ଯୋହନ21

ପୁନରୁତ୍ଥିତ ଯୀଶୁ ଗାଲିଲୀ କୂଳରେ ଦର୍ଶନ ଦେଲେ

1ପରେ ଯୀଶୁ ତିବିରିଆ ହ୍ରଦକୂଳରେ, ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ଏହିପରି ଘଟିଲା:2ଶିମୋନ ପିତର, ଥୋମା ଦିଦୁମ ଗାଲିଲୀର କାନ୍ନା ନଗରବାସୀ ନିଥନିଏଲ, ଜେବଦୀଙ୍କ ପୁତ୍ରମାନେ, ଏବଂ ଅନ୍ୟ ଦୁଇଜଣ ଶିଷ୍ୟ ଏକତ୍ରିତ ହୋଇଥିଲେ।3ଶିମୋନ ପିତର ସେମାନଙ୍କୁ କହିଲେ, “ମୁଁ ମାଛ ଧରିବାକୁ ଯାଉଛି,” ସେମାନେ କହିଲେ, “ଆମେ ମଧ୍ୟ ତୁମ ସହିତ ଯିବା।” ଅତଏବ ସେମାନେ ବାହାରି ଗୋଟିଏ ନୌକାରେ ଚଢ଼ିଲେ, କିନ୍ତୁ ସେହି ରାତ୍ରିରେ ସେମାନେ କିଛି ଧରି ପାରିଲେ ନାହିଁ।
4ପାହାନ୍ତା ବେଳକୁ, ଯୀଶୁ ଆସି କୂଳରେ ଠିଆ ହେଲେ, କିନ୍ତୁ ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିପାରିଲେ ନାହିଁ।
5ସେ ସେମାନଙ୍କୁ ଡାକି କହିଲେ, “ବନ୍ଧୁମାନେ, ତୁମମାନଙ୍କ ପାଖେ କିଛି ମାଛ ଅଛି?”
ସେମାନେ ଉତ୍ତର ଦେଲେ, “କିଛି ନାହିଁ।”
6ସେ କହିଲେ, “ନୌକାର ଡାହାଣ ପାଖେ ଜାଲ ପକାଅ ତା ହେଲେ ତୁମେମାନେ କିଛି ପାଇବ।” ସେମାନେ ତାହା କରିବାରୁ, ଏତେ ସଂଖ୍ୟାରେ ମାଛ ପଡ଼ିଲା ଯେ ସେମାନେ ଜାଲ ଟାଣି ପାରିଲେ ନାହିଁ।
7ଏହାପରେ ଯେଉଁ ଶିଷ୍ୟ ଯୀଶୁଙ୍କର ପ୍ରିୟ ଥିଲେ ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ!” ଶିମୋନ ପିତର ଯେମିତି ଶୁଣିଲେ “ଏ ତ ପ୍ରଭୁ,” ସେ ତତ୍‌କ୍ଷଣାତ୍ ତାଙ୍କର ଚାଦରଟି ଗୁଡ଼ାଇ ହୋଇ ପାଣିକୁ ଡେଇଁ ପଡ଼ିଲେ, କାରଣ ସେ ଖାଲି ଦେହରେ ଥିଲେ।8ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ, ଜାଲକୁ ଟାଣି ଟାଣି ନୌକାରେ କୂଳକୁ ଆସିଲେ, କାରଣ ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ପ୍ରାୟ ଦୁଇଶହ ହାତ ଦୂରରେ ଥିଲେ।9କୂଳରେ ଓହ୍ଲାଇ, ସେମାନେ ସେଠାରେ କିଛି ରୋଟୀ, ଏବଂ ଜଳନ୍ତା କୋଇଲାର ନିଆଁ ଉପରେ ମାଛ ସେକା ହେଉଥିବାର ଦେଖିଲେ।
10ଯୀଶୁ ସେମାନଙ୍କୁ କହିଲେ, “ତୁମେମାନେ ଏହିକ୍ଷଣି ଯେଉଁ ମାଛ ଧରିଛ ସେଥିରୁ କିଛି ଆଣ!”11ଶିମୋନ ପିତର ନୌକାରେ ଚଢ଼ିଲେ ଏବଂ ବଡ଼ ବଡ଼ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଟାଣି କୂଳକୁ ଆଣିଲେ। ଜାଲରେ ଶହେ ତେପନ ଟି ମାଛ ଥିଲେ ମଧ୍ୟ, ତାହା ଛିଣ୍ଡିଲା ନାହିଁ।12ଯୀଶୁ ସେମାନଙ୍କୁ କହିଲେ, “ଆସ ଖାଅ।” ତଥାପି ଶିଷ୍ୟମାନଙ୍କ ମଧ୍ୟରୁ କେହି ହେଲେ ସାହସ କରି ତାଙ୍କୁ ପଚାରିଲେ ନାହିଁ, “ଆପଣ କିଏ?” କାରଣ ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ।13ଯୀଶୁ ଆସି, ରୋଟୀ ନେଇ ସେମାନଙ୍କୁ ଦେଲେ, ଏବଂ ସେହିପ୍ରକାରେ ମାଛ ମଧ୍ୟ ଦେଲେ।14ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲାପରେ ଶିଷ୍ୟମାନଙ୍କ ନିକଟରେ ଯୀଶୁ ଦର୍ଶନ ଦେବାର ଏହା ଥିଲା ତୃତୀୟ ଥର।

