ଦ୍ୱିତୀୟ ତୀମଥି4

1ମୁଁ ଈଶ୍ୱରଙ୍କ ସାକ୍ଷାତରେ ଏବଂ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତମାନଙ୍କର ବିଚାର କରିବେ, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କର ଆବିର୍ଭାବ ଓ ରାଜ୍ୟ ସ୍ଥାପନକୁ ଦୃଷ୍ଟି ଆଗରେ ରଖି ତୁମକୁ ଦୃଢ଼ ଆଦେଶ ଦେଉଅଛି:2ବାକ୍ୟ ପ୍ରଚାର କର, ସମୟରେ ହେଉ କି ଅସମୟରେ ହେଉ ପ୍ରସ୍ତୁତ ଥାଅ, ଅତ୍ୟନ୍ତ ଧୈର୍ଯ୍ୟ ସହକାରେ ଯତ୍ନରେ ଶିକ୍ଷା ଦେଇ ଲୋକମାନଙ୍କୁ ସଂଶୋଧନ ଭତ୍ସନା ଓ ଉତ୍ସାହ ପ୍ରଦାନ କର।3କାରଣ ସମୟ ଆସିବ, ଯେତେବେଳେ ଲୋକେ ହିତଜନକ ଶିକ୍ଷା ଗ୍ରହଣ କରିବେ ନାହିଁ। ତା ପରିବର୍ତ୍ତେ, ସେମାନେ ନିଜ ନିଜ ଅଭିଳାଷର ବଶବର୍ତ୍ତୀ ହୋଇ ସେମାନଙ୍କ କର୍ଣ୍ଣକୁ ପ୍ରୀତିକର ହେଲା ଭଳି କଥାଗୁଡ଼ିକ ଶୁଣିବାକୁ ଅନେକ ଗୁରୁଙ୍କୁ ନିଜ ପାଖରେ ସଂଗ୍ରହ କରିବେ।4ସେମାନେ ସତ୍ୟ ବାକ୍ୟରେ କାନ ନ ଦେଇ ମନଗଢ଼ା ଗଳ୍ପ ଆଦିରେ ମନ ଦେବେ।5କିନ୍ତୁ ତୁମେ, ସବୁ ପରିସ୍ଥିତିରେ ସ୍ଥିରଚିତ୍ତ ହୋଇ ରୁହ, କଷ୍ଟ ସହ୍ୟ କର, ପ୍ରଚାର କର କାର୍ଯ୍ୟ ସମ୍ପନ୍ନ କର, ତୁମର ସେବାକାର୍ଯ୍ୟର ସମସ୍ତ କର୍ତ୍ତବ୍ୟ ପାଳନ କର।
6କାରଣ ମୋର ପ୍ରାଣ ଆହୁତି ପରି ଏବେ ଢଳା ଯାଉଅଛି, ଏବଂ ମୋର ମହା ପ୍ରୟାଣର ସମୟ ଆସିଲାଣି।7ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣେ ଲଢ଼ିଅଛି, ମୁଁ ଦୌଡ଼ ଶେଷ କରିଅଛି, ବିଶ୍ୱାସ ରକ୍ଷା କରିଅଛି।8ଏବେ ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହା ଦିବସରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ, ପୁରସ୍କାର ରୂପେ ମୋତେ ଦେବେ ଏବଂ କେବଳ ମୋତେ ନୁହେଁ, ମାତ୍ର ଯେତେଜଣ ତାହାଙ୍କ ଆଗମନକୁ ଉତ୍କଣ୍ଠା ସହ ଅପେକ୍ଷା କରୁଅଛନ୍ତି, ସେସମସ୍ତଙ୍କୁ ଦେବେ।
9ଶୀଘ୍ର ମୋ ନିକଟକୁ ଆସିବା ପାଇଁ ଚେଷ୍ଟା କର।10କାରଣ ଦୀମା ଏହି ଜଗତକୁ ପ୍ରିୟଜ୍ଞାନ କରି, ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକି କୁ ଚାଲି ଯାଇଅଛି। କ୍ରେସେନ୍‌ସ ଗାଲାତୀଆକୁ, ଓ ତୀତସ୍ ଦାଲ୍ମାତିଆକୁ ଯାଇଅଛନ୍ତି।11କେବଳ ଲୂକ ମୋ ସହିତ ଅଛନ୍ତି। ମାର୍କଙ୍କୁ ଦେଖା କରି ତୁମ ସଙ୍ଗରେ ଆଣିବ, କାରଣ ମୋର ସେବାକାର୍ଯ୍ୟରେ ସେ ବିଶେଷ ସାହାଯ୍ୟକାରୀ।12ମୁଁ ତୁଖିକସ୍‌ଙ୍କୁ ଏଫିସସ୍‌କୁ ପଠାଇଅଛି।13ମୁଁ ତ୍ରୋୟାସ୍‌ରେ କାର୍ପସ୍‌ଙ୍କ ପାଖରେ ଯେଉଁ ପୋଷାକଟି ଛାଡ଼ିଆସିଛି, ତୁମେ ଆସିଲା ବେଳେ ତାହାକୁ ଓ ମୋର ପୁସ୍ତକଗୁଡ଼ିକୁ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକୁ ସଙ୍ଗରେ ନେଇ ଆସିବ।
14କଂସାରି ଆଲେକ୍‌ଜାଣ୍ଡର୍ ମୋର ବହୁତ ଅନିଷ୍ଟ କରିଅଛି। ପ୍ରଭୁ ତା କାର୍ଯ୍ୟର ପ୍ରତିଫଳ ଦେବେ।15ତୁମେ ମଧ୍ୟ ତା ବିଷୟରେ ସାବଧାନ ଥାଅ, କାରଣ ସେ ଆମର ବାର୍ତ୍ତାକୁ ଘୋର ବିରୋଧ କରିଥିଲା।
16ମୁଁ ପ୍ରଥମ ଥର ଆତ୍ମସମର୍ଥନ କଲାବେଳେ, କେହି ମୋର ସପକ୍ଷ ହେଲେ ନାହିଁ, ସମସ୍ତେ ମୋତେ ପରିତ୍ୟାଗ କଲେ। ଏହା ସେମାନଙ୍କ ବିରୁଦ୍ଧରେ ଦୋଷ ବୋଲି ଧରା ନ ଯାଉ।17କିନ୍ତୁ ପ୍ରଭୁ ମୋର ସପକ୍ଷ ହୋଇ ମୋତେ ବଳ ଦେଲେ, ଯେପରି ମୋ ଦ୍ଵାରା ସୁସମାଚାର ସଂପୂର୍ଣ୍ଣ ଭାବରେ ପ୍ରଚାରିତ ହେବ ଓ ଅଣଯିହୁଦୀମାନେ ତାହା ଶୁଣିବେ। ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି।18ପ୍ରଭୁ ମୋତେ ସବୁ ଅନିଷ୍ଟକର ଆକ୍ରମଣରୁ ରକ୍ଷା କରି ତାହାଙ୍କର ସ୍ଵର୍ଗୀୟ ରାଜ୍ୟକୁ ନିରାପଦରେ ନେଇଯିବେ। ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍।

