ଦ୍ୱିତୀୟ ତୀମଥି3

ଅନ୍ତିମ କାଳରେ ପାପର ବୃଦ୍ଧି

1କିନ୍ତୁ ଜାଣିରଖ ଯେ ଅନ୍ତିମ କାଳରେ ଭୟଙ୍କର ଦୁର୍ଦ୍ଦିନ ଆସିବ।2ଲୋକେ ସ୍ୱାର୍ଥାନ୍ୱେଷୀ, ଧନଲୋଭୀ, ଆତ୍ମଭିମାନୀ, ଅହଂକାରୀ, ନିନ୍ଦାକାରୀ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର,3ପ୍ରେମଶୂନ୍ୟ, କ୍ଷମାରହିତ, କୁତ୍ସାରଟନାକାରୀ, ଅଜିତେନ୍ଦ୍ରିୟ, ଅମାନୁଷିକ, ଉତ୍ତମତାର ବିରୋଧୀ,4ବିଶ୍ୱାସଘାତକ, ଦୁଃସାହସିକ, ବୃଥାଗର୍ବୀ ଏବଂ ଈଶ୍ୱରପ୍ରିୟ ନ ହୋଇ, ବିଳାସପ୍ରିୟ ହେବେ5ସେମାନେ ଧର୍ମର ଭେକ ଧାରଣ କରି ତହିଁର ଶକ୍ତିକୁ ଅସ୍ୱୀକାର କରିବେ। ଏପ୍ରକାର ଲୋକଙ୍କଠାରୁ ଦୂରରେ ରୁହ।
6ଏହିପ୍ରକାର ଲୋକେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ନାନାଦି କୁଅଭିଳାଷରେ ଚାଳିତ ଦୁର୍ବଳଚିତ୍ତ ସ୍ତ୍ରୀଲୋକମାନଙ୍କୁ ବଶ କରନ୍ତି,7ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ କେବେହେଲେ ସତ୍ୟ ସ୍ୱୀକାର କରିବାକୁ ସମର୍ଥ ହୁଅନ୍ତି ନାହିଁ।8ଯାନ୍ନୀସ୍ ଓ ଯାମ୍ବ୍ରିସ୍ ମୋଶାଙ୍କର ବିରୋଧ କଲା ପରି ଏହି ଲୋକମାନେ ସତ୍ୟର ବିରୋଧ କରନ୍ତି। ଏମାନେ ଭ୍ରଷ୍ଟମନା ଓ କପଟବିଶ୍ୱାସୀ।9ମାତ୍ର ଏମାନେ ବେଶୀ ଦୂର ଯିବେ ନାହିଁ, କାରଣ ଉପରୋକ୍ତ ଲୋକଦ୍ଵୟଙ୍କ ପରି, ଏମାନଙ୍କ ମୂଢ଼ତା ସମସ୍ତଙ୍କ ନିକଟରେ ସୁସ୍ପଷ୍ଟ ହେବ।

ତୀମଥିଙ୍କୁ ପାଉଲଙ୍କର ଶେଷ ଆଦେଶ

10କିନ୍ତୁ ତୁମେ, ମୋର ଶିକ୍ଷା, ଆଚରଣ, ମୋର ଲକ୍ଷ୍ୟ, ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ଓ ସହିଷ୍ଣୁତା ବିଷୟ,11ମୋ ପ୍ରତି ହୋଇଥିବା ନିର୍ଯ୍ୟାତନା, ଓ ମୋର ଦୁଃଖଭୋଗ, ଅର୍ଥାତ୍ ଆଣ୍ଟିୟୋଖ, ଇକନିୟମ୍ ଓ ଲୀସ୍ତ୍ରାରେ ମୁଁ ସହ୍ୟ କରିଥିବା ନିର୍ଯ୍ୟାତନା ବିଷୟ ଜାଣିଅଛ। କିନ୍ତୁ ପ୍ରଭୁ ମୋତେ ସେହିସବୁରୁ ଉଦ୍ଧାର କଲେ।12ପ୍ରକୃତରେ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ସମସ୍ତେ ନିର୍ଯ୍ୟାତନା ଭୋଗ କରିବେ,13ଅଥଚ ଦୁଷ୍ଟ ଲୋକେ ଓ ଭଣ୍ଡ ମାନେ ଭ୍ରାନ୍ତି ଜନ୍ମାଇ ଓ ନିଜେ ଭ୍ରାନ୍ତ ହୋଇ, ଅଧିକରୁ ଅଧିକ ମନ୍ଦ ହେବେ।14କିନ୍ତୁ ତୁମେ, ଯେଉଁ ଶିକ୍ଷା ପାଇଅଛ ଓ ଯାହା ଦୃଢ଼ ରୂପେ ବିଶ୍ୱାସ କରୁଅଛ, ସେଥିରେ ଅଟଳ ରହିଥାଅ କାରଣ କେଉଁମାନଙ୍କଠାରୁ ତାହା ଶିଖିଅଛ,15ଓ କିପରି ଶୈଶବକଳାରୁ ପବିତ୍ର ଧର୍ମଶାସ୍ତ୍ରରେ ପରିଚିତ ହୋଇଅଛ, ତୁମେ ଜାଣିଅଛ ଏହି ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ଵାରା ତୁମକୁ ପରିତ୍ରାଣର ଜ୍ଞାନ ଦେବାକୁ ସମର୍ଥ।16ସମସ୍ତ ଧର୍ମଶାସ୍ତ୍ର ଈଶ୍ୱର ଅନୁପ୍ରାଣିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ଶାସନ ପାଇଁ ଉପକାରକ,17ଯଦ୍ଦ୍ୱାରା, ଈଶ୍ୱରଭକ୍ତ ସମସ୍ତ ସତ୍‌କର୍ମରେ ସୁପ୍ରସ୍ତୁତ ହୋଇପାରିବ।

Biblica, Inc.

https://app.library.bible/content/97b51048ae7f2ec9