ପ୍ରକାଶିତ ବାକ୍ୟ3
ସାର୍ଦ୍ଦି ମଣ୍ଡଳୀକୁ ବାର୍ତ୍ତା
1“ସାର୍ଦ୍ଦିସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଅଛନ୍ତି ସେ ଏହା କହନ୍ତି।
ମୁଁ ତୁମର କାର୍ଯ୍ୟସବୁ ଜାଣେ; ତୁମେ ଜୀବିତ ବୋଲି ବିଦିତ, କିନ୍ତୁ ପ୍ରକୃତରେ ମୃତ।2ଜାଗ୍ରତ ହୁଅ! ଯାହା ଅବଶିଷ୍ଟ ଅଛି ଓ ମୃତପ୍ରାୟ ରହିଅଛି ତାହାକୁ ଶକ୍ତିଯୁକ୍ତ କର, କାରଣ ତୁମର କାର୍ଯ୍ୟସବୁ ମୋର ଈଶ୍ୱରଙ୍କ ଦୃଷ୍ଟିରେ ସମ୍ପୁର୍ଣ୍ଣ ହୋଇଅଛି ବୋଲି ମୁଁ ଦେଖୁ ନାହିଁ।3ସେଥିପାଇଁ, ଯାହା ପାଇଅଛ ଓ ଶୁଣିଅଛ; ତାହା ସ୍ମରଣ କର, ସେହିସବୁ ପାଳନ କର ଏବଂ ଅନୁତାପ କର। କିନ୍ତୁ ଯଦି ଜାଗ୍ରତ ନ ହୁଅ, ମୁଁ ଚୋର ପରି ଆସିବି ଓ ତୁମ ନିକଟକୁ ହଠାତ୍ କେଉଁ ସମୟରେ ଆସିବି ତାହା ତୁମେ ଜାଣିବ ନାହିଁ।4ତଥାପି ସାର୍ଦ୍ଦିରେ ତୁମ୍ଭମାନଙ୍କମଧ୍ୟରେ ଅଳ୍ପ କେତେକ ଅଛନ୍ତି, ଯେଉଁମାନେ ଆପଣା ଆପଣା ବସ୍ତ୍ର କଳୁଷିତ କରିନାହାନ୍ତି। ସେମାନେ ଶୁଭ୍ର ବସ୍ତ୍ର ପରିଧାନ କରି ମୋ ସହିତ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟବାନ୍।5ଯେ ବିଜୟୀ ହେବ, ସେ ସେମାନଙ୍କ ପରି ଶୁଭ୍ର ବସ୍ତ୍ର ପରିହିତ ହେବ। ମୁଁ ଜୀବନ ପୁସ୍ତକରୁ କଦାପି ତାହାର ନାମ ନିଶ୍ଚିହ୍ନ କରିବି ନାହିଁ, ମାତ୍ର ମୋର ପିତା ଓ ତାହାଙ୍କର ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବି।6ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ।
ଫିଲାଦେଲ୍ଫିଆ ମଣ୍ଡଳୀକୁ ବାର୍ତ୍ତା
7“ଫିଲାଦେଲଫିଆ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କ ଚାବି ରହିଅଛି ଏହା ତାହାଙ୍କର ବାର୍ତ୍ତା। ସେ ଯାହା ଫିଟାନ୍ତି, ତାହା କେହି ବନ୍ଦ କରିପାରେ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ତାହା କେହି ଫିଟାଇ ପାରେ ନାହିଁ।8ମୁଁ ତୁମର କାର୍ଯ୍ୟସବୁ ଜାଣେ। ଦେଖ, ମୁଁ ତୁମ ସମ୍ମୁଖରେ ଏକ ଦ୍ଵାର ଉନ୍ମୁକ୍ତ ରଖିଅଛି, ତାହାକୁ କେହି ବନ୍ଦ କରିପାରିବ ନାହିଁ। ମୁଁ ଜାଣେ, ତୁମର ଶକ୍ତି ଅଳ୍ପ, ତଥାପି ତୁମେ ମୋହର ବାକ୍ୟ ପାଳନ କରିଅଛ ଓ ମୋହର ନାମ ଅସ୍ୱୀକାର କରି ନାହଁ।9ଶୟତାନ ମଣ୍ଡଳୀର ଯେଉଁ ଲୋକମାନେ ଯିହୁଦୀ ନୁହନ୍ତି, ଅଥଚ ମିଛରେ ନିଜକୁ ଯିହୁଦୀ ବୋଲାଇ ହୁଅନ୍ତି, ମୁଁ ସେମାନଙ୍କୁ ଆଣି ତୁମର ପଦାନତ କରାଇବି ଓ ମୁଁ ଯେ ତୁମକୁ ପ୍ରେମ କରିଅଛି ଏହା ସ୍ୱୀକାର କରାଇବି।10ଧୈର୍ଯ୍ୟ ଧରି ରହିବା ବିଷୟରେ ତୁମେ ମୋର ଆଜ୍ଞା ପାଳନ କରିଅଛ, ତେଣୁ ପୃଥିବୀବାସୀଙ୍କୁ ପରୀକ୍ଷା କରିବାକୁ ସମଗ୍ର ଜଗତ ଉପରେ ଯେଉଁ ଦାରୁଣ ପରୀକ୍ଷାକାଳ ଆସୁଅଛି ସେଥିରୁ ମୁଁ ତୁମକୁ ରକ୍ଷା କରିବି।11ମୁଁ ଶୀଘ୍ର ଆସୁଅଛି। ତୁମର ଯାହା ଅଛି, ତାହା ଦୃଢ଼ ରୂପେ ଧରି ରଖ ଯେପରି କେହି ତୁମର ମୁକୁଟ ହରଣ ନ କରେ।12ଯେ ବିଜୟୀ ହେବ, ମୁଁ ତାହାକୁ ମୋର ଈଶ୍ୱରଙ୍କ ମନ୍ଦିରର ଏକ ସ୍ତମ୍ଭସ୍ଵରୂପ କରିବି। ସେ କେବେହେଲେ ତାହା ପରିତ୍ୟାଗ କରିବ ନାହିଁ। ମୁଁ ତା ଉପରେ ମୋର ଈଶ୍ୱରଙ୍କ ନାମ ଏବଂ ମୋର ଈଶ୍ୱରଙ୍କ ନିକଟରୁ ସ୍ଵର୍ଗରୁ ଓହ୍ଲାଇ ଆସୁଥିବା ମୋର ଈଶ୍ୱରଙ୍କ ନଗରୀ; ଅର୍ଥାତ୍ ନୂତନ ଯିରୂଶାଲମର ନାମ ଲେଖିବି ଏବଂ ମୋହର ନିଜର ନୂତନ ନାମ ମଧ୍ୟ ଲେଖିବି।13ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ।
ଲାଓଦେକିଆ ମଣ୍ଡଳୀକୁ ବାର୍ତ୍ତା
14“ଲାଓଦିକିଆ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ଏହା ସେହି ଆମେନ୍ ଙ୍କର ବାର୍ତ୍ତା।15ମୁଁ ତୁମର କାର୍ଯ୍ୟସକଳ ଜାଣେ, ତୁମେ ଶୀତଳ ନୁହଁ କି ଉଷ୍ଣ ନୁହଁ। ତୁମେ ଶୀତଳ କି ଉଷ୍ଣ ହୋଇଥିଲେ ଭଲ ହୋଇଥାଆନ୍ତା!16ତୁମେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହୋଇଥିବାରୁ ମୁଁ ତୁମକୁ ମୋର ମୁଖରୁ ଉଦ୍ଗାର କରିବି।17ତୁମେ କହୁଅଛ, ‘ମୁଁ ଧନୀ; ମୁଁ ଧନସମ୍ପଦ ଲାଭ କରିଅଛି ମୋର କିଛି ହିଁ ଅଭାବ ନାହିଁ।’ କିନ୍ତୁ ତୁମେ ଜାଣୁ ନାହଁ ଯେ ତୁମେ ଦୁର୍ଭାଗା, ଦୟନୀୟ, ଦରିଦ୍ର, ଅନ୍ଧ ଓ ଉଲଗ୍ନ।18ମୋର ପରାମର୍ଶ ଏହି ଯେ ତୁମେ ଯେପରି ଧନବାନ୍ ହୋଇପାରିବ; ଏଥିପାଇଁ ଅଗ୍ନିରେ ପରିଶୁଦ୍ଧ ସୁବର୍ଣ୍ଣ ପୁଣି, ତୁମର ଲଜ୍ଜାଜନକ ଉଲଙ୍ଗତା ଯେପରି ଘୋଡ଼ାଇ ପାରିବ, ଏଥିପାଇଁ ପିନ୍ଧିବାକୁ ଶୁଭ୍ର ବସ୍ତ୍ର ଏବଂ ତୁମେ ଯେପରି ଦେଖିପାରିବ; ଏଥିପାଇଁ ଆଖିରେ ଲଗାଇବାକୁ ଅଞ୍ଜନ ମୋ ଠାରୁ କିଣ।19ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ଭତ୍ସନା ଓ ଶାସନ କରେ। ତେଣୁ ଉଦ୍ଯୋଗୀ ହୁଅ ଓ ଅନୁତାପ କର।20ଦେଖ! ମୁଁ ଦ୍ଵାର ନିକଟରେ ଠିଆ ହୋଇ ଆଘାତ କରୁଅଛି। କେହି ଯଦି ମୋର ସ୍ଵର ଶୁଣି ଦ୍ଵାର ଖୋଲିଦିଏ, ତେବେ ମୁଁ ଭିତରକୁ ଯାଇ ତା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।21ମୁଁ ଯେପରି ବିଜୟୀ ହୋଇ ମୋର ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ସେହିପରି ଯେ ବିଜୟୀ ହୁଏ, ମୁଁ ତାକୁ ମୋ ସହିତ ମୋର ସିଂହାସନରେ ବସିବା ଅଧିକାର ଦେବି।22ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ।”
Biblica, Inc.