ପିତରଙ୍କୁ ଯୀଶୁଙ୍କର ଶେଷ ଆଜ୍ଞା

15ସେମାନେ ଭୋଜନ ଶେଷ କଲା ଉତ୍ତାରେ, ଯୀଶୁ ଶିମୋନ ପିତରଙ୍କୁ କହିଲେ, “ହେ ଯୋହନ ପୁତ୍ର ଶିମୋନ, ତୁମେ କଣ ଏମାନଙ୍କ ଅପେକ୍ଷା ପ୍ରକୃତରେ ମୋତେ ଅଧିକ ପ୍ରେମ କରୁଛ?”
ସେ କହିଲେ, “ହଁ ପ୍ରଭୁ, ମୁଁ ଆପଣଙ୍କୁ ଭଲ ପାଏ ବୋଲି ଆପଣ ଜାଣନ୍ତି।”
ଯୀଶୁ କହିଲେ, “ମୋର ମେଷଶାବକମାନଙ୍କୁ ପ୍ରତିପାଳନ କର।”
16ଯୀଶୁ ପୁନର୍ବାର କହିଲେ, “ଯୋହନ ପୁତ୍ର ଶିମୋନ, ତୁମେ କଣ ମୋତେ ପ୍ରକୃତରେ ପ୍ରେମ କରୁଛ?”
ସେ ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଭଲ ପାଏ ବୋଲି ଆପଣ ଜାଣନ୍ତି।”
ଯୀଶୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।”
17ସେ ତୃତୀୟ ଥର ତାଙ୍କୁ କହିଲେ, “ଯୋହନ ପୁତ୍ର ଶିମୋନ, ତୁମେ କଣ ମୋତେ ଭଲ ପାଅ?”
ଯୀଶୁ ପିତରଙ୍କୁ ତୃତୀୟ ଥର, “ତୁମେ କଅଣ ମୋତେ ଭଲ ପାଅ?” ଏ କଥା ପଚାରିବାରୁ ସେ ଦୁଃଖିତ ହେଲେ, ସେ କହିଲେ, “ପ୍ରଭୁ, ଆପଣ ସବୁକିଛି ଜାଣନ୍ତି; ମୁଁ ଯେ ଆପଣଙ୍କୁ ଭଲ ପାଏ ତାହା ଆପଣ ଜାଣନ୍ତି।”
ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।
18ମୁଁ ତୁମକୁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ନିଜର କଟି ବାନ୍ଧି ଯେଉଁଆଡ଼େ ଇଚ୍ଛା ସେଆଡ଼େ ଗଲ; କିନ୍ତୁ ବୃଦ୍ଧ ହେଲେ ତୁମେ ହାତ ବଢ଼ାଇବ, ଓ ଅନ୍ୟ ଜଣେ ତୁମର କଟି ବାନ୍ଧି ଯେଉଁଆଡ଼େ ତୁମର ଇଚ୍ଛା ନାହିଁ ସେଆଡ଼େ ତୁମକୁ ନେଇଯିବ।”19ଈଶ୍ୱରଙ୍କ ଗୌରବାର୍ଥେ ପିତର କେଉଁ ପ୍ରକାର ମୃତ୍ୟୁଭୋଗ କରିବେ ତାହାର ସୂଚନା ଦେବାକୁ ଯୀଶୁ ଏହା କହିଥିଲେ। ତତ୍ପରେ ସେ ପିତରଙ୍କୁ କହିଲେ, “ମୋର ଅନୁଗମନ କର।”
