ପ୍ରଥମ ପିତର3

1ହେ ସ୍ତ୍ରୀମାନେ, ତୁମ୍ଭେମାନେ ସେହିପ୍ରକାରେ ନିଜ ସ୍ୱାମୀମାନଙ୍କର ବଶୀଭୂତ ହୁଅ, ତା ହେଲେ ଯଦିସେମାନଙ୍କ ମଧ୍ୟରୁ କେହି କେହି, ବାକ୍ୟରେ ବିଶ୍ୱାସ କରନ୍ତି ନାହିଁ2ତେବେ ତୁମ୍ଭମାନଙ୍କ ପବିତ୍ର ଓ ଭକ୍ତିପୂର୍ଣ୍ଣ ଆଚରଣ ଦେଖି ବିନା ବାକ୍ୟବ୍ୟୟରେ ଆକର୍ଷିତ ହୋଇପାରିବେ।3ତୁମର ସୌନ୍ଦର୍ଯ୍ୟ କେଶବିନ୍ୟାସ, ସୁବର୍ଣ୍ଣ ଅଳଙ୍କାର ଓ ସୁନ୍ଦର ବସ୍ତ୍ର ପ୍ରଭୃତି ବାହ୍ୟ ବେଶଭୂଷା ଉପରେ ନିର୍ଭର ନ କରୁ।4ତା ପରିବର୍ତ୍ତେ, ଅନ୍ତରସ୍ଥ ଯେଉଁ ବିନୟ ଓ ଶାନ୍ତ ସ୍ଵଭାବ, ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ସେହି ଅମ୍ଲାନ ସୌନ୍ଦର୍ଯ୍ୟ ତୁମ୍ଭମାନଙ୍କର ଭୂଷଣ ହେଉ।5କାରଣ ପୁରାକାଳରେ ସାଧ୍ୱୀ ନାରୀମାନେ ଈଶ୍ୱରଙ୍କଠାରେ ଭରସା ରଖି ନିଜକୁ ଏହି ପ୍ରକାରେ ବିଭୂଷିତା କରିଥିଲେ ସେମାନେ ନିଜ ନିଜ ସ୍ୱାମୀମାନଙ୍କର ବଶୀଭୂତା ଥିଲେ,6ଯେଉଁ ସାରା, ଅବ୍ରହାମଙ୍କ ଆଜ୍ଞାଧୀନ ହୋଇ ତାଙ୍କୁ କର୍ତ୍ତା ବୋଲି ସମ୍ବୋଧନ କରିଥିଲେ ସେମାନେ ତାଙ୍କ ପରି ଥିଲେ। ଯଦି ତୁମ୍ଭେମାନେ ଯଥାର୍ଥ କାର୍ଯ୍ୟ କର ଓ ଭୟଭୀତ ନ ହୁଅ ତେବେ ତୁମ୍ଭେମାନେ ସାରାଙ୍କ କନ୍ୟା ଅଟ।
7ହେ ସ୍ୱାମୀମାନେ, ତୁମ୍ଭେମାନେ ସେହିପ୍ରକାରେ ନିଜ ନିଜ ସ୍ତ୍ରୀମାନଙ୍କ ସହିତ ବାସ କଲାବେଳେ ସହାନୁଭୂତିଶୀଳ ହୁଅ ଏବଂ ସେମାନେ ଅବଳା ଜାତି ଓ ଜୀବନ ରୂପ ଅନୁଗ୍ରହ ଦାନ ବିଷୟରେ ତୁମ ସହିତ ଉରାଧିକାରିଣୀ ଜାଣି ସେମାନଙ୍କ ପ୍ରତି ସମ୍ମାନ ସହ ବ୍ୟବହାର କର, ତାହାହେଲେ ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।

