ଏଫିସୀୟ3
ଅଣଯିହୁଦୀମାନଙ୍କର ପ୍ରଚାରକ ପାଉଲ
1ଏହି କାରଣରୁ ମୁଁ, ପାଉଲ, ତୁମ ପରି ଅଣଯିହୁଦୀମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀହୋଇଅଛି।2ତୁମ୍ଭମାନଙ୍କନିମନ୍ତେ ମୋତେ ଈଶ୍ୱରଙ୍କ ଅନୁଗ୍ରହର ଯେଉଁ ପରିଚାଳନା ଦାୟିତ୍ଵ ଦିଆଯାଇଛି ସେହିବିଷୟ ତୁମ୍ଭେମାନେ ନିଶ୍ଚୟ ଶୁଣିଅଛ,3ଅର୍ଥାତ୍, ସେହି ନିଗୂଢ଼ତତ୍ତ୍ୱ କିପରି ପ୍ରତ୍ୟାଦେଶ ଦ୍ଵାରା ମୋତେ ଜଣାଇ ଦିଆଯାଇଥିଲା, ସେ ବିଷୟ ମୁଁ ପୂର୍ବେ ସଂକ୍ଷେପରେ ଲେଖିଅଛି।4ତାହାହେଲେ, ଏହା ପଢ଼ିବା ଦ୍ଵାରା ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱ ବିଷୟରେ ମୋର ଅନ୍ତର୍ଦୁଷ୍ଟି ତୁମ୍ଭେମାନେ ବୁଝିବାକୁ ସକ୍ଷମ ହେବ,5ଏହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ଵାରା ଈଶ୍ୱରଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି ପୂର୍ବ ଯୁଗର ଲୋକମାନଙ୍କ ନିକଟରେ ସେପରି ପ୍ରକାଶିତ ହୋଇ ନ ଥିଲା।6ଏହି ନିଗୂଢ଼ତତ୍ତ୍ୱ ହେଉଅଛି ସୁସମାଚାର ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଇସ୍ରାଏଲ ସହିତ ଉତ୍ତରାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ଓ ପ୍ରତିଜ୍ଞାରେ ସମଭାବରେ ଅଂଶୀଦାର।7ଈଶ୍ୱରଙ୍କ କାର୍ଯ୍ୟସାଧକ ଶକ୍ତି ଦ୍ଵାରା ମୋତେ ପ୍ରଦତ୍ତ ଅନୁଗ୍ରହ ଦାନ ଅନୁସାରେ ସେହି ସୁସମାଚାରର ମୁଁ ଜଣେ ସେବକ ହୋଇଅଛି।8ଯଦିବା ମୁଁ ଈଶ୍ୱରଙ୍କ ଭକ୍ତଲୋକମାନଙ୍କ ମଧ୍ୟରେ ନଗଣ୍ୟତମଠାରୁ ନଗଣ୍ୟ, ତଥାପି ମୋତେ ଏହି ଅନୁଗ୍ରହ ଦତ୍ତ ହେଲା: ଯେପରି ମୁଁ ଅଣଯିହୁଦୀମାନଙ୍କ ନିକଟରେ ଖ୍ରୀଷ୍ଟଙ୍କର ଧନ ସ୍ଵରୂପ ସୁସମାଚାର ଯାହାକି ସନ୍ଧାନାତୀତ ତାହା ପ୍ରଚାର କରିବି,9ଏବଂ ସର୍ବ ବିଷୟର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ଯୁଗଯୁଗାନ୍ତରୁ ଗୁପ୍ତ ରହିଥିବା, ଏହି ନିଗୂଢ଼ ତତ୍ତ୍ୱର ପରିକଳ୍ପନା ସମସ୍ତଙ୍କ ନିକଟରେ ସ୍ପଷ୍ଟ ରୂପେ ପ୍ରକାଶ କରିବି।