ଏଫିସୀୟ6
ପିତାମାତା ଓ ସନ୍ତାନମାନଙ୍କ ପ୍ରତି
1ହେ ପିଲାମାନେ, ପ୍ରଭୁଙ୍କ ସକାଶେ ତୁମ୍ଭମାନଙ୍କର ପିତାମାତାଙ୍କର ବାଧ୍ୟ ହୁଅ, କାରଣ ଏହା ଉପଯୁକ୍ତ ଅଟେ।2“ତୁମ ପିତା ଓ ମାତାଙ୍କୁ ସମ୍ମାନ କରିବ” ଏହା ପ୍ରଥମ ଆଜ୍ଞା ଯେଉଁଥିରେ ଏକ ପ୍ରତିଜ୍ଞା ଯୋଗ କରାଯାଇଅଛି3“ତାହା କଲେ ତୁମର ମଙ୍ଗଳ ହେବ ଓ ତୁମେ ପୃଥିବୀରେ ଦୀର୍ଘଜୀବୀ ହେବ।”4ହେ ପିତାମାନେ, ତୁମର ସନ୍ତାନମାନଙ୍କୁ ଅତିଶୟ ବିରକ୍ତ କର ନାହିଁ; ତା ପରିବର୍ତ୍ତେ, ପ୍ରଭୁଙ୍କର ଶିକ୍ଷା ଓ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ପ୍ରତିପାଳନ କର।ଦାସ ଓ ମୁନିବମାନଙ୍କ ପ୍ରତି
5ହେ ଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଯେପରି ଆଜ୍ଞାବହ, ସେହିପରି ଭୟ ଓ ଭକ୍ତିରେ, ଆନ୍ତରିକ ଭାବରେ ନିଜ ନିଜର ଜାଗତିକ ମୁନିବମାନଙ୍କର ଆଜ୍ଞା ପାଳନ କର।6ସେମାନଙ୍କର ଅନୁଗ୍ରହ ଲାଭ କରିବାକୁ କେବଳ ସେମାନେ ଦେଖୁଥିଲା ବେଳେ ଯେ ଆଜ୍ଞା ପାଳନ କରିବ ତା ନୁହେଁ, ମାତ୍ର ଖ୍ରୀଷ୍ଟଙ୍କର କ୍ରୀତଦାସ ଭଳି, ଆନ୍ତରିକ ଭାବରେ ଈଶ୍ୱରଙ୍କ ଇଚ୍ଛା ସାଧନ କର।7ସର୍ବାନ୍ତଃକରଣରେ ସେବା କର, ସତେ ଯେପରି ତୁମେ ମନୁଷ୍ୟର ସେବା ନ କରି, ପ୍ରଭୁଙ୍କର ସେବା କରୁଅଛ,8କାରଣ ତୁମ୍ଭେମାନେ ଜାଣିଅଛ ଯେ ଦାସ ହେଉ ବା ସ୍ୱାଧୀନ ହେଉ, ପ୍ରଭୁ ପ୍ରତ୍ୟେକ ଜଣକୁ ତାହାର କୃତ ଉତ୍ତମ କର୍ମ ପାଇଁ ପୁରସ୍କୃତ କରିବେ।9ହେ ମୁନିବମାନେ, ତୁମ୍ଭେମାନେ ନିଜର ଦାସମାନଙ୍କ ପ୍ରତି ସେହିପରି ଉତ୍ତମ ବ୍ୟବହାର କର। ସେମାନଙ୍କୁ ଧମକାଅ ନାହିଁ, କାରଣ ଯେ ସେମାନଙ୍କର ତଥା ତୁମ୍ଭମାନଙ୍କ କର୍ତ୍ତା ଅଟନ୍ତି ସେ ସ୍ଵର୍ଗରେ ଅଛନ୍ତି ଓ ସେ ପକ୍ଷପାତିତା କରନ୍ତି ନାହିଁ ଏହା ତୁମ୍ଭେମାନେ ଜାଣିଅଛ।ଈଶ୍ୱରପ୍ରଦତ୍ତ ଯୁଦ୍ଧସଜ୍ଜା
10ପରିଶେଷରେ, ପ୍ରଭୁଙ୍କ ସହଭାଗିତାରେ ରୁହ ଏବଂ ତାହାଙ୍କ ପରାକ୍ରମରେ ଶକ୍ତିମନ୍ତ ହୁଅ।11ଶୟତାନର ଦୂରଭିସନ୍ଧି ବିରୁଦ୍ଧରେ ତୁମ୍ଭେମାନେ ଯେପରି ଅଟଳଭାବେ ଠିଆ ହୋଇପାରିବ, ଏଥିନିମନ୍ତେ ଈଶ୍ୱରଦତ୍ତ ସମସ୍ତ ଯୁଦ୍ଧସଜ୍ଜା ପରିଧାନ କର।12ଆମର ଯୁଦ୍ଧ ମର୍ତ୍ତ୍ୟବାସୀଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ଅଧିପତିମାନଙ୍କ ବିରୁଦ୍ଧରେ, କର୍ତ୍ତାମାନଙ୍କ ବିରୁଦ୍ଧରେ, ଏହି ଅନ୍ଧକାର ଜଗତର ଶକ୍ତିସମୂହ ବିରୁଦ୍ଧରେ ଏବଂ ଆକାଶସ୍ଥ ପାପାତ୍ମମାନଙ୍କର ଦୁଷ୍ଟତା ବିରୁଦ୍ଧରେ।13ତେଣୁ, ଦୁର୍ଦ୍ଦିନ ଆସିଲେ ତୁମ୍ଭେମାନେ ଯେପରି ପ୍ରତିରୋଧ କରି ଦୃଢ଼ଭାବେ ଠିଆ ହୋଇପାରିବ ଓ ସବୁକିଛି କଲାପରେ ଅଟଳ ରହିପାରିବ, ଏଥିପାଇଁ ଈଶ୍ୱରପ୍ରଦତ୍ତ ସମସ୍ତ ଯୁଦ୍ଧସଜ୍ଜା ପରିଧାନ କର।14ଅତଏବ, ସତ୍ୟରୂପ କଟିବନ୍ଧ ଅଣ୍ଟାରେ ବାନ୍ଧି ଧାର୍ମିକତାର ବକ୍ଷସ୍ତ୍ରାଣ ଯଥାସ୍ଥାନରେ ପିନ୍ଧ,15ଏବଂ ଶାନ୍ତିର ସୁସମାଚାରରୁ ପ୍ରାପ୍ତ ପାଦୁକା ପାଦରେ ପିନ୍ଧି ପ୍ରସ୍ତୁତ ଥାଅ।16ଏସବୁ ସହିତ, ବିଶ୍ୱାସର ଢାଲ ଧର, ଏହା ଦ୍ଵାରା ତୁମେ ପାପାତ୍ମାର ସମସ୍ତ ଅଗ୍ନିବାଣ ନିର୍ବାପିତ କରିପାରିବ।17ପରିତ୍ରାଣ ରୂପ ଶିରସ୍ତ୍ରାଣ ପିନ୍ଧି ଆତ୍ମାଙ୍କ ଖଡ଼୍ଗ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର।18ସବୁ ପରିସ୍ଥିତିରେ ସବୁପ୍ରକାର ପ୍ରାର୍ଥନା ଓ ନିବେଦନ କଲାବେଳେ ପବିତ୍ରଆତ୍ମାଙ୍କ ସହାୟତାରେ ପ୍ରାର୍ଥନା କର। ଏହା ମନେରଖି ସତର୍କ ଥାଅ ଏବଂ ସର୍ବଦା ସବୁ ସାଧୁମାନଙ୍କ ପାଇଁ ପ୍ରାର୍ଥନାରେ ଲାଗି ରୁହ।19ମୋ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ମୁଁ ପ୍ରଚାର କଲାବେଳେ ମୋତେ ବାକ୍ୟ ଦତ୍ତ ହେବ, ତା ହେଲେ ମୁଁ ନିର୍ଭୀକ ଭାବରେ ସୁସମାଚାରର ନିଗୂଢ଼ତତ୍ତ୍ୱ ଜଣାଇ ପାରିବି,20ଏଥିସକାଶେ ତ ମୁଁ ଶୃଙ୍ଖଳରେ ଆବଦ୍ଧ ଜଣେ ରାଜଦୂତ। ତାହା ଯେପରି ଭାବରେ କରିବା ଉଚିତ, ମୁଁ ସେହିପରି ସାହସପୂର୍ବକ ଘୋଷଣା କରିପାରିବି ବୋଲି ପ୍ରାର୍ଥନା କର।ଶେଷ ଅଭିବାଦନ
21ମୁଁ କିପରି ଅଛି ଓ କଅଣ କରୁଅଛି, ଏସମସ୍ତ ବିଷୟ ପ୍ରିୟ ଭାଇ ଓ ପ୍ରଭୁଙ୍କର ବିଶ୍ୱସ୍ତ ଦାସ, ତୁଖିକସ୍ ତୁମ୍ଭମାନଙ୍କୁ ଜଣାଇବେ।22ଅମେ କିପରି ଅଛୁ, ତାହା ତୁମ୍ଭେମାନେ ଯେପରି ଜାଣିବ ଓ ସେ ଯେପରି ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବେ, ଏହି ଉଦ୍ଦେଶ୍ୟରେ ମୁଁ ତାଙ୍କୁ ତୁମ ନିକଟକୁ ପଠାଉଅଛି।23ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ବିଶ୍ୱାସୀ ଭାଇମାନଙ୍କ ପ୍ରତି ଶାନ୍ତି ଏବଂ ବିଶ୍ୱାସ ସହ ପ୍ରେମ ରହିଥାଉ।24ଯେଉଁମାନେ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି ସେସମସ୍ତଙ୍କ ପ୍ରତି ଅନୁଗ୍ରହ ପ୍ରଦତ୍ତ ହେଉ।Biblica, Inc.