ଅନ୍ୟାୟରେ ଦୁଃଖଭୋଗ

8ପରିଶେଷରେ, ତୁମେ ସମସ୍ତେ, ଏକତା ରକ୍ଷା କରି ପରସ୍ପର ସହବାସ କର, ସହାନୁଭୂତିଶୀଳ ହୁଅ, ପରସ୍ପରକୁ ଭ୍ରାତୃସମ ପ୍ରେମ କର, ଦୟାଳୁ ଓ ନମ୍ର ହୁଅ।9ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିମ୍ବା ଅପମାନ ପରିବର୍ତ୍ତେ, ଅପମାନ ନ କରି ଆଶୀର୍ବାଦ କର ଯେପରି ତୁମେ ଆଶୀର୍ବାଦର ଅଧିକାରୀ ହେବ, ଏଥିପାଇଁ ତୁମେ ଆହୂତ ହୋଇଅଛ।10କାରଣ,“ଯେକେହି ଜୀବନକୁ ପ୍ରିୟ ମଣେଓ ସୁଦିନ ଦେଖିବାକୁ ଇଚ୍ଛା କରେସେ ମନ୍ଦ ବିଷୟରୁ ନିଜ ଜିହ୍ଵାକୁଓ ଛଳ କଥାରୁ ନିଜ ଓଷ୍ଠାଧରକୁ ନିବୃତ୍ତ କରୁ।11ସେ ମନ୍ଦ ପ୍ରତି ବିମୁଖ ହେଉ ଓ ସତ୍କର୍ମ କରୁ;ସେ ଶାନ୍ତିକାମୀ ହୋଇ ଶାନ୍ତି ରକ୍ଷା କରୁ।12କାରଣ ପ୍ରଭୁଙ୍କର ଦୃଷ୍ଟି ଧାର୍ମିକମାନଙ୍କ ଉପରେ ଥାଏଓ ସେମାନଙ୍କ ପ୍ରାର୍ଥନା ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଥାଏ,କିନ୍ତୁ ଦୁଷ୍କର୍ମକାରୀମାନଙ୍କ ପ୍ରତି ପ୍ରଭୁ ବିମୁଖ ହୁଅନ୍ତି।”
13ତୁମେ ଯଦି ସତ୍କର୍ମ କରିବାକୁ ଉଦ୍‌ଯୋଗୀ ତେବେ କିଏ ତୁମର ଅନିଷ୍ଟ କରିବ?14କିନ୍ତୁ ଯଦି ସତ୍ ବିଷୟ ପାଇଁ ତୁମକୁ ଦୁଃଖଭୋଗ କରିବାକୁ ହୁଏ, ତେବେ ତୁମେ ଧନ୍ୟ। “ସେମାନେ ଯେଉଁସବୁ ବିଷୟକୁ ଭୟ କରନ୍ତି; ତୁମେ ସେହିସବୁ ବିଷୟକୁ ଭୟ କର ନାହିଁ କିମ୍ବା ଶଙ୍କିତ ହୁଅ ନାହିଁ।”15ମାତ୍ର ନିଜ ହୃଦୟରେ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଭୟଭକ୍ତିରେ ମାନ୍ୟ କର। ତୁମ ଭରସାର କାରଣ ସମ୍ବନ୍ଧରେ କେହି ଯଦି ପ୍ରଶ୍ନ କରେ ତେବେ ତାକୁ ଉତ୍ତର ଦେବାକୁ ପ୍ରସ୍ତୁତ ଥାଅ। କିନ୍ତୁ ଭଦ୍ର ଭାବରେ ଓ ଶ୍ରଦ୍ଧାର ସହ ଉତ୍ତର ଦିଅ,16ନିଜର ବିବେକ ନିର୍ମଳ ରଖ, ତାହାହେଲେ ଯେଉଁମାନେ ତୁମର ଉତ୍ତମ ଖ୍ରୀଷ୍ଟୀୟ ଆଚରଣର ଅପବାଦ କରନ୍ତି ସେମାନେ ଲଜ୍ଜିତ ହେବେ।17ଅପକର୍ମ କରିବା ସକାଶେ ଦୁଃଖଭୋଗ କରିବା ଅପେକ୍ଷା, ଈଶ୍ୱରଙ୍କ ଯଦି ଇଚ୍ଛା ଥାଏ, ତେବେ ସତ୍କର୍ମ କରିବା ସକାଶେ ଦୁଃଖଭୋଗ କରିବା ଭଲ।18କାରଣ ଆମକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ, ଖ୍ରୀଷ୍ଟ ଧାର୍ମିକ ହୋଇ ସୁଦ୍ଧା ଅଧାର୍ମିକ ଲୋକଙ୍କ ନିମନ୍ତେ, ସେମାନଙ୍କ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ମାତ୍ର ଆତ୍ମାରେ ସଜୀବ ହେଲେ।19ସେହି ଆତ୍ମାଙ୍କ ଦ୍ଵାରା ମଧ୍ୟ ସେ ଯାଇ ବନ୍ଦୀ ଆତ୍ମାଗଣ ନିକଟରେ ପ୍ରଚାର କଲେ,20ବହୁକାଳ ପୂର୍ବେ ଏହି ଆତ୍ମମାନେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେବା ବେଳେ ଅବାଧ୍ୟ ହୋଇଥିଲେ ଅଥଚ ଈଶ୍ୱର ସହିଷ୍ଣୁତା ଅବଲମ୍ବନ କରି ଅପେକ୍ଷା କରିଥିଲେ। ଜାହାଜରେ କେବଳ ଅଳ୍ପ ଲୋକ ସର୍ବସୁଦ୍ଧା ଆଠ ଜଣ ଜଳ ମଧ୍ୟଦେଇ ରକ୍ଷା ପାଇଥିଲେ,21ଯେଉଁ ଡୁବନ ଦ୍ଵାରା ତୁମ୍ଭେମାନେ ଏବେ ରକ୍ଷା ପାଉଅଛ ସେହି ଜଳ ଡୁବନର ନିଦର୍ଶନ, ଏହା ଶରୀରରୁ ମଳିନତା ଦୂର କରିବାକୁ ନୁହେଁ ମାତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହେତୁ ନିର୍ମଳ ବିବେକ ପାଇଁ ଈଶ୍ୱରଙ୍କ ନିକଟରେ ଏକ ନିବେଦନ,22ସେହି ଯୀଶୁ ଖ୍ରୀଷ୍ଟ ସ୍ଵର୍ଗକୁ ଯାଇ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ବିଦ୍ୟମାନ ଅଛନ୍ତି ଏବଂ ସ୍ଵର୍ଗଦୂତ, କ୍ଷମତାଧିକାରୀ ଓ ଶକ୍ତିସମୂହ ତାହାଙ୍କ ବଶୀଭୂତ ଅଟନ୍ତି।

Biblica, Inc.

https://app.library.bible/content/97b51048ae7f2ec9