10ଆମର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱର ଆପଣାର ଯେଉଁ ଚିରନ୍ତନ ସଂକଳ୍ପ ସାଧନ କରିଅଛନ୍ତି, ତାହା ଯେପରି ଏବେ ମଣ୍ଡଳୀ ମାଧ୍ୟମରେ ଈଶ୍ୱରଙ୍କ ବହୁବିଧ ଜ୍ଞାନାନୁସାରେ ସ୍ଵର୍ଗୀୟ ସ୍ଥାନରେ ଅଧିପତି, ଓ କର୍ତ୍ତାମାନଙ୍କୁ ଜ୍ଞାତ କରାଯିବ, ଏହା ତାହାଙ୍କର ଉଦ୍ଦେଶ୍ୟ ଥିଲା।12ତାହାଙ୍କଠାରେ ଥିବାରୁ ଓ ତାହାଙ୍କଠାରେ ବିଶ୍ୱାସ ଥିବାରୁ ଆମେ ନିର୍ଭୟରେ ଓ ଭରସାରେ ଈଶ୍ୱରଙ୍କ ନିକଟକୁ ଯାଇପାରୁ।13ତେଣୁ, ମୁଁ ଅନୁରୋଧ କରୁଅଛି, ତୁମ୍ଭମାନଙ୍କ ସକାଶେ ମୋର ଯେଉଁ ଦୁଃଖକ୍ଳେଶ ସେଥିପାଇଁ ନିରାଶ ହୁଅ ନାହିଁ, କାରଣ ତାହା ତ ତୁମ୍ଭମାନଙ୍କର ଗୌରବ।14ଏହି କାରଣରୁ ତାହାଙ୍କ ସମ୍ମୁଖରେ ମୁଁ ଜାନୁପାତ କରିଥାଏ।15ଯେଉଁ ପିତାଙ୍କଠାରୁ ସ୍ଵର୍ଗ ଓ ମର୍ତ୍ତ୍ୟର ପ୍ରତ୍ୟେକ ପରିବାର ତାହାର ନାମ ପ୍ରାପ୍ତ ହୋଇଥାଏ।16ମୁଁ ପ୍ରାର୍ଥନା କରେ ଯେପରି ସେ ନିଜର ଗୌରବମୟ ଧନାଗାରରୁ ତୁମ୍ଭମାନଙ୍କୁ ଶକ୍ତିମନ୍ତ କରିବାକୁ ତୁମ ଅନ୍ତରାତ୍ମାରେ ଆପଣା ଆତ୍ମାଙ୍କ ଦ୍ଵାରା ଶକ୍ତି ଦେବେ,17ତାହାହେଲେ ବିଶ୍ୱାସ ଦ୍ଵାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ। ମୁଁ ଆହୁରି ମଧ୍ୟ ପ୍ରାର୍ଥନା କରେ ଯେ, ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ୀଭୂତ ହେବ,18ପୁଣି ଖ୍ରୀଷ୍ଟଙ୍କ ପ୍ରେମ ଯେ କେଡ଼େ ପ୍ରଶସ୍ତ ଓ ଦୀର୍ଘ, କେଡ଼େ ଉଚ୍ଚ ଓ ଗଭୀର, ତାହା ତୁମେ ସମସ୍ତ ସାଧୁବର୍ଗଙ୍କ ସହିତ ହୃଦୟଙ୍ଗମ କରିବାକୁ ଶକ୍ତି ଲାଭ କରିବ,19ଏବଂ ବୋଧର ଅଗମ୍ୟ ଏହି ପ୍ରେମର ପରିଚୟ ମଧ୍ୟ ପାଇବ ଯଦ୍ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବ।20ଆମେ ଯାହା ମାଗିଥାଉ ବା ଭାବିଥାଉ, ତା ଠାରୁ ଅତି ଅଧିକ ପରିମାଣରେ ଯେଉଁ ଈଶ୍ୱର ଆମ ଅନ୍ତରରେ ତାହାଙ୍କର କାର୍ଯ୍ୟକାରୀ ଶକ୍ତି ଅନୁସାରେ କାର୍ଯ୍ୟ ସାଧନ କରିବାକୁ ସମର୍ଥ,21ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ଡଳୀ ଦ୍ଵାରା ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା, ତାହାଙ୍କର ଗୌରବ ହେଉ! ଆମେନ୍।Biblica, Inc.