ଯୋହନ20
ଶୂନ୍ୟ ସମାଧି
1ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ, ଅନ୍ଧାର ଥାଉଁ ଥାଉଁ, ମଗ୍ଦଲାବାସିନୀ ମରିୟମ ସମାଧି ନିକଟକୁ ଗଲେ ଏବଂ ସମାଧି ଦ୍ଵାରରୁ ପଥରଟା ଘୁଞ୍ଚାଇ ଦିଆ ଯାଇଥିବାର ଦେଖିଲେ।2ତେଣୁ ସେ ଦୈଡ଼ିଯାଇ ଶିମୋନ ପିତରଙ୍କୁ ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କୁ କହିଲେ, “ସେମାନେ ପ୍ରଭୁଙ୍କୁ ସମାଧି ମଧ୍ୟରୁ ନେଇ ଯାଇଛନ୍ତି, ଓ ତାଙ୍କୁ କେଉଁଠି ରଖିଛନ୍ତି ଆମେ ଜାଣି ନାହୁଁ!”3ଅତଏବ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ଅଭିମୁଖେ ବାହାରିଲେ।4ଉଭୟେ ଦୌଡ଼ୁଥିଲେ, କିନ୍ତୁ ଅନ୍ୟ ଶିଷ୍ୟଜଣକ ପିତରଙ୍କ ଅପେକ୍ଷା ଶୀଘ୍ର ଦୈଡ଼ି ସମାଧି ନିକଟରେ ପ୍ରଥମେ ପହଞ୍ଚିଲେ।5ସେ ନଇଁପଡ଼ି ଭିତରକୁ ଚାହିଁଲେ ଏବଂ ସୂତୀ ଲୁଗାଗୁଡ଼ିକ ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।6ତା ପରେ ଶିମୋନ ପିତର ତାଙ୍କ ପଛେ ପଛେ ଯାଇ ପହଞ୍ଚିଲେ ଓ ସମାଧି ମଧ୍ୟରେ ପ୍ରବେଶ କଲେ। ସେ ଦେଖିଲେ ସୂତୀ ଲୁଗାଗୁଡ଼ିକ,7ଏବଂ ଯୀଶୁଙ୍କ ମସ୍ତକରେ ଗୁଡ଼ା ହୋଇଥିବା ସମାଧି ବସ୍ତ୍ର ପଡ଼ିଛି। କିନ୍ତୁ ଏହା ଅନ୍ୟ ସୂତୀ ବସ୍ତ୍ରଗୁଡ଼ିକ ସହିତ ନ ଥାଇ, ସଜଡ଼ା ହୋଇ ଅଲଗା ରଖା ହୋଇଛି।8ଯେଉଁ ଅନ୍ୟ ଶିଷ୍ୟ, ସମାଧି ନିକଟରେ ପ୍ରଥମେ ପହଞ୍ଚିଥିଲେ, ସେ ମଧ୍ୟ ଅବଶେଷରେ ଭିତରେ ପ୍ରବେଶ କଲେ। ସେ ଦେଖିଲେ ଓ ବିଶ୍ୱାସ କଲେ।9ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉଠିବାକୁ ହେବ ଏହି ଧର୍ମଶାସ୍ତ୍ରବଚନ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ।10ଏହାପରେ ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।ମଗ୍ଦଲିନୀ ମରିୟମଙ୍କୁ ଯୀଶୁ ଦର୍ଶନ ଦେଲେ
11କିନ୍ତୁ ମରିୟମ ସମାଧି ବାହାରେ ଠିଆ ହୋଇ କାନ୍ଦୁଥିଲେ, ସେ କାନ୍ଦୁ କାନ୍ଦୁ, ନଇଁପଡ଼ି ସମାଧି ଭିତରକୁ ଚାହିଁଲେ12ସେ ଶୁକ୍ଳବସ୍ତ୍ର ପରିହିତ ଦୁଇଜଣ ସ୍ଵର୍ଗଦୂତଙ୍କୁ, ଯୀଶୁଙ୍କ ଶରୀର ରଖା ଯାଇଥିବା ସ୍ଥାନରେ ବସିଥିବାର ଦେଖିଲେ, ଜଣେ ବସିଥିଲେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣକ ପାଦଆଡ଼େ।13ସେମାନେ ତାଙ୍କୁ ପଚାରିଲେ, “ଆଗୋ ନାରୀ, କାହିଁକି କାନ୍ଦୁଛ?”ସେ କହିଲେ, ସେମାନେ ମୋର ପ୍ରଭୁଙ୍କୁ ନେଇ ଯାଇଛନ୍ତି ଓ ତାଙ୍କୁ କେଉଁଠି ରଖିଛନ୍ତି ମୁଁ ଜାଣେ ନାହିଁ।14ଏହା କହି, ସେ ବୁଲିପଡ଼ି ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବାର ଦେଖିଲେ, କିନ୍ତୁ ସେ ଯୀଶୁ ବୋଲି ଜାଣିପାରିଲେ ନାହିଁ।15ଯୀଶୁ କହିଲେ, “ଆଗୋ ନାରୀ, କାହିଁକି କାନ୍ଦୁଛ? କାହାକୁ ଖୋଜୁଛ?”
ତାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି, ମରିୟମ କହିଲେ, “ମହାଶୟ, ଆପଣ ଯଦି ତାଙ୍କୁ ନେଇ ଯାଇଛନ୍ତି, ତେବେ କେଉଁଠି ରଖିଛନ୍ତି ମୋତେ କୁହନ୍ତୁ, ମୁଁ ତାଙ୍କୁ ନେଇ ଆସିବି।”16ଯୀଶୁ ତାଙ୍କୁ କହିଲେ, “ମରିୟମ।”
ସେ ତାଙ୍କ ଆଡ଼କୁ ବୁଲିପଡ଼ି ହିବ୍ରୁ ଭାଷାରେ କହିଲେ, “ରାବ୍ବୁନୀ!” (ଏହାର ଅର୍ଥ “ଗୁରୁ”)।17ଯୀଶୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଊର୍ଦ୍ଧ୍ୱଗମନ କରି ନାହିଁ। କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ କୁହ, ‘ମୁଁ ମୋର ପିତା ଓ ତୁମମାନଙ୍କର ପିତା, ମୋର ଈଶ୍ୱର ଓ ତୁମମାନଙ୍କ ଈଶ୍ୱରଙ୍କ ନିକଟକୁ ଊର୍ଦ୍ଧ୍ୱଗମନ କରୁଛି।’ ”18“ମୁଁ ପ୍ରଭୁଙ୍କୁ ଦର୍ଶନ କରିଛି!” ଏହି ସମ୍ବାଦ ନେଇ ମଗ୍ଦଲିନୀ ମରିୟମ ଶିଷ୍ୟମାନଙ୍କ ନିକଟକୁ ଗଲେ: ପୁଣି ଯୀଶୁ ତାଙ୍କୁ ଏହିସମସ୍ତ ବିଷୟ କହିଥିଲେ ବୋଲି ସେମାନଙ୍କୁ ଜଣାଇଲେ।
ଶିଷ୍ୟମାନଙ୍କୁ ଯୀଶୁ ଦର୍ଶନ ଦେଲେ
19ସପ୍ତାହର ପ୍ରଥମ ଦିବସର ସନ୍ଧ୍ୟା ସମୟରେ, ଶିଷ୍ୟମାନେ ଏକାଠି ଥିଲେ, ଯିହୁଦୀମାନଙ୍କ ଭୟରେ ଦ୍ଵାରସବୁ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ସେମାନଙ୍କ ମଧ୍ୟରେ ଉଭା ହୋଇ କହିଲେ, “ତୁମମାନଙ୍କର ଶାନ୍ତି ହେଉ!”20ଏହା କହି, ସେ ସେମାନଙ୍କୁ ନିଜର ହାତ ଓ କକ୍ଷସ୍ଥଳ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦରେ ବିଭୋର ହେଲେ।21ଯୀଶୁ ପୁନର୍ବାର କହିଲେ, “ତୁମମାନଙ୍କର ଶାନ୍ତି ହେଉ! ପିତା ଯେପରି ମୋତେ ପଠାଇଛନ୍ତି, ମୁଁ ସେହିପରି ତୁମ୍ଭମାନଙ୍କୁ ପଠାଉଅଛି।”22ଏହା କହି ସେ ସେମାନଙ୍କ ଉପରେ ନିଶ୍ୱାସ ଛାଡ଼ି କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର।23ତୁମେ ଯଦି କାହାରି ପାପସବୁ କ୍ଷମା କର, ତାହାର ପାପକ୍ଷମା ହେବ; ଯଦି କ୍ଷମା ନ କର, ତେବେ ପାପକ୍ଷମା ହେବ ନାହିଁ।”ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ
24ଯୀଶୁ ଯେତେବେଳେ ଆସିଥିଲେ, ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଥୋମା ନାମକ ଶିଷ୍ୟ ଯାହାଙ୍କୁ ଦିଦୁମ ବୋଲି ଡାକନ୍ତି, ସେ ସେତେବେଳେ ସେମାନଙ୍କ ସହିତ ନ ଥିଲେ।25“ପ୍ରଭୁଙ୍କୁ ଦେଖିଛନ୍ତି!” ବୋଲି ଅନ୍ୟ ଶିଷ୍ୟମାନେ ତାଙ୍କୁ କହିବାରୁ।ସେ କହିଲେ, “ମୁଁ ଯେପର୍ଯ୍ୟନ୍ତ ତାହାଙ୍କ ହାତ ଦୁଇଟିରେ କଣ୍ଟାର ଦାଗ ନ ଦେଖିଛି, ଓ ସେହି କ୍ଷତକୁ ଅଙ୍ଗୁଳିରେ ସ୍ପର୍ଶ ନ କରିଛି, ପୁଣି ତାହାଙ୍କ କକ୍ଷସ୍ଥଳରେ ମୋର ହାତ ନ ଦେଇଛି ସେପର୍ଯ୍ୟନ୍ତ ମୁଁ ବିଶ୍ୱାସ କରିବି ନାହିଁ।”26ଏକ ସପ୍ତାହ ପରେ ଶିଷ୍ୟମାନେ ପୁନର୍ବାର ସେହି ଗୃହରେ ଥିଲେ, ଓ ଥୋମା ସେମାନଙ୍କ ସଙ୍ଗରେ ଥିଲେ। ଦ୍ଵାରସବୁ ବନ୍ଦ ଥିଲେ ମଧ୍ୟ, ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ତୁମମାନଙ୍କର ଶାନ୍ତି ହେଉ!”27ତତ୍ପରେ ସେ ଥୋମାଙ୍କୁ କହିଲେ, “ଏହିଠାରେ ତୁମର ଅଙ୍ଗୁଳି ଦିଅ; ମୋର ହାତ ଦୁଇଟିକୁ ଦେଖ। ହାତ ବଢ଼ାଅ ଓ ମୋର କକ୍ଷସ୍ଥଳରେ ଦିଅ। ଆଉ ସନ୍ଦେହ ନ କରି ବିଶ୍ୱାସ କର।”28ଥୋମା ତାହାଙ୍କୁ କହିଲେ, “ମୋର ପ୍ରଭୁ ମୋର ଈଶ୍ୱର!”29ତହୁଁ ଯୀଶୁ ତାକୁ କହିଲେ, “ତୁମେ ମୋତେ ଦେଖିଲ ଓ ବିଶ୍ୱାସ କରିଅଛ; ଧନ୍ୟ ସେହିମାନେ ଯେଉଁମାନେ ଦେଖିନାହାନ୍ତି ଓ ବିଶ୍ୱାସ କରିଅଛନ୍ତି।”30ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଆହୁରି ଅନେକ ଅଲୌକିକ କର୍ମ କଲେ, ସେହିସବୁ ଏହି ପୁସ୍ତକରେ ଲିପିବଦ୍ଧ ହୋଇନାହିଁ।31କିନ୍ତୁ ଯୀଶୁ ଯେ ଖ୍ରୀଷ୍ଟ, ଈଶ୍ୱରଙ୍କ ପୁତ୍ର ଅଟନ୍ତି, ଏବଂ ଏହି କଥା ବିଶ୍ୱାସ କରି ତୁମ୍ଭେମାନେ ଯେପରି ତାହାଙ୍କ ନାମରେ ଜୀବନ ପାଇବ, ଏଥିପାଇଁ ଏହିସବୁ ଲେଖା ହୋଇଛି।
Biblica, Inc.