20ପିତର ବୁଲିପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟ ଯୀଶୁଙ୍କର ପ୍ରିୟ ଥିଲେ ସେ ସେମାନଙ୍କ ପଛେ ପଛେ ଆସୁଛନ୍ତି। ରାତ୍ରଭୋଜ ବେଳେ ଯିଏ ଯୀଶୁଙ୍କ ଆଡ଼କୁ ଆଉଜି ପଡ଼ି ପଚାରିଥିଲେ, “ପ୍ରଭୁ, କିଏ ଆପଣଙ୍କ ପ୍ରତି ବିଶ୍ୱାସଘାତକତା କରିବ?” ଏ ହେଉଛନ୍ତି ସେହି ଶିଷ୍ୟ21ପିତର ତାଙ୍କୁ ଦେଖି ପଚାରିଲେ, “ପ୍ରଭୁ, ଏହାଙ୍କର କଅଣ ହେବ?”
22ଯୀଶୁ ଉତ୍ତର ଦେଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ମୁଁ ଯଦି ଇଚ୍ଛା କରେ, ତେବେ ସେଥିରେ ତୁମର କଅଣ ଅଛି? ତୁମେ ମୋର ଅନୁଗମନ କର।”23ଏହି କାରଣରୁ, ସେହି ଶିଷ୍ୟ ମୃତ୍ୟୁଭୋଗ କରିବେ ନାହିଁ ବୋଲି ଭାଇମାନଙ୍କ ମଧ୍ୟରେ ଜନରବ ହୋଇଗଲା। କିନ୍ତୁ ସେ ମୃତ୍ୟୁଭୋଗ କରିବେ ନାହିଁ ବୋଲି ଯୀଶୁ କହି ନ ଥିଲେ; ସେ କେବଳ ଏତିକି କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ମୁଁ ଯଦି ଇଚ୍ଛା କରେ, ତେବେ ସେଥିରେ ତୁମର କଣ ଅଛି?”
24ଏ ହେଉଛନ୍ତି ସେହି ଶିଷ୍ୟ, ଯିଏ ଏହିସମସ୍ତ ବିଷୟର ସାକ୍ଷ୍ୟ ଦେଉଛନ୍ତି ଓ ଏହିସମସ୍ତ ଲିପିବଦ୍ଧ କରିଛନ୍ତି। ପୁଣି ତାଙ୍କର ସାକ୍ଷ୍ୟ ଯେ ସତ୍ୟ ଏହା ଆମେ ଜାଣୁ।
25ଯୀଶୁ ଆହୁରି ଅନେକ କର୍ମ ମଧ୍ୟ ସାଧନ କରିଥିଲେ। ସେଥିରୁ ପ୍ରତ୍ୟେକଟି ଯଦି ଲେଖା ଯାଆନ୍ତା, ତେବେ ଲିଖିତ ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ଜାଗା ହୁଅନ୍ତା ନାହିଁ।

Biblica, Inc.

https://app.library.bible/content/97b51048ae7f2ec9