ଶେଷ ଅଭିବାଦନ

19ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ଓ ଅନୀସିଫରସ୍‌ଙ୍କ ପରିବାରବର୍ଗଙ୍କୁ ଅଭିବାଦନ ଜଣାଇବ।
20ଏରାଷ୍ଟସ୍ କରିନ୍ଥୀରେ ରହିଲେ, ଏବଂ ତ୍ରୋଫିମସ୍‌ଙ୍କୁ ମୁଁ ମିଲୀତସ୍‌ରେ ପୀଡ଼ିତାବସ୍ଥାରେ ଛାଡ଼ି ଆସିଅଛି।21ଶୀତକାଳ ପୂର୍ବରୁ ଏଠାକୁ ଆସିବାକୁ ଚେଷ୍ଟା କର।
ଇଉବୁଲସ୍, ପୁଦେନସ୍, ଲୀନସ୍, କ୍ଲଦିଆ ଓ ଭାଇମାନେ ତୁମକୁ ଅଭିବାଦନ ଜଣାଉଅଛନ୍ତି।
22ପ୍ରଭୁ ତୁମ ଆତ୍ମାର ସହବର୍ତ୍ତୀ ହୁଅନ୍ତୁ। ତୁମ ପ୍ରତି ଅନୁଗ୍ରହ ବିରାଜୁ।

Biblica, Inc.

https://app.library.bible/content/97b51048ae7f2ec9