ପ୍ରକାଶିତ ବାକ୍ୟ15

ସପ୍ତ ମହାମାରୀ ସହ ସପ୍ତ ଦୂତ

1ଅନନ୍ତର ମୁଁ ସ୍ଵର୍ଗରେ ଆଉ ଏକ ଅତିଶୟ ଅପୂର୍ବ ଲକ୍ଷଣ ଦେଖିଲି, ଶେଷ ସାତ ମହାମାରୀ ସହ ସାତ ଦୂତ ଏହିଗୁଡ଼ିକ ଶେଷ, କାରଣ ଏତଦ୍ଦ୍ୱାରା ଈଶ୍ୱରଙ୍କ କ୍ରୋଧର ପରିସମାପ୍ତି ଘଟୁଅଛି।2ପୁଣି ମୁଁ ଯାହା ଦେଖିଲି ତାହା ଅଗ୍ନି ମିଶ୍ରିତ କାଚର ଏକ ସମୁଦ୍ର ପରି ଦିଶୁଥିଲା, ମୁଁ ଦେଖିଲି ଯେଉଁମାନେ ପଶୁ ଉପରେ, ତାହାର ପ୍ରତିମା ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନେ ସମୁଦ୍ର ତୀରରେ ଠିଆ ହୋଇଅଛନ୍ତି। ସେମାନେ ଈଶ୍ୱରପ୍ରଦତ୍ତ ବୀଣା ଧରିଅଛନ୍ତି3ପୁଣି ସେମାନେ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଏବଂ ମେଷଶାବକଙ୍କ ଗୀତ ଗାନ କରୁଅଛନ୍ତି:“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର,ତୁମ୍ଭର କର୍ମସକଳ ମହତ୍ ଓ ଅପୂର୍ବ।ହେ ଜାତିଗଣର ରାଜା,ତୁମ୍ଭର ସଂକଳ୍ପସବୁ ନ୍ୟାୟସଙ୍ଗତ ଓ ସତ୍ୟ।4ହେ ପ୍ରଭୁ, କିଏ ତୁମ୍ଭଙ୍କୁ ଭୟ ନ କରିବ,ଓ କିଏ ତୁମ୍ଭ ନାମକୁ ଗୌରବ ନ ଦେବ?କାରଣ କେବଳ ତୁମ୍ଭେ ହିଁ ପବିତ୍ର।ଜାତିସମୂହ ତୁମ୍ଭ ନିକଟକୁ ଆସିତୁମ୍ଭର ଆରାଧନା କରିବେ,କାରଣ ତୁମ୍ଭର ନ୍ୟାୟସଙ୍ଗତ କର୍ମସକଳ ପ୍ରକାଶିତ ହୋଇଅଛି।”
5ଏଉତ୍ତାରେ ମୁଁ ଚାହିଁ ଦେଖିଲି, ସ୍ଵର୍ଗରେ ସାକ୍ଷ୍ୟତମ୍ୱର ମନ୍ଦିର ଉନ୍ମୁକ୍ତ ହେଲା।6ମନ୍ଦିର ମଧ୍ୟରୁ ସପ୍ତ ମହାମାରୀ ସହ ସପ୍ତ ଦୂତ ବାହାରି ଆସିଲେ। ସେମାନେ ପରିଷ୍କୃତ, ଉଜ୍ଜ୍ୱଳ ରେଶମୀ ବସ୍ତ୍ର ପରିହିତ ଥିଲେ ଏବଂ ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା।7ଏହାପରେ ଚାରି ଜୀବନ୍ତ ପ୍ରାଣୀଙ୍କ ମଧ୍ୟରୁ ଜଣେ ସପ୍ତ ଦୂତଙ୍କୁ ସପ୍ତ ସୁବର୍ଣ୍ଣପାତ୍ର ଦେଲେ, ଏଗୁଡ଼ିକ ନିତ୍ୟଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ଥିଲା।8ପୁଣି ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଆଗତ ଧୂମରେ ମନ୍ଦିର ପୂର୍ଣ୍ଣ ହେଲା, ଏବଂ ସପ୍ତ ଦୂତଙ୍କର ସପ୍ତ ମହାମାରୀ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

Biblica, Inc.

https://app.library.bible/content/97b51048ae7f2ec9