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି ତୁମେ ତାଙ୍କୁ ବିଶ୍ୱାସ କରୁ ନାହଁ।39ତୁମ୍ଭେମାନେ ଧର୍ମଶାସ୍ତ୍ର ଅଧ୍ୟୟନ କରୁଛ କାରଣ ସେଗୁଡ଼ିକ ମାଧ୍ୟମରେ ଅନନ୍ତଜୀବନ ଲାଭ କରୁଛ ବୋଲି ତୁମେ ମନେ କରୁଛ। ଏହି ଧର୍ମଶାସ୍ତ୍ର ହିଁ ମୋ ବିଷୟରେ ସାକ୍ଷ୍ୟ ଦିଏ,40ତଥାପି ଜୀବନଲାଭ କରିବାକୁ ମୋ ନିକଟକୁ ଆସିବା ପାଇଁ ତୁମ୍ଭେମାନେ ଅସମ୍ମତ।41“ମୁଁ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ଗ୍ରହଣ କରେ ନାହିଁ,42କାରଣ ମୁଁ ତୁମ୍ଭମାନଙ୍କୁ ଜାଣେ। ତୁମ୍ଭମାନଙ୍କ ଅନ୍ତରରେ ଈଶ୍ୱରଙ୍କ ପ୍ରେମ ନାହିଁ ବୋଲି ମୁଁ ଜାଣେ।43ମୁଁ ମୋର ପିତାଙ୍କ ନାମରେ ଆସିଛି, ଅଥଚ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ; କିନ୍ତୁ ଅନ୍ୟ କେହି ଯଦି ନିଜ ନାମରେ ଆସେ, ତୁମ୍ଭେମାନେ ତ ତାହାକୁ ଗ୍ରହଣ କରିବ।44ତୁମ୍ଭେମାନେ ଯଦି ପରସ୍ପରଠାରୁ ପ୍ରଶଂସା ଗ୍ରହଣ କରୁଛ ଅଥଚ ଯେଉଁ ପ୍ରଶଂସା ଏକମାତ୍ର ଈଶ୍ୱରଙ୍କଠାରୁ ଆସେ ତାହା ପାଇବାକୁ ଆଦୌ ଚେଷ୍ଟା କରୁ ନାହଁ ତା ହେଲେ ତୁମ୍ଭେମାନେ କିପରି ବିଶ୍ୱାସ କରିପାରିବ?45“କିନ୍ତୁ ପିତାଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି ବୋଲି ମନେକର ନାହିଁ। ଯେଉଁ ମୋଶାଙ୍କ ଉପରେ ଭରସା ରଖିଛ, ସେ ହିଁ ତୁମ୍ଭମାନଙ୍କର ଅଭିଯୋଗକାରୀ।46ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କର, ତେବେ ମୋତେ ବିଶ୍ୱାସକରନ୍ତ, କାରଣ ସେ ମୋ ବିଷୟରେ ଲେଖିଥିଲେ।47କିନ୍ତୁ ସେ ଯାହା ଲେଖିଥିଲେ ତାହା ତୁମ୍ଭେମାନେ ବିଶ୍ୱାସ କରୁ ନ ଥିବାରୁ, ମୁଁ ଯାହା କହୁଛି ତାହା କିପରି ବିଶ୍ୱାସ କରିବ?”Biblica, Inc.