ପ୍ରକାଶିତ ବାକ୍ୟ20

ଖ୍ରୀଷ୍ଟଙ୍କର ସହସ୍ରବର୍ଷର ରାଜତ୍ଵ

1ଏଉତ୍ତାରେ ମୁଁ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି, ତାଙ୍କ ହାତରେ ଥିଲା ଅତଳସ୍ପର୍ଶୀ ଗହ୍ଵରର ଚାବି ଓ ଏକ ବୃହତ୍ ଜଞ୍ଜିର।2ସେ ସେହି ସର୍ପକୁ, ଅର୍ଥାତ୍ ସେହି ପୁରାତନ ନାଗକୁ, ଯେ କି ଦିଆବଳ ବା ଶୟତାନ ନାମରେ ପରିଚିତ, ତାକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ।3ସେ ତାକୁ ଅତଳସ୍ପର୍ଶୀ ଗହ୍ଵରରେ ନିକ୍ଷେପ କଲେ, ଏବଂ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ, ସେ ଯେପରି ଜାତିବର୍ଗଙ୍କୁ ପ୍ରତାରିତ କରି ନ ପାରେ, ଏଥିପାଇଁ ଗହ୍ଵରର ଦ୍ଵାର ରୁଦ୍ଧ କରି ମୋହରାଙ୍କିତ କଲେ। ଏହାପରେ ତାକୁ ଅଳ୍ପକାଳ ପାଇଁ ମୁକ୍ତ କରି ଦିଆଯିବ।
4ମୁଁ କେତେକ ସିଂହାସନ ଦେଖିଲି ଯେଉଁମାନଙ୍କୁ ବିଚାର କରିବା ଅଧିକାର ଦିଆଯାଇଥିଲା ସେମାନେ ସେଗୁଡ଼ିକ ଉପରେ ଉପବିଷ୍ଟ ଥିଲେ। ଆହୁରି ମଧ୍ୟ ଯୀଶୁଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବା ହେତୁ ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାର ହେତୁ ଯେଉଁମାନଙ୍କର ମସ୍ତକ ଛେଦିତ ହୋଇଥିଲା ସେମାନଙ୍କର ଆତ୍ମାଗଣଙ୍କୁ ମୁଁ ଦେଖିଲି। ସେମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ ଏବଂ ନିଜ ନିଜ କପାଳରେ ବା ହାତରେ ତାହାର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ଜୀବନଲାଭ କରି ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ରାଜତ୍ଵ କଲେ।5ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଅବଶିଷ୍ଟ ମୃତଲୋକେ ଜୀବନଲାଭ କଲେ ନାହିଁ। ଏହା ହେଉଛି ପ୍ରଥମ ପୁନରୁତ୍ଥାନ।6ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଭାଗୀ ହୁଅନ୍ତି ସେମାନେ ଧନ୍ୟ ଏବଂ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ମାତ୍ର ସେମାନେ ଈଶ୍ୱର ତଥା ଖ୍ରୀଷ୍ଟଙ୍କର ଯାଜକ ହୋଇ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ଵ କରିବେ।

ଶୟତାନର ଅନ୍ତିମ ଦଣ୍ଡବିଧାନ

7ସେହି ସହସ୍ର ବର୍ଷ ସଂପୂର୍ଣ୍ଣ ହେଲାପରେ, ଶୟତାନକୁ ତାହାର କାରାଗାରରୁ ମୁକ୍ତି ଦିଆଯିବ8ପୁଣି ସେ ପୃଥିବୀର ଚାରି କୋଣରେ ଥିବା ଜାତିବର୍ଗଙ୍କୁ, ଅର୍ଥାତ୍ ଗୋଗ ଓ ମାଗୋଗକୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିବ। ସେମାନଙ୍କ ଜନସଂଖ୍ୟା ସମୁଦ୍ରତୀରସ୍ଥ ବାଲୁକା ସଦୃଶ।9ସେମାନେ ପୃଥିବୀର ବକ୍ଷ ଉପରେ ଯୁଦ୍ଧ ଯାତ୍ରାରେ ବାହାରି ଈଶ୍ୱରଙ୍କ ସାଧୁବୃନ୍ଦଙ୍କ ଶିବିରକୁ ଓ ତାହାଙ୍କ ପ୍ରିୟ ନଗରୀକୁ ଅବରୋଧ କଲେ। କିନ୍ତୁ ସ୍ଵର୍ଗରୁ ଅଗ୍ନି ଆସି ସେମାନଙ୍କୁ ଗ୍ରାସ କଲା।10ପୁଣି ସେମାନଙ୍କୁ ଭ୍ରାନ୍ତ କରିଥିବା, ସେହି ଶୟତାନ, ଜ୍ୱଳନ୍ତ ଗନ୍ଧକ ହ୍ରଦରେ ନିକ୍ଷିପ୍ତ ହେଲା, ସେହିଠାରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ। ସେମାନେ ଦିବାନିଶି ଚିରକାଳ ଯନ୍ତ୍ରଣା ଭୋଗ କରିବେ।

ମୃତଲୋକଙ୍କ ବିଚାର

11ତତ୍ପରେ ମୁଁ ଏକ ବୃହତ୍ ଶ୍ୱେତ ସିଂହାସନ ଓ ତହିଁ ଉପରେ ଜଣଙ୍କୁ ବସିଥିବାର ଦେଖିଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ଅନ୍ତର୍ହିତ ହେଲା, ଏବଂ ସେମାନଙ୍କ ପାଇଁ କୌଣସି ସ୍ଥାନ ରହିଲା ନାହିଁ।12ପୁଣି, ମୁଁ ସାନ, ବଡ଼ ସବୁ ମୃତଲୋକଙ୍କୁ ସିଂହାସନ ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି ଏବଂ ପୁସ୍ତକଗୁଡ଼ିକ ଖୋଲାଗଲା। ଆଉ ଏକ ପୁସ୍ତକ ଖୋଲାଗଲା, ତାହା ଜୀବନ ପୁସ୍ତକ। ମୃତ ଲୋକମାନେ କରିଥିବା ଯେଉଁସବୁ କର୍ମ ପୁସ୍ତକଗୁଡ଼ିକରେ ଲିଖିତ ହୋଇଥିଲା, ତଦନୁସାରେ ସେମାନଙ୍କର ବିଚାର କରାଗଲା।13ସମୁଦ୍ର ତା ମଧ୍ୟରେ ଥିବା ମୃତଲୋକଙ୍କୁ ସମର୍ପଣ କଲା, ଏବଂ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟରେ ଥିବା ମୃତଲୋକଙ୍କୁ ସମର୍ପଣ କଲେ, ପୁଣି ପ୍ରତ୍ୟେକ ଜଣ ନିଜ ନିଜ କର୍ମାନୁସାରେ ବିଚାରିତ ହେଲେ।14ଏହାପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। ଏହି ଅଗ୍ନିମୟ ହ୍ରଦ ହେଉଛି ଦ୍ୱିତୀୟ ମୃତ୍ୟୁ।15କାହାରି ନାମ ଯଦି ଜୀବନପୁସ୍ତକରେ ଲିଖିତ ଥିବାର ଦେଖାଗଲା ନାହିଁ, ସେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲା।

Biblica, Inc.

https://app.library.bible/content/97b51048ae7f2ec9