ଏଫିସୀୟ4
ମଣ୍ଡଳୀରେ ଏକତା
1ପ୍ରଭୁଙ୍କର ଜଣେ ବନ୍ଦୀ ଭାବରେ, ମୁଁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ଵାନରେ ଆହୁତ ହୋଇଅଛ ତାହାର ଯୋଗ୍ୟ ହେଲା ପରି ଜୀବନଯାପନ କର।2ସଂପୂର୍ଣ୍ଣ ଭାବରେ ନମ୍ର ଓ ବିନୟୀ ହୁଅ; ଧୈର୍ଯ୍ୟ ସହକାରେ, ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ।3ଶାନ୍ତିରୂପ ବନ୍ଧନ ଦ୍ଵାରା ଆତ୍ମାଙ୍କ ଏକତା ରକ୍ଷା କରିବାକୁ ସମସ୍ତ ପ୍ରକାର ଉଦ୍ୟମ କର।4ତୁମ୍ଭେମାନେ ଆହୂତ ହେଲାବେଳେ, ଯେପରି ଏକ ଭରସାକୁ ଆହୂତ ହୋଇଅଛ ତୁମ୍ଭମାନଙ୍କର ସେହିପରି ଏକ ଶରୀର ଏକ ଆତ୍ମା;5ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ଡୁବନ;6ସମସ୍ତଙ୍କର ଏକ ଈଶ୍ୱର ଓ ପିତା, ସେସମସ୍ତଙ୍କ ଉପରେ ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।7କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦତ୍ତ ହୋଇଛି।8ସେଥିପାଇଁ ଏହିପରି ଉକ୍ତ ଅଛି:“ସେ ଊର୍ଦ୍ଧ୍ୱକୁ ଆରୋହଣ କଲେ,ଅନେକଙ୍କୁ ବନ୍ଦୀ କରି ସଙ୍ଗରେ ନେଲେ,ସେ ମନୁଷ୍ୟମାନଙ୍କୁ ନାନା ଉପହାର ବରଦାନ ଦେଲେ।”9(“ସେ ଆରୋହଣ କଲେ,” ଏହାର ଅର୍ଥ ସେ ଯେ ନିମ୍ନସ୍ଥ, ପୃଥିବୀକୁ ଅବତରଣ ମଧ୍ୟ କରିଥିଲେ, ତା ଛଡ଼ା ଆଉ କଅଣ ହୋଇପାରେ?10ଯେ ଅବତରଣ କରିଥିଲେ ସେ ଯେପରି ସମଗ୍ର ବିଶ୍ୱକୁ ପୂର୍ଣ୍ଣ କରିପାରନ୍ତି, ଏଥିପାଇଁ ସମସ୍ତ ସ୍ଵର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ।)11ଖ୍ରୀଷ୍ଟ ହିଁ କାହାକାହାକୁ ପ୍ରେରିତ, କାହାକାହାକୁ ଭାବବାଦୀ, କାହାକାହାକୁ ସୁସମାଚାର ପ୍ରଚାରକ, ଆଉ କାହାକାହାକୁ ପାଳକ ଓ ଶିକ୍ଷାଦାତା ହେବାକୁ ବରଦାନ ଦେଇଅଛନ୍ତି,12ଏତଦ୍ଦ୍ୱାରା ଈଶ୍ୱରଙ୍କ ଲୋକମାନେ ସେବାକାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହେବେ, ତା ହେଲେ ଖ୍ରୀଷ୍ଟଙ୍କ ଶରୀର ରୂପକ ମଣ୍ଡଳୀ ଗଠିତ ହେବ13ଶେଷରେ ଆମେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ଭନ୍ଧୀୟ ଜ୍ଞାନରେ ଏକତା ଲାଭ କରିବୁ, ଏବଂ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାରେ ସୁପରିଣତ ମନୁଷ୍ୟ ହୋଇପାରିବୁ।14ତା ହେଲେ ଆମେ ଆଉ ଶିଶୁମାନଙ୍କ ପରି, ତରଙ୍ଗରେ ଇତସ୍ତତଃ ଦୋଳାୟିତ, ଏବଂ ନାନାଦି ମତବାଦ ରୂପ ପବନରେ ଏଣେତେଣେ ଚାଳିତ ହେବା ନାହିଁ ପୁଣି ମନୁଷ୍ୟମାନଙ୍କ ଚାତୁରୀ ଓ ଶଠତା ଅନୁସାରେ ସେମାନଙ୍କ ପ୍ରତାରଣାପୂର୍ଣ୍ଣ ଅଭିସନ୍ଧି ଦ୍ଵାରା ଚାଳିତ ହେବା ନାହିଁ।15ତା ପରିବର୍ତ୍ତେ, ପ୍ରେମର ସହ ସତ୍ୟ କଥା କହି, ମସ୍ତକ ସ୍ଵରୂପ, ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ, ଆମେ ସବୁ ବିଷୟରେ ବୃଦ୍ଧି ଲାଭ କରିବା।16ତାହାଙ୍କଠାରୁ ସମଗ୍ର ଶରୀର, ପ୍ରତ୍ୟେକ ଅସ୍ଥି-ବନ୍ଧନୀ ସାହାଯ୍ୟରେ ସଂଯୁକ୍ତ ଓ ଦୃଢ଼ୀଭୂତ ହୁଏ, ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ନିଜର କାର୍ଯ୍ୟ କରିବା ଦ୍ଵାରା ଶରୀର ପ୍ରେମରେ ବୃଦ୍ଧି ଲାଭ କରେ ଓ ସୁଗଠିତ ହୁଏ।ଆଲୋକର ସନ୍ତାନମାନଙ୍କ ଆଚରଣ
17ତେଣୁ ମୁଁ ପ୍ରଭୁଙ୍କ ନାମରେ, ଦୃଢ଼ଭାବେ କହୁଅଛି, ଅନ୍ୟଜାତୀୟ ଲୋକମାନଙ୍କ ପରି, ଚିନ୍ତାଭାବନାର ଅସାରତାରେ ତୁମ୍ଭେମାନେ ଆଉ ଜୀବନ କାଟ ନାହିଁ।18ହୃଦୟର ଜଡ଼ତା ହେତୁ ସେମାନଙ୍କଠାରେ ଥିବା ଅଜ୍ଞାନତା ସକାଶେ ସେମାନଙ୍କର ବୋଧଶକ୍ତି ଅନ୍ଧକାରମୟ ହୋଇଅଛି ଓ ସେମାନେ ଐଶ୍ୱରିକ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି।19ସେମାନେ ବୋଧଶକ୍ତି ହରାଇ, ନିଜ ନିଜକୁ ଭୋଗଲାଳସାରେ ସମର୍ପଣ କରି ସମସ୍ତ ପ୍ରକାର ଅଶୁଚିତାରେ ଲିପ୍ତ କରିଅଛନ୍ତି, ଓ ଅଧିକ ଭୋଗ କରିବାକୁ ସଦା ଲାଳାୟିତ ହେଉଅଛନ୍ତି।20କିନ୍ତୁ, ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେହିପ୍ରକାର ଜାଣି ନାହଁ।21ତୁମ୍ଭେମାନେ ଅବଶ୍ୟ ଖ୍ରୀଷ୍ଟଙ୍କ ବିଷୟ ଶୁଣିଅଛ ଏବଂ ତାହାଙ୍କଠାରେ ଯେଉଁ ସତ୍ୟ ନିହିତ ଅଛି ତଦନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷାପ୍ରାପ୍ତ ହୋଇଅଛ।22ତୁମ୍ଭେମାନେ ଏହି ଶିକ୍ଷା ଲାଭ କଲ ଯେ, ତୁମ୍ଭମାନଙ୍କ ବିଗତ ଜୀବନଧାରାର, ଯେଉଁ ପୁରାତନ ସ୍ଵଭାବ, ଯାହାକି ଛଳନାମୟ ଅଭିଳାଷ ଦ୍ଵାରା ଭ୍ରଷ୍ଟ ହୋଇଅଛି ତାହାକୁ ପରିତ୍ୟାଗ କରିବାକୁ ହେବ;23ତୁମ୍ଭମାନଙ୍କ ମନୋଭାବରେ ନୂତନତ୍ଵ ଲାଭ କରିବାକୁ ହେବ;24ଏବଂ ଯେଉଁ ନୂତନ ସ୍ଵଭାବ, ପ୍ରକୃତ ଧାର୍ମିକତା ଓ ପବିତ୍ରତାରେ ଈଶ୍ୱରଙ୍କ ସଦୃଶ ହେବାକୁ ସୃଷ୍ଟ ହୋଇଅଛି ତାହାକୁ ପରିଧାନ କରିବାକୁ ହେବ।25ଅତଏବ ତୁମେ ପ୍ରତ୍ୟେକେ ମିଥ୍ୟା ପରିହାର କରି ପ୍ରତିବାସୀକୁ ସତ୍ୟ କଥା କୁହ, କାରଣ ଆମେ ସମସ୍ତେ ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ।26“କ୍ରୋଧ କଲେ ମଧ୍ୟ ପାପ କର ନାହିଁ” ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ କ୍ରୋଧରୁ କ୍ଷାନ୍ତ ହୁଅ,27ପୁଣି ଶୟତାନକୁ ଆଉ ସ୍ଥାନ ଦିଅ ନାହିଁ।28ଯେ ଚୋରି କରୁଛି ସେ ଆଉ ଚୋରି ନ କରୁ, ମାତ୍ର କାମ କରୁ, ଅଭାବଗ୍ରସ୍ତ ଲୋକଙ୍କୁ ଦେବା ପାଇଁ ତା ପାଖରେ ଯେପରି କିଛି ଥାଏ, ଏଥିପାଇଁ ନିଜ ହାତରେ ସଦୁପାୟରେ ପରିଶ୍ରମ କରୁ।29କୌଣସି ଅସାର କଥା ତୁମ ମୁଖରୁ ନ ବାହାରୁ, ମାତ୍ର ଅନ୍ୟମାନଙ୍କ ଆବଶ୍ୟକ ଅନୁସାରେ ଚରିତ୍ରଗଠନ ପାଇଁ ଯାହା ଉପକାରୀ କେବଳ ତାହା ହିଁ ତୁମ ମୁଖରୁ ବାହାରୁ, ତା ହେଲେ ଶ୍ରୋତାମାନଙ୍କ ପାଇଁ ତାହା ହିତଜନକ ହୋଇପାରିବ।30ମୁକ୍ତି ଦିବସ ପାଇଁ ତୁମ୍ଭେମାନେ ଯାହାଙ୍କ ଦ୍ଵାରା ମୁଦ୍ରାଙ୍କିତ ହୋଇଅଛ, ଈଶ୍ୱରଙ୍କର ସେହି ପବିତ୍ରଆତ୍ମଙ୍କୁ ଦୁଃଖ ଦିଅ ନାହିଁ।31ସମସ୍ତ ପ୍ରକାର ତିକ୍ତଭାବ, ପ୍ରଚଣ୍ଡ କ୍ରୋଧ, କୋପ, କଳହ, ପରନିନ୍ଦା ଏବଂ ସବୁପ୍ରକାର ବିଦ୍ୱେଷ ଦୂର କର।32ପରସ୍ପର ପ୍ରତି ସଦୟ ଓ ଅନୁକମ୍ପାଶୀଳ ହୁଅ, ଖ୍ରୀଷ୍ଟଙ୍କ ହେତୁ ଈଶ୍ୱର ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।Biblica